Unknown

 

 

 

 

 

 

 

 

 

 

 

ଆରୋହଣ

ବୀଣାପାଣି ମହାନ୍ତି

 

ସ୍ୱନାମଧନ୍ୟା

କଣ୍ଠଶିଳ୍ପୀ–

ଅଧ୍ୟାପିକା ଶ୍ରୀମତୀ ଅନିମା କର

ସୁ-ଚରିତାସୁ...... ।

 

ଆତ୍ମ କଥା

 

ଓଡ଼ିଶାର ବିଭିନ୍ନ ପତ୍ର-ପତ୍ରିକାରେ ପୂର୍ବରୁ ପ୍ରକାଶିତ ହୋଇଥିବା କେତେକ ଗଳ୍ପକୁ ଏହି ସଂକଳନରେ ମୁଁ ଦେଇଛି ମାତ୍ର ।

 

ସଂକଳନଟି ପ୍ରକାଶ ପାଇବାରେ ଅନିବାର୍ଯ୍ୟ କାରଣ ହେତୁ ବିଳମ୍ୱ ଘଟିଥିବାରୁ ମୁଁ ମୋର ଅସଂଖ୍ୟ ଶୁଭେଚ୍ଛୁ ଓ ପାଠକମାନଙ୍କ ପାଖରେ କ୍ଷମା ପ୍ରାର୍ଥୀ ।

 

‘ଆରୋହଣ’ ପ୍ରକାଶ କରିବାରେ ମତେ ନାଟ୍ୟକାର ଶ୍ରୀ ରତ୍ନାକର ଚଇନି, ଶ୍ରୀ କାର୍ତ୍ତିକ ଚନ୍ଦ୍ର ରଥ ଏବଂ ଗାଳ୍ପିକ ତଥା କବି ଶ୍ରୀ ପ୍ରସନ୍ନ ପାଟଶାଣୀ ସାହାଯ୍ୟ କରିଥିବାରୁ ସେମାନଙ୍କୁ ଧନ୍ୟବାଦ ଜଣାଉଛି । ସଂକଳନ ପ୍ରସ୍ତୁତି କରିବାରେ ମୋର ଛାତ୍ରୀ କଲ୍ୟାଣୀୟା ମନୋରମା, ବିରାଜିନୀ ଆକ୍‍ତାରା, ସୁପ୍ରୀତି ଓ ମମତା ପ୍ରଭୃତିଙ୍କର ସହଯୋଗ ମୋର ସ୍ମରଣୀୟ ହୋଇ ରହିବ-। ପ୍ରକାଶନଟିର ସମସ୍ତ ଦାୟିତ୍ୱ ସାଥୀ ମହଲର ସତ୍ତ୍ୱାଧିକାରୀ ଶ୍ରୀ ରାଧାଶ୍ୟାମ ମହାନ୍ତି ଗ୍ରହଣ କରିଥିବାରୁ ମୁଁ ତାଙ୍କୁ ଆଜିର ଏଇ ଶୁଭ ଲଗ୍ନରେ କୃତଜ୍ଞତା ଜଣାଉଛି ।

 

ଲେଖିକା

✽✽✽

 

ଲେଖିକାଙ୍କ ପ୍ରକାଶିତ ଅନ୍ୟାନ୍ୟ ଗଳ୍ପ ସଂକଳନ

 

ନବ ତରଙ୍ଗ

ପାନ୍ଥଶାଳା ଓ ରକ୍ତ କରବୀ

କସ୍ତୁରୀ ମୃଗ ଓ ସବୁଜ ଅରଣ୍ୟ

(ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ପୁରସ୍କୃତ)

ତଟିନୀର ତୃଷ୍ଣା

ସାୟାହ୍ନର ସ୍ୱର

ଅନ୍ଧକାରର ଛାଇ

କାଳାନ୍ତର

ମଧ୍ୟାନ୍ତର (ଯଂତ୍ରସ୍ଥ)

 

ଗଳ୍ପ ସୂଚୀ

 

୧.

ଆରୋହଣ

୨.

ଦ୍ୱୀପ

୩.

ଜାଲ

୪.

ଆତ୍ମଜ

୫.

ଅସ୍ପୃଶ୍ୟ

୬.

ବିଜୁଳି

୭.

ଆହୁତି

୮.

ଶୂନ୍ୟତାର ଯନ୍ତ୍ରଣା

୯.

ବିକଳ୍ପ

୧୦.

ତରଙ୍ଗ

୧୧.

ଦାବି

୧୨.

ପ୍ରଶ୍ନ

୧୩.

ବିନ୍ଦୁ

୧୪.

ଦେବୀ

୧୫.

ଅସରନ୍ତି

✽✽✽

 

ଆରୋହଣ

 

ସେ ଜାଣିଥିଲା ଯେ ସେ ଲୋକଟି ଭଲ । କିନ୍ତୁ କି ରକମର ଭଲ ତାର କୌଣସି ସଂଜ୍ଞା ତାକୁ ଜଣା ନଥିଲା । ଅଥବା ସେ ତା’ ଉପରେ କିଛି ଜବାବ ନିଜକୁ କିମ୍ୱା କାହାକୁ ଦବାର ଆବଶ୍ୟକତା କେବେ ହେବ ଭାବି ନ ଥିଲା ।

 

ମାତ୍ର ଏହା ନିଶ୍ଚିତ ସତ ଯେ ପ୍ରତିଦିନ ସୂର୍ଯ୍ୟ ଉଦୟ ପରି ସାବିତ୍ରୀକୁ ଦୁଇହାତରେ ପ୍ଲାଷ୍ଟିକ ଝୁଡ଼ି ଓହଳାଇ ବଜାରରୁ ଫେରିଲା ବେଳେ କିମ୍ୱା ବଜାର ଭିତରକୁ ପ୍ରବେଶ କଲାବେଳେ ଲୋକଟି ସହିତ ସାମ୍ନା କରିବାକୁ ହୁଏ । ନିଜର ଅଜାଣତରେ ତା’ ଆଖି ସହ ନିଜ ଆଖି ମିଶିଯାଏ । ମୁହୂର୍ତ୍ତକ । ଯାହା–ବାସ ତା’ପରେ ଯେଝା ବାଟରେ ଯେଝା ଯିବା କଥା ।

 

ସାବିତ୍ରୀ ପ୍ରଥମେ ପ୍ରଥମେ କିଛି ଭାବୁ ନ ଥିଲା । ହୁଏତ ତା’ର ଯିବା ଆସିବା ସମୟ ସହିତ ସାବିତ୍ରୀର ସମୟ ଖାପ ଖାଉଛି । ଏହାଛଡ଼ା ଆଉ ଏଇ ପରିଣତି ବୟସରେ ଏବଂ ଜୀବନର ଅମାପ ଜଞ୍ଜାଳ ଭିତରେ ଅନ୍ୟ ବିଷୟ ଚିନ୍ତା କରିବାର ବିଳାସ ବୋଧ ସାବିତ୍ରୀର ନାହିଁ । ଲୋକଟି ଭଲ ବୋଲି ଏକ ନିଧାର୍ଯ୍ୟ ମତ ତା’ର ମନରେ ଆସିଥିଲା । କାରଣ ଅନ୍ୟମାନଙ୍କ ପରି ସେ ତାକୁ ଆଖି ମାରୁନଥିଲା କି କଣେଇ କଣେଇ ବୁଲି ପଡ଼ି ଚାହୁଁ ନ ଥିଲା କିମ୍ୱା ଅନ୍ୟ କିଛି କୁତ୍ସିତ ଅଙ୍ଗ ଭଙ୍ଗୀ କରୁ ନଥିଲା । ସେ ଜାଣେ କାହିଁକି ଡାଲି ଚାଉଳ ମାଛ ପରିବା କିମ୍ୱା ଶାଢ଼ି ପୋଷାକ ଦୋକାନରେ ପୁରୁଷ ଲୋକମାନେ ଅଜଣା ଅଚିହ୍ନା ସ୍ତ୍ରୀ ଲୋକମାନଙ୍କୁ ବୟସ ନିର୍ବିଶେଷରେ ଅନେଇ ରହନ୍ତି ଏବଂ ପରିହାସରେ ଆକ୍ଷେପ ବି କରନ୍ତି ।

 

କିନ୍ତୁ ଏଇ ଲୋକଟିର ବୋଧେ ସେ ସବୁ ଅଭିପ୍ରାୟ ନଥିଲା । ଏମିତିକି ପଛ ପଟରୁ ବୁଲି ପଡ଼ି ଚାହିଁବାର ମଧ୍ୟ ସେ ଦେଖି ନଥିଲା । ତେଣୁ ବୋଧହୁଏ ପ୍ରତିଦିନ ତାକୁ ଦେଖିବା ପାଇଁ ସାବିତ୍ରୀର ଇଚ୍ଛା ହୁଏ । ସେଇ ନୀରବ ଆଖିର ଭଲଲୋକୀ ପଣିଆରେ ଦିନସାରାର ଆବର୍ଜନା ଯେମିତି ତା’ର ଧୋଇ ଧାଇ ସଫା ସୁତୁରା ହୋଇଯାଏ । ତା’ ପରଦିନ ସାରାର କ୍ଳାନ୍ତି ଭୁଲି ପରିବା ଚାଉଳ ଡାଲି ଔଷଧ ପଥି ଝୁଡ଼ିରେ ପୁରାଇ ଘରକୁ ଫେରେ ସାବିତ୍ରୀ...ଭାଙ୍ଗି ଯାଉଥିବା ତା’ର ପୃଥିବୀକୁ ସଜାଡ଼ି ନେବା ପାଇଁ ପୁଣି ଥରେ ରାତିରେ ଶୋଇ ସକାଳ ପାଇଁ ଉଠିବାର ଆଗ୍ରହ ରଖି-

 

ଜୀବନରେ ଅନୁଭବ କରିଥିବା ଖୁବ୍ କମ୍ ଭଲ ଅନୁଭୂତି ଭିତରୁ ଏହା ତା’ର ଗୋଟିଏ ।

 

ତା’ର ତିରିଶ ବର୍ଷ ବୟସ ଭିତରେ ସବୁ ଅଭାବନୀୟ ଦାରୁଣ ପରିସ୍ଥିତିର ସେ ମୁଖା ମୁଖି ହୋଇ ଆସିଲା ନାହିଁ ତ ବଞ୍ଚିବି ରହିଲା ଏବଂ ତା’ ଭିତର ଦେଇ ବଞ୍ଚିବାକୁ ତାକୁ ସଂଗ୍ରାମ ମଧ୍ୟ କରିବାକୁ ପଡ଼ିଲା ।

 

ଟ୍ରକ ଆକ୍‍ସିଡ଼େଣ୍ଟରେ କେଶବର ଗୋଡ଼ଟା ଯେଉଁଦିନ କଟିଗଲା ଏବଂ ମୁମୂର୍ଷୁ କେଶବକୁ ଯେତେବେଳେ ରକ୍ତ ସୁଡ଼ୁବୁଡ଼ୁ ଅବସ୍ଥାରେ ଲୋକଗୁଡ଼ାକ ଟେକି ନେଇଗଲେ, ସେତେବେଳେ ସାବିତ୍ରୀ ତା’ର ଦେହ ମୁଣ୍ଡରେ ଏପରି ଦାରୁଣ ଯନ୍ତ୍ରଣା ଅନୁଭବ କରିଥିଲା ଯେ ତା’ର ଜ୍ଞାନ ଲୋପ ହୋଇଯାଇଥିଲା । ଏବଂ ଆଶ୍ଚର୍ଯ୍ୟ, ତା’ର ମନେ ଅଛି ଯେ ସେ ଭାବୁଥିଲା ସେ ବୋଧେ ମରିଯାଉଛି...ଏବଂ ମୃତ୍ୟୁର ଯନ୍ତ୍ରଣାରେ ସେ ଖୁସି ହେବାକୁ ଚେଷ୍ଟା କରୁଥିଲା । (କାରଣ ତାହାହିଁ ସେ ଭାବୁଥିଲା ଯନ୍ତ୍ରଣାର ଶେଷସୀମା) । କିନ୍ତୁ ତା’ପରେ ପୁଣି ଯେମିତି ଜୀବନ୍ୟାସ ପାଇଲା ପରି ସେ ଉଠିଲା କେଶବର ଅକ୍ଷମ ଦେହ ଓ ବିକଳ ମୁହଁକୁ ଚାହିଁ । ସେ ଦମ୍ଭ ନେବାକୁ ମଧ୍ୟ ବଳ ପାଇଗଲା ଏମିତିକି ଛୋଟ ପିଲା ଦି’ଟାଙ୍କୁ ଭାତ ଖୁଆଇଲା ବେଳେ କି ଅଝଟ ହୋଇ ଝୁଣିଲା ବେଳେ ‘ତୋ ବାପ ଯାଇଛି ଘୋଡ଼ାରେ ଚଢ଼ି’ ଗୀତ ଖୁବ୍ ମଧୁର କଣ୍ଠରେ ଗାଇ ପାରିଲା ।

 

କିନ୍ତୁ କେତେ ଦିନ ? କେତେ ଦିନ ବା କେଶବ ପାଖରେ ବସିରହି ସେ ନିରବଚ୍ଛିନ୍ନ ସେବା କରିପାରିବ ? କେତେଦିନ ମୁଣ୍ଡରେ ଓଢ଼ଣା ଦେଇ ମନ୍ଦିରକୁ ଯାଇ ଭୋଗ କରିପାରିବ ? ଆଉ କେତେଦିନ ବା ସାଇ ପଡ଼ିଶାଙ୍କ ମନ ନେଇ ଘରକୋଣରେ ସୁନାମ ଅର୍ଜନ କରି ଚାଲିଥିବ ?

 

କେଶବର ବନ୍ଦ ଥିବା ବରା ଗୁଲୁଗୁଲା ଦୋକାନଟା ପୁଣି ସେ ଖୋଲି ବସିଲା । ସ୍କୁଲ ଓ କଲେଜ ଫେରନ୍ତି ପିଲାଙ୍କର ଏବଂ ବେଳେ ବେଳେ ବାବୁ ଭୟା ବି ଭିଡ଼ ଜମେଇଲେ । କେତେ ଥଟ୍ଟା ଟାପରା କେତେ କୁତ୍ସିତ ଇଙ୍ଗିତ ତା’ର ଦେହର ତନ୍ତୁକୁ ଯେମିତି ଗଣ୍ଠି ଗଣ୍ଠି ସିଲେଇ କରି ଦେଲେ । ଏବେ ସବୁ କଥାରେ ତାକୁ ହସ ମାଡ଼େ–ରାଗ ଦେଖେଇବାକୁ ସାବିତ୍ରୀର ଆଉ ମଉକା କାହିଁ ?

 

ସାରା ଜୀବନ ଧରି ଅୟସ କ’ଣ ସେ ଜାଣିନି । କେଶବ ଭଲ ଥିଲାବେଳେ ରୋଜି ବିଧା ଗୋଇଠା ମାରେ ଏବଂ ଅଶ୍ଳୀଳ ଗାଳି ଦିଏ–ଏବେ ଭାତ ଖାଇଲା ବେଳେ ଥାଳି ତାଟିଆ କଚାଡ଼ି ଦିଏ । ବିଡ଼ି ବିଡ଼ି ହୁଏ, ହାତ ଉଞ୍ଚାଏ । ବିଡ଼ି ଦି’ କଠା ନ ହେଲେ ସେ ରଶି ଲଗେଇ ମରିବ ବୋଲି ଧମକ ଦିଏ... ଯେମିତି କି ସବୁ ଲଜ୍ଜା, ସବୁ ଜଞ୍ଜାଳ ଯନ୍ତ୍ରଣା ସାବିତ୍ରୀର, କେଶବର କିଛି ନୁହେଁ ।

 

ବରା ଗୁଲୁଗୁଲା ଦୋକାନ ରାତି ରାତି ଆଠଟାରେ ବନ୍ଦ ରଖି ସେ ବଜାର ଧାଏଁ । କିଛି ଚାଉଳ, ପରିବା ବଡ଼ି ଧରି ଫେରେ । ମୁହଁରେ ତା’ର ସାରାଦିନର କ୍ଳାନ୍ତି । ଗୋଡ଼କୁ ଗୋଡ଼ ଛନ୍ଦି ହୋଇଯାଏ, ପାଟି ଅଠା ଧରିଯାଏ ତଥାପି ଉପାୟ ତା’ ପାଇଁ କିଛି ନାହିଁ ।

 

ମାତ୍ର ବଜାରକୁ ପଶୁ, ପଶୁ କି ଫେରୁ, ଫେରୁ ସେ ତଥାକଥିତ ଭଲ ଲୋକଟିର ଆଖି ସହିତ ଆଖି ମିଳିଗଲେ, ତାର ମନେହୁଏ ସତେ ବା ଦିନ ସାରାର ସବୁ କ୍ଳାନ୍ତି ନିମିଷକରେ ତୁଟିଯାଏ । ମନେହୁଏ ଆପଣାର କେହି ବିଶ୍ୱାସୀ ଲୋକଟିଏ । ମନେହୁଏ ଏ ଲୋକଟିକୁ ସେ ତା’ର ଦୁଃଖ କହିପାରିବ (କାରଣ ସେ ତା’ଠାରୁ କିଛି ଆଶା କରେ ନାହିଁ, କିଛି ବି ଚାହେଁ ନାହିଁ । ଖାଲି ଟିକିଏ ଆଶ୍ୱାସନା–ପୃଥିବୀରେ ଭଲ ମଣିଷ ଅଛନ୍ତି, ଅନ୍ତତଃ ଅପରର ଯନ୍ତ୍ରଣା ବୁଝିବା ପାଇଁ ନିସ୍ୱାର୍ଥପର ହୃଦୟଟିଏ ଅଛି ତ !) ଇଚ୍ଛାହୁଏ ସେ ନିଜେ ତାକୁ କଥା କହିବ...କିନ୍ତୁ କହିବ କ’ଣ ? ସାବିତ୍ରୀ ତ ତା’ର ନାମ ଜାଣେ ନାହିଁ, ତା’ ଘର ବି ଜାଣେ ନାହିଁ, ତାକୁ ଅନ୍ୟ କେଉଁ ସ୍ଥାନରେ ବି ଦେଖେ ନାହିଁ । ଅଥଚ ପ୍ରତିଦିନ ସେଇ ଆଠଟା ବେଳେ ବଜାର ଭିତରେ...ଛିଃ, ଛିଃ କେମିତି ବା ସେ କହିବ କ’ଣ ? ଆଉ ଲୋକଟା ବି କ’ଣ ଭାବିବ ?

 

ତା’ର ଜୀବନ ସାରାର ଯନ୍ତ୍ରଣା ଭିତରେ ପୁଣି ଗୋଟିଏ ନୂଆ ଅଭାବନୀୟ ଯନ୍ତ୍ରଣାର ସମ୍ମିଶ୍ରଣ । ଏତେ ଦିନପରେ ଭଲ ଲୋକଟିର ସଂସ୍ପର୍ଶରେ ଆସି ସେ ତା’ର ନିକଟକୁ ଯାଇ ପାରୁନାହିଁ–ଏଇ ସଂକୋଚବୋଧର ଯନ୍ତ୍ରଣା । ତା’ ସହିତ ଦି’ପଦ କଥା ହେଲେ କ’ଣ ବା ତା’ର ଇଜ୍ଜତ୍ ଚାଲିଯିବ...

 

ହାତରେ ଝୁଡ଼ି ଦି’ଟା ଆଜି ଭାରି ଭାରି ଲାଗୁଛି । ଟିକେ ବେଶି ଚାଉଳ ଡାଲି କିଣି ଦେଇଛି–କାଲି ପୁଅର ଜନ୍ମଦିନ । ପୂଜାସାରି ବଜାର ଆସିବାକୁ ହୁଏତ ସାବିତ୍ରୀକୁ ବେଳ ନମିଳିପାରେ... ।

 

କୋବିଗୁଡ଼ାକ ଗଦାହୋଇଛି ମାଳ, ମାଳ । କାଲି ପାଇ ଯେତେ ଯାହା ପଡ଼ୁ ସେ କୋବିଟିଏ ନେବ । କୋବିଟାଏ ହାତରେ ଧରି ସେ ଓଜନ କରୁଥିଲା, ଆଉ ଦୋକାନୀକୁ ଦାମ ପଚାରୁଥିଲା କେତେ ବୋଲି । ଏତିକିବେଳେ କିଏ ଯେମିତି କହିଲା ଅତି ପାଖରେ–

 

ପୋକଡ଼ା କୋବିର ପୁଣି ଏତେ ଦାମ ! କେହି ତ କିଣୁନାହାନ୍ତି–ଆଉ ଏ ସେଇ କୋବି ନୁହେଁ ତ ଯାହାକୁ ଖାଇ... ।’’ ଦୋକାନୀ ଗର ଗର ରାଗରେ ଫାଟି ପଡ଼ି ଅଧାରୁ କଥା ଛଡ଼ାଇ ନେଇ କହିଲା–

 

‘‘ହେ ବାବୁ ! ତମକୁ କିଏ ଖୋସାମତ କରୁଛି ମ ନେବାକୁ । ନେଲେ ନିଅ ନନେଲେ ନାହିଁ–ହେଲେ ଗରାଖ ଉସ୍‍ କେଇବାକୁ ତମେ କିଏ ହେ ବାବୁକଡ଼ାକର ଜିନିଷ କିଣିବନି ଖାଲି କୁହାଟ ।’’

 

ସାବିତ୍ରୀ ବୁଲି ପଡ଼ି ଦେଖିଲା ଭଲ ଲୋକଟିର ମୁହଁରେ ଏମିତି ତାଚ୍ଛଲ୍ୟଭରା କଥାରେ କିଛି ହେଲେ ପରିବର୍ତ୍ତନ ଆସି ନାହିଁ । ବରଂ ସେ ହସୁଛି । ଯେମିତି ସେଇ କେବଳ ସତ କଥାଟି, ଭଲ କଥାଟି ଜାଣେ ଆଉ କେହି ଜାଣନ୍ତି ନାହିଁ–କିନ୍ତୁ କାହାର ଅଜ୍ଞାନ ପଣିଆକୁ ସେ ହେୟ ବି ମନେ କରେନା । ସେ ଫଳନ୍ତି ଗଛ–ନଇଁ ପଡ଼ିବା ସତେ କି ତା’ର ଏକ ମାତ୍ର ଧର୍ମ ।

 

କୋବିଟି ଥୋଇ ଦେଇ ସାବିତ୍ରୀ ତା’ର ଝୁଡ଼ି ନେଇ ଚାଲିଗଲା । ସତେ ତ ଦୋକାନରେ କିଏ ଜଣେ କହୁଥିଲା । ବିଷାକ୍ତ କୋବି ଖାଇ ପାଞ୍ଚ ଦଶ ଲୋକ ବେହୋସ ହୋଇ ଡାକ୍ତରଖାନାରେ ପଡ଼ିଛନ୍ତି ।

 

ପଛେ ପଛେ କେହି ଆସିଲା ପରି ଲାଗୁଛି । ପଛକୁ ବୁଲି ଅନେଇ ବି ନାହିଁ ସାବିତ୍ରୀ–କି ଯାଏ ଆସେ–ବଦମାସ ଲୋକଙ୍କର ସବୁବେଳେ ତ ପରଛିଦ୍ର ଖୋଜିବା, ପରକୁ ହଇରାଣ କରିବା ଗୋଟାଏ କାମ... ।

 

‘‘ଆଜ୍ଞା । ଟିକେ ଶୁଣିବେ କି ?’’

 

‘‘କିଏ’’ ?

 

‘‘ଲୋକଟି ନ କିଣିପାରିଲାରୁ ବ୍ୟସ୍ତ ହେଲେ କି ? ପ୍ରକୃତରେ କୋବିଗୁଡ଼ାକ ପୋକା । ଆଉ ଏଠାର କୋବିରେ କ’ଣ ବିଷ ମିଶୁଛି ବୋଲି ମୁଁ ଶୁଣିଥିଲି... ।’’

 

ସାବିତ୍ରୀ ଝୁଡ଼ି ଥୋଇ ତର ତରରେ ମୁଣ୍ଡରେ ଲୁଗା ଟାଣିଦେଲା, କି ଆଶ୍ଚର୍ଯ୍ୟ । ସେଇ ଲୋକଟି ତା’ପଛେ ପଛେ ଆସୁଛି ଅଥଚ ବଦମାସ ଲୋକଙ୍କ କଥା ଭାବୁଛି । ସରମରେ ଜଡ଼ସଡ଼ ହୋଇଗଲା ସାବିତ୍ରୀ–

 

‘‘ନାହିଁ, ନାହିଁ ମୋର କୋବି କ’ଣ ହେବ ? ଏମିତି ଦେଖୁଥିଲି ନାଁ ? ପିଲାଗୁଡ଼ାକ ତ ଅଝଟିଆ–କ’ଣ କିଛି ବୁଝୁଛନ୍ତି... ।

 

‘‘ଯଦି କିଛି ଭାବିବେନି ତେବେ ମୁଁ କାଲି ଭଲ ଜାଗାରୁ କୋବି ଆଣି ଆପଣଙ୍କ ଘରେ ଦେଇ ଆସିବି ।’’

 

‘‘ନାଇଁ ନାଇଁ–ମୁଁ ସେମିତି...ମାନେ...ମୋର କ’ଣ ହେବ ବାବୁ । ମୁଁ ଗରିବ ଲୋକ–ଏତେ ଅୟସ ମତେ ସହିବ ନାହିଁ ! ଅପରାଧ ହେବ ।’’

 

ଭଲ ଲୋକଟିର ମୁହଁଟିରେ ଯନ୍ତ୍ରଣା ଯେମିତି ଶିର ଶିରେଇ ଉଠୁଛି । ସେ କ’ଣ କହିବ ବୁଝୁନାହିଁ–କହିବାର ତ ଆଉ କିଛି ନାହିଁ ।

 

ସାବିତ୍ରୀ ଦେଖିଲା ମୁହଁ ପୋତି ଲୋକଟି ଧୀରେ, ଧୀରେ ଚାଲିଗଲା ଆଗକୁ । ଆହା ! ସତେ ତା’ର ମନରେ କଷ୍ଟ ହେଲା ବୋଧେ... ।

 

ଘରକୁ ଫେରି ସାବିତ୍ରୀ ଥକ୍‍କା ହୋଇ ବସି ପଡ଼ିଲା । ଆଜି ତାକୁ ଭାରି କ୍ଳାନ୍ତ ଲାଗୁଛି–ସେ ରାନ୍ଧି ପାରିବ ନାହିଁ । ପିଲା ଦୁଇଟା ମୁଢ଼ି ବିଞ୍ଚିଦେଇ ସପ ଖଣ୍ଡକରେ ଶୋଇ ଯାଇଛନ୍ତି । କେଶବ ସେ ଘରେ ବସି ରମୁ, ଅନାଦି ଆଉ ବିନୋଦ ସାଙ୍ଗରେ ତାସ ଖେଳୁଛି । ଗଞ୍ଜେଇ ଓ ବିଡ଼ି ଗନ୍ଧରେ ଘରଟା ଯେମିତି ଫାଟିଯାଉଛି...ଆବର୍ଜନା ଅଳିଆ ସଙ୍ଗକୁ ଗନ୍ଧ । ତା’ ସାଙ୍ଗକୁ ଭୋକ, ଜଞ୍ଜାଳ ଯନ୍ତ୍ରଣା । ସବୁଠୁ କଷ୍ଟ ଏମିତି ପ୍ରତିଦିନ ବଞ୍ଚି ରହିବା ଏବଂ ତା’ ପାଇଁ ସଂଗ୍ରାମ କରିବା... । ତା’ ଆସିବା ଜାଣି କେଶବ ଲେଙ୍ଗେଡ଼େଇ ବିଡ଼ିପାଇଁ ଆସୁଛି ବୋଧେ । ଆସୁ–ବିଡ଼ି ଆଣିବାକୁ ଭୁଲିଯାଇଛି... ।

 

‘‘ହଇଲୋ ଛତରଖାଇ ! ବଜାରରେ କୋଉ ନାଗର ସଙ୍ଗରେ ଟହଲ ମାରୁଥିଲୁ ? କିଏ ସେ ଲୋକ ହଇଲେ... । କହ ସଫା, ସଫା କହ ନଇଲେ ଏଇନେ ତତେ ଠେଙ୍ଗାରେ ପିଟି ପିଟି ଛତୁ କରିଦେବି । ଆରେ ରମୁ ଅଇଲୁ ମୋର ଠେଙ୍ଗୁଲୀଟା... ।’’

 

କେଶବର ଡାହାଣ ପାପୁଲି ସାବିତ୍ରୀର ଦର ପାଚିଲା ଅଳିଆ ଝାଟୁଆ ଭର୍ତ୍ତି ବାଳକେରାକୁ ଦୁଇଁ ଚାଲିଛି ଆକ୍ରୋଶରେ ।

 

ଟପ୍ ଟପ୍ ଲୁହ ଝରିପଡ଼ିଲା ସାବିତ୍ରୀର । ପାଟିର ଦୁଇଓଠ ମେଲା ହୋଇ ରହିଲା ସତ, ହେଲେ କୌଣସି ଶବ୍ଦ ବାହାରିଲା ନାହିଁ । କାହିଁକି ନାଁ ପ୍ରଶ୍ନ ଓ ଘଟଣା ବୁଝିବା ପୂର୍ବରୁ ଶରୀରରେ ଯନ୍ତ୍ରଣାର ସୁଅ ତାକୁ ମୂକ କରି ଦେଇଥିଲା ।

 

ରମୁ ଆସି ତା’ ସାମ୍ନାରେ ଛିଡ଼ା ହୋଇ ତା’ର ଛାତି ଓ ମୁହଁକୁ ଅନେଇ ହସୁଛି । ବହୁଦିନ ଧରି କେଶବର ଅନୁପସ୍ଥିତିରେ ସେ ସାବିତ୍ରୀକୁ ନାନା କୁତ୍ସିତ ଇଙ୍ଗିତ କରି ଆସିଛି–ଟଙ୍କା ଗହଣାର ଲୋଭ ନେଇ ବଶ କରିବାକୁ ଚେଷ୍ଟାକରି ବି ବିଫଳ ହୋଇଛି । ସେଇ ପରାଜିତ ମୁହଁରେ ଆଜି ବିଜୟର ହସ ! ଏଇ ଟିକକ ଆଗରୁ ସେ ରମୁକୁ ଚାଉଳ ଦୋକାନରେ ଦେଖିଥିଲା । ହୁଏତ ସେଇ ଆସି କେଶବକୁ କ’ଣ କ’ଣ କହିଛି–ମାତ୍ର କହିବାର ତ କିଛି ନଥିଲା । ଆଉ କ’ଣ ବା ସେ କରିଛି ? କୋଉ ନାଗର, କୋଉ ଗୁରୁ ସଙ୍ଗରେ ! ହାତ ଧରି ଘର କରିଥିଲା ଯେଉଁ ମଣିଷକୁ ନେଇ ସେ ମଣିଷ ଯଦି ନିଷ୍କର୍ମା ଆଉ ଅକ୍ଷମ ହୁଏ, ତାକୁ ତ ତା’ର ସନ୍ତାନମାନଙ୍କ ଜୀବନରକ୍ଷା ପାଇଁ ଯଦି ସେ ଯୁବା ବୟସରେ ଦାଣ୍ଡବଜାର ଘାଟ ଯାଏ, ତେବେ କ’ଣ ସେ ଅସତୀ ଦୋଚାରୁଣୀ ହୋଇଗଲା ?

 

ଆଉ ସେଇ ଲୋକଟି ଯିଏ ବର୍ଷ ବର୍ଷଧରି ତା’ ସାଥିରେ ବଜାରରେ ବୁଲୁଥାଏ, ଝଡ଼, ଝଞ୍ଜା, ବତାସ ଦେହମୁଣ୍ଡ ଖରାପ କିଛି ନମାନି ସେ ଲୋକଟି ତ କାହିଁ ଦିନେ ତାକୁ ଅସଜଡ଼ା ଅବାଗିଆ ବ୍ୟବହାର କରିନି । ଏମିତିକି ଦିନେ, ଦିନେ ଅନ୍ଧାର ରାତିରେ ସେ ଦେଖିଛି ତା’ ପଛେ ପଛେ ସେ ଆସିଛି ସାବିତ୍ରୀର ଘର ପର୍ଯ୍ୟନ୍ତ । ମାତ୍ର ପଦୁଟିଏ କଥା ବି କହିନି । ବାଟ ଭାଙ୍ଗି ଚାଲି ଗଲାବେଳେ ଥରୁଟିଏ ବି ଚାହିଁନି । ଦିନରେ କେବେ ତା’ର ବରା ଗୁଲୁଗୁଲା ଦୋକାନରେ ଛିଡ଼ାହୋଇ କଥା କହିବାର ଇଚ୍ଛା ବି କରିନି... । ହେଇ, ହେଇ ଆଜି କୋବି କିଣିଲା ବେଳେ ପଦୁଟିଏ କଥା...ସେଇଥିରେ ସବୁ ଅଶୁଦ୍ଧ ହୋଇଗଲା ?

 

ସମସ୍ତ ଶକ୍ତି ଖଟେଇ ସାବିତ୍ରୀ ମୁକ୍ତ କରି ଆଣିଲା କେଶବର ହାତମୁଠାରୁ ନିଜକୁ । ଆଉ ସେଇ ଧକ୍‍କାରେ ଛିଟିକି ପଡ଼ିଲା ଦି’ହାତ ଦୂରକୁ । ମୁଣ୍ଡଟା ଢାଏ କରି ବାଡ଼େଇ ହୋଇଗଲା–କାନ୍ଥ ଦେହରେ ଆଉ ସେଇ ଶବ୍ଦରେ ନିଜ ଭିତରେ ପୁଞ୍ଜୀଭୂତ ସଞ୍ଚିତ ବେଦନାରେ ପାହାଡ଼ରେ ଯେମିତି ନିଆଁ ଲାଗିଗଲା । ସାବିତ୍ରୀ କ୍ରୋଧରେ ଭାଙ୍ଗିପଡ଼ି ପାଟିକରି ଉଠିଲା–

 

‘‘ଖବରଦାର ! ମୋ ଦେହରେ ଗଞ୍ଜୋଡ଼ି ଯଦି ହାତ ଦେବୁ ଆଉ ଥରେ ତେବେ ମୋତେ ଚିହ୍ନିବୁ । ମୁଁ ଯଦି ଅସତୀ, ଦୋଚାରୁଣୀ, ତେବେ ତୁଇ କ’ଣ ସତିଆ, ସାଧୁପୁରୁଷ ? ହଇରେ ରମୁ ! ତୁଇ ନାଁ ଭାଉଜ, ଭାଉଜ କହି ମୋ ହାତକୁ ଧରୁ, କାନିରେ ମୁହଁ ପୋଛୁ, ଛାତିକୁ ବଲ ବଲ କରି ଅନେଇ ରହୁ...ଶାଢ଼ି, ଗହଣା ଦେବୁ ବୋଲି କେତେ ଉଚ୍ଚାଟ କରୁ । ପଚାରିଲୁ ତୋ ମନକୁ ପଚାର–କିଏ ସତ୍ କିଏ ଅସତ୍ । ତୋ ଆତ୍ମା ଜଳି ଜଳି ମରିବ । ଯେମିତି ମତେ ଜଳଉଛୁ...-।’’

 

‘‘କ’ଣ କହିଲୁ–ମୁଁ ତତେ ଟାହୁଲି କରୁଛି । ଯା, ଯା...କେଶା’ଇ ପାଇଁ ମୁଁ ଧାଇଁ ଆସିବା କଥା । ରମୁ ନାୟକକୁ ଫେର୍‍ ମାଇକିନା ଅଭାବ–ଦେଖୁଛୁ କେଶା’ଇ ଚୋରୀ ତହିଁରେ ଫେର୍‍ ଜୋରଦାରୀ...ମୋ ମାଇକିନା ହୋଇଥାନ୍ତା ଜୀଅନ୍ତା ଫାଡ଼ି ପକେଇ ଦିଅନ୍ତି । ସପ୍ତ ପୁରୁଷଙ୍କୁ ପାଣି ଦେଉଛି...ଏକା କୁଟୁମ୍ୱ ନହେଲେ... ।’’ ରମୁ ରାଗରେ ଫାଟି ପଡ଼ି ଓଠ ଉପରେ ଓଠ ଚାପି କେଶବକୁ ଅନେଇ ରହିଛି । ଯେମିତି ଆଦେଶ ପାଇଲେ ସାବିତ୍ରୀର ସେ ହାଡ଼ ମାଉଁସ ଛେଚି ଚୂନା କରିଦେବ !

 

କେଶବ ଲେଙ୍ଗେଡ଼େଇ ଆସି ସାବିତ୍ରୀର ତଣ୍ଟି ଚିପି ଧରି କହିଲା–

 

‘‘କ’ଣ କହିଲୁ ? ଆଲୋ ମୋ ଭାଇ ନାଁରେ କ’ଣ କହିଲୁ ? ତୋ ଭଳି ମାଇକିନାକୁ ମୁଁ ଜୀବନ୍ତା ସମାଧି ଦେବି–ଦୋଚାରୁଣୀ, ବେଶ୍ୟାଗିରି କରିବାକୁ ତତେ ଥାନ ମିଳୁନି । ଏତେ ବଡ଼ ନାହାକ ବଅଁଶ ନାଁ ପକେଇବୁ–ସାତ ପୁରୁଷଙ୍କ କାୟା ଅପବିତ୍ର କଲୁ... ।’’

 

ଗଁ, ଗଁ କରି ଉଠିଲା ସାବିତ୍ରୀ । ସତେ ତା’ର ପ୍ରାଣ ଛାଡ଼ିଯିବ । ଏ ଦୁଇଟା ଲୋକଙ୍କୁ ସେ ତ ବଳରେ ପାରିବ ନାହିଁ । ତା’ର ଦୁଇଟା ଛୁଆ, ସେମାନେ ବଞ୍ଚିବେ କିପରି ? ସାବିତ୍ରୀ ମରିଗଲେ ଅଭିମାନରେ କାହାର କିଛି ଯିବନି ଏ କଥା ସେ ନିଜେ ହିଁ ଭଲ କରି ଜାଣେ । ସ୍ୱାମୀ ହାତରେ ମଲେ ସତୀ ହୋଇ ସ୍ୱର୍ଗକୁ ଯିବା କଥା ପିଲାଦିନେ ସେ ଶୁଣିଛି । ନାହିଁ, ନାହିଁ ସେ ପାରିବନି–ତା’ର ପିଲା, ତା’ର ସଂସାର, ପୃଥିବୀ ସେ ଛାଡ଼ିଦେଇ ସ୍ୱର୍ଗକୁ ଯିବ ନାହିଁ । ସେ ବଞ୍ଚିବ–ବଞ୍ଚିବ, ବଞ୍ଚିବ– ।

 

ନିଜର ଗୋଡ଼ ନେଇ ସେ କେଶବର ଖଣ୍ଡିଆ ଗୋଡ଼କୁ ଆଘାତ କଲା । ଘୁଞ୍ଚି ପଡ଼ିଲା କେଶବ ତଳେ । ଆଉ ସେ ମୁହୂର୍ତ୍ତରେ ଛିଡ଼ା ହୋଇପଡ଼ି, ଅଣ୍ଟାରେ ଲୁଗା ଭିଡ଼ି ଚିତ୍କାର କରି ଉଠିଲା–“କ’ଣ କହିଲ ? ମୁଁ ବେଶ୍ୟା ? ଆଉ ତେମେ ? ଆହା–ହା ମୋରି ଆଖି ଆଗରେ ଗୋଟାକୁ ଗୋଟା ମାଇକିନା ନେଇ ଆସି କବାଟ ବନ୍ଦକରି ତତେ କ’ଣ ନ କରିଛ ? ମୁଁ ଛୁଆକୁ କୋଳରେ ଧରି ବାରଣ୍ଡାରେ ଶୀତ ବରଷାରେ କାନ୍ଦି କାନ୍ଦି ନେହୁରା ହୋଇଥିବି ତୁମକୁ । ମୋ କଥା କିଏ ଶୁଣିଛି–କୁଟୁମ୍ୱ ଲୋକେ ସେତେବେଳକୁ କୁଆଡ଼େ ଥିଲେ ? ସାତ ପୁରୁଷଙ୍କ କାୟା ତ କୋଉ ଦିନୁ ଅପବିତ୍ର ହୋଇଛି–ଆଉ ଆଜି କ’ଣ ? ମୁଁ କାହା ଆଗରେ ଏକଥା କହିନି । ସବୁ ମୁହଁ ପୋତି ସହିଛି । କାହିଁକି କୋଉଥିପାଇଁ ବା ? ମୁଁ ବେଶିଆ ? ଆଉ ତମେ ସଭିଏଁ ସତ୍ୟ ପୁରୁଷ ? ମୋ ଦେହରେ ନିଆଁ ନଗାନା କହୁଛି । ମୁଁ ସବୁ ଜାଳି ପୋଡ଼ି ଚୂନା କରିଦେବି, ନିଆଁ ଲଗେଇ କଞ୍ଚା ଖାଇଯିବି–ମୁଁ କାହାର ନୁହେଁଟି– ।’’

 

ରମୁ ସେ କିଳି କିଳା ରଡ଼ିରେ ଚମକି ପଡ଼ି ପଳେଇଗଲା ଦାଣ୍ଡ ଆଡ଼କୁ । ବିନୋଦ ଅନାଦି କବାଟ କଣରୁ ମୁହଁ ଛପେଇ ଦେଲେଣି କୁଆଡ଼େ । ଖାଲି ବାରଣ୍ଡାରେ ସାବିତ୍ରୀର କିଳି କିଳା ରଡ଼ିରେ ଛୁଆ ଦି’ଟା ନିଦରୁ ଉଠି ବଲ ବଲ କରି ଅନେଇ ରାହା ଧରିଛନ୍ତି । ଆଉ କେଶବ ? ପିଣ୍ଡା ତଳକୁ ଗଡ଼ି ପଡ଼ି କୌଣସିମତେ ଖଣ୍ଡିଆ ଗୋଡ଼ରେ ଭରା ଦେଇ ଉଠିବାକୁ ଚେଷ୍ଟା କରୁଛି ଏଣେ ବିଡ଼ି ବିଡ଼ି କରି ସାବିତ୍ରୀକୁ ଅଶ୍ଳିଳ ଗାଳିଗୁଲଜ କରୁଛି– ।

 

ମାତ୍ର ? ସାବିତ୍ରୀର ମନ କି କାନ ସେଥିରେ ନାହିଁ । ହଠାତ୍ ନିଜ ସ୍ୱରରେ ନିଜେ ସେ ଚମକିପଡ଼ି ଅଟକି ଯାଇଥିଲା । କି ଖରାପ ଭାଷାରେ ସେ କଥା କହୁଥିଲା ସତରେ ? ସେଇ ଲୋକଟି ଯଦି ଶୁଣିଥିବ– । ତା’ର ନିର୍ଲିପ୍ତ ପବିତ୍ର ଆଖି ଯୋଡ଼ିକ ହଠାତ୍ ସାବିତ୍ରୀର ମନକୁ ଛୁଇଁଗଲା ! ଏବଂ ସେଇକ୍ଷଣି ତା’ର ଦେହ ଓ ମନର ସମସ୍ତ କ୍ରୋଧ ଆକ୍ରୋଶକୁ ମଧ୍ୟ ! ସେ ଭୁଲିଗଲା ଏଇ ଟିକକ ତଳର ଘଟଣା ! ସତେ ବା ସ୍ୱପ୍ନରେ ଯାଇଁ ସେ କେଉଁ ଏକ ଜାଗାରେ ପହଞ୍ଚିଛି ଯେଉଁଠି କିଛି ଦୁଃଖ ନାହିଁ, କଷ୍ଟ ନାହିଁ, ଯନ୍ତ୍ରଣା ନାହିଁ–ଅଛି ଖାଲି ପବିତ୍ରତା, ଶାନ୍ତି ଆଉ ଅଫୁରନ୍ତ ଆନନ୍ଦବୋଧ– । ଗଭୀର ତପ୍ତିରେ ସାବିତ୍ରୀର କ୍ଳାନ୍ତ ଆଖିପତା ଯେମିତି ମୁଦି ହୋଇଯାଉଛି କାହାର ପବିତ୍ର ସ୍ନିଗ୍‍ଧ ମଧୁର ଆଶ୍ଳେଷରେ– !

 

‘‘ଆଲୋ ହେ ସାବୀ ! ଧରବା ମୋ ହାତକୁ ଟିକେ ! ଡବ ଡବ କରି କାହାକୁ ଅନେଇଛୁ ସେ ଆଡ଼େ ? ତୋ ଦେହରେ ଆଉ କେବେ ହାତ ଦେବିନି ଲୋ ମୋର ଭୁଲ ହୋଇଛି ଲୋ–ଭୁଲ ହୋଇଛି– ।’’

 

ସାବିତ୍ରୀର ତନ୍ଦ୍ରା ଭାଙ୍ଗିଗଲା । ଆରେ ସତେ ତ ? ପିଣ୍ଡା ତଳକୁ ପଡ଼ିଯାଇ କେଶବର ଆଣ୍ଠୁ ଛିଣ୍ଡିଯାଇଛି । ବୋଧେ ଜୋରରେ ମାଡ଼ ଲାଗିଯାଇଛି କି କ’ଣ ? କେଶବର ଆଖିରୁ ଲୁହ ଗଡ଼ୁଛି ଯେ ! ଗୋଡ଼ କଟିଗଲା ଦିନ ସେ ତା’ ଆଖିରେ ଲୁହ ଟୋପାଏ ବି ଦେଖି ନ ଥିଲା ଅଥଚ–-

 

କରୁଣ ସ୍ନିଗ୍‍ଧତାରେ ହଠାତ୍ ସାବିତ୍ରୀର ଅନ୍ତର ମାୟା ମମତାରେ ଭରି ଉଠିଲା । ସେ ଜିଭ କାମୁଡ଼ି ପିଣ୍ଡା ଦାଢ଼କୁ ଧାଇଁଗଲା ଓ ନିଜର ଛୋଟ ଛୁଆକୁ ଯେମିତି ଗୋଟେଇ ଆଣେ ତଳୁ, ସେମିତି କେଶବକୁ ସେ ଗୋଟେଇ ଆଣିଲା ପିଣ୍ଡା ଉପରକୁ । ତା’ ଦେହରେ ଏତେ ବଳ କେଉଁଠି ଆସିଲା କେଜାଣି । ଫୁଲଟିଏ ପରି ନରମ ଓ ହାଲୁକା ଲାଗୁଛି କେଶବର ଦେହର ଓଜନ ।

 

ଗୋଡ଼ ଲମ୍ୱେଇ ପିଣ୍ଡା ତଳକୁ ସାବିତ୍ରୀ କେଶବକୁ କୋଳ କରିନେଲା । ସତେ କି ସେ ତା’ର କଅଁଳା ଛୁଆ–ନାରଖାର ହୋଇ ଧୂଳିରେ ଲୋଟୁଥିଲା ରାହା ଧରି ମାଆର ଫେରନ୍ତା ପଥକୁ ଚାହିଁ ।

 

ଏପରି ଏକ ଅଭାବନୀୟ ପରିସ୍ଥିତି ପାଇଁ କେଶବ ପ୍ରସ୍ତୁତ ନ ଥିଲା । ତାକୁ ବି ସ୍ୱପ୍ନ ଦେଖିଲା ପରି ଲାଗୁଥିଲା ।

 

ଗଭୀର ଆବେଗରେ ସାବିତ୍ରୀ ନିଜର ଲୁଗା କାନିରେ କେଶବର ଆଣ୍ଠୁର ରକ୍ତ ଡାହାଣ ହାତରେ ପୋଛି ଦେଉଥିଲା ଆଉ ବାଁ ହାତରେ ଆଉଁଷୁଥିଲା ତାର କପାଳ ଉପର ଅଲରା କେଶକୁ-

 

ଅବାକ୍ ବିସ୍ମୟରେ ଛୁଆ ଦି’ଟାଙ୍କର ରାହା ବନ୍ଦ ହୋଇଯାଇଥିଲା ସବୁରି ଅଜାଣତରେ ! ଆଉ ଏକ ପୃଥିବୀର ସ୍ପର୍ଶରେ ସମସ୍ତେ ବା ଯେପରି ହଡ଼ବଡ଼େଇ ଯାଇଛନ୍ତି !!!

✽✽✽

 

ଦ୍ୱୀପ

 

ତା’ର କାନ ସେତେବେଳେ କୌଣସି ଶବ୍ଦ ଗ୍ରହଣ କରିବାକୁ ପ୍ରସ୍ତୁତ ନ ଥିଲା । ଟ୍ରେନଟା ଚାଲିଗଲା କି ଷ୍ଟେସନ ଭିତରକୁ ଆସିଲା କିଛି ବୁଝିବା ମଧ୍ୟ ସମ୍ଭବ ନ ଥିଲା । ଜୋତା ଭିତରେ ତା’ର ଗୋଡ଼ ଦୁଇଟା ଠକ୍ ଠକ୍ କମ୍ପୁଥିଲା । ଆଉ ଆଖିର ଆକାଶ ଦିଗନ୍ତ ବ୍ୟାପ୍ତୀ କୁହୁଡ଼ିରେ ଅନ୍ଧ ହୋଇ ଯାଉଥିଲା ।

 

ଗୋଟିଏ ବିରାଟ ନିସ୍ତବ୍‍ଧତା ତାକୁ ଗ୍ରାସ କରି ଆସୁଛି ବୋଲି ସେ ଅନୁଭବ କରୁଥିଲା-। ସମଗ୍ର ଜନଗହଳି ଅସମାପ୍ତ କୋଳାହଳ ଭିତରେ ସତେଅବା ସେ ମୂକ ହୋଇଯାଇଛି-। ପୃଥିବୀରେ କେତେ ଅଲୌକିକ ଘଟଣା ପ୍ରତି ମୁହୂର୍ତ୍ତରେ ନ ଘଟି ଯାଉଛି...କିନ୍ତୁ ହୁଏତ କାହା ପକ୍ଷରେ ଏ ଅତି ସାମାନ୍ୟ ବ୍ୟାପାର ହୋଇପାରେ । ତଥାପି ତା’ର ଗୋଡ଼ ଦୁଇଟା ଥରୁଛି–କାନମୁଣ୍ଡ କୌଣସି ଶବ୍ଦ ଗ୍ରହଣ କରୁନାହନ୍ତି କି ସେ ନିଜେ କ’ଣ କରୁଛି ବୁଝିପାରୁ ନାହିଁ । ସେ କ’ଣ ସେଇ ମଣିଷ ? ଯିଏ ଅସୁମାରୀ ସମସ୍ୟାକୁ ହଜମ କରି ମଧ୍ୟ ନିର୍ଲିପ୍ତ ନିଳରସ ରହିପାରିଛି ଓ ଏକ ନିୟମବନ୍ଧା ରୁଟିନ୍ ଧରି ରାତିଦିନ କଟାଇ ଚାଲିଛି ?

 

କେତେ ଦିନ ପରେ ଯେ, କେଜାଣି ଦୀପଙ୍କର ଫେରିଲା ଏ ସହରକୁ ? ସହର ସାରା ଲୋକ ଅଛନ୍ତି କି ମଶାଣୀ ହୋଇଯାଇଛି ସେ ତା’ର ଖବର ରଖିନି । ରାସ୍ତା କୁଆଡ଼େ ? କୁହୁଡ଼ିରେ ଯେମିତି ଆଖିପତା ସିଲ୍ ହୋଇ ଯାଉଛି...ଶୀତରେ ଦୀପଙ୍କରର ପାଦ ଦୁଇଟି କି ଭୟଙ୍କର ଠକ୍ ଠକ୍ କମ୍ପୁଛି । କାନ୍ଧ ଉପରୁ ଦରମଇଳା ଛିଣ୍ଡା କମ୍ୱଳଟିକୁ ସେ ଗୋଡ଼ଠାରୁ ମୁଣ୍ଡ ପର୍ଯ୍ୟନ୍ତ ବିଛେଇ ଦେଲା । କେବଳ ଅବଶିଷ୍ଟ ରହିଛି ମୁଣ୍ଡ ତା’ର ଦୃଷ୍ଟିର ଦିଗନ୍ତ । ସେ ତ ଭ୍ରାନ୍ତ–ରାଶି ରାଶି କୁହୁଡ଼ିର ନିଷ୍ଫଳା ଅରଣ୍ୟ ।

 

ଷ୍ଟେସନ ଛାଡ଼ି ଅନେକ ବାଟ ସେ ଚାଲି ଆସିଥିଲା । ରାସ୍ତାର କାଁ ଭାଁ ସାଇକେଲ’ ମଣିଷ ଯିବା ଆସିବା ଚାଲିଥିଲା–କିନ୍ତୁ ଚିହ୍ନିବା କାହାକୁ ଦୀପଙ୍କର ପାଖରେ ଅବାନ୍ତର ପ୍ରଶ୍ନ ଥିଲା ।

 

ପୃଥିବୀରେ କେତେ ମଣିଷ, କେତେ ଇତିହାସ, ଘଟଣା ଜାଣି ଏବଂ ଅପଠିତ କେତେ ଇତିହାସ ସୃଷ୍ଟି କରି ବି ସେ ତ ରାସ୍ତାକଡ଼ର ଅପଚରା ମଣିଷ ।

 

କ’ଣ ଗୋଟାଏ ମାଡ଼ିପକେଇଲା ସେ । ରାସ୍ତା ଉପରେ ଚିତ୍ କରି ଜୁଡ଼ୁବୁଡ଼ୁ କୁକୁରଟାଏ–ତା’ର ସେ ପଟକୁ ସେମିତି ରକ୍ତ ସାଲୁ ସାଲୁ ମଣିଷ ପିଲାଟିଏ । ବାକି ଅଛି କେବଳ ଶବ ସଂସ୍କାର–ଯାହା ଯେକୌଣସି ସମାଜିକ ପ୍ରାଣୀର ଦାୟିତ୍ୱ । କଚ୍ କଚ୍ କରି କିଏ ଯେମିତି କଲିଜାଟା କାଟି ପକାଉଛି ତା’ର ଆଉ କେଉଁ ଅନାଗତ ସପ୍ତ ପୁରୁଷର ! ତଥାପି ସେ ତ ନାହିଁ ! ନାହିଁ ତା’ର ଆକାଶ ଭରି ଦିଗନ୍ତ କି ସୋରିଷ ଫୁଲର ଖେଳ ଖମାର । ସେ ବା ଅଟକି ରହିବ କାହିଁକି ?

 

ଦୀପଙ୍କରର ମନେ ହେଉଥିଲା ଯେପରି ଏ ସହରର ପ୍ରତିଆକର୍ଷଣ ତାକୁ ଗୋଇଠା ମାରି ବିଦା କରି ଦେଉଥିଲା । ସେମିତି ସେ ତାକୁ ଗୋଇଠା ମାରି ମାରି କୁଦି ଚାଲିଛି । ଆଜି ତା’ର ଭୟ ନାହିଁ, ଲଜ୍ଜା ନାହିଁ, ସଙ୍କୋଚ ନାହିଁ, ସର୍ବୋପରି ଯନ୍ତ୍ରଣା ମଧ୍ୟ...ନାହିଁ । ଦୀପଙ୍କର ପକେଟରେ ହାତ ପୂରାଇ ସିଗାରେଟ୍ ଗୋଟାଏ ବାହାର କଲା ଏବଂ ଜାଣିଲା ସୂର୍ଯ୍ୟ ଆସିବାକୁ ଅନେକ ଡେରି ଅଛି । ଆଉ କିଏ ବା ତାକୁ ଚିହ୍ନୁଚି–ଜାଣୁଛି ? ଖବର ଆସିବାକୁ, ଖୋଜିବାକୁ କେତେ ସମୟ ଲାଗେ କେଜାଣି ? ସମସ୍ତ ଅଦୃଶ୍ୟ ଅବସ୍ଥାକୁ ଟିପି ଆଉ ଏକ ଦୃଶ୍ୟ ଦୀପଙ୍କରକୁ ମୁହୂର୍ତ୍ତକ ପାଇଁ ମନ୍ଥର କରିଦେଲା ଏବଂ ତା’ର ଅଜାଣତରେ ସିଗାରେଟ୍‍ଟା ହାତରୁ ଖସିପଡ଼ିଲା... ।

 

ଏତେ ବଡ଼ କଥାଟା ସେ ଏତେ ସମୟ ଧରି ଭୁଲି ରହିଛି କେମିତି ? ରତ୍ନକେଶରୀର ଶବ ଉଠିବଣି ବୋଧେ । କେତେ କୋଟି ଟଙ୍କା ତା’ର ବ୍ୟାଙ୍କରେ ପଡ଼ି ରହିଛି, ଘରେ କେତେ ପୋତି ରଖିଥିଲା କିଏ କହିବ ? ପୋଲିସ ହୁଏତ ଅନୁସନ୍ଧାନ ଆରମ୍ଭ କରିବେଣି । ରାତିରୁ କି ସକାଳୁ କିଛି ଜାଣି ହେବନି । ଶଶାଙ୍କକୁ ଠିକଣା ନ ଦେଇ ଚାଲିଆସିଥିଲା ଦୀପଙ୍କର–ଇଚ୍ଛାକୃତ ଅଜ୍ଞାତବାସ ନୁହେଁ । ପ୍ରୟୋଜନ ହିସାବରେ ଅଦରକାରୀ । ରତ୍ନକେଶରୀର ମୃତ୍ୟୁରେ ତା’ର ବା କି ଯାଏ ଆସେ ? ଯେକୌଣସି ଲୋକର ମୃତ୍ୟୁ ପରି ତାହା ଦୀପଙ୍କର ପାଖରେ ଘଟଣାବିହୀନ । ତଥାପି ଯେମିତି ରକ୍ତର ନଈରେ ରତ୍ନକେଶରୀ ସଙ୍ଗରେ ଦୀପଙ୍କରର ଆତ୍ମ-ପୁରୁଷ ଅଷାଢ଼ ହୋଇ ପଡ଼ିଛି । କେତେକ ଲୋକଙ୍କୁ ଶାନ୍ତି ଦେବା ପାଇଁ ସେ ପ୍ରତିଜ୍ଞା କରିଥିଲା । ପନ୍ଦର ଦିନ ଭିତରେ ମୂଳପୋଛ କରିଦେବ କେତେଟା ବିତ୍ତଶାଳୀ ରକ୍ତମୁଖା ମିଲ୍ ମାଲିକଙ୍କୁ । ତା’ଛଡ଼ା ଉପାୟ ନାହିଁ–ଆଗେଇବାକୁ ରାହା ନାହିଁ ନିଜେ ପଛେ ମରିଯାଉ, କେହି କେହି ତ ବଞ୍ଚିଯିବେ । ଅସୁସ୍ଥ, ଅପାରଗ, ନିଷ୍କର୍ମା ହୋଇ କୋଟି କୋଟି ଲୋକ ବଞ୍ଚିବା ଅପେକ୍ଷା କେତେଗୁଡ଼ିଏ ସୁସ୍ଥ ସବଳ ଲୋକ ନେଇ ହେଉ ପଛେ ଏକ ଛୋଟ ସହର ।

 

ରାସ୍ତାରେ ଏବେ ଟିକେ ଟିକେ କୋଳାହଳ ଜମି ଆସିଲାଣି । ଦୁଇକଡ଼ର ଦେବଦାରୁ କୃଷ୍ଣଚୂଡ଼ା ଗଛର ପତ୍ର କୁହୁଡ଼ିରୁ ଝାପ୍‍ସା ଝାପ୍‍ସା ଦିଶିଲାଣି । ଛୋଟ ଛୋଟ ପିଲାଗୁଡ଼ିଏ ଲଙ୍ଗଳା ମୁକୁଳା ହୋଇ ରାସ୍ତା କଡ଼ରେ ପଡ଼ିଥିବା ଅଇଁଠା ପତ୍ର ଚାରିପାଖରେ କାଉ କାଉ ହେଉଛନ୍ତି । ସମଗ୍ର ଭାରତବର୍ଷ ବୁଲି ବୁଲି ଏ ଦୃଶ୍ୟ ଦେଖି ଆସିଛି ଦୀପଙ୍କର । ପ୍ରତି ସହର ଓ ସମାଜର କିଛି କିଛି ସ୍ୱତନ୍ତ୍ରତା ଓ ଆଭିଜାତ୍ୟ ଅଛି–ମାତ୍ର ସମସ୍ତଙ୍କର ଗୌରବ ଏଇ ସାର୍ବଜନୀନ ସର୍ବହରା ଶିଶୁଙ୍କର ଉଚ୍ଛିଷ୍ଟ ଭୋଜନ । ସମସ୍ତ ପାର୍ଥକ୍ୟ ସତ୍ତ୍ୱେ ଏକଥା ତ ଅନେକ କ୍ଷେତ୍ରରେ ଏ ଦେଶର ବୈଶିଷ୍ଟ୍ୟ ।

 

ହଠାତ୍ ଦୀପଙ୍କରର ମନେହେଲା ଖଣ୍ଡେ ଦୂରରୁ ଯେମିଚି ତାରି ଭଳି ଲୋକଟିଏ । କିଏ ଆପାଦମସ୍ତକ ଘୋଡ଼େଇ ହୋଇ ଆସୁଛି । ଖାଲି ଦିଶୁଛି ଆଖି ଦୁଇଟି ଜଳ ଜଳ ପକେଟରେ ତା’ର ରକ୍ତଭିଜା ରୁମାଲ୍ ଅଛି କି ନାହିଁ, ଅଛି କି ନାହିଁ ସିଗାରେଟ୍ କେଜାଣି ! ନିଜ ପରି ଆଉ ଗୋଟାଏ ଲୋକକୁ ଦେଖିଲେ ଭୟ କରେ ଦୀପଙ୍କର...ନାଁ, ନାଁ ସେ ସିଧା ରାସ୍ତାରେ ଯିବ ନାହିଁ... !

 

ବାମପଟ ରାସ୍ତାକୁ ସେ ଭାଙ୍ଗିଗଲା । କେଉଠୁ ଯେମିତି ଅଜଣା ଫୁଲର ପରିଚିତ ଗନ୍ଧ, ଜଣା ଘୋଷରା ଦେହର ସୁରଭି ଆସି ନାକରେ ବାଜୁଛି । ଦୀପଙ୍କରର ଗଳିତ ଦେହରେ ଯେମିତି ମଳୟର ସୀତ୍କାର ଆସୁଛି । ଠିକ୍ ମଲ୍ଲିକାର ଘରବାଟ ଦେଇ ଗଲା ବେଳେ ଯେଉଁ ଅନୁଭବ ତା’ର ଦଶବର୍ଷ ତଳେ ହେଉଥିଲା, ହଠାତ୍ ତା’ରି ଏକ ସ୍ପନ୍ଦନ... ।

 

ମଲ୍ଲିକା ତା’ ମୃଣାଳ ବାହୁ ଦ୍ୱାରା ଦୀପଙ୍କରର ଗଳା ବେଷ୍ଟନ କରି କହୁଥିଲା–ଶରୀରକୁ ବଞ୍ଚେଇବା ପାଇଁ ପସରା ମେଲି ପ୍ରତିଦିନ ସନ୍ଧ୍ୟାରେ ସିନା ବସୁଛି ଦୀପଙ୍କର–ହେଲେ ନିଷିଦ୍ଧ ନିସ୍ତବ୍‍ଧ ରାତ୍ରିରେ ତୁମେ ହିଁ ତ ମୋର ଆତ୍ମ-ପୁରୁଷ ! ତୁମକୁ ବାଦଦେଇ ଭବିଷ୍ୟତର ସ୍ୱପ୍ନ ନାହିଁ ମୋର !

 

ମଲ୍ଲିକାର ବିଭୋର କରି ରଖିବାର ଏକ ଆସୁରିକ ଶକ୍ତି ଥିଲା । ଫରୁଆ ଭିତରେ ଭଅଁର ରହିଲା ପରି ଦୀପଙ୍କର ମଲ୍ଲିକା କୋଳରେ କେତେ ବିଷାକ୍ତ ରାତ୍ରିର ପ୍ରହର କଟାଇଥିଲା ତା’ର ହିସାବ ନାହିଁ । ମାତ୍ର ଯେଉଁଦିନ ବିବାହ ପାଇଁ ଅଳି କରିଥିଲା ମଲ୍ଲିକା, ସେଦିନ ଫରୁଆ ଖୋଲି ଉଡ଼ିଯାଇଥିଲା ଭଅଁରଟି । ବେକାର, ଅର୍ଥହୀନ ଦୀପଙ୍କରର ପାଖରେ ଜୀବନକୁ ସିଧାସଳଖ ଗ୍ରହଣ କରିବାର ସାହସ ନ ଥିଲା ସେତେବେଳେ । ଘରେ ତିନି ତିନିଟା ଭଉଣୀଙ୍କ ପରୋକ୍ଷ ବେଶ୍ୟାବୃତ୍ତି ଉପରେ ବାପା ମା’ଙ୍କର ଭରଣପୋଷଣ, ଛୋଟ ଦୁଇଟା ଭାଇଙ୍କର ପଢ଼ାଖର୍ଚ୍ଚ ଓ ତା’ର ସାମୟିକ ଭୋଜନର ବ୍ୟବସ୍ଥା ଥିଲା । ମଲ୍ଲିକାକୁ ଯେଉଁ ସାହସରେ ସେ ସ୍ୱପ୍ନ ଦେଇଥାନ୍ତା ବଞ୍ଚି ରହିବାକୁ ! ମଲ୍ଲିକାର ଦେହରେ ସେତେବେଳେ ସିଫିଲିସ୍‍ର ଜୀବାଣୁ, ଘରେ ଚାରୋଟି ପ୍ରାଣୀର ଦାୟିତ୍ୱ । ମାତ୍ର ଭଲଭାବରେ ଦୀପଙ୍କର ଜାଣିଥିଲା ମଲ୍ଲିକାର ଭଙ୍ଗା ସୁଟ୍‍ କେଶର ବାମପଟ ପକେଟରେ ମଇଳା କନା ଖଣ୍ଡକରେ ଗୁଡ଼ା ହୋଇ ରହିଛି ଦଶୋଟି ଟଙ୍କା । ବହୁଦିନର ସଞ୍ଚିତ ଅର୍ଥ । କେଉଁ ଠାକୁରଙ୍କ ପୂଜା ହେବ ବୋଲି ବହୁଥର ଦୀପଙ୍କରକୁ ମଲ୍ଲିକା କହେ...ସେ ପୁଣି ତା’ର ସ୍ୱପ୍ନର ପୃଥିବୀ ସାର୍ଥକ ହେଲେ ।

 

ଦୀପଙ୍କରର ମନେ ଅଛି ଯେଉଁଦିନ ତା’ର ଅନ୍ଧ ବାପାଙ୍କୁ ମନ୍ଦିର ଦ୍ୱାର ମୁହଁରେ ସ୍ତୀମିତ ସନ୍ଧ୍ୟାର ନିଷ୍ପ୍ରଭ ମୁହୂର୍ତ୍ତରେ ଟ୍ରକ୍‍ ଗାଡ଼ି ମଡ଼େଇଦେଇ ହତ୍ୟା କରାଗଲା–ପୁଣି ତାହା ଇଚ୍ଛାକୃତଭାବେ କରାଗଲା ।

 

ସେଦିନ ଜାନକୀନାଥକୁ ହତ୍ୟା କରିବା ପାଇଁ ଏବଂ ତା’ ପୂର୍ବରୁ ଏକ ମାନସିକ ପ୍ରସ୍ତୁତି ଲାଗି ମଲ୍ଲିକାର ସୁଟ୍‍ କେଶରୁ ସେ ଟଙ୍କାଟା ଉଠାଇ ନେଇଥିଲା ତା’ର ଅଜାଣତରେ ଏବଂ ଲେଖି ରଖି ଦେଇଥିଲା ଛୋଟ ସ୍ଲିପ୍‍ଟିଏ–‘‘ଏ ଟଙ୍କାର ଋଣ ମୁଁ ସାରା ଜୀବନ ଦେଇ ତମର ଶୁଝି ପାରିବି ନାହିଁ, ତଥାପି ତମେ ଜାଣିବ ତମର ସ୍ୱପ୍ନର ପୃଥିବୀ ଗଢ଼ିବା ପାଇଁ ଏ ଟଙ୍କା ଭିତ୍ତିସ୍ଥାପନ କରିବ ।’’

 

ବାପାଙ୍କର ଅପରାଧ ଥିଲା ଜାନକୀନାଥର ଚୋରାମାଲ୍ ଆଣି ମନ୍ଦିର ଭିତରେ ବିକ୍ରି କରୁଥିବା ବେଳେ ପୋଲିସ୍କୁ ଖବର ଦେଇ କଥାଟା ପ୍ରଘଟ କରିଦେବା । ଅନ୍ଧ ଆଖିରେ ଦେଖାଯାଏ ନାହିଁ । କେବଳ ଶବ୍ଦବାରି ବିଚକ୍ଷଣ ଭାବରେ ଜାନକୀନାଥକୁ ସେ ଧରେଇ ଦେଇଥିଲେ... । ମାତ୍ର ଯେତେବେଳ ଟ୍ରକ୍ ଚଳେଇ ବାପାଙ୍କୁ ରାଜପଥ ଉପରେ ଚୂନା କରି ଦିଆଗଲା, ସେତେବେଳେ ଟ୍ରକ୍ ଡାଇଭରକୁ ବି ପୋଲିସ୍ ପକ୍ଷରେ ଖୋଜି ପାଇବା ସମ୍ଭବ ହେଲାନି ! ତା’ର ଦୁଇଦିନ ପରେ ରାତ୍ରିରେ ହରିନାମ ସଂକୀର୍ତ୍ତନ କରି ଜାନକୀନାଥ ଫେରୁଥିବାବେଳେ ତା’ରି ଘର ସାମ୍ନାରେ ଦୀପଙ୍କର ଜାନକୀନାଥକୁ ଟୁକୁରା ଟୁକୁରା କରି ଟାଙ୍ଗିଆରେ ହାଣି ଦେଇ ଫିଙ୍ଗି ଦେଇଥିଲା । କେହି ଆସିଲା ପୂର୍ବରୁ ସେଇ ନିସ୍ତବ୍‍ଧ ରାତ୍ରିରେ ସେ ଏକମୁହାଁ ଧାଇଁ ଶଶାଙ୍କର ଟ୍ରକରେ ବସି ଦିଗନ୍ତ ବିସ୍ତାରୀ ଅନ୍ଧକାର ଭିତରେ ଅନ୍ୟ ଏକ ପୃଥିବୀକୁ ଚାଲିଯାଇଥିଲା । ସତେ ବା ଏ ପୃଥିବୀ ପାଇଁ ତା’ର ଦାୟିତ୍ୱ ସରି ଯାଇଥିଲା । ଅବାଞ୍ଛିତ ହେଇଥିଲା ତା’ର ଉପସ୍ଥିତି ଯେମିତି ।

 

ଶଶାଙ୍କର ପାଖରୁ ବଞ୍ଚି ରହିବାର କିଛିଟା ଖୋରାକ୍ ସେ ନ ପାଇଥିଲା ଏମିତି ନୁହେଁ । ଦୀପଙ୍କରର ଉଚ୍ଚଶିକ୍ଷା, ପଢ଼ିଥିବା ଦେଶ ବିଦେଶର ପୁସ୍ତକ, ସର୍ବୋପରି ତା’ର ଶାଣିତ ବିବେକ ସମାଜର କୌଣସି ନୀତି ନିୟମକୁ ସାଲିସ୍ କରିବାକୁ ଚାହିଁଲାନି ଯେ...ପ୍ରତି ମୁହୂର୍ତ୍ତରେ ଏକ ଅଜାଣା ଦଂଶନରେ ସେ ଦଂଶିତ ହୋଇ ଯାଉଥିଲା...ଏମିତିକି ମଲ୍ଲିକାର ସିଫିଲିସ୍ ଯୁକ୍ତ ଦେହ ଓ ମନ ପାଇଁ ମଧ୍ୟ ଦୀର୍ଘଦିନ କି କଷ୍ଟ ସେ ନ ସହିଛି... ଅଥଚ ଚାକିରି ଖଣ୍ଡିଏ ସେ କେଉଁଠାରୁ ପାଇ ପାରିଲାନି–ତିନି ତିନିଟା ଭଉଣୀ ଓ ମା’ଙ୍କର ଖୋଜି ନୋବାକୁ ବହୁ ଚେଷ୍ଟା କରି ମଧ୍ୟ ସେ କାର୍ଡ଼ ଖଣ୍ଡିଏ ଲେଖି ପାରିଲାନି । ଆଉ ନିଜକୁ ? ଜଳେଇ ପାରିଲାନି କି ଜାଳି ପାରିଲାନି କାହାକୁ ।

 

ରତ୍ନକେଶରୀକୁ ହତ୍ୟା କରିବାରେ କିଛି ନାହିଁ । ଭେଜାଲ ମେଡ଼ିସିନ୍ ସପ୍ଲାଇ କୋଟି କୋଟି ଟଙ୍କାର ଆୟସତ୍ତ୍ୱେ ମଧ୍ୟ ରତ୍ନକେଶରୀ ଯେତେବେଳେ ଲାଭାଂଶରୁ ପାଞ୍ଚ ପଇସା କାହାକୁ ଦେବାକୁ ରାଜି ନୁହେଁ ସେତେବେଳେ ଆଉ ଉପାୟ କ’ଣ ? ସମବଣ୍ଟନର ସମସ୍ତ ସୂତ୍ରକୁ ହୃଦୟଙ୍ଗମ କରାଇବାକୁ ବହୁ ଚେଷ୍ଟା କରି ଶେଷକୁ ଦୀପଙ୍କର ପକ୍ଷରେ ତାକୁ ହତ୍ୟା କରିବା ଛଡ଼ା ଅନ୍ୟ ଉପାୟ ଯେ ନଥିଲା... । ତା’ପରେ କ’ଣ ଘଟିଯିବ ସେ ଜାଣେନା–ବୁଝିବାକୁ ତା’ର ଚେଷ୍ଟା ନାହିଁ ମଧ୍ୟ ।

 

ହଠାତ୍ ଫଡ଼ ଫଡ଼ କରି ଚଢ଼େଇଟା ଉଡ଼ିଗଲା ଗଛଡ଼ାଳରୁ । ଝରିପଡ଼ିଲା କେତେ ଟୋପା ରାତ୍ରିର ଶିଶିର । ଚମକି ଘୁଞ୍ଚିଗଲା ଦୀପଙ୍କର ରକ୍ତକରକୀ ଗଛପାଖରୁ । ମଲ୍ଲିକ ଘରର ଗଳି ଏ ନୁହେଁ । ହୁଏତ ସେଇପରି ଏକ ରାସ୍ତା, ସେଇପରି ଏକ ରକ୍ତକରକୀ ଗଛ, ହୁଏତ ସେଇପରି ସବୁ କିଛି...କିନ୍ତୁ ଦୀପଙ୍କର ନାହିଁ–ନାହିଁ...ନାହିଁ !

 

କମ୍ୱଳଟା ମୁହଁ ଉପରକୁ ଟାଣି ଦେଇ ସେ ଦ୍ରୁତଗତିରେ ଚାଲିବାକୁ ଆରମ୍ଭ କରିଦେଲା । କୁହୁଡ଼ି ଭିତର ଦେଇ ଏଣିକି ସବୁ କିଛି ପରିଷ୍କାର ଧରି ହେଲାଣି–ଗଛ, ଗାଡ଼ି ମଣିଷ ସ୍ପଷ୍ଟ ଅନୁଭୂତ ହେଉଛି । ଯେଉଁ ରାସ୍ତା ଆସୁଛି, ସେଥିରେ ସେ ଚାଲୁଛି–ଯେଉଁଠି ସେ ଥକି ପଡ଼ିବ ସେଇଠି ସେ ଶୋଇଯିବ ! କେଉଁଠିକି ତ ଯିବାର ନିର୍ଦ୍ଦିଷ୍ଟତା ତା’ର ନାହିଁ–କେଉଁ ପରିଚିତ ସ୍ଥାନର ଠିକଣା କି ମାନଚିତ୍ର ବି ତା’ର ମନେ ନାହିଁ !

 

ପେଟ ଭିତରଟା ମୋଡ଼ି ହୋଇଯାଉଛି ଗୋଟାଏ ବିକଳ ଯନ୍ତ୍ରଣାରେ ! କ୍ଷୁଧା ! କେଉଁ ପୁରାତନ ଆଦି ପ୍ରସ୍ତରଯୁଗରୁ ମଣିଷର ସଭ୍ୟତାକୁ କ୍ଷିପ୍ରତର ଗତିରେ ଯିଏ ଆଗେଇ ଆଣିଛି ଦୀର୍ଘପଥ । ଯାହାପାଇଁ ମନ୍ଦିର, ମସ୍‍ଜିଦ, ଗୀର୍ଜା, ସରକାର ଶାସନ, ଦୁର୍ନୀତି, ପାର୍ଟି ପଲିଟିକ୍‍ସ, ଯୁଦ୍ଧ, ହତ୍ୟା, ନୀତି, ଅନୀତି ଓ ଅହରହ ମାନବିକତାର ସ୍ଳୋଗାନ । ସେଇ ପ୍ରଗୈତିହାସିକ କ୍ଷୁଧାର ଯନ୍ତ୍ରଣା ତା’ର ଜଠରରେ–ଦ୍ୱୀପଙ୍କର କାନ୍ଦିବ କି ହସିବ ବୁଝି ପାରୁ ନାହିଁ । ଚାଲିବ କି ବସିଯିବ ଜାଣିପାରୁନି–କିଣିକରି ଖାଇବ କି ମାଗିକରି ଖାଇବ କି ଜବରଦସ୍ତି ଦୋକାନରୁ ନେଇ ଖାଇବ ବୁଝି ପାରୁନି ।

 

ମୁହୂର୍ତ୍ତକ ପାଇଁ ମନେ ହେବ, ଯେମିତି ପୃଥିବୀ ସ୍ତବ୍‍ଧ ହେଇଯାଇଛି ତା’ର କକ୍ଷଦେଶରେ ! ସୂର୍ଯ୍ୟ ଅଟକି ରହିଛି କେଉଁ ପର୍ବତର ଗୁମ୍ପାରେ ବାୟୁମଣ୍ଡଳର ଆର୍ଦ୍ରତା ଯେମିତି ହଠାତ୍ କରି ହାସ ପାଉଛି... କେଉଁଠି ଗୋଟାଏ କ’ଣ ପରିବର୍ତ୍ତନ ଦ୍ରୁତଗତିରେ ହୋଇଯାଉଛି...ହୁଏତ ଧ୍ୱଂସ ହେବ, ହୁଏତ ସୃଷ୍ଟି ହେବ...ହୁଏତ ପ୍ରଳୟ ଆସୁଛି...ହୁଏତ ସୃଜନୀର ନବଶଙ୍ଖ ବାଜୁଚି...କ’ଣ... ?

 

ପେଟକୁ ଦୁଇ ହାତରେ ଚିପିଧରି ଦୀପଙ୍କର ପାଗଳଙ୍କ ପରି ଦୌଡ଼ିବାକୁ ଲାଗିଲା ! ଏକ ଯନ୍ତ୍ରଣା ବା ଅବସ୍ଥାକୁ ଅତିକ୍ରମ କରିବାକୁ ହେଲେ ଅନ୍ୟ ଏକ ଅବସ୍ଥା ବା ପରିସ୍ଥିତିକୁ ଯିବା ତ ନିଶ୍ଚିତ ନିୟମ । ଏ ଧାରାକୁ ସେ ବଦଳାଇ ପାରିବ ନାହିଁ । ନାହିଁ...ପାରିବନି...ହଁ ପାରିବ...ଏକ ଦୁଇ, ତିନ୍ । ଦୌଡ଼ୁଥିଲା ବୀପଙ୍କର ସକାଳର ପ୍ରଶସ୍ତ ବୁକୁରେ ।

 

‘‘ହେ ପୁଅ ! ହେ ପୁଅ । କ’ଣ କଲୁରେ ପୁଅ । ଭାଙ୍ଗି ଯିବରେ ପୁଅ...ଇଲୋ ମୋ ବାବୁରେ ...ରହି ଯା’ ବା ଟିକେ... ।’’

 

କାହାର ବିକଳ ଅପାସୋରା ଚିତ୍କାର ଯେମିତି ଦୀପଙ୍କରର ରକ୍ତ ଦେହରେ ଗୋଳେଇ ଫେଣ୍ଟି ହୋଇଯାଉଛି । ଆପଣା–ଛାଏଁ ପାଦ ସ୍ଥିର ହୋଇ ଆସୁଛି... ।

 

ଏ କ’ଣ କଲା ସେ ? ଏ ଗଳିକୁ ସେ ଆସିଲା କାହିଁକି ? ଏ ଯେ ତା’ର ଜନ୍ମ ଶୈଶବ, କୈଶୋର ଓ ଯୌବନର ପୀଠସ୍ଥଳୀ । ଜନ୍ମକାଳରୁ ଦାଣ୍ଡ କଡ଼ ସାରା କଞ୍ଚା ସରା, ମାଠିଆ, ସୋରେଇ ସାରି ସାରି ଯେଉଁଠି ସକାଳ ହେଲେ ଖରା ଖାଆନ୍ତି । ଯେଉଁଠି ମା’ମାନଙ୍କୁ ବିରକ୍ତ କରି ପିଲାଗୁଡ଼ାକ ଖପ୍‍ଖାପ୍ ଡେଇଁ ଯାଆନ୍ତି । ଭାଙ୍ଗି ଦିଅନ୍ତି ହସ୍ତକର୍ମ ଓ କଳା ଭାସ୍କର୍ଯ୍ୟର ସମସ୍ତ ନୈପୁଣ୍ୟ । ଦିନସାରା ଶୁଭୁଥାଏ ସେଇ ଗୋଟିଏ ସ୍ନେହସିକ୍ତ ଅନୁରୋଧ–‘‘ହେ ପୁଅ ! ହେ ବାବୁ ! ଧୀଇର ଚାଲ ବା...ତୋତେ ଖଜା ଦେବି, ମୁଆଁ ଦେବି, ମୁଢ଼ି ଦେବି ! ହେ ପୁଅ...’’

 

ଗଲା ଆସିଲା ଚିହ୍ନା ଅଚିହ୍ନା ସମସ୍ତେ ସେମିତି ଏ ସାଇରେ ଦୀପଙ୍କର ମା’ର ପୁଅ ତା’ ପାଇଁ ଯେତିକି, ସବୁରିପାଇଁ ସେତିକି ମମତାର ମଧୁ ରହିଥିଲା ସେ କଣ୍ଠରେ: ଏଠି ଆଉ କିଏ ତାକୁ ଡାକିଲା ସେଇ କଣ୍ଠରେ ?

 

ଦୀପଙ୍କର ଆଗ ପଛକୁ ଚାହିଁଲା । ଦୁଇ କଡ଼ରେ ବି କେହି ନାହିଁ । ତଳକୁ ଅନେଇଁଲା–ସରା ମାଠିଆ କିଛି ନାହିଁ, କିଏ ତେବେ ତାକୁ ଏମିତି ଡାକିଲା ! ପୁଣି ସେଇ ପରିଚିତ ଗନ୍ଧ, ପରିଚିତ ଦାଣ୍ଡର ଧୂଳି–ଅଥଚ କେହି କେଉଁଠି ନାହିଁ । ସେଇ ପୁରୁଣା କେନାଲ, ସେଇ ନୁଆଣିଆ ଟାଇଲି ଘର ସେଇ କନିଅର ଗଛ । ସବୁ ଅଛି ସେମିତି । ଖାଲି ନାହିଁ ଦୀପଙ୍କର–ନାହିଁ କୋଉ ମଣିଷର ଚିହ୍ନବର୍ଣ୍ଣ !

 

ଯିବକି ଘର ଭିତରକୁ । ନିବୁଜ ଘରକୁ ଧକ୍‍କା ମାରି ଉଠେଇ ଦେବ ଏକ ଆଚମକା ବିସ୍ମୟରେ । କହିବ କେତେ ଦିନ ପରେ ଆସିଛି...ଦେଖ ଦେଖ ସଙ୍ଗରେ ଆଣିଛି କେତେ ବିସ୍ମୟ, କେତେ ସ୍ମୃତିର ପସରା, କେତେ ବେଦନାର ବୋଝ ! ଟିକିଏ ଶାନ୍ତିରେ ନିଶ୍ୱାସ ମାରି ଶୋଇ ପଡ଼ିବ କି ? ମା’ର ସେଇ କୋରଡ଼ିଆ ଆଖିକଣରୁ ଦୁଇଧାର ଲୁହ... ।

 

ନା, ନା, ସେ ଚମକି ପଡ଼ିଲା । କେତେ ଅଶ୍ରୁ, କେତେ ରକ୍ତର ବନ୍ୟାରେ ଛୁଟେଇ ଆଣିଛି ତା’ର ତିରିଶ ବର୍ଷର ଜୀବନ କାଳରେ, ମାତ୍ର ମା ଆଖିରେ ତାକୁ ଫେରି ପାଇବାର ଆନନ୍ଦାଶ୍ରୁ–ହେଉ ପଛେ ସେ ଦେଖି ପାରିବନି । ସହି ପାରିବନି । କ’ଣ ବା କହିବ ଦୀପଙ୍କର ମା’କୁ-। ଭଉଣୀ ଭାଇଙ୍କ ପ୍ରଶ୍ନକରା ଆଖିକୁ ଚାହିଁ ସେ କି ଉତ୍ତର ଦେବ ? କ’ଣ ତା’ର ଅଛି-? ଏମିତିକି କଥା ପଦେ କହିବାକୁ ବି ତା’ର ତାକତ୍ ନାହିଁ ଆଜି ।

 

‘‘ଦୀପୁ’’ ।

 

କିଏ ? ସ୍ତମ୍ଭୀତ ହେଲା ଦୀପଙ୍କର । ଭାବନା ବି ସତ ହୁଏ ! ଆଶ୍ଚର୍ଯ୍ୟ ! ପଛକୁ ବୁଲି ପଡ଼ିଲା ଅଜାଣତରେ ! ମା’ ଛିଡ଼ା ହେଇଛି : ସେଇ କଣ୍ଠ, ସେଇ ପେଜୁଆ କାନ୍ଦିଲା ଆଖି: ଅଥଚ ବୟସ ଯେମିତି କେତେ ଯେ ବଢ଼ିଯାଇଛି...କେତେ ଯେ ପରସ୍ତ ଶିଉଳି ଲେପି ହୋଇଯାଇଛି କିଏ କହିବ !

 

ଥରିଉଠିଲା ଦୀପଙ୍କରର ଗୋଡ଼ଠାରୁ ମୁଣ୍ଡ ପର୍ଯ୍ୟନ୍ତ ! ମା’ ତା’ର କମ୍ୱଳଟା ହାତରେ ଧରି ତନଖି ଦେଖୁଛି । ବାପାଙ୍କର ଶେଷ ସମୟରେ ଏଇ କମ୍ୱଳଟା ତାଙ୍କ ଦେହରେ ଥିଲା ଯେ । ମା’ର ତେଣୁ ତାକୁ ଚିହ୍ନିବାରେ ଦଶବର୍ଷ ପରେ ଭୁଲ ହେଇ ନ ପାରେ । ମାତ୍ର ମାତ୍ର...ଏ କ’ଣ ହେଲା କାହିଁକି ସେ ଏଠାକୁ ଆସିଲା ?

 

‘‘ଦୀପୁ... ।’’

 

ଏଥର ମା’ର ସ୍ୱର କ୍ଷୀଣ ଓ ଦୁର୍ବଳ । ଧାର ଧାର ଲୁହ ବୋହିଯାଉଛି କମ୍ୱଳ ଉପରେ । ଦୀପଙ୍କରର ଗୋଡ଼ଠାରୁ ମୁଣ୍ଡ ପର୍ଯ୍ୟନ୍ତ ଥରିଯାଉଛି ବରଡ଼ା ପତ୍ର ପରି ଠକ୍ ଠକ୍ କରି । ଦାନ୍ତ ଉପରେ ଦାନ୍ତ ଚାପି, ଛିଣ୍ଡା ପକେଟରେ ଦୁଇ ହାତ ଭର୍ତ୍ତି କରି ଦୀପଙ୍କର ମୁଣ୍ଡ ହଲେଇ ଲାଗିଛି ଜୋରରେ–ଯାହାର ସରଳ ଅର୍ଥ ସେ ‘ଦୀପୁ’ ନୁହେଁ ! ଚିହ୍ନିବାରେ ହୁଏତ ବୁଢ଼ୀଟି ଭୁଲ୍ କରିଥିବାରୁ କରୁଣା ଉଦ୍ରେକ ହୋଇଛି ତା’ ମନରେ । ସେଥିପାଇଁ ସେ ସତେ ବା କିଛି କହିପାରୁନି...

 

ଦୀପଙ୍କର ଏତେବେଳେ ଜାଣିପାରିଲା ସୂର୍ଯ୍ୟ ଉଠିଲେଣି ଏବଂ ଖରା ପଡ଼ି ପରିଷ୍କାର ହୋଇଯିବ ସବୁ ନିମିଷକେ । ଘରର କବାଟ ଝରକା ଖୋଲି କିଏ ଯେମିତି ଆସୁଛନ୍ତି ଏ ଆଡ଼କୁ...ରକ୍ଷା ନାହିଁ ଆଉ ତା’ର । ହୁଏତ ମା’ ଏଇକ୍ଷଣି ଚିତ୍କାର କରି କାନ୍ଦିବ, ଘେରି ଯିବେ ଭାଇ ଭଉଣୀ, ଅସଂଖ୍ୟ ପ୍ରଶ୍ନ ନେଇ ସାହି ଲୋକେ ତର୍ଜମା କରିବେ ଅତୀତର କୀର୍ତ୍ତି ଓ ବର୍ତ୍ତମାନରେ ସ୍ଥିତି– । କ’ଣ କରିବ ସେ ? କ’ଣ କରିବ ?

 

ହଠାତ୍ ଦୀପଙ୍କର ଥରିଲା ହାତରେ ନିଜ ଦେହରୁ କମ୍ୱଳଟା ଖୋଲି ନେଇ ମା’ ମୁଣ୍ଡ ଉପରେ ପକେଇ ଦେଇ ବିପରୀତ ଦିଗରେ ଦୌଡ଼ିବା ଆରମ୍ଭ କରିଦେଲା ଏକ ନିଶ୍ୱାସକେ । ଯେପରି କିଏ ପଛରେ ଗୋଡ଼ଉଛି ତାକୁ !

 

ସେଆଡ଼େ ଗଛ, ଘର ଲାଇଟ୍ ଖୁଣ୍ଟି ଉପରେ ଜମାଟ ବାନ୍ଧି କୁହୁଡ଼ି ଏବେ ବି ବସିଛି । ସେଆଡ଼କୁ ସୂର୍ଯ୍ୟ ଏ ପର୍ଯ୍ୟନ୍ତ ବି ଯାଇନି–ତା’ର ବଳୟରେ ଅଜସ୍ର ଅନ୍ଧାର ।

✽✽✽

 

ଜାଲ

 

ସମୁଦ୍ରର ଲହଡ଼ିଟିଏ ଆସି ତା’ର ସ୍ୱପ୍ନକୁ ଚହଲେଇ ଦେଇଗଲା । ଦୁଇ ଆଣ୍ଠୁ ଭିତରେ ମୁଣ୍ଡ ଗୁଞ୍ଜି ସୋମେୟା ହତାଶର ଗୋଟାଏ ଦୀର୍ଘଶ୍ୱାସ ଛାଡ଼ିଲା ।

 

ଆସିନି । ନାଁ, ସେ ଆସିବନି । ଏ ବର୍ଷ କି ଗରମ ପଡ଼ିଲାନି ତା’ ଦେଶରେ ? କେଜାଣି-? ସହର ଭିତରେ ଲୋକେ କହୁଛନ୍ତି ଏ ବର୍ଷ ଗରମ ଆର ବର୍ଷ, ତା’ ପୂର୍ବ ବର୍ଷଠାରୁ ବି ବେଶୀ-। ପ୍ରତିବର୍ଷ କୁଆଡ଼େ ଗରମ ବଢ଼ି ବଢ଼ି ଯାଉଛି ।

 

ଲହଡ଼ି ଆସି ତା’ର ଗୋଡ଼, ଦେହରେ ପୁଣି ଥରେ ବାଡ଼େଇ ହୋଇଗଲା । ଛୋଟ, ଛୋଟ ଜଳକଣା ଛିଞ୍ଚି ହୋଇଗଲା ସମସ୍ତ ଦେହ ।

 

ସୋମେୟା ଉଠି ପଡ଼ିଲା । ସମୁଦ୍ରର ବୁକୁ ଭିତରେ ଛୋଟ ଛୋଟ ଅସଂଖ୍ୟ ହୁଲି ଡଙ୍ଗା-। କୂଳର ପବନରେ ଖେଳି ବୁଲୁଛି ଅଜସ୍ର କଣ୍ଠର ଅବୁଝା ଆଳାପ । ସମୁଦ୍ର ଯେମିତି ଅକୁହା କଥାର ଏକ ପ୍ରତୀକ ।

 

ସୋମେୟା ସୂର୍ଯ୍ୟକୁ ଚାହିଁ ଜାଣିପାରିଲା ସମୟ ହୋଇଗଲାଣି । ଆଜି ଶେଷଥର ପାଇଁ ସେ ଚେଷ୍ଟା କରିବ, ଅପେକ୍ଷା କରିବ... !

 

ନାଲି ନେଳି ରଙ୍ଗରେ ଗୁନ୍ଥା ହୋଇଥିବା କାଚ ମାଳିର ହାରଟା ବେକରେ ପକାଇ ପ୍ଲାଷ୍ଟିକ ପାନିଆରେ ମୁଣ୍ଡଟି ତିନି ଚାରିବାର କୁଣ୍ଡାଇ ସୋମେୟା ହୋଟେଲ ଆଡ଼କୁ ଆଗେଇଲା ।

 

ପ୍ରତିଟି ହୋଟେଲ ପାଖରେ ଛିଡ଼ା ହୋଇ ସୋମେୟା ତର୍ଜମା କରୁଥିଲା ଯାଉଥିବା ଆସୁଥିବା ପ୍ରତିଟି ଲୋକକୁ । ମୁଣ୍ଡରେ ତା’ର ଧଳା ଗୋଜିଆ ଟୋପିଟାଏ, ହାତରେ ବିରାଟ ଗୋଟେ ରବର ଟାୟାର । ସେ ନୋଳିଆ, ଗାଧେଇ ଶିଖେଇବା ତା’ର ଧର୍ମ...ମାଛ ମାରିବା, ସମୁଦ୍ରର ଉଚ୍ଛଳ ବୁକୁରେ ଡେଇଁ ବୁଲିବା...ସମୁଦ୍ର ସହିତ କଥା କହିବା ହିଁ ତା’ର ଧର୍ମ । ଅଥଚ ମଣିଷ କଥା ଶୁଣିବାକୁ, ବୁଝିବାକୁ ଏବଂ ଭଲ ପାଇବାକୁ ସେ କାହିଁକି ଇଚ୍ଛା କଲା ?

 

ନା, ସେ ଆସିନାହିଁ । ଆସିଥିଲେ ହୋଟେଲର ବାଲକୋନି ଉପରେ ଆଉଜି ସମୁଦ୍ରକୁ ଚାହିଁ ରହିଥାନ୍ତା...କି ବାଲି ଉପରେ ବସି, ବସି ଘର ତିଆରି କରିଥାନ୍ତା...କିମ୍ୱା ଗୋଟାଏ ଲାଲ ଚଉଡ଼ା ଧଡ଼ିର ଶାଢ଼ି ପିନ୍ଧି ବେକରେ ତୁଳସୀମାଳ ଲମ୍ୱାଇ ସେ ମନ୍ଦିରକୁ ଚାଲିଯାଇଥାନ୍ତା ।

 

ମାତ୍ର ଏଲୋରା କେଉଁଠି ନାହିଁ–ସମୁଦ୍ରର ନୀଳ ତରଙ୍ଗରେ, ଶ୍ରୀ ମନ୍ଦିରର ବିରାଟ ଅଗଣାରେ କି ହୋଟେଲରେ ଛୋଟ ବାଲକୋନିରେ । ଅଥଚ ସବୁଠାରେ ଅଶରୀରୀ ଅଛି, ସବୁଠାରେ ତା’ ଦେହର ଗନ୍ଧ, କଥାର ଛଳ, ଆଖିର ଭାଷା ଗୁଞ୍ଜନ ସୃଷ୍ଟି କରୁଛି ।

 

ସୋମେୟା କିପରି ଭିତରେ ଅସ୍ଥିର ହୋଇ ଉଠିଲା । ବର୍ଷ, ବର୍ଷ ଧରି ଏଲୋରା ଆସିଛି–ତା’ର କୋମଳ ହାତକୁ କଳା ମଚ ମଚ ହାତରେ ମୁଠେଇ ଧରି ସୋମେୟା ସମୁଦ୍ର ଭିତରକୁ ଟାଣି ନେଇଛି । ଢେଉ ଏଡ଼େଇ ଗଲା ବେଳେ କେତେବେଳେ ଉଲ୍ଲାସରେ, କେତେବେଳେ ଆତଙ୍କରେ ଏଲୋରା କେତେଥର ତା’ର ଦେହ ସହିତ ଲାଗିଯାଇଛି ତାର ହିସାବ ରଖିନି ସୋମେୟା । ଆଉ ଗାଧେଇ ସାରିଲାପରେ ଓଦାଲୁଗାରେ ଭିଜା ଭିଜା ଦେହ ଭିତରର ସୌନ୍ଦର୍ଯ୍ୟ ସୋମେୟାକୁ ଯେମିତି ଅନ୍ଧ କରିଦିଏ । ସେ ଚାହିଁ ପାରେନା... !

 

ଗତଥର ଏଲୋରା କହିଥିଲା ଏ ବର୍ଷ ଗରମ ଦିନରେ ସେ ବେଶିଦିନ ରହିବ ଏବଂ ଦିନକୁ ଦି’ଥର ଗାଧେଇବ । କିନ୍ତୁ କାହିଁ ? ଗରମ ଯେ ଆସି ସରିଗଲା–ବର୍ଷାର ଆଗମନରେ ଆକାଶ ଯେମିତି ଭାରି ଭାରି ହୋଇ ଫାଟି ପଡ଼ିବ ସମୁଦ୍ର ଉପରେ !

 

ଦାନ୍ତରେ କୁଟା ଖଣ୍ଡେ ଚୋବେଇ ସମୁଦ୍ରର କଡ଼େ କଡ଼େ ଥିବା ସମସ୍ତ ହୋଟେଲ ସେ ପରିକ୍ରମା କରି ଆସିଲା । ହୋଟେଲରେ କାମ କରୁଥିବା ବୟଗୁଡ଼ାଙ୍କୁ ପଚାରି ଗାଳି ଖାଇ ସେ ଫେରିଲା । ମଧ୍ୟାହ୍ନର ସୂର୍ଯ୍ୟ ସେତେବେଳକୁ ଚକ୍‍କର କାଟୁଥିଲେ ତା’ର ମୁଣ୍ଡ ଉପରେ ।

 

କ’ଣ ତେବେ ହେଲା ଏଲୋରାର ? ହୋଟେଲଗୁଡ଼ାକର ବାଲକୋନିକୁ ଅନାଇ ଅନାଇ କ୍ଳାନ୍ତ ହୋଇ ପଡ଼ିଲାଣି ସୋମେୟା । ଆସୁଥିବା ଯାଉଥିବା ଅସଂଖ୍ୟ ଲୋକଭିତରୁ କେଉଁ ଲୋକକୁ ସେ ପଚାରି ବୁଝିବ ? ଆଉ କଅଣ ବା ପଚାରିବ ? ଆକାଶ ଓ ସମୁଦ୍ରଛଡ଼ା ଏକଥା ସେ କାହାକୁ କହିବ ? ଯିବ କି ଆଉ ଶ୍ରୀମନ୍ଦିର ? ପଚାରିବ ଠାକୁରଙ୍କୁ କୁଆଡ଼େ ଗଲା ଏଲୋରା ? କେଉଁଠି ଅଛି ସେ ? କ’ଣ ତାର ଠିକଣା ? ଲାଭ ବା କ’ଣ ? ଠାକୁରତ ଆଉ କଥା କହିବେ ନାହିଁ-

 

କିପରି ଅବଶ ଲାଗୁଛି ଦେହଟା । ଖାଇବା ଶୋଇବା କେଉଁଥିରେ ଠିକଣା ନାହିଁ । କ୍ଳାନ୍ତି–ଖୋଜିବାର ଏବଂ ଅପେକ୍ଷା କରିବାର ସୀମାହୀନ ଯନ୍ତ୍ରଣା ଜନିତ କ୍ଳାନ୍ତି ।

 

ଘର ଭିତରକୁ ପଶିଲା ସୋମେୟା । ନୁଆଁଣିଆ ଚାଳଘରେ ମୁଣ୍ଡନୋଇଁ ପଶିବାକୁ ହୁଏ-

 

ଛପର କରିପାରିନି ଘରଟା ! ସମଗ୍ର ଖରାଦିନ କେବଳ ଏକ ଅନିଶ୍ଚିତ ଅପେକ୍ଷାରେ କଟିଯାଇଛି । କେତେଲୋକଙ୍କୁ ନେଇ ସେ ତ ସମୁଦ୍ରରେ ଗାଧେଇଛି, ପଇସା ରୋଜଗାର କରିଛି, ହୁଲି ଡଙ୍ଗା ନେଇ ମାଛ ଧରିବାକୁ ଯାଇଛି... ! ମାତ୍ର ଏଇ କେତେଦିନ କ’ଣ ଯେ ହେଲା !

 

ଟିଣଭଙ୍ଗା ସୁଟ୍‍ କେଶ୍ ଖୋଲି ସୋମେୟା ବାହାର କଲା ଫଟୋ ଦି’ଟା । ଗୋଟାଏ ଫଟୋରେ ଏଲୋରା ଛିଡ଼ା ହୋଇ ହସୁଛି । ସତେ କି ତାକୁ ଅନେଇଁ ହସୁଛି । ଗୋରା ତକତକ ପାତଳ ହୋଇ ଝିଅଟା ! ସବୁବେଳେ ଖୁସିରେ ଫାଟି ପଡ଼ୁଥାଏ ।

 

ଆଉ ଦ୍ୱିତୀୟ ଫଟୋଟାରେ ସୋମେୟା ଛିଡ଼ା ହୋଇଛି ଏଲୋରା ପାଖରେ । ଇସ୍ ! କେତେ ଅସନା ଅପରିଷ୍କାର ଦିଶୁଛି । ଦେହରେ ଜାମା ଖଣ୍ଡେ ବି ନାହିଁ... ସେଥିପାଇଁ ସେ ମନାକରୁଥିଲା । ଅଥଚ ଏଲୋରା ଜିଦ୍ କରିଥିଲା ଫଟୋ ଉଠେଇବା ପାଇଁ–ଆଉ ତା’ଠାରୁ ବେଶି ଆଗ୍ରହ ଥିଲା ସେଇ ଟୋକାଟାର । କେମିତି ଗୋଟାଏ ଅଖାଡ଼ୁଆ ନାଁ ତା’ର–ସୋମେୟାର ମନେ ନାହିଁ । ଇଂରାଜୀରେ କଅଣ କହୁଥିଲା ସେ ଏଲୋରାକୁ କେଜାଣି । ହସି, ହସି ଉଭୟେ ଗଡ଼ି ଯାଉଥିଲେ । ବୋକା ହୋଇ ଅନେଇଥିଲା ସୋମେୟା ଏବଂ ସେଇ ଅବସ୍ଥାରେ ଏଲୋରା ସହ ଫଟୋଟା ଉଠିଯାଇଥିଲା ତା’ର !

 

ବୁକୁ ଫଟାଇ ଗୋଟାଏ କୋହ ଉଠିଆସିଲା ସୋମେୟାର । ଚାଳ ଫଟେଇ ସୂର୍ଯ୍ୟର ଛିଟା ଆସୁଛି ଘର ଭିତରକୁ । ଜଳିଗଲା ପରି ଲାଗୁଛି ଗରମରେ ଦେହଟା ସାରା । ଝାଳ ସରସର ଦେହରେ ତଳେ ସେମିତି ଗଡ଼ି ପଡ଼ିଲା ସୋମେୟା... । ନିଦରେ ସେ ସ୍ୱପ୍ନ ଦେଖିଲା ଲାଲ୍ ଧଡ଼ିର ଶାଢ଼ି ପିନ୍ଧି ବେକରେ ଗୋଟାଏ ଲମ୍ୱାମାଳ ପକେଇ ହାତରେ ତୋଡ଼ାଏ ଫୁଲ ଧରି ତରତର ହୋଇ ମନ୍ଦିର ଭିତରକୁ ପଶିଯାଇଛି ଏଲୋରା । ଚାଉଁକିନା ନିଦଟା ଭାଙ୍ଗିଗଲା ତା’ର... !

 

ସେତେବେଳକୁ ମାଇ ଅନ୍ଧାର ଛାଇ ହୋଇଗଲାଣି । ସମୁଦ୍ରର ଜୁଆରିଆ ଲହଡ଼ିର ଘୋ ଘୋ ଶବ୍ଦ କିପରି ଖାଁ, ଖାଁ ରେ ତା’ର ଛାତି ଭିତରଟାକୁ ମନ୍ଥି ଦେଇଯାଉଛି ।

 

ସୋମେୟା ଛିଣ୍ଡା ଜାମାଟା ଦେହରେ ଗଳେଇ ବାହାରି ପଡ଼ିଲା ରାସ୍ତାକୁ । ସ୍ୱପ୍ନରେ ବୋଧେ ଠାକୁର କହିଦେଲେ ତାକୁ–ଏଲୋରା ସେଇଠି ତାଙ୍କରି ପାଖରେ ଅଛି, ଏମିତି ତ ଠାକୁରଙ୍କ ବିଷୟରେ ସେ ନାନା କାହାଣୀ ଶୁଣିଛି...କାହାକୁ କେତେ ରକମର ସ୍ୱପ୍ନ ହୁଏ, କାହା ଆଗରେ ବି ସେ ଯାଇ ସାକ୍ଷାତ ଠିଆ ହୋଇଯାନ୍ତି । ମାଲି ମକଦ୍ଦମା, ରୋଗ ବଇରାଗ ବେଳେ ଆସି ମନ୍ତ୍ର ଦେଇ ଯାଆନ୍ତି...ସାକ୍ଷୀ ଦେବାକୁ ଆସି ପୁଣି କୁଆଡ଼େ ମଣିଷ ଚାହିଁଲାରୁ ସେ ପଥର ହୋଇଗଲେ । ଆହୁରି, ଆହୁରି କେତେ କ’ଣ ?

 

ଆଉ ଏ ତ ସାମାନ୍ୟ କଥା–ସେ ତ କିଛି ବର ମାଗୁନି, ଧନ ଜନ, ଗୋପଲକ୍ଷ୍ମୀ କିଛି ମାଗୁନି । ଖାଲି ଟିକେ ଜାଣିବାକୁ ଚାହୁଁଛି ଏଲୋରା କେଉଁଠି ଅଛି–କାହିଁକି ସେ ଆସିଲାନି ? ଏତିକି ଜାଣି ଗଲେ ତା’ ଦେହର ବଳ ମନର ସାହସ ଫେରି ଆସିବ । ଖାଲି ଟିକେ ଜାଣିଯିବ କାହିଁକି ସେ ଆସି ନାହିଁ ଏତେଦିନ...କାହିଁକି କଥା ଦେଇ ଯାଇଥିଲା ଆସିବ ବୋଲି...ଯଦି ନ ଆସିବାର କଥା କେବେ ତାକୁ ମିଛ କହିଲା କାହିଁକି... କ’ଣ ତାର ଅପରାଧ ?

 

ସୋମେୟାକୁ ନିଶା ଲାଗି ଯାଇଥିଲା ସତେ ବା’ । ସେ ନିଜେ ହିଁ ଜାଣେନା ଏଲୋରାର କୈଫିୟତ ନେବାର କୌଣସି ଆବଶ୍ୟକତା ନାହିଁ । କିଛି ଯୁକ୍ତି, କିଛି ଛଳନା କିଛି ପୃଥିବୀର ଗତାନୁଗତିକତା ସେ ବୁଝେ ନାହିଁ । କେବଳ ସମୁଦ୍ରର ଅବୁଝା କୋହଭରା ଢେଉପରି ହୃଦୟରେ ତା’ର ଏକ ଅସରନ୍ତି କୋହର ଢେଉ । ସମୁଦ୍ର କ’ଣ ଚାହେଁ: କ’ଣ କହେ, କେହି କି ସେ କଥା କେବେ ବୁଝନ୍ତି ନାଁ ବୁଝେଇ ପାରିଛି ?

 

ମନ୍ଦିରରେ ଆଳତି ଚାଲିଛି । ବେଶ୍ ଟିକିଏ ଭିଡ଼ ଅଛି । ସୋମେୟା ମନ୍ଦିରର ଗଳି କନ୍ଦି, ଅସଂଖ୍ୟ ଯାତ୍ରୀ ଭିଡ଼ରେ ପାଗଳଙ୍କ ପରି ଗୋଟାଏ ଚିହ୍ନା ମୁହଁ, ଚିହ୍ନା ଶାଢ଼ି, ଚିହ୍ନା ଶରୀର ଖୋଜି ବୁଲୁଥିଲା । କେତେ ସ୍ତ୍ରୀ ଲୋକଙ୍କ ଦେହ ଯେମିତି ଏଲୋରାର ଛବି ନେଇ ତା’ର ଆଖି ଆଗରେ ନାଚି ଉଠିଲା । ମାତ୍ର ପାଖକୁ ଯାଇ ସେ ନିରାଶ ହୋଇପଡ଼ିଲା । ଠାଏ, ଠାଏ ଭଜନ ଗୀତ ଚାଲିଛି-। ତାହା ଭିତରେ ସତେ ବା’ ଏଲୋରା ଆଖିବୁଜା ମୁହଁଟି ଖେଳି ବୁଲୁଛି କ୍ରମଶଃ ସବୁରି ମୁହଁ ତାକୁ ଏଲୋରା ପରି ଦିଶୁଛି... ମନ୍ଦିରର କାନ୍ଥ ବାଡ଼ ସବୁ ଦିଶୁଛି ଏଲୋରାର ଅସଂଖ୍ୟ ଛବିର ସମାହାର-! ଅଥଚ ପାଖକୁ ଗଲେ ସେ ବଦଳି ଯାଉଛି ।

 

ସୋମେୟା ଥକି ପଡ଼ିଲା । ମନ୍ଦିରରେ ପହଡ଼ ପଡ଼ିବ । ବେଳ ହେଲାଣି । ଆଉ ଥରେ ସେ ଘୋଷାରି ଘୋଷାରି ନିଜକୁ ନେଇ ଠାକୁରଙ୍କ ପାଖରେ ପହଞ୍ଚିଲା । ଆଖିରୁ ତାର ଝର ଝର ଲୁହ ବହିଯାଉଛି, ମନ ହେଉଛି ବଡ଼ ପାଟି କରି କହିବାକୁ ଠାକୁର ! ତମେ ଏମିତି ଲୀଳା କାହିଁକି କରୁଛ ? କାହିଁକି ତମେ ମିଛ ସପନ ଦେଖେଇ ମତେ ହଇରାଣ କରୁଛ ? କିନ୍ତୁ ତାହା କ’ଣ ବଡ଼ ପାଟିରେ ସେ ପଚାରି ପାରିବ ? ଆଉ ପଚାରିଲେ ଠାକୁର କ’ଣ ସତ ଉତ୍ତର ଦେବେ ?

 

ଆଶ୍ଚର୍ଯ୍ୟ ! ଠାକୁରଙ୍କର ତିନୋଟି ମୂର୍ତ୍ତିରେ ବି ଏଲୋରାର ଛବି ଦିଶୁଛି । ଆଉ କ’ଣ ଠାକୁର ସତକୁ ସତ ତାକୁ ଲୁଚେଇ ରଖିଛନ୍ତି ? ହେଇତ ତାଙ୍କ ବେଢ଼ା ପାଖରେ ଏଲୋରା ବୁଲୁଛି...ସତ, ସତ...ଆରେ ଲୁଚି ଯାଇଛି ଯେ ! ହାଏ ! ଠାକୁର ତା’ ସହିତ ଶେଷକୁ ବାଦ ସାଧିଲେ-? ଜଗତର ଠାକୁର–ଚାହିଁଲେ ସହସ୍ର କୋଟି ଏଲୋରା ଗଢ଼ି ଥୋଇଦେବ ସତତ, ଠାକୁରଙ୍କ ପଛଆଡ଼େ ହେଇତ ଏଲୋରା ଅଛି । ନାଁ ନାଁ, ସେ ଆଉ ଏଲୋରାକୁ ପାଇଁବନି...ତାକୁ ଠାକୁର ଚୋରେଇ ନେଇଁ...ବଡ଼ ଠାକୁର ମିଛ ସ୍ୱପ୍ନରେ ତାକୁ ଭୁଲେଇ ଦେଲେ ନାଁ ନାଁ ନାଁ ! ଚିତ୍କାର କରି ଉଠିଲା ସୋମେୟା ଠାକୁରଙ୍କ ଆଡ଼କୁ ଅନେଇଁ ! ଚୋର ! ଚୋର ଠାକୁର ! ଚୋର... !

 

ହଠାତ୍ ମନ୍ଦିର ଭିତରେ ଗୋଟାଏ ହଇଚଇ । ପାଟିତୁଣ୍ଡ କୋଳାହଳ ପେଲାପେଲି ଭିତରେ ସଂଜ୍ଞାହୀନ ଶରୀରରେ ତଳେ ପଡ଼ିଯାଇ ସୋମେୟା ଅସଂଖ୍ୟ ଲୋକଙ୍କ ପାଦତଳେ ଚିପି ହୋଇ ଯାଉଥିଲା ଧୀରେ ଧୀରେ !’

✽✽✽

 

ଆତ୍ମଜ

 

ଅହେତୁକ ଭୟ ଓ ଯନ୍ତ୍ରଣା । ଅବଶେଷ ତା’ର କେବଳ ଜ୍ୱାଳା । ସେ ଭିତରେ ଭିତରେ ନିଆଁ ଲଗାଇ ଦେଇ ସବୁ ପୋଡ଼ିଦିଏ । ତାକୁଇ କିନ୍ତୁ କୁଣ୍ଢେଇ ସଙ୍ଖାଳି କରି ଧାଇଁବାକୁ ହୁଏ...ଶେଷ ପର୍ଯ୍ୟନ୍ତ... । ସାତତାଳ ପାଣି ତଳେ ହୀରାଖମ୍ୱର ଗମ୍ୱୁଜ ଭିତରେ ସୁନା ଫରୁଆର ଭ୍ରମର ସିଏ ! ଯୁଦ୍ଧକ୍ଷେତ୍ରରେ ଶ୍ରୀକୃଷ୍ଣଙ୍କ ମୁହଁରୁ ଗଦଗଦ ଭାଷଣ ଶୁଣି ସେ କୁଦି ପଡ଼ିଥିଲା ଅସୀମ ସାହସରେ ଭାଇ କୁଟୁମ୍ୱଙ୍କୁ କୁଟ୍ କୁଟ୍ କରି କାଟିଦେବାକୁ । ସେଇ ତ ପୁଣି ନିସ୍ତବ୍‍ଧ ରାତ୍ରିରେ ଅପୂର୍ବ ସୁନ୍ଦରୀ ସ୍ତ୍ରୀ, ସୁକୁମାର ପୁତ୍ର ଓ ରାଜସିଂହାସନ ସବୁ ଛାଡ଼ିଦେଇ ଅରଣ୍ୟ ଭିତରକୁ ଚାଲିଯାଇ ପାରିଥିଲା । ହାଏ ! ହାଏ ! ଯମୁନା କୂଳରେ ମନମତ୍ତ ଦୁହାଁଳ ଗାଈ ସହ ବାସ୍ତୁରା ବାଳୁଙ୍ଗା ପରି ମାଇଁର ମାନ ମହତ୍ତ ଦି’କଡ଼ା କରିବାର ସେଇ ଯେଉଁ ବାଲ୍ୟ ଚପଳତା... । ଆଖିରେ ପାଣି ଆସୁଛି... ଦେହରେ ଶିହରଣ ଆସୁଛି–ହବନି, ହବନି–ଆସିଗଲା ସତେ ବା ସମୁଦ୍ରର ଉତ୍ତାଳ ଲହରୀ । ଧେତ୍‍ରୀ... ।

 

ଆଗରୁ ପଛରୁ ବାଁରୁ ଡାହାଣରୁ ପେଁକାଳୀ ବଜେଇ ଝମର ଝମର ହୋଇ ସବୁ ଗାଡ଼ି ମଟର ଅଟକି ଗଲେ–ଅଟକିଗଲା ଚଳମାନ ଜୀବନର ଧାରା...ସ୍ଥିର ହୋଇଗଲା ଆକାଶର ଆଖି, ଆଉ ପୃଥିବୀର ଘୂର୍ଣ୍ଣାୟମାନ କକ୍ଷ ।

 

ସୁଧାକର ମୁହଁ ତଳକୁ ପୋତି ରାସ୍ତାକଡ଼କୁ ଆଡ଼େଇ ହୋଇଗଲେ । ପଛରୁ କିଏ କହୁଥିଲା ପାଗଳାଟାଏ, କିଏ କହୁଥିଲା ଆଉ ଟିକିଏ ଯାଇଥିଲେ,–କିଏ କହୁଥିଲା କଣାଟାଏ– ।

 

ଲୁହ ଟୋପାକ ପୁଣି କେଉଁ ଗାତରେ ପଶିଗଲା । ଶୁଖିଲା ଠକ୍ ଠକ୍ ଆଖି । ସବୁ ଦେଖାଯାଉଛି, ପୁଣି କିଛି ଦେଖା ଯାଉନି । ଯେ ଯୁଆଡ଼େ ଚାଲିଗଲେଣି । ଛକ ଉପରୁ ତଳକୁ ଧାଇଁ ଆସିଥିବା ପୁଲିସ କନେଷ୍ଟବଲ୍ ତା’ ଷ୍ଟାଣ୍ଡକୁ ଚାଲିଗଲାଣି । ସ୍ରୋତ ଚାଲିଲାଣି ପୂର୍ବପରି ।

 

ଶେଷ କଥା ତ ସେଇ ଯନ୍ତ୍ରଣା । ଅହେତୁକ ଭୟ, ଅକଥନୀୟ ଜ୍ୱାଳା ! ଚାରିପଟରେ ଯେମିତି ଗୋଟାଏ ବିରାଟ ବ୍ୟୁହ ରଚନା କରି ରହିଛି । ସେଇ ଦୁର୍ଗ ଡେଇଁଯିବାକୁ ସାରା ଜୀବନ ଧରି ଚେଷ୍ଟା ! କିନ୍ତୁ ହେଲାନି...ପିଲାଦିନେ ବାପା, ମା’ ଭାଇ, ଭଉଣୀ, ଆଉ ଶିକ୍ଷକଙ୍କ ଉପଦେଶ କଡ଼ା ନଜର ତାଙ୍କ ଭିତରର ମଣିଷଟାକୁ ଚାପିଚୁପି କଣ୍ଟା ବାଡ଼େଇ ଦେଇଛନ୍ତି । କ୍ରୁଶବିଦ୍ଧ ମଣିଷର ଯନ୍ତ୍ରଣା ବୋହିନେବା ଛଡ଼ା ଆଉ କି ଉପାୟ ନାହିଁ ? ପାଠପଢ଼ାର ଭୟ, ପରୀକ୍ଷାରେ ଭୟ, ଚାକିରିର ଭୟ, ପରଦାରରେ ଶାନ୍ତି ବଜାୟ ରଖିବାର ଭୟ, ପୁଅ ଝିଅଙ୍କୁ ଭୟ...ରାସ୍ତା ଚାଲିବାରେ ଭୟ–ବୟସକୁ ହରାଇବାର ଭୟ...ସମୟକୁ ହରାଇ ବସିବାର ଭୟ... ।

 

ସୁଧାକର ଏଇ ପଘା ଛିଡ଼ାଇ ପଳାଇବା କଥାଟା ଆଜି ଯେ ନୂଆ ଭାବିଲେ–ସେ କଥା ନୁହେଁ । ମାତ୍ର ଛିଡ଼ାଇବା କଥାରେ ହିଁ ସୁଧାକର ଏମିତି ଆତଙ୍କିତ ହୁଅନ୍ତି–ଛିଡ଼ିଗଲେ ଜୀବନର ସତ୍ତା ଚାଖିବା ପାଇଁ ପ୍ରାଣ ବି ଥିବ କି ନାହିଁ ସନ୍ଦେହ ।

 

କେତେ ଯେ କ୍ଷିପ୍ର ଗତିରେ ଚାଲି ଆସିଥିଲେ ସେ...ଏ କଥା ଭାବି ଭାବି ତାହା ନିଜେ ହିଁ ଜାଣିବା ମୁସ୍କିଲ ଥିଲା । ଘର ସାମ୍ନାରେ ଛୋଟ ଚାଖଣ୍ଡେ ବଗିଚା । ଫୁଲ ସବୁ ଫୁଟିଛି । କେବେ ତାକୁ ଅନେଇ ଦେଖିବାର ସମୟ ପାଇ ନାହାନ୍ତି । ଚାରୁବାଳା ଘରକାମ ସାରି ସେଇଠି ବସି କ’ଣ ସବୁ ସିଲେଇ କରନ୍ତି, ହିସାବ ଲେଖନ୍ତି–ମଝିରେ ଥିବା ତୁଳସୀ ଗଛଟାରେ ପାଣି ଦେଇ ପ୍ରତିଦିନ ସକାଳୁ ସୂର୍ଯ୍ୟକୁ ମୁଣ୍ଡିଆ ବି ମାରନ୍ତି । କେହି ଜଣେ ଆସିଗଲେ ଘରକୁ ତୁଳସୀ ଗଛଟା ଦେଖି ଦେଇଥିବ ଭାବି କିପରି ସଙ୍କୋଚ ଅନୁଭବ କରନ୍ତି ସୁଧାକର । ପୁଅର ଝିଅର ଅଭିଯୋଗ–ତୁଳସୀ ଗଛଟା ମୋଟେ ବଗିଚା ଭିତରେ ରହିବା କଥା ନୁହେଁ । ଗଛଟା ଉପାଡ଼ି ଦେବା ବିଷୟ ଭାବିଲେ ସୁଧାକରଙ୍କୁ ଭୟ ଲାଗେ । ବାଜେ ନିହାତି ବାଜେ । ସାମାନ୍ୟ ଗୋଟାଏ ଗଛ–ଆଧୁନିକ ଜୀବନ ଯାତ୍ରାର ମୋଟେ ହେଁ ପରିଚାୟକ ନୁହେଁ । କେବଳ ସାହସ ଅଭାବରୁ ସେ ଉପାଡ଼ି ଦେଇପାରି ନାହାନ୍ତି...ନାଃ, ଆଜିଠୁ ଏଇ ମୁହୂର୍ତ୍ତରୁ ସେ ଭୟକୁ ବିଦାୟ ଦେବେ ।

 

ବଗିଚା ଭିତରେ ପଶି ଯାଇ ସେ ତୁଳସୀ ଗଛ ମୂଳରେ ବସି ପଡ଼ିଲେ ! ଦାଣ୍ଡ କବାଟ ଆଉଜା ହୋଇଛି । ତିନିଟାଯାକ ପୁଅ ବାହାରକୁ ଯାଇଥିବେ–ରାତି ନଅଟା ପରେ ଯାଇ ଫେରିବେ-। ଝିଅଟା ବହି ଧରି ସଞ୍ଜବେଳକୁ ଶୋଇ ଯାଇଥିବ । ରୋଷେଇ ଘରେ ଏକୁଟିଆ ଥିବେ ଚାରୁବାଳା-। କେହି ନ ଡାକିଲେ ସନ୍ଧ୍ୟାପରେ ସେ ଦାଣ୍ଡକୁ ଆସନ୍ତି ନାହିଁ... ।

 

କିପରି ଗୋଟାଏ ଉଲ୍ଲାସ ଅନୁଭବ କଲେ ସୁଧାକର । କେହି ନ ଥିବା ଅବସ୍ଥାରେ କାମଟା ସାରିଦେଲେ ତ ନିଶ୍ଚିନ୍ତ ?

 

ବେଙ୍ଗଟା କେଉଁଠି କଟର କଟର ହେଉଛି ବିଘ୍ନ ଘଟିଲା ପ୍ରଥମରୁ । ଦଣ୍ଡେ ଅଟକିଗଲେ ସୁଧାକର । ପାଦେ ପଛକୁ ଘୁଞ୍ଚି ଆସିଲେ, ତା’ପରେ ପଞ୍ଜାବୀର ହାତକୁ କହୁଣୀ ପର୍ଯ୍ୟନ୍ତ ଟେକି ନେଇ ସେ ହାତ ବଢ଼େଇଲେ । କିଏ ଯେମିତି କାନ ପାଖରେ ଚିର୍‍ଚିରେଇ ଉଠିଲା–ଆରେ ! ଆରେ ଚଗଲା ! ଏ କ’ଣ କରୁଛୁ ? ମା’ ବୃନ୍ଦାବତୀଟି ସେ ! ସଞ୍ଜବୁଡ଼େ ମୁଣ୍ଡିଆ ନ ମାରି ପତର ଛିଣ୍ଡେଇ ବସିଗଲୁ... !

 

ହାତଟା ଗଛର ଦେହରେ ଝୁଲି ରହିଲା ଅସହାୟ ଭାବରେ । ବୋଉର କଣ୍ଠ–ପିଲାଦିନେ ଧୂଳି ଧୂସର ହୋଇ ଖେଳ ପଡ଼ିଆରୁ ଫେରି ବୋଉର ଅତି ଶରଧାର ତୁଳସୀ ଗଛରୁ ଲୁଚେଇ ପତ୍ର ଛିଣ୍ଡେଇ ସେ ଖାଇ ଦେଉଥିଲେ ଆଉ ଶୁଣୁଥିଲେ ସ୍ନେହ କଟୁ ତିକ୍ତ ଭର୍ତ୍ସନା । କିପରି ଗୋଟାଏ କ୍ଳାନ୍ତି ଘୋଟିଆସିଲା ହାତମୁଠାକୁ ।

 

ଆଣ୍ଠୁ ଭିତରେ ମୁହଁ ରଖି ସୁଧାକର ଦଣ୍ଡେ ଅସ୍ଥିର ହୋଇପଡ଼ିଲେ । ଯେମିତି ବୋଉ ତାଙ୍କ ପାଖରେ ଲାଗି ଛିଡ଼ା ହୋଇଛି । ଆଖିକି ଆଖି ମିଶିଯିବ ଅବା । ଭୟରେ ଦେହ ଶିର୍‍ଶିରେଇ ଉଠୁଛି ।

 

ପୁଣି ମୁହଁ ଟେକିଲେ ସୁଧାକର । କାହିଁ ? କିଏ କୁଆଡ଼େ ନାହିଁ । କେଉଁ ପୁରୁଣା କଥା, ପୁରୁଣା ସଂସ୍କୃତି ରକ୍ତରେ ବସା ବାନ୍ଧିଛି । ସବୁଦିନେ ପଛୁଆ, ସବୁ କଥାରେ ଭୀରୁ, ସବୁ ସମସ୍ୟାରେ ଅଧିରତା ତାଙ୍କୁ ମଣିଷ ହେବାର ସୁଯୋଗ ଦେଲାନି...। ପିଲାଦିନରୁ ଅଣ୍ଟା ଥରେ ଭାଙ୍ଗିଗଲେ ଆଉ କ’ଣ ସଳଖ ହୁଏ ? ହବନି ? ହବ... । ଅଲବତ୍ ତାକୁ ସଳଖିବାକୁ ହେବ... । ପୃଥିବୀରେ ଅସାଧ୍ୟ କ’ଣ ଅଛି... ?

 

ହାତମୁଠା ତୁଳସୀ ଗଛର ବେକରେ ପୁଣି ଶକ୍ତ ହୋଇ ଉଠିଲା : ଯତ୍ନରେ ବେକଟା କିଛି କମ୍ ମୋଟେଇନି ତ... ।

 

‘‘ଇୟୁ ବ୍ଲଡ଼ି ଇଣ୍ଡିୟାନ । ଫୁଲ୍ । ତୁମେମାନେ ଜାତିର ସଂସ୍କୃତି, ଧର୍ମକୁ ସାମାନ୍ୟ ନାରୀର ପ୍ରେମ ପାଇଁ ତ୍ୟାଗ କରିବାକୁ ପଛାଅ ନାହିଁ । ପ୍ରେମର ମାନେ ନୁହେଁ ଜାତି, ଧର୍ମ, ଶିକ୍ଷା, ସଂସ୍କୃତି, ପରମ୍ପରା ସବୁକୁ ତ୍ୟାଗ କରିବା । ତୁମେମାନେ ପ୍ରେମକୁ ତ୍ୟାଗ କରିବାକୁ ତା’ହେଲେ ପଶ୍ଚାତ୍‍ପଦ ହେବନି । ପ୍ରେମର ଅର୍ଥ ନାରୀ ବା ପୁରୁଷର ସହବାସ ନୁହେଁ ସୁଧାକର, ପରସ୍ପରର ଧର୍ମ, ସଂସ୍କୃତି ଓ ପରମ୍ପରାକୁ ଶ୍ରଦ୍ଧା କରିବା...।’’ ରୋଜାଲିନ୍‍ର ଆଖିରୁ ଯେପରି ନିଆଁ ଝରୁଛି । ଘୃଣାରେ ତା’ର ନାକ ଫୁଲି ଉଠୁଛି । ରୋଜାଲିନ୍ ଏକଦା ପ୍ରଣୟିନୀ ସୁଧାକରଙ୍କର ଦେଖା ହୋଇଥିଲା କୋରାପୁଟ୍‍ର ଆଦିବାସୀ ଅଞ୍ଚଳରେ । ଖ୍ରୀଷ୍ଟିୟାନ୍ ଝିଅ ରୋଜାଲିନ୍...ୟାଂଗଲୋ ଏଣ୍ଡିଆନ, ବାପା ତାର ଥିଲେ ଖ୍ରୀଷ୍ଟିୟାନ ପାଦ୍ରୀ, ଧର୍ମ ପ୍ରଚାର କରି ସେ ରହି ଯାଇଥିଲେ ଦୀର୍ଘଦିନ ସେ ଅଞ୍ଚଳରେ ! ତରୁଣ ଅବସ୍ଥାରେ ସୁଧାକର ରୋଜାଲିନ୍‍ର ଶୁଭ୍ର ତନୁ ପ୍ରତି ଆକୃଷ୍ଟ ହୋଇ ଯେତେବେଳେ ଧର୍ମ ତ୍ୟାଗ କରିବାପାଇଁ ପ୍ରସ୍ତୁତ ହୋଇ ଯାଇଥିଲେ, ସେଦିନ ରୋଜାଲିନ୍ ବିଦାୟ ନେଇଥିଲା ।

 

ଅଭୁତ ଝିଅଟା ! କ’ଣ ତା’ର ଉଦ୍ଦେଶ୍ୟ ଥିଲା କେଜାଣି ? କିନ୍ତୁ ସେଦିନଠୁ ସୁଧାକର ଗୋଟାଏ ଅଜଣା ଭୟରେ ଶଙ୍କି ଯାଇଥିଲେ । ଏପରିକି ତା’ ସାମ୍ନାସାମ୍ନି ହେବାକୁ ସେ କଳ୍ପନା କରି ପାରୁ ନ ଥିଲେ । ଆଜି ହଠାତ୍ ଏଇ ମୁହୂର୍ତ୍ତରେ ତା’ର ଘୃଣା ରଞ୍ଜିତ ଆଖିଦିଓଟି ଯେମିତି ବର୍ଚ୍ଛାପରି ତଳେ ହାତମୁଠାକୁ ବିନ୍ଧୁଥିଲା । ଅସ୍ୱସ୍ତି, ଯନ୍ତ୍ରଣା ଆଉ ଅହେତୁକ ଭୟରେ ସେ ଜଡ଼ ପାଲଟି ଯାଇଥିଲେ ।

 

ଝପ୍ କରି ଲାଇଟ୍ ମେଞ୍ଚାଏ କେଉଁଠୁ ଆସି ମୁହଁରେ ପଡ଼ିଲା ଆଣ୍ଠୁ ସନ୍ଧି ଦେଇ ସକ୍ ମାରିଲା ପରି ମୁହଁ ଟେକି ସେ ଚାହିଁଲେ । କିଏ ଜଣେ ଆଗେଇ ଆସୁଛି...ମଣ୍ଟୁ–ଦୁର୍ଦ୍ଦାନ୍ତ ମଝିଆଁ ପୁଅ ମଣ୍ଟୁ... । ଯାହାର ପ୍ରତିଦିନ ଜିଦ୍ ବଗିଚା ଭିତରେ ତୁଳସୀ ଗଛଟା ରହିବା ଯୋଗୁଁ ତା’ର ବନ୍ଧୁମାନେ ଏ ଘରକୁ ଆସିବାଟା ସେ ବନ୍ଦ କରି ଦେଇଛି । ଗଛଟା ଉପାଡ଼ି ଦେବାପାଇଁ ବୋଉ ସହିତ କେତେ କଳି ନ କରିଛି, ଆଉ କେତେବାର ବି ବାପାଙ୍କର ନୀରବ ସମ୍ମତି ସେ ନ ଲୋଡ଼ିଛି...-। ଟିକିଏ ଇସାରା ପାଇଲେ ମଣ୍ଟୁ ସାହିରେ ଦି’ଟା ଘର ଦି’ ଦିନରେ ଠିଆ କରେଇଦେବ–ଆଉ ଦି’ଟା ଘର ବି ଦି’ ସାହିରେ ଦି’ ମିନିଟରେ ଧୂଳିସାତ୍ କରିଦେବ । ପୁଅର ମାଂସପେଶିକୁ ଅନେଇ ବେଳେ ବେଳେ ଗର୍ବ ଅନୁଭବ କରନ୍ତି ସୁଧାକର । ଏ ଯୁଗରେ ଏମିତି ପୁଅଟାଏ ପାଇବା ଏକା ଭାଗ୍ୟରେ ଥିଲେ ହୁଏ– ।

 

‘‘ବାପା ! କ’ଣ କରୁଛ...ଚାରିଆଡ଼େ ଅନ୍ଧାର...ତମେ ଏକୁଟିଆ... ।।’’

 

ଟର୍ଚ୍ଚ ପଡ଼ିଛି ତଳେ ହାତ ଉପରେ । ମୁଠା ଭିତରେ ତୁଳସୀ ଗଛର ଗଣ୍ଡି । ଦେଖିଦେଲା ମଣ୍ଟୁ–ଦେଖୁ, ଦେଖୁ–କାହିଁକି ସେ ଡରିଯିବେ–କି ପାପ କାମ କରିଛନ୍ତି କି...ଅପ୍ରତିଭ ହେବାର କିଛି ନାହିଁ... ।

 

ସେ ହସିଦେଇ କହିଲେ...

 

‘‘ଲାଇଟ୍ ପକେଇବୁ, ପକା ଟିକେ ଭଲ କରି । ଗଛଟା କ’ଣ କମ୍ ଚେରେଇଛି କି... ।’’

 

କ’ଣ କରୁଛ ବାପା ! ଉପାଡ଼ି ଦେବ ? ବୋଉ... ।’’

 

‘‘ଚୁପ୍ କର । ବୋଉ କ’ଣ କହିବ–ମୁଁ ଏ ଘରେ ମୁରବି ନା ତୋର ବୋଉ ?’’ ସୁଧାକରଙ୍କ ଦେହ ଥରୁଥିଲା ବରଡ଼ାପତ୍ର ପରି । ମଣ୍ଟୁ ବାପାଙ୍କ ଅସମ୍ଭାଳ ରାଗ ଦେଖି କହିଲା–

 

‘‘ତମେ ରୁହ ବାପା ! ମୁଁ ଉପାଡ଼ି ଦେଉଛି... ।’’

 

‘‘ନା । ତୁ କାହିଁକି ପାପରେ ଭାଗୀ ହେବୁ ? ମୁଁ ଉପାଡ଼ିଚି... ।’’ ସେ ବେଶୀ କହି ପାରୁ ନ ଥିଲେ । କାରଣ ଓଠକୁ ଓଠ, ଦାନ୍ତକୁ ଦାନ୍ତ ଠକ୍ ଠକ୍ ହୋଇ କମ୍ପୁଥିଲା ।

 

ସୁଧାକର ଥରି ଥରି ‘ହୁଁ’ କହି ଗଛଟା ଉପାଡ଼ିବେ କ’ଣ ପଛକୁ ଛିଡ଼ିକି ଯାଇ ଦୁମ୍‍କିନା ପଡ଼ିଲେ । ବାପାଙ୍କର ଏତାଦୃଶ ଅବସ୍ଥାରେ ମଣ୍ଟୁର ମାଂସପେଶୀ ଶକ୍ତହୋଇ ଉଠିଲେ–ସାମାନ୍ୟ ଗଛଟାଏ ତା’ର ବାପାଙ୍କୁ ତା’ ସାମନାରେ ଗଡ଼େଇ ଫୋପାଡ଼ି ଦେଲା... । ଉତ୍ତେଜନାରେ ସେ ଡେଇଁ ପଡ଼ିଲା ଗଛ ଉପରକୁ ଏକ ବିଶିଷ୍ଟ ଭଙ୍ଗୀରେ । ବାଁ ହାତର ଆଙ୍ଗୁଠିରେ ଗଛଟା ଉଠି ଆସିଲା ଚେରମୂଳ ଛାଏଁ । ଅପୂର୍ବ ଉଲ୍ଲାସରେ ସେ ଗଛଟା ଧରି ‘ବୋଉ’ ‘ବୋଉ’ ଡାକି ଚକା ଭଉଁରୀ ଖେଳ ଆରମ୍ଭ କରିଦେଲା... ।

 

ସୁଧାକର କିନ୍ତୁ ଉଠି ପାରୁ ନ ଥିଲେ । ତଳେ ମୁଣ୍ଡଟା ଉପରକୁ ଗୋଡ଼ ଦୁଇଟା କେଉଁ ଗଛର ପାଣି ମନ୍ଦା ଭିତରେ କାଦୁଅରେ ଗୋଳେଇ ଘାଣ୍ଟି ହୋଇ ଯାଇଥିଲା । କାନରେ ବାଜୁଥିଲା ବୋଉର ତିକ୍ତ ଭର୍ତ୍ସନା ‘‘ଆରେ, ଆରେ ଚଗଲାଟା ।’’ ଆଉ ଛାତିରେ ବିନ୍ଧି ହୋଇ ଯାଉଥିଲା ରୋଜାଲିନ୍‍ର ଘୃଣାଦୀପ୍ତ ଚାହାଁଣୀର ବର୍ଚ୍ଛା ।

 

ଅଥଚ ମଣ୍ଟୁ ଉଲ୍ଲାସରେ ତା’ର ବୋଉକୁ ଡାକ ଛାଡ଼ୁଥିଲା । ଅସମ୍ଭାଳ ରାଗରେ ଫାଟି ପଡ଼ିଲେ ମଣ୍ଟୁ ଉପରେ ହଠାତ୍ କରି ସୁଧାକର–‘‘ବାଳୁଙ୍ଗା, ଛତରା, ବଜ୍ଜାତ୍ କେଉଁଠିକାର...ବାହାର ମୋ ଘରୁ । ଏଇକ୍ଷଣି ଏଇ ମୁହୂର୍ତ୍ତରେ ଯା, ବାହାରି ଯା... ମୁଁ ତୋ ମୁହଁ ଦେଖିବାକୁ ଚାହେଁ ନାହିଁ କୁଳାଙ୍ଗାର... । ଯା...ଆଇ ସେ ଗେଟ୍-ଆଉଟ୍... ।’’

 

✽✽✽

 

ଅସ୍ପୃଶ୍ୟ

 

ମେକ୍ଅପ୍ ଖୋଲିବାକୁ ଆଉ ଯେପରି ତାଙ୍କ ଦେହରେ ବଳ ନାହିଁ କି ଆଗ୍ରହ ନାହିଁ । ଦର୍ପଣ ଦେହରେ ନିଜର ପ୍ରତିବିମ୍ୱଟା ତାଙ୍କୁ ଖତେଇ ହେଉଛି । ଆଉ ନିଃସଙ୍ଗ ରାତ୍ରିର ଚେନାଏ ଆକାଶ ସୀମିତ ଝଙ୍କାର ପର୍ଦ୍ଦା ଦେଇ ସତେ, ଅବା ତାଙ୍କୁ ରହି, ରହି ଅନୁଶୀଳନ କରୁଛି । ଆକାଶରେ ଆଜି ଅନେକ ତାରା ମନରେ ଅସଂଖ୍ୟ ପ୍ରଶ୍ନବାଚୀ !

 

ରମାକାନ୍ତ ଫେରିନାହାନ୍ତି । କେଉଁଦିନ କେତେବେଳେ ଯେ ସେ ଫେରନ୍ତି ତାର ଠିକ୍ ନାହିଁ । ତାଙ୍କ ପାଇଁ ଅପେକ୍ଷା କରିବାର ବେଦନା ବୋଧର ସ୍ମୃତି ଅସୀମାଙ୍କ ହୃଦୟ କୋଣରେ କେବେହେଲେ ସଞ୍ଚିତ ହୋଇନାହିଁ । ତେବେ... ?

 

ରାତ୍ରି ଘଣ୍ଟାରେ ବାଜିଲା ଢଂ କରି ଗୋଟାଏ ଅନେକ ରାତ୍ରି ହୋଇଛି । ଆଉ ଅଧିକ ସମୟ ବିନିଦ୍ର ରହିଲେ କାଲି ସକାଳେ ତାଙ୍କ ଆଖିପତା ତଳେ କଳାର ପରଳ ମାଡ଼ି ବସିବ । ବହୁ ଯତ୍ନରେ ପରିମାର୍ଜିତ ହୋଇଥିବା ଶରୀରର ରଙ୍ଗରେ ହୁଏତ ପ୍ରସ୍ଫୁଟିତ ହେବ ବୟସର କୃଚନ ଓ କଳଙ୍କିତ ଦାଗ । ନାଁ, ନାଁ ? ଏତେ ଶୀଘ୍ର ଚକ୍ଷୁରେ ବାର୍ଦ୍ଧକ୍ୟକୁ ସମ୍ୱର୍ଦ୍ଧନା କରିବା ପାଇଁ ତାଙ୍କର ସାହସ ନାହିଁ । ଆଧୁନିକ ସମାଜରେ ବଞ୍ଚି ରହିବାକୁ ହେଲେ, ପ୍ରତିଷ୍ଠିତ ହେବାକୁ ହେଲେ ଧନର ଭଣ୍ଡାର ଯଥେଷ୍ଟ ନୁହେଁ । ରୂପର ଭଣ୍ଡାର ମଧ୍ୟ ଦରକାର ।

 

ଗାଡ଼ିର ହର୍ଣ୍ଣ ଶୁଭୁଛି । ଏଇ ବୋଧେ ରମାକାନ୍ତ ଫେରିଲେ । କୁଆଡ଼େ ଯାଇଥିଲେ... ?

 

ନିଜ ଅବଚେତନ ମନର ବିକଳାଙ୍ଗ ରୂପ ଯେପରି ଆଡ଼ ବେଶୀ ବିଭୀଷିକାମୟ ମନେହେଲା । ଉଠୁ ଉଠୁ ଚେୟାର୍ ଉପରେ ଅସୀମା ବସି ପଡ଼ିବେ । ବହୁଦିନୁ ଭୁଲିଯାଇଥିବା କୌଣସି ପରିଚିତ ବ୍ୟକ୍ତିର ଆଚମକା ପ୍ରବେଶ ଯେମିତି ତାଙ୍କୁ ମୁହ୍ୟମାନ କରିଦେବ ।

 

ରମାକାନ୍ତ ଆସିଲେ ଓ ଏକ ବିସ୍ମୟସୂଚକ ଭଙ୍ଗୀରେ ଭଗ୍ନା, ଭଙ୍ଗା କଣ୍ଠରେ ପ୍ରଶ୍ନ କଲେ–‘‘ଆଶ୍ଚର୍ଯ୍ୟ ତମେ ଏ ପର୍ଯ୍ୟନ୍ତ ଶୋଇନ ? ନାଁ–ପାର୍ଟି ଆଟେଣ୍ଡ କରି ତମେ ଖୁବ୍ କ୍ଳାନ୍ତ ହୋଇପଡ଼ିଛ ?’’

 

ହଠାତ୍ ଏକ ଅଭିବ୍ୟକ୍ତି ହୀନ ରାଗ, ଅହଙ୍କାର, ଅଭିମାନର ସମ୍ମିଳିତ କାରୁଣ୍ୟ ଅସୀମାଙ୍କ କଣ୍ଠ ଦେଶକୁ ଭାରାକ୍ରାନ୍ତ କରିଦେଲା । କ’ଣ କହିବେ ତାର ଯେପରି ଉତ୍ତର ନାହିଁ । ଅବଶ୍ୟ ରମାକାନ୍ତଙ୍କର ଉତ୍ତର ପାଇଁ ଆବେଗ ନାହିଁ । ପ୍ରତୀକ୍ଷାର ପ୍ରଶ୍ନ ଉଠେ ନାହିଁ ।

 

ସେ ବାଥ୍‍ରୁମ୍‍ ଭିତରେ ହାତଗୋଡ଼ ଧୋଇ ପରିଷ୍କାର ହେଉଛନ୍ତି । ପାଣିର ଝୁପ୍ ଝୁପ୍ ଶବ୍ଦ ସହିତ ରମାକାନ୍ତ ସ୍ୱର ମିଳାଇ ଗୀତ ଗାଉଛନ୍ତି । ସେ ସଙ୍ଗୀତ ଆତ୍ମତୃପ୍ତିର ପରିପୂର୍ଣ୍ଣତାର । ତେବେ କାରୁଣ୍ୟ ତାଙ୍କୁ ସ୍ପର୍ଶ କରିନାହିଁ । ସମାଜର ଗ୍ଳାନି ତାଙ୍କୁ ବିକଳାଙ୍ଗ କରିନାହିଁ । ସେ ସୁଖୀ । ଅସୀମା ଜାଣନ୍ତି ବାଥ୍‍ରୁମ୍‍ରୁ ଫେରିଆସି ସେ ଶୋଇ ପଡ଼ିବେ । ଜୀବନର ଦୈନନ୍ଦିନ କାର୍ଯ୍ୟ ମଧ୍ୟରେ ଶୋଇବାଟା ବୋଧହୁଏ ତାଙ୍କ ପକ୍ଷରେ ସହଜତମ... ଅଥଚ !

 

ରମାକାନ୍ତ ବାଥ୍‍ରୁମ୍‍ରୁ ଫେରି ବିଛଣାରେ ଗଡ଼ି ପଡ଼ିଲେ । ସେ ଯେପରି ଭୀଷଣ କ୍ଳାନ୍ତ, ଅବଶ । ଅସୀମା ଉଠିଯାଇ କହିଲେ–

 

‘‘ଲାଇଟ୍‍ଟା ଟିକେ ବନ୍ଦ କରିଦେବ ସୀମା । ହଁ କିଛି ଯଦି ମନେ ନକର ଗୋଟାଏ କଥା ପଚାରିପାରେ କି ? ତମ ବନ୍ଧୁଙ୍କର ପାର୍ଟି ଆଜି ଭଲ ହେଲାନି ବୋଧେ... ତମେ ବଡ଼ ବିମର୍ଷ ଲାଗୁଛ ଯେ’’ !

ପଛକୁ ବୁଲିପଡ଼ି ଆହତ ବାଘୁଣୀ ପରି ଅସୀମା ପ୍ରଶ୍ନକଲେ–‘‘ଖୁବ୍ ଦୟା କଲ ଯେ ! ପ୍ରଶ୍ନ ନ କରିଥିଲେ ହୁଏତ ଖୁସି ହୋଇଥାନ୍ତି ! ତମର ଯଦି ନଯିବାର ଥିଲା ତମେ ସଫା ସେମାନଙ୍କୁ ମନାକରି ଦେଇଥାନ୍ତ । ସୋସାଇଟିରେ ମୋ ନିଜର ଗୋଟାଏ ତ ପ୍ରେଷ୍ଟିଜ୍ ଅଛି’’ ।

ରମାକାନ୍ତଙ୍କ ମଶାରି ଉପରୁ ଦଶମୀର ଅସ୍ତଗାମୀ ଜହ୍ନରୁ କେରାଏ ଛିଡ଼ିକି ପଡ଼ିଥିଲା ତାଙ୍କ ମୁହଁ ଉପରେ ହସି ହସି ସେ ଉତ୍ତର ଦେଲେ–‘‘ତମେ ତ ଜାଣିଛ ସୀମା, ମୁଁ ତମର କୌଣସି ବନ୍ଧୁଙ୍କ ସହିତ ତାଳ ଦେଇ ଚାଲିପାରେ ନାହିଁ । ମତେ ଗୀତ ଗାଇ କିମ୍ୱା ଟୁରିଷ୍ଟ କରି ଆସେ ନାହିଁ । ଅବଶ୍ୟ ମିସ୍ ନାୟାର୍‍ଙ୍କ ସଙ୍ଗେ ମୁଁ ଥରେ ଦୁଇଥର ତମ କ୍ଲବରେ ନାଚିଥିବି’’.... !

ଅସୀମା କଥା ଛଡ଼ାଇ ନେଇ କହିଲେ–

‘‘ଆଉ ସେଇ ଯେ ନାଚ ଆରମ୍ଭ ହେଲା । ତା’ର ଯେପରି ଆଉ ଶେଷ ନାହିଁ ! କ୍ଲବ୍ ଆଉ ପାର୍ଟି ଆଟେଣ୍ଡ କରି ନାଚ ଗୀତ କଲାବେଳକୁ ତମେ କ୍ଳାନ୍ତ ହେଉଚ ଅଥଚ ମିସ୍ ନାୟାର୍ ଘରେ’’... ।

‘‘ଚୁପ୍ କର ସୀମା, ତମେ କେଉଁଠି କ’ଣ କଲ ସେ ସମ୍ୱନ୍ଧରେ ମୁଁ କୌଣସି ପ୍ରଶ୍ନ କରେନାହିଁ । ତମକୁ ଅପମାନିତ କଲା ଭଳି କିମ୍ୱା ସମାଜରେ ତମର ବ୍ୟକ୍ତିତ୍ୱ ନଷ୍ଟ ହେଲା ଭଳି କୌଣସି କାର୍ଯ୍ୟ ମୁଁ କରେନାହିଁ । ତା’ ସତ୍ତ୍ୱେ ଏପରି ପ୍ରଶ୍ନ କରିବାକୁ ତମକୁ ଲଜ୍ଜା ହୁଏନାହିଁ’’ !

 

‘‘କଥା ତମେ ସୁନ୍ଦର କହିପାର ରମାକାନ୍ତ ! କିନ୍ତୁ ତମେ ଭୁଲିଯାଇଛ ଆମ ଦୁଇଜଣଙ୍କର ଏକ ସାମାଜିକ ସ୍ଥିତି ରହିଛି । ସମାଜର ନାଲିଆଖି ଆମକୁ ଅର୍ହନିଶ ଅନୁଧାବନ କରୁଛି । ଆଜି ସନ୍ଧ୍ୟାରେ ଅଜସ ପ୍ରଶ୍ନବାଚୀରେ ମୁଁ ସ୍ତବ୍‍ଧ ହୋଇଗଲି । ମୁଁ ବୁଝେନା ସମୟେ ସମୟେ ତମେ ମତେ ଏତେ ଅପଦସ୍ଥ କର କାହିଁକି’’ ?

 

ନୀରସ ହସି ରମାକାନ୍ତ ଉତ୍ତର ଦେଲେ–

 

‘‘ତୁମେ ବୁଝିନ ସୀମା । ଗୋଟିଏ ସନ୍ଧ୍ୟାରେ ପ୍ରଶ୍ନର ଉତ୍ତର ଦେଇ ନପାରି ତମେ କେଡ଼େ ଅପମାନିତ ମନେକରୁଛ ! ଅଥଚ ପ୍ରତିଦିନ ଏଇପରି ମୋତେ କେତେ ପ୍ରଶ୍ନର ଉତ୍ତରକୁ ଉଡ଼େଇ ଦେବାକୁ ହୁଏ ! ମୋ ଭିତରେ ଏକ ଜୀବନ୍ତ ମନୁଷ୍ୟ ଅଛି ବୋଲି ତମେ ଏତେ ଶୀଘ୍ର ଭୁଲିଯାଉଛ କାହିଁକି ? ସେ ମନୁଷ୍ୟକୁ ବହୁବାର ମୃତ୍ୟୁ ଦେବାକୁ ଯାଇ ମୁଁ ପାରିନାହିଁ... ।’’

 

ଅସ୍ଥିରତା ଓ କ୍ରୋଧର ଚାପରେ ଅସୀମାଙ୍କ ଆଖିରେ ଲୁହ ଡବ ଡବ ହେଉଥିଲା । ତାଙ୍କର କଜ୍ଜଳ ସବୁ ହୁଏତ ଧୋଇଯିବ ଆଉ ଟିକକ ପରେ । ଅସୀମା କିନ୍ତୁ ଦବିଯିବାର ପାତ୍ରୀ ନୁହନ୍ତି । ସେ ରାଗ ଅପମାନରେ ଥରି ଥରି କହିଲେ–

 

‘‘ଛଳନାର ଗୋଟିଏ ସୀମା ଥାଏ ରମାକାନ୍ତ ! ସମଗ୍ର ଜୀବନଟା ଯଦି ଛଳନା ହୁଏ । ତା’ ଅପେକ୍ଷା ମୃତ୍ୟୁ ସହସ୍ର ଗୁଣରେ ଭଲ’’ !

 

ରମାକାନ୍ତ ତାଚ୍ଛଲ୍ୟ ଭରା କଣ୍ଠରେ ଉତ୍ତର ଦେଲେ–

‘‘ମୃତ୍ୟୁ ବି ଆମ ପକ୍ଷରେ ଏତେ ସହଜ ନୁହେଁ ! ଜୀବନ ଯେଉଁମାନଙ୍କର ନିଛକ ଅଭିନୟ । ମୃତ୍ୟୁ ସେମାନଙ୍କ ପାଖରେ ଅଭିନୟ ପରି ମନେହେଲେ ବି ଭଗବାନଙ୍କର ନିର୍ଦ୍ଦେଶନା ଅଭାବ ଥିବାରୁ ଏକ ସମୟରେ ଓ ଏକ ମଞ୍ଚ ଉପରେ ତାହା ଦେଖାଇବା ସମ୍ଭବ ହୁଏନା ସୀମା ! ମୁଁ ଜାଣେ ଆମେ ସେଇ ଭାଗ୍ୟବାନ ଅଭିନେତା, ଅଭିନେତ୍ରୀ ନୋହୁଁ... । ସେ ଖୁବ୍ କମ୍ ଲୋକଙ୍କ ଭାଗ୍ୟରେ ଜୁଟେ’’ !

ଦୁଇ ହାତରେ କାନ ବନ୍ଦ କରି ଅସୀମା ଗର୍ଜି ଉଠିଲେ–

‘‘ଷ୍ଟପ୍ ଇଟ୍ । ଷ୍ଟପ୍ ଇଟ୍ ଛିଃ, ଛିଃ, ଛିଃ, ତମେ ଏତେ ନୀଚ, ଏତେ ହୃଦୟହୀନ ମୁଁ ଜାଣିଥିଲେ’’ !

‘‘ତା ଅବଶ୍ୟ ସତ, ଜାଣିଥିଲେ ତମେ ଅନେକ କିଛି କରିଥାନ୍ତ ! ଅବଶ୍ୟ ତାର ଯେତେବେଳେ ଆଉ ସୁବିଧା ନାହିଁ ଏବଂ ବାଟ ଭାଙ୍ଗି ବର୍ତ୍ତମାନ ଯାଇ ଆଉ ଯଦି ନୂଆ କିଛି ଗଢ଼ିବାର ସମ୍ଭାବନା ନାହିଁ । ତେବେ ଆମର ସର୍ତ୍ତ ଭାଙ୍ଗି ଅଯଥା ଯୁକ୍ତିତର୍କ କରିବାର ବା ଲାଭ କ’ଣ ସୀମା ! ବର୍ତ୍ତମାନ ମୋର କଥା ମାନ, ତମେ ଅନେକ କ୍ଳାନ୍ତ । ରାତ୍ରି ବି ଅନେକ ହେଲାଣି ! ଅନ୍ତତଃ ଅସ୍ତଗାମୀ ଚନ୍ଦ୍ରର ଏଇ କ୍ଷୀଣ ରେଖାଟି ମୋ ମଶାରି ଉପରୁ ବିଦାୟ ନେବା ପୂର୍ବରୁ, ତମେ ଲାଇଟ୍ ଅଫ୍‍ କରିଦିଅ... !

ରମାକାନ୍ତ କଡ଼ ନେଉଟାଇ ଶୋଇଲେ । ଅସୀମା ଜାଣନ୍ତି ଗୋଟାଏ ସେକେଣ୍ଡରେ ସେ ଶୋଇଯିବେ ! ସୁଇଚ୍ ଉପରେ ଟିପ ରଖି ଆହତ ବାଘୁଣୀ ପରି ଅସୀମା କ୍ରୋଧରେ କମ୍ପି, କମ୍ପି କାନ୍ଦୁଥିଲେ !

 

କେଜାଣି କାହିଁକି ସେ ମୁହୂର୍ତ୍ତରେ ଅସୀମା ନିଜକୁ ବଡ଼ ଅସହାୟ । ବଡ଼ ନିଃସଙ୍ଗ ମନେକଲେ । ବୟାଳିଶ ବର୍ଷ ବୟସ ଭିତରେ କେବେହେଲେ ନିଜର ଦାମ୍ଭିକତା ହରାଇବାର ଅବକାଶ ତାଙ୍କର ଘଟିନାହିଁ । ଜୀବନର କୌଣସି ଅନୁରୋଧ ତାଙ୍କର ବିଫଳ ହୋଇନାହିଁ । ଯାହା ଚାହିଁଥିଲେ ସେ ତାହା ପାଇଛନ୍ତି ବୋଲି ବନ୍ଧୁ ଓ ସମାଜରେ ସେ ଗର୍ବରେ ଛାତି ଫୁଲାଇ ବାଟ ଚାଲିଛନ୍ତି । ମାତ୍ର... ?

ଦଶମୀର କ୍ଷୀଣ ଜହ୍ନ କ୍ଷୀଣତର ହୋଇ ଆସିଲାଣି । ଝର୍କା, ଦେଇ ଆକାଶ ଦିଶୁଛି ଝାପ୍‍ସା । ସମଗ୍ର ପୃଥିବୀ ନିସ୍ତବ୍‍ଧ ନୀରବ । ଚତୁର୍ଦ୍ଦିଗର ନୀରବତା ଯେମିତି ତାଙ୍କୁ ବେଶୀ ବିକ୍ଷତ କରି ଦେଉଥିଲା !! ନିଜର ବହୁ ସତର୍କତା ସତ୍ତ୍ୱେ ସେ କାନ୍ଦୁଥିଲେ । ଜୀବନର ପ୍ରଥମ ଥର ପାଇଁ ସେ ଭୁଲିଗଲେ ତାଙ୍କର ଶାଢ଼ି ଓ ମେକଅପ୍ ବଦଳାଇବା କଥା । ଭୁଲିଗଲେ ସେ କ୍ରିମ୍ ନେଇ ଶରୀରର ତନ୍ତୁକୁ ଶୋଇବା ପୂର୍ବରୁ ସତେଜ କରିବାକୁ ଆଉ ଭୁଲିଗଲେ କାନ୍ଦିଲେ ତାଙ୍କର ଛୋଟ ଆଖି ଦୁଇଟି ଆହୁରି କିପରି ଛୋଟ ହୋଇଯିବ । ବିଶେଷତଃ ସେ ଭୁଲିଗଲେ ଗୋଟିଏ ରାତ୍ରି ଅନିଦ୍ର ରହିଲେ ପ୍ରଭାତରେ ହୁଏତ ସେ ଷାଠିଏ ବର୍ଷର ବୃଦ୍ଧା ପରି ଦେଖାଯିବେ ତାଙ୍କର ପତଳା ହାଡ଼ୁଆ ଦେହ ଭିତରେ । ସକଳ ଜ୍ଞାନ ଶୂନ୍ୟ ଭାବରେ ଅସୀମା କାନ୍ଦୁଥିଲେ ଅଶାନ୍ତ ନଦୀର ତରଙ୍ଗ ମାଳା ପରି ।

ହଠାତ୍ ନିସ୍ତବ୍‍ଧତା ଭଙ୍ଗ କରି ନିକଟସ୍ଥ ଖଟର ମଶାରି ଭିତରୁ ପ୍ରଶ୍ନ କଲେ–

‘‘କ’ଣ ଆଶ୍ଚର୍ଯ୍ୟ ବ୍ୟାପାର : କ’ଣ ହେଲା ତମର ଆଜି ? ପାର୍ଟିରେ ତମକୁ କ’ଣ କିଏ ଅପମାନିତ କଲା ସୀମା ? ନାଁ କ’ଣ ହେଲା, କହିଲେ ସିନା ମୁଁ ବୁଝିବି...ଅଥଚ ରାତିସାରା ଏମିତି ଅନିଦ୍ରା ରହିଲେ ମଣିଷ କାଲି ସକାଳୁ କିଛି କାମ କରିପାରିବନି ଯେ’’ !

 

ରାଗ ଓ କୋହଭରା କଣ୍ଠରେ ଅସୀମା ଉତ୍ତର ଦେଲେ–‘‘କାହାକୁ ମୁଁ ଡିଷ୍ଟର୍ବ କରୁନି କିମ୍ୱା ଅଯଥା ଦରଦ ମୁଁ କାହାର ଦରକାର କରୁନି’’ !

 

‘‘ତା’ ତ ବୁଝୁଛି ! ତଥାପି କର୍ତ୍ତବ୍ୟ ହିସାବରେ...ଏକା ଘରେ ଥାଇ ମୋର ଉଦାସୀନତା ତାକୁ ତମକୁ ନ ବାଧିଲେ ବି ମତେ ଅପମାନିତ କରୁଛି ସୀମା’’... !

 

‘‘ଓଃ ତା’ହେଲେ ନିଜକୁ ପ୍ରବୋଧ ଦେବା ପାଇଁ ନିଜର ସ୍ତ୍ରୀକୁ ଛଳନା ଦେଖାଇବା ପାଇଁ ତମକୁ ଲଜ୍ଜ୍ୟାବୋଧ ହେଉନାହିଁ ?

 

ଭୀଷଣ ନିରାସକ୍ତ କଣ୍ଠରେ ରମାକାନ୍ତ ଜବାବ ଦେଲେ ଯେଉଁ ଲୋକ ନିଜର ମାନ ମହତ, ବ୍ୟକ୍ତିତ୍ୱ ଆଗତ ଭବିଷ୍ୟତ ସବୁ କେବଳ ଗୋଟାଏ ଲୋକର ସନ୍ତୁଷ୍ଟି ପାଇଁ ହରାଇଥାଏ । ସେ ଷଳାକ ଯଦି ନିଜକୁ ନିଜେ ପ୍ରବୋଧ ଦେଇ ବସେ, ତା’ହେଲେ ସେ କ’ଣ ବେଶୀ ଅନ୍ୟାୟ କରିଛି’’ ?

 

ରାଗରେ ଅସୀମା ତକିଆଟା ବିଛଣା ଉପରୁ ଛାଟି ଦେଲେ ତଳକୁ ଆଉ ତା’ ସହିତ ରାତ୍ରିର ନିସ୍ତବ୍‍ଧତାକୁ ତାଚ୍ଛଲ୍ୟ କରି ହୋ, ହୋ, କଣ୍ଠରେ ହସିଉଠିଲେ ରମାକାନ୍ତ ।

 

–‘‘ମୁଁ ତମର ଅନେକ ରାଗ ଅଭିମାନ ଦେଖିଛି ସୀମା ! ତୁମର ସମସ୍ତ ଚାହିଦା ପୂରଣ କରିବା ପାଇଁ ମୁଁ ଆଜୀବନ ଶପଥ କଲାପରି ମୋର ସମସ୍ତ ସୁଖ, ଶାନ୍ତି, ବ୍ୟକ୍ତିତ୍ୱକୁ ବଳି ଦେଇ ଚେଷ୍ଟା କରିଆସିଚି । ଅଥଚ ତୁମେ ଯେ ଦିନେ ଏମିତି କହିବ ମୁଁ ଏକଥା ଜାଣିଥିଲି ଆଉ ସେଇଥିପାଇଁ ତ ମତେ ହସ ମାଡ଼ୁଛି’’... !

 

‘‘ମୋ ପାଇଁ ତମେ ଜୀବନରେ କ’ଣ କରିଛ ବୋଲି । ଏତେବଡ଼ ଆସ୍ଫାଳନ କରୁଛ ଶୁଣେ ? ଯେଉଁ ଧନ ତମେ ରୋଜଗାର କରିଛ ବୋଲି ଏତେ ଗର୍ବ କରୁଛ । ସେ ଧନ ମୋତେ ଦୁଃଖ ଦେବା ଛଡ଼ା କ’ଣ କରିଛି ? ଏ କୋଠାବାଡ଼ି, ଗାଡ଼ି ଓ ବ୍ୟାଙ୍କ୍ ବ୍ୟାଲାନ୍‍ସ ତମର ମାନ ମର୍ଯ୍ୟାଦା ବଢ଼େଇଛି ମୋର ନୁହେଁ’’ !

 

‘‘ତମେ ମୋତେ ପୁଣି ହସାଇଲ ସୀମା ! ଦଶବର୍ଷ ତଳର କଥା ମନେପକାଅ । ଯେଉଁଦିନ ମିସେସ୍ ମାଲହୋତ୍ରା ତାଙ୍କର ଝିଅ ବାହାଘରକୁ ତମକୁ ନିମନ୍ତ୍ରଣ କରି ନଥିଲେ ବୋଲି ତମେ ରାଗରେ ଗୋଟାଏ ଦିନ ଉପାସରେ ରହିଥିଲ । ଆଉ ସେଦିନ କାର କଥା ? ତମର ପାଶ୍ଚାତ୍ୟ ଶିକ୍ଷା ଓ ଡିଗ୍ରୀ ଥାଇ କେବଳ ଟଙ୍କା ଅଭାବରୁ ତମେ ମୁନ୍‍ଲିଟ୍ କ୍ଲବ୍‍ର ମେମ୍ୱର ହୋଇ ମଧ୍ୟ ସାଙ୍ଗ ସାଥି ପାଇ ଘରେ ନୀରବରେ କାନ୍ଦୁଥିଲ ? ତମର ସବୁ ସାଙ୍ଗମାନେ କିପରି ଧନୀ ଘରେ ବିବାହ କରି ସୁଖୀ ହୋଇଛନ୍ତି ତା’ର କେତେ ଉଦାହରଣ ତମେ ମତେ ନ ଶୁଣାଇଛ ? ଆଉ ସବୁଠୁ ମଜ୍ଜାର କଥା ? ଇଣ୍ଟର୍ ନ୍ୟାସନାଲ୍ ଫଙ୍କ୍‍ସନରେ ଜଣେ କିରାଣୀର ସ୍ତ୍ରୀ ବୋଲି ତମେ ଯେଉଁଦିନ ନାଚିବାର ସୁଯୋଗ ପାଇ ନ ଥିଲ ଓ ବ୍ୟସ୍ତ ଆହତ ବାଘୁଣୀ ପରି ମୁଁ ଅଫିସରୁ ଫେରିଲା ବେଳକୁ ତମେ ଘରର ଯାବତୀୟ ଜିନିଷ ନଷ୍ଟ କରି ଦେଇଥିଲ । ସେଦିନର କଥା ମନେଅଛି ସୀମା ! ସେଇଦିନ ମୁଁ ପ୍ରତିଜ୍ଞା କରିଥିଲି ଯେ ମୁଁ କୌଣସି ଉପାୟରେ ହେଉ ଧନ ଅର୍ଜନ କରିବି । ତମକୁ ସୁଖରେ ରଖିବି । ପୃଥିବୀର ଯେ କୌଣସି ଜିନିଷ ତମେ ଚାହିଁବ । ସେ ତୁମ ପାଖକୁ ଆସିବ, ଯାହା ତମେ ଚାହିଁବ ତାହା ହେବ । ଏତେ କଥା ପରେ ବି ତୁମେ ଅଶାନ୍ତି । ତୁମେ ଅସନ୍ତୁଷ୍ଟ’’... !

 

‘‘ଚୁପ୍‍କର ରମାକାନ୍ତ । ଦୟାକରି ଚୁପ୍‍କର । ତମ ଜୀବନର ସମସ୍ତ ବିଫଳତାକୁ ଅଯଥା ତୁମେ ମୋ ଉପରେ ଚାପିଦିଅ ନାହିଁ ! ଯେଉଁ ସ୍ତ୍ରୀ ପାଇଁ ତମ ମତରେ ତମେ ଅତି ମାନବ ଭାବରେ ବିରାଟ ତ୍ୟାଗ କରିଛ ତମେ କ’ଣ କହିବାକୁ ଚାହଁ, ସେ ସ୍ତ୍ରୀର ତମ ପାଇଁ କିଛି ତ୍ୟାଗ ନଥିଲା’’ ?

 

ରମାକାନ୍ତ ବିରକ୍ତିଭରା କଣ୍ଠରେ ଉତ୍ତର ଦେଲେ–

 

‘‘ତ୍ୟାଗ ଥିଲା, ଅବଦାନ ଥିଲା ଦିନେ ସୀମା ! ବହୁ ପୁରୁଷଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରି ମୁଁ ପାଇଥିଲି ତୁମର ଶରୀରକୁ ନିରବଚ୍ଛିନ୍ନ ଭାବରେ ଉପଭୋଗ କରିବା ସାମାଜିକ ଅଧିକାର । ଆଉ ଦୁଇଟି ଅନେକାଂକ୍ଷିତ ସନ୍ତାନର ପିତୃତ୍ୱ । ଆଜି ସେ ଅଧିକାର ମୁଁ ତୁମର ଉପରେ ସାବ୍ୟସ୍ତ କରୁନାହିଁ... ଧନ ପ୍ରାପ୍ତିର ପ୍ରବୃତ୍ତି ମୋର ମନକୁ ବହୁଦିନୁ ଭାଙ୍ଗି ରୁଜି ଛାରଖାର କରିଦେଇଛି... ଆମେ ଏକାଠି ଥାଇ ମଧ୍ୟ ବହୁ ଦୂରରେ’’ !

 

ବିଛଣା ଉପରୁ ଲମ୍ପ ଦେଇ ଅସୀମା ଘର ଚଟଣାକୁ ଡେଇଁ ପଡ଼ିଲେ ଓ ଖୁବ୍ ଚିତ୍କାର କରି କହିଲେ–

 

‘‘ଇଉ ମିନ୍, ଇଉ ସ୍କାଉଣ୍ଡେଲୁ ! ତମେ ଏପରି ଅସଭ୍ୟ କଥା କହିପାରୁଛ ? ତମେ ଗୋଟାଏ ବର୍ବର ପଶୁ ! ଗୋ ଆଉଟ୍, ଆଇ ହେଟ୍ ଇଉ’’ !

 

ତା’ପରେ କାଚ ଗ୍ଲାସ୍‍ଟା ଟେବୁଲ୍ ଉପରୁ ନେଇ ସେ ଭୂମି ଉପରେ କଚାଡ଼ି ଦେଲେ । ଦେଶ ବିଦେଶରୁ ମଗା ହୋଇଥିବା ଓ୍ୟାଲ୍ ପେଣ୍ଟି କାଢ଼ି ନେଇ ସେ ଭାଙ୍ଗିଦେବାକୁ ଲାଗିଲେ ଗୋଟାକୁ ଗୋଟା ।

 

ରମାକାନ୍ତ କିଛି କହିଲେ ନାହିଁ । ଅସୀମା ରାଗିଲେ ଏମିତି ଘରର ଜିନିଷପତ୍ର ଆସବାବ ଛିନ୍ନ କରି ଦିଅନ୍ତି । ସେ ସବୁ ପୁଣି କିଣା ହୋଇ ଘରେ ରଖାଯାଏ । ନଚେତ୍ ରମାକାନ୍ତ ବା କାହିଁକି ଏତେ ପରିଶ୍ରମ କରି ଧନ ଅର୍ଜନ କରିବେ !

 

ରମାକାନ୍ତ ଉଠି ଚାଲିଗଲେ । ନା, ଆଜି ଆଉ ଆରାମରେ ଶୋଇବା ହେବ ନାହିଁ । ସେ ଲନରେ ଆର୍ମ ଚେୟାର୍ ଉପରେ ଯାଇଁ ଗଡ଼ି ପଡ଼ିଲେ । ରାତ୍ରି ବୋଧେ ପାହିବ ।

 

ହଠାତ୍ କାହାର ଡାକରେ ରମାକାନ୍ତଙ୍କର ନିଦ ଭାଙ୍ଗିଗଲା । ଇସ୍ ! ଘଣ୍ଟାରେ ଛ ବାଜିବ-। ମେ’ ମାସର ଦିନ କେଡ଼େ ଶୀଘ୍ର ଆସିଯାଏ ! ସେ ଉଠିଗଲେ ଫାଟକ ପାଖକୁ । ଚିଠିଟିଏ ଧରି ଏତେ ସକାଳୁ ଲୋକଟିଏ ଅପେକ୍ଷା କରିଛି । ଚିଠିଟିଏ ଆଣି ଦେଖିଲେ ତାହା ଅସୀମାଙ୍କର-!

 

ରମାକାନ୍ତଙ୍କର କେବେହେଲେ ଅଯଥା କୌତୂହଳ ନଥିଲା । କିନ୍ତୁ ଗଲା ରାତ୍ରିର ପରିସ୍ଥିତି ପରେ ଏତେ ସକାଳୁ ଚିଠି କିପରି ଗୋଟାଏ ଲୋଭ ତାଙ୍କ ମନ ଭିତରେ ସୃଷ୍ଟି ହେଲା ? ସେ ଚିଠିଟା ଖୋଲି ପକାଇଲେ–

 

ଡାରଲିଂ,

 

କାଲି ରାତିରେ ତମେ ମୋ ଉପରେ ଖୁବ୍ ରାଗ କରିଛ ନାଁ ? ମିସେସ୍‍ଙ୍କୁ ନେଇ ଟିକିଏ ଅସୁବିଧା ହୋଇଗଲା । ତମ ସଙ୍ଗରେ ନାଚି ନ ପାରିବାରୁ ମୁଁ ବଡ଼ ଦୁଃଖିତ ।

 

ହଁ ତମେ ତ ଜାଣ, କେତେଗୁଡ଼ାଏ ଫଙ୍କ୍‍ସନରେ ମିଃ ଆଉ ମିସେସ୍ ଉଭୟଙ୍କର ଉପସ୍ଥିତ ଏକାନ୍ତ ବାଞ୍ଛନୀୟ । ସେଥିପାଇଁ ତମର ଗତକାଲି ମିଃ ଦାସ୍‍ଙ୍କୁ ସଙ୍ଗରେ ଆଣିବାର ଥିଲା-। ନଚେତ କେତେଗୁଡ଼ିଏ ଅବାଞ୍ଛିତ ଲୋକଙ୍କର ଅବାନ୍ତର ପ୍ରଶ୍ନ ଶୁଣିବାକୁ ହୁଏ ।

 

ଆଜି ସନ୍ଧ୍ୟାରେ ଆସୁଛ ତ ? ଆଜି ମିସ୍ ପାର୍କରର ଡ୍ୟାନ୍‍ସ ଅଛି ! ହଁ ଟିକିଏ ରାତ୍ରି କରି ଫେରିବ ବୋଲି କହି ଆସିଥିବ ।

 

ଆଚ୍ଛା ଅପେକ୍ଷାରେ... ତମର ସାନ୍ୟାଲ୍ !

 

ଚିଠି ପଢ଼ି ଅବାକ୍ ହେଲେ ନାହିଁ ରମାକାନ୍ତ । ଏଇପରି କିଛି ଗଲା ରାତିରେ ଘଟିଥିବ ବୋଲି ସେ ଆଶା କରିଥିଲେ ।

 

ତା’ହେଲେ ସାନ୍ୟାଲ୍ ସହିତ ନାଚିବାର ଅବକାଶ ନପାଇ ଅସୀମା ଏତେ କ୍ଷୁବ୍‍ଧ ? ତାଙ୍କ ନିଜର ଅନୁପସ୍ଥିତି ପାଇଁ ବହୁ ପ୍ରଶ୍ନ ଶୁଣି ସେ ବୋଧେ ବିବ୍ରତ ହୋଇଗଲେ ! ସେଥିରେ ବୋଧହୁଏ ତାଙ୍କର ସମ୍ମାନ ହାନି ହେଲା ? ଆଉ ସେଇଥିପାଇଁ ପରାଜିତ ଅପମାନିତ ବ୍ୟକ୍ତିତ୍ୱର ନିଷ୍ଫଳ ଅହଙ୍କାରକୁ ଅସୀମା ତାଙ୍କ ଉପରେ ଅଜାଡ଼ି ଦେଇ ଶାନ୍ତି ପାଇବାକୁ ଚେଷ୍ଟା କରୁଥିଲେ ?

 

ମୁଣ୍ଡ ଉପର ଦେଇ ଅନାମଧେୟ ପକ୍ଷୀଟିଏ ଟିଂ, ଟିଂ ଶବ୍ଦ କରି ଉଡ଼ିଗଲା । ଚମକିଲା ପରି ରମାକାନ୍ତ ଆକାଶକୁ ଅନେଇଲେ ।

 

ଘନ ନୀଳ ପରିଷ୍କାର ଗ୍ରୀଷ୍ମର ଆକାଶ । କେତେଦୂର କେତେ ଯୋଜନ ଲମ୍ୱିଛି ତା’ର ସୀମା କାହିଁ ? ଅଥଚ ଆକାଶକୁ ଭଲ ପାଇଲେ ବି ସ୍ପର୍ଶ କରି ହୁଏ ନାହିଁ !!!

✽✽✽

 

ବିଜୁଳି

 

ପିଣ୍ଡା ଉପରକୁ ଉଠିଯାଇ ଧନି ପାତ୍ର ଗାମୁଛାରେ ମାଟିଅରାକ ଝାଡ଼ିଦେଇ ବସିପଡ଼ିଲା-। ଗମ୍ ଗମ୍ ହୋଇ ଝାଳ ବୋହିଯାଉଛି । ଟାଆଁସା ବାଳକେରାକ ମୂଳରେ କେଉଦିନୁ ତେଲ ପାନିଆ ବାଜିନି–କହରା ବାଳ ଦି’କେରା କାନ ଉପରେ ପବନ ଦେହରେ ଚକ୍‍କର କାଟୁଛି । ଏଣେ ପେଟ ଭିତରଟା ଯେମିତି ଭୋକରେ ଗଡ଼ ଗଡ଼ ହୋଇ ଦୁଇଁ ହୋଇଯାଉଛି । ଆଖିରେ ଅନେଇ ହଉନି ଖରାକୁ । କୋଉଠି ଆକାଶରେ ଏତେ ଖରା ଥାଏ କେଜାଣି ? ନିଆଁ ମୁଣ୍ଡା ପରି ବର୍ଷ ବର୍ଷ ଧରି ବିଲଗୁଡ଼ାକ ଜାଳି ଦେଲାଣି–ଘରଦ୍ୱାର ମଣିଷ ପଶୁ ସବୁ ଜାଳି ପାଉଁଶ ହେବାକୁ ବସିଲାଣି-। ତଥାପି ନିଆଁ ବର୍ଷୁଛି... ମରୁଡ଼ି, ଝଡ଼ି ବତାସ, ଦୁର୍ଭିକ୍ଷ ସତ୍ତ୍ୱେ ବି ପେଟରୁ କାଟି ଫସଲ ବୁଣା ଚାଲିଛି...ହେଲେ ସବୁ ଅଫଳା...ସବୁ ନିଷ୍ଫଳା ।

 

ଆଖି ଦି’ଟାକୁ ସବୁ ଯେମିତି ଝାପ୍‍ସା ଲାଗୁଛି । ପେଟ ଶୁଖି ଯାଉଛି ତଳକୁ ତଳକୁ–କେଜାଣି କେତେଦିନ ହେଲାଣି ଗରମ ଭାତ ମୁଠାଏ ଯେ ବେଳା ଉପରେ ତା’ର ପତରରେ ପଡ଼ିନି-। ହାଏରେ କପାଳ... ।

 

ଘରଭିତରେ ପିତେଇ ବୋଉର ପିଲାଙ୍କ ସଙ୍ଗେ ପାଟିତୁଣ୍ଡ ଲାଗିଛି । ମୁଠାଏ ଭାତକୁ ପିତେଇ ବୋଉ ଠିକ୍ ଭାବରେ ବାଣ୍ଟିପାରୁନି...ସାନ ଛୁଆଟା ଜ୍ୱର ଆଉ ଝାଡ଼ାରେ ରାହା ଧରିଛି ଖାଇବାକୁ । ପାଣି ମୁନ୍ଦାଏ ବି ପେଟଭରି ପିଇବାକୁ ଦେବାପାଇଁ ଦି’ ଦିନ ହେଲା ମିଳୁନାହି । ପୁଅଟା ଆଁ କରି ପଡ଼ିଛି, ପୋଖରୀଟାରେ ଆଙ୍ଗୁଳିଏ ପାଣି ଦେହରେ ହଲାଦୀ ଗଣ୍ଠିପରି ସର ପଡ଼ିଗଲାଣି । ଗାଆଁଟାସାରା ଲୋକ ଭିଡ଼ କରିଛନ୍ତି ମିଶ୍ରଘର କୂଅ ପାଖରେ, ମିଶ୍ରଘର ବୁଢ଼ୀ ପାଣି ନୋଟାକ ଦଶପଇସା ନେବ ବୋଲି କୂଅଆଡ଼େ ଧମକ ଦେଲାଣି । ମାତ୍ର ସେ ବି କେତେଦିନ ? କପାଳ । କାହାକୁ କହିବ ଆଉ– ।

 

‘‘କ’ଣ ଏଇଠେଇଁ ମୁଣ୍ଡରେ ହାତଦେଇ ବଇଥିବ କି ? ବେଳ ଆସି କେତେ ହେଲାଣି-?’’ ପିତେଇ ବୋଉ ଦାଣ୍ଡକବାଟ ଧରି ପ୍ରଶ୍ନ କରୁଛି ତାକୁ ।

 

ପିତେଇ ବୋଉର ମୁହଁଟା ଲଙ୍ଗଳା ଲାଗୁଛି । ତା’ର ନାକର ଗୁଣାଟା ବିକି ଦିନ କେଇଟା ଘର ଚଳେଇଛି ଧନି ପାତ୍ର । କାଲିଠୁ ସେତକ ସରିଲାଣି । ଜମି ପଡ଼ିଛି ଠୋ, ଠୋ । ମାଇପ ପିଲା କବିଲା ବନ୍ଧୁବାନ୍ଧବ ଗଲାଆଇଲା ସମସ୍ତେ ସେମିତି ଲଙ୍ଗଳା ମୁକୁଳା ଶୁଖିଲା ଝର ଝର ।

 

‘‘ଆଲୋ ମୋ ମୁଣ୍ଡଟା କ’ଣ ହୋଇଲା ଯେ ପଡ଼ିଗଲି ଟିକେ । ବୋଉ ଦେହ ଭଲ ଅଛିଟି ? ଶୁକୁଟା ପାଇଁ ଚୁଡ଼ା ମୁଠାଏ ଖୋଜି ଖୋଜି ମୁଁ ନୟାନ୍ତ ହେଲି ହରିଆ କହିଛି ହାଟରୁ ଆଣିଦେବ ସଞ୍ଜକୁ ।’’

 

‘‘ଚାଉଳ କଥା କହିଲନେଇଁ ହରିଆକୁ– ?

 

ପିତେଇ ବୋଉ ଅଧା କଥାରୁ ଚୁପ୍ ହୋଇଗଲା । ସତେ ବା ପାପ କାମଟାଏ କରିଛି ।

 

ଧନି ପାତ୍ର ଗାମୁଛାରେ ଗୋଡ଼ଠାରୁ ମୁଣ୍ଡ ପୁଣି ଥରେ ପୋଛି ହେଲା । ସୂର୍ଯ୍ୟ ସେମିତି ଦାଉ ଦାଉ ହୋଇ ମଥାନ ଉପରେ ଜଳୁଛି । ଥୁଣ୍ଟା ସଜନା ଗଛରେ ଡାମରା କାଉଟା ରାଉ ରାଉ ହୋଇ ବୋବଉଛି । କ’ଣ ଭାବିଲା କେଜାଣି ଧନିପାତ୍ର ହସି ପକେଇଲା ମନକୁ ମନ । ପିତେଇ ବୋଉ ସାହସ ପାଇ ପଚାରିଲା ।–

 

‘‘ମନକୁ ମନ ହସୁଛ କାହିଁକି ମ ? କି ନାଁ କରା କଥାଟା କହିଲି କି ?

 

‘‘ନାହିଁଲୋ ତୋ’ କଥା ପାଇଁ ହସୁନି–ସୂର୍ଯ୍ୟ ଚନ୍ଦ୍ର ଆଉ ଦେବତା ହୋଇ ନାହାନ୍ତି–ପୂଜା କଲେ ଆଉ ଫଳ ମିଳିବନି–ସେଥିରେ କୁଆଡ଼େ ମାଟି ଗୋଡ଼ି ।’’

 

‘‘ତେମେ ସେ ବଗୁଲିଆ ଇସ୍‍କୁଲ ପିଲାଙ୍କ ପରି କ’ଣ କଥା କହୁଛ ମ ? ସେଇଆ କରି ତ ତିନି ବରଷ ଧରି ପାଣି ମୁନ୍ଦାଏ ବରଷୁ ନାହିଁ–ସୁନାଥାଳି ପରି ଜମି ଠୋ, ଠୋ ପଡ଼ିଛି– ।’’

 

କପାଳ ଉପରେ ହାତ ବାଡ଼େଇ ବୋଉ ଗୁମ୍ ହୋଇଗଲା–

 

‘‘କାହା କଥା ଆଉ ସତ ମଣିବ କହ ? ସୂର୍ଯ୍ୟ ଚନ୍ଦ୍ର ପାଣି ନ ଦେଲେ ନାହିଁ–କୂଅ ନାଳ ପୋଖରୀ ଖୋଳା ହେବ ବୋଲିତ କୋଡ଼ିଏ ବର୍ଷ ଧରି ଶୁଣୁଛି–କାହିଁ କେଉଁଠି ଟଙ୍କା ନାହିଁ ? ଟଙ୍କା ଆଉଛି ଟଙ୍କା ଯାଉଛି’ କିଛି କୁଆଡ଼ୁ ଦେଖାଯାଏ ନାହିଁ ? କାହାକୁ କହିବି କିଏ ଶୁଣିବ ? ଏବେ ପୁଣି ସରକାର ଗୋଟିଏ ବୈଠକ ଖୋଲିଲେଣି; ହେଲେ ସେଠି ବି ବଡ଼ ବଡ଼ିଆ ପାଠୁଆ ଲୋକଙ୍କୁ ମାମ୍‍ଲତି–ଗରିବ ମୂର୍ଖଙ୍କୁ ଦଉଛି କିଏ, ତାଙ୍କ କଥା ବୁଝୁଛି କିଏ ?’’

 

ପିତେଇ ବୋଉ ବିରକ୍ତି ହୋଇ ଜବାବ ଦେଲା–

 

‘‘ମଲା ସମସ୍ତେ କାହିଁକି ତମ ପରି କଷ୍ଟ ପାଇଁବେ ମ ? ବଟସାହୁ ତ ପୁଣି ବରଷ କେଇଟାରେ ପୋଖରୀ, ନଳକୂଅ, ବାଡ଼ିବଗିଚା କୋଠା ବାଢ଼େଇ ନେଲା–ତମେ ତ ବ୍ୟବସାୟ ଧନ୍ଦା କରିବନି–ସେଇ ଜମି ଚାଖଣ୍ଡରୁ ତ ଚାଉଳ ବେପାର କରି ସେ ଏତେ ବଡ଼ ହେଲା । ସହର ବଜାର ହାକିମ–ହୁକୁମା ମନ୍ତ୍ରୀ ସବୁରି ପାଖରେ ସେ ଚଳପ୍ରଚଳ । ତମେ ତ ଜମିକୁ ଅନେଇ ବସିଥିବ–ସେଥିରେ ଫେର ବେଳ ଅବେଳକୁ ଜମିରୁ ଟିକିଏ ବିକି ବି ପାରିବନି–ସହର ବଜାର ତ ମାଡ଼ିଲ ନାହି–ଆଉ କ’ଣ ମୋର ଗହଣାଗଣ୍ଠି ଅଛି ? ଘର ଢିଅଟା ବି ବନ୍ଧାପଡ଼ିଲାଣି ଶେଷକୁ....-।’’ ପିତେଇ ବୋଉ ଫଁ କରି ନିଃଶ୍ୱାସଟାକୁ ଛାଡ଼ିଲା ।

 

ଧନି ପାତ୍ର ପିତେଇ ବୋଉ ମୁହଁକୁ ଚାହିଁ ତଣ୍ଟି ଶୁଖିଗଲା ପରି ଅନୁଭବ କଲା । କେତେ ଭରସା ସେ ଗୋପାଳ ଦାସ ଉପରେ ରଖିଥିଲା–ଭୋଟ ବେଳେ କେତେ ମିଠା ମିଠା କଥା ସେ କହିଥିଲା । କୂଅ ଖୋଳା ହେବ, ନଳ କୂଅ ବସିଯିବ–ବର୍ଷସାରା ପାଣି ଉବ୍‍ଟୁଟ୍‍ ଖାଉଥିବ ବିଲରେ-। ନୂଆ ନୂଆ ବିହନ ସବୁ ବିଲାତ ଆମେରିକାରୁ ଆସି ବୁଣା ହେବ, ବିଲ କେତେବେଳ ହେଲେ ଖାଲି ରହିବନି । କି ଗୋଟାଏ ଢଙ୍ଗରେ ଗୋପାଳ ଦାସ କଥା କହେ କେଜାଣି ଧନିପାତ୍ର ବୋକା ପାଲଟିଯାଏ–ସତେକି ଇନ୍ଦ୍ରପୁରୀର ଶୋଭା ତା’ ଆଖି ଆଗରେ ଝଲସିଯାଏ । ନରେନ୍ଦ୍ର ପ୍ରଧାନ, ସୋମନାଥ ସାହୁଙ୍କୁ ମନ୍ତ୍ରୀ କରେଇବା ପାଇଁ ଗୋପାଳ ଦାସ କଥାରେ ଧନିପାତ୍ର ମୋହ ହୋଇଯାଇଥିଲା । ଶେଷକୁ ଗୋପାଳ ଦାସ ନିଜେ ବି ଭୋଟରେ ଛିଡ଼ା ହେଲା–ଧନିପାତ୍ର ଗାଆଁ ଗାଆଁ ବୁଲି ତା’ ପାଇଁ ଭୋଟ କରେଇଛି–ଗୋଟାଏ ବି ପଇସା ନେଇନି–ଖାଲି ଗୋପାଳ ଦାସର କଥା ସତ ହେବ...ଘିଅ-ମହୁ ଗାଁ ଗଣ୍ଡାରେ ଭାସିଯିବ ସ୍ୱପ୍ନରେ ସେ ବିଭୋର ହୋଇଛି । ଟାଣ କରି ଗୋପାଳ ଦାସର ବୁଦ୍ଧିର ପ୍ରଶଂସା ସେ ଗାଁ ଲୋକଙ୍କ ଆଗରେ ଶୁଆସାରୀ ପରି ଗପିଛି-। କିନ୍ତୁ କ’ଣ ହେଲା ? ଗୋପାଳ ଦାସ ମନ୍ତ୍ରୀ ହେଲା–ହଜାର ହଜାର ଟଙ୍କା ତା’ର କଲମଗାରରେ ଏ ଗାଁ, ସେ ଗାଁ ଛୁଟିଲା...ହେଲେ ଏଇ ଗାଁ କଥା ଟିକିଏ ବି ତା’ ମନରେ ପଡ଼ିଲା ନାହିଁ ?

 

ପ୍ରଥମଥର ଗୋପାଳ ଦାସ ଭୁଲିଗଲା–ନୂଆ ନୂଆ ମନ୍ତ୍ରୀ ହେଲା ବୟସରେ ପିଲାଟାଏ ବି । କାମର ଚପଟ ପଡ଼ୁଥିବ–କେତେ ଲୋକଙ୍କ ପାଇଁ ଫର୍‍ମାସି ସବୁ ଶୁଣି ତାକୁ କୁଆଡ଼େ ଉପାସ ରହିବାକୁ ପଡ଼ୁଥିଲା ବୋଲି ସେ ଶୁଣିଥିଲା । ହଉ, ହଉ ପାରିଯାଉ–ଆଗେ ସେ ଦମ୍ଭ ହୋଇଯାଉ, ପରେ ଧନିପାତ୍ର ଯାଇଁ ଯାହା କହିବ...ହେଲେ କ’ଣ ହେଲା ? ଗଣ୍ଡଗୋଳ ଲାଗି କ’ଣ ମନ୍ତ୍ରୀସଭା ଭାଙ୍ଗିଗଲା । ଗୋପାଳ ଦାସ ପୁଣି ଅରକ୍ଷିତଟା ଭଳିଆ ଗାଆଁକୁ ଗାଆଁ ବୁଲିଲା–ଛିଣ୍ଡା ଚଟି, ଛିଣ୍ଡା ଜାମା, ନୁଖୁରା ବାଳରେ ସେ ଆସି ଧନିପାତ୍ରର ହାତଧରି ପକେଇ କହିଲା ଲୁହ ଛଳ ଛଳ ଆଖିରେ–‘‘ଧନିଆଁଇ... ତମେ ବିଶ୍ୱାସ କରିବ ନି, ଗାଁରେ ଘିଅ ମହୁ ନ ହେଲା ନାହିଁ; ଧାନଗଣ୍ଡେ ଠିକ୍ ବେଳାରେ ଫଳେଇବାକୁ ମୋର ଇଚ୍ଛା ଥିଲା–ମରୁଡ଼ି ଯେମିତି ହେଲେ ମୁଁ ହଟେଇ ଥାନ୍ତି ଧନିଆ’ଇ...ଖାଲି ଗୋଟାଏ ଦିନ ଗଡ଼ି ଯାଇଥିଲେ–କାଗଜ ପତ୍ର ସବୁ ରେଡ଼ି ହୋଇ ଯାଇଥିଲା–କୁଞ୍ଜ ତ୍ରିପାଠୀ ପାଇଁ ସବୁ ବିଗିଡ଼ିଗଲା । ଏତେ ଲୋକଙ୍କ ଦାନାରେ ଧୂଳି ପକାଇଲା–ଏବେ ପୁଣି ମୋ ସଙ୍ଗରେ ବଳ କଷିବାକୁ ଆସିଛି–ହେଲେ ତମେ ଯେତେବେଳେ ଅଛ ମୋର ଚିନ୍ତା କ’ଣ ?’’

 

ଧନି ପାତ୍ର ବକ୍ ବକ୍ କରି ତା’ ମୁହଁକୁ ଅନେଇଁ ଥିଲା । ହଉ, ଦେଖାଯାଉ ପିଲାଟି ଏଥର ବେଳ ପାଇଲାନି, ଆରଥରକୁ ତ ନିଶ୍ଚୟ କରିବ । ତା’ ସାଇଁ ଅଣ୍ଟା ଭିଡ଼ି ଧନିପାତ୍ର ଗାଁ, ଗାଁ ବୁଲି ପ୍ରଚାର କରିଥିଲା ।

 

ପୁଣି ଆରଥରକୁ ସେଇ କଥା । ତା’ ଆରଥରକୁ ବି ସେଇଆ । ଏଥର କିନ୍ତୁ ଧନିପାତ୍ର ନିଜେ ଯାଇଥିଲା । ଗାଁ କଥାଟା ଗୋପାଳ ଦାସକୁ ମନେ ପକେଇ ଦେବାକୁ ଧାଇଁ ଯାଇଥିଲା । ଦିନେ ଗଲା, ଦି’ଦିନ ତିନିଦିନ...ଦେଖା ବି ହେଲାନି । କେତେ ହୋଟେଲରୁ ଖାଇ ସେ ତା’ ବାଟ ଜଗି ବସିବ । ଘରକୁ ଗଲେ ସେ ନ ଥାଏ’ ଅଫିସରେ ଲୋକଭିଡ଼–ବେଳ ନାହିଁ–ଏମିତି ହୋଇ ତିନି ଦିନରେ ସେ ଗାଁକୁ ଫେରିଥିଲା ମୁହଁ ଶୁଖାଇ ।

 

ହେଲେ ଏଥର ? ଏଥର ଆଉ ଧନିପାତ୍ର ଛାଡ଼ିବ ନାହିଁ ଗୋପାଳ ଦାସକୁ । ତା’ର କୁହୁକ କଥାରେ ସେ ଭୁଲିବ ନାହିଁ । ପୁଅ ତ ପାଞ୍ଚବର୍ଷ ପରେ ସେ ଗାଁକୁ ଆସିବ–ତା’ର ସେଇ ଆଖିରେ ପାଣି ଗୁରେଇ କଥା କହିବାର ଭଙ୍ଗୀ–ହାତ ହଲେଇ ସାରା ପୃଥିବୀକୁ କୋଳେଇ ନେବାର ଢଙ୍ଗ ସବୁ ଯେମିତି ଧନିପାତ୍ର ଦେହରେ ବର୍ଚ୍ଛା ମାରୁଛି...ରକ୍ତ ଶୋଷୁଛି...ନାଁ ନାଁ ସେ ଭୁଲିବ ନାହିଁ... ଆଉ ସେ ମନ ଦେଖାଣିଆ କଥାରେ ଭୁଲିବ ନାହିଁ...ସେ କୈଫିୟତ ମାଗିବ, ସେ କୈଫିୟତ ମାଗିବ–ଗାଁବାଲାଙ୍କୁ ବସେଇ ତା’ର ବିଚାର କରିବ, ତାକୁ ଏକଘରିଆ କରି ତିରଣ ଧରେଇ ଗାଁ ଦାଣ୍ଡରେ ବୁଲେଇବ, ତେବେ ଯାଇଁ ମନର ଓରିମାନା ମେଣ୍ଟିବା କୁଞ୍ଜ ତ୍ରିପାଠୀ ଠିକ୍ କହିଥିଲା...ଗାଁବାଲାଙ୍କ ପାଇଁ ଟଙ୍କା ଆଣି ଅନ୍ୟ ଆଡ଼େ ସେ ବ୍ୟବସାୟ ଲଗେଇଛି...କୋଠା ଉପରେ କୋଠା ଗଢ଼ୁଛି...ହୁଁ...ଏଥର ଗୋପାଳ ଦାସକୁ କିଏ ରକ୍ଷା କରିବ କରୁ ।

 

ଧନି ପାତ୍ର ଉଠି ପଡ଼ିଲା । ଆକାଶରୁ ସୂର୍ଯ୍ୟ ପଶ୍ଚିମ ଦିଗକୁ ଢଳିବାକୁ ବସିଲେଣି ତଥାପି ଟାଇଁ, ଟାଇଁ ଖରା ମାରୁଛି । ପିତେଇ ବୋଉ କବାଟକୁ ଆଉଜି ଢୋଳେଇ ପଡ଼ିଲାଣି । ହରିଆକୁ ଚାଉଳ କିଛି ଯୋଗାଡ଼ କରି ଆଣିବାକୁ କହିବ...ବୋଉ ପିଲା ଛ’ଟା ନିଜ ପେଟଟା ଯେମିତି ଗଁ, ଗଁ କରି ଉଠୁଛି । ମୁଠାଏ ଗରମ ଭାତ କେତେ ବେଳ ହେଲା ଯେ ପେଟକୁ ଯାଇନି... ।

 

ଗାଁ ଦାଣ୍ଡ ମଝିରେ କୁଞ୍ଜ ତ୍ରିପାଠୀ ସଙ୍ଗରେ ମୁହାଁମୁହିଁ ସାକ୍ଷାତ ହୋଇଗଲା । ପଞ୍ଝାଏ ଟୋକା ତା’ ସଙ୍ଗରେ ବି ଆସିଛନ୍ତି । କୁଞ୍ଜ ତ୍ରିପାଠୀ ତାକୁ ହାତଟେକି ନମସ୍କାର କରୁଛି...କରୁ, କରୁ ଭୋଟ ବେଳ ବୋଧେ ଆଗେଇ ଆସିଲାଣି । ହରିଆର ସାନଭାଇ ନରିଆ ବାହାରିପଡ଼ି କହିଲା–

 

‘‘ମଉସା ! ଆଜି ସଞ୍ଜବେଳେ ଠାକୁରଦାଣ୍ଡରେ ସଭା ହେବ । ତମକୁ ଡାକିବାକୁ ଆସିଥିଲେ କୁଞ୍ଜନା’ ନିଜେ’’ ।

 

ଶୁଖିଲା ହସ ହସି ଧନିପାତ୍ର କହିଲା–

 

‘‘କି ସଭା କରିବ ? ଭୋଟ ବେଳ ତ ହୋଇନି’’ ?

 

‘‘ନାହିଁ ମଉସା । ଖାଲି କ’ଣ ଭୋଟପାଇଁ ମୁଁ ସଭା କରିବାକୁ ଆସିଛି । ଦେଶରେ ଦୁର୍ଭିକ୍ଷ ମରୁଡ଼ି ପଡ଼ିଗଲା । ଦାନା କନା ବିହୁନେ ଲୋକମାନେ କି ବିକଳ ହେଉଛନ୍ତି–ଅନେକ ଜାଗାରେ ମୁନ୍ଦାଏ ପାଣି ବି ନାହିଁ ପିଇବାକୁ । ଏତେବେଳେ ସରକାର କୁଆଡ଼େ ଗଲେ...ଲୋକ ଜନ୍ଦା ପିମ୍ପୁଡ଼ି ପରି ମରୁଛନ୍ତି ଆଉ ମନ୍ତ୍ରୀ ଅଫିସର୍‍ମାନେ ଉଡ଼ାଜାହାଜରେ ବୁଲି ଚବ୍ୟ ଚୋଷ୍ୟ ଲେହ୍ୟ ପେୟ’’... । କୁଞ୍ଜ ତ୍ରିପାଠୀ ଧନି ପାତ୍ର ଆଖିରେ କ’ଣ ଦେଖିଲା କେଜାଣି ଅଟକିଗଲା ।

 

ଧନିପାତ୍ର ସତେ ବା କିଛି ଶୁଣିବାକୁ ଚାହେଁନା ଏପରି ଭଙ୍ଗୀରେ ଉତ୍ତର ଦେଲା–

 

‘‘ସଭା କରିବ ତ କର ମୁଁ ସଞ୍ଜକୁ ଯିବି ଯେ । ଏଇନେ ଗୋଟେ କାର୍ଯ୍ୟରେ ମୁଁ ବାହାରିଛି, ଟିକେ ତରବରିଆ ଅଛି, କିଛି ଭାବିବ ନି’’ ।

 

କୁଞ୍ଜ ତ୍ରିପାଠୀ ଦଳକୁ ପଛରେ ପକେଇ ଧନିପାତ୍ର ଆଗେଇଗଲା, ମାତ୍ର ବେଶି ଦୂର ନୁହେଁ । ହରିଆ ତେଣୁ ନସର ପସର ହୋଇ ଡାକ ଛାଡ଼ୁଛି–

 

‘‘ମଉସା ! ମଉସା ଗୋପାଳ ଦାସର ମନ୍ତ୍ରୀ ସଭା ଭାଙ୍ଗିଗଲା ! ଆଉଥରେ ସାନି ନିର୍ବାଚନ ହେବ କି କ’ଣ ? କୁଞ୍ଜ ତିଆଡ଼ୀ କାଲି ସନ୍ଧ୍ୟାରୁ ଗାଁକୁ ଆସିଗଲାଣି’’ ।

 

‘‘କେବେଠୁ ? କାଲି ତ ରେଡ଼ିଓରେ ଶୁଣିଲି ଗୋପାଳ ଦାସ ଗୋଟେ ପୋଲ ଉଦ୍‍ଘାଟନ କରିଛି...ଆଜି ହଠାତ୍ କିଏ କହିଲା–’’

 

‘‘ଚାରିଆଡ଼େ ଖବର ହୋଇଗଲାଣି । ହେଇପରା ପୁରିଆ ଆସିଛି କଟକରୁ ଘଣ୍ଟାଏ ହେବ । ଜାଣ ମଉସା–ଆମ ଗାଁ ମୁଣ୍ଡରେ ଚାଉଳ କେନ୍ଦ୍ର ଖୋଲି ସରକାର କୁଆଡ଼େ ଚାଉଳ ବାଣ୍ଟିବେ...ପୁରିଆ କହୁଛି’’ ।

 

ଧନିପାତ୍ର କିମିତି ଅନ୍ୟମନସ୍କ ହୋଇ ଯାଇଥିଲା–

 

ହରିଆ ପୁଣି ଧୀରେ, ଧୀରେ କହିଲା–

 

‘‘ଗୋପାଳ ଦାସର ଲୋକ ବି ଆସିଯାଇଛନ୍ତି ମଉସା–ତାଙ୍କର ସଭା କରିବେ କି କ’ଣ’’-?

 

ଉତ୍ତେଜିତ ହେଲାପରି ଧନିପାତ୍ର କହିଲା–

 

‘‘କରନ୍ତୁ–ହେଲେ ଏଥର ମୋର ଗୋଟାଏ ନିଷ୍ପତ୍ତି । ଧନିପାତ୍ର କାହା କଥା ଶୁଣିବ କେବଳ ଠାକୁର ଜାଣନ୍ତି’’ ।

 

ବୋକାଭାବରେ ହରିଆ ପ୍ରଶ୍ନ କଲା–

 

‘‘ମୁଁ ତମର ମତଲବଟା ବୁଝିପାରୁନି ମଉସା । ଫେର ଗାଁବାଲାଙ୍କୁ ତ ଗୋଟାଏ ଯାହା ହେଉ କରିବାକୁ ହେବ’’ ।

 

ଚିହିଁକି ଉଠିଲା ଧନିପାତ୍ର–

 

‘‘ତୁ କ’ଣ ବୁଝିବୁରେ ଅଇଁଠାଚଟା । ତତେ ରିଲିଫ ଚାଉଳ ମିଳିଗଲେ ତୁ ନିଶ୍ଚିନ୍ତ, ଗାଁବାଲାଙ୍କୁ ପାଞ୍ଚ ପଚିଶ ମିଳିଗଲେ ସେ ନିଶ୍ଚିନ୍ତ...ତୁ କ’ଣ ବୁଝିବୁ କାଲିକା ଛୁଆଁ’’... ।

 

ହରିଆ ବୁଝିଲା ମଉସା ରାଗିଗଲେଣି । ୟାଡ଼ୁସ୍ୟାଡ଼ୁ କଥା କହି ତାଙ୍କ ସଙ୍ଗରେ ପାରିହବ ନି । ଏମିତି କି ମୁଣ୍ଡରେ ରାଗ ପଶିଛି ଯେ ଏ ବର୍ଷ ରିଲିଫ୍ ଚାଉଳ ସୁଦ୍ଧା ଆଣିବାକୁ ଯାଉନାହାନ୍ତି । ମରିବ ପଛେ ଭୋକ ଉପାସରେ ଯେଇ ଗୋଟାଏ ଜିଦ୍, ସେ ଆଉ ହାତ ପାତିବାକୁ ଯିବେ ନାହିଁ । କାହା ଉପରେ ମାନ କେଜାଣି ? ବତାସ, ମରୁଡ଼ି ଦୁର୍ଭିକ୍ଷକୁ କାହାର ଆଉ କରିବାର କ’ଣ ଅଛି ଯେ ।

 

ହରିଆ ଚାଲିଗଲା ମୁହଁ ଶୁଖାଇ । ଧନିପାତ୍ର ଜାଣିଥିଲା ପିଲଟାର ମନ ନିରସ ପଡ଼ିଗଲା ବୋଲି । ହେଲେ ଉପାୟ କ’ଣ ଅଛି ?

 

ସଞ୍ଜବେଳକୁ ଧନିପାତ୍ର ଛିଣ୍ଡା ଜାମାଟା ଦେହରେ ଗଳେଇ ନିଜ ଅଜାଣତରେ କେତେବେଳେ ଯେ ଆସି ଠାକୁର ଦାଣ୍ଡରେ ପହଞ୍ଚି ଯାଇଛି ତା’ର ଖିଆଲ ନାହିଁ । ଲୋକ ଜମିଗଲେଣି । ମାଇକରେ କୁଞ୍ଜ ତ୍ରିପାଠୀ କହିଚାଲିଛି ଲୋକଙ୍କ ଦୁର୍ଦ୍ଦଶା । ଭୋକ ଉପାସ, ମରୁଡ଼ି, ବତାସ କଥା କହିବାକୁ ଆରମ୍ଭ କରିଦେଲାଣି ସେ... ।

 

ଓସ୍ତଗଛର ଗଣ୍ଡିକୁ ଆଉଜି ବସିଲା ଧନିପାତ୍ର । ଭାଷଣ ଶୁଣିବାକୁ ଇଚ୍ଛା ନାହିଁ, ହେଲେ କାନ ଫଟେଇ କଥାଗୁଡ଼ା ପଶିଯାଉଛି । କୁଞ୍ଜ ତ୍ରିପାଠୀ ତ ବେଶ୍ କହିପାରେ... କଣ୍ଠ ଫାଟିଯାଉଛି ତା’ର କୋହରେ...ଲୁହ ଝରୁଛି କି କ’ଣ ରୁମାଲଟା ବୁଲିଯାଉଛି ମୁହଁ ଉପରେ...ଆଉ ପ୍ରତିଶ୍ରୁତି ଦେଉଛି କେମିତି ବତାସ ମରୁଡ଼ିକୁ ସେ ମାସ କେଇଟାରେ ଉଡ଼େଇ ନେବ...ପମ୍ପ କୂଅ, ପୋଖରୀ, ନାଳ ଖୋଳେଇ ଦେବ...କେନାଲରେ ବାରମାସ ପାଣିର ସୁଅ ଛୁଟୁଥିବ । ସ୍କୁଲ କଲେଜପାଇଁ ଲୋକଙ୍କୁ ଆଉ ସହରକୁ ଯିବାକୁ ହେବନି... ବିଜୁଳି ଆଲୁଅରେ ଗାଁ-ଦାଣ୍ଡ ଝଲସି ଉଠିବ...ହସ ଖୁସିରେ ଗାଁରେ ଛୁଟିବ ଘିଅ ମହୁର ସ୍ରୋତ...

 

ଚମକି ଉଠିଲା ଧନିପାତ୍ର । ତା’ର ଶୁଖିଲା ଧଡ଼ରା ଚମରେ ଯେମିତି କିଏ କେଉଁଠୁ ଅଚାନକ ନିଆଁ ଲଗେଇ ଦେଲା...କିଏ ? କିଏ ଏଇ ଲୋକଟା ? କହୁଛି କ’ଣ ନା ଘିଅ ମହୁର ସ୍ରୋତ ଛୁଟେଇ ଦେବ...ସପନ ବୁଣୁଛି; ମାୟାଜାଲ ଘେରଉଛି ଯାଦୁକର ପରି କଥା କହି କହି...ସୁନାର ଫସଲ, ଘିଅ ମହୁର ନଈ, ରାମରାଜ୍ୟର କଳ୍ପନା, କ’ଣ ନା ସତ ହେବ–ତାକୁ ପୁଣି କରିବ ଏବ ମେଞ୍ଚଡ଼ ଟୋକା ?

 

ନରେନ୍ଦ୍ର ପ୍ରଧାନ, ସୋମନାଥ ସାହୁ ଆଉ ଗୋପାଳ ଦାସ ସମସ୍ତେ ଏଇମିତି କଥା କହି, ଆଖିରେ ଲୁହ ପୂରେଇ, କଣ୍ଠ ଥରେଇ, କୁହୁକ ଜାଲ ଜମେଇ ଲୋକଙ୍କୁ ମୋହକରି ଭୋଟ ନେଇ ମନ୍ତ୍ରୀ ହେଲେ...ତା’ପରେ ଦେଖା କାହାରି ନାହିଁ ଆଉ କୁଞ୍ଜ ତିଆଡ଼ୀ ? ବାପର ଜମିଦାରୀ ଥିଲାବେଳେ ଘୋଡ଼ା ପିଠିରେ ଚଢ଼ି ଚାବୁକରେ ରକ୍ତ ବୁହାଇ କିର୍ କିର୍ ହୋଇ ଯିଏ ହସୁଥିଲା ତା’ର ପୁଣି ଗାଁପାଇଁ ଏତେ ଦୁଃଖ’ ଏତେ ଲୁହ... !

 

ଧନିପାତ୍ର ନିଶା ଖାଇଲା ପରି ଆଗେଇଗଲା ସଭାମଣ୍ଡପ ଆଡ଼କୁ–ଦେହ ହାତ ଭୋକ ଉପାସରେ ଟଳମଳ ହେଉଛି । ହେଲେ ମୁଣ୍ଡରେ ଦେହରେ ଯେମିତି ନିଆଁ ଲାଗିଛି, ସେ ନିଆଁରେ ସେ ନିଜେ ପୋଡ଼ିଯିବ, ନଚେତ ଅନ୍ୟ ସମସ୍ତିଙ୍କି ପୋଡ଼ି ଦେବ ।

 

ଧନିପାତ୍ର ମଣ୍ଡପ ଉପରକୁ ଉଠିଯାଇ କୁଞ୍ଜ ତ୍ରିପାଠୀ ପାଟିରେ ହାତ ଦେଇ ଚିତ୍କାର କରିଉଠିଲା–

 

‘‘ଚୁପ୍‍କର, ବଦମାସ ! ଚୁପ୍‍କର’’...

 

ସଭାରେ ହଟ୍ଟଗୋଳ । କେତେଗୁଡ଼ାଏ ଲୋକ ମଣ୍ଡପ ଉପରକୁ ଉଠିଯାଇ ଧନିପାତ୍ରକୁ ବେଢ଼ିଗଲେ । ଧସ୍ତାଧସ୍ତି ବେଶ୍ ଲାଗିଗଲା । କିଏ ଜଣେ ମାଇକରେ ଗର୍ଜି ଉଠିଲା–‘‘ଭାଇମାନେ ସଭା ଛାଡ଼ି କେହି ଯାଅ ନାହିଁ । ନ୍ୟସ୍ତସ୍ୱାର୍ଥ ପ୍ରତିକ୍ରିୟାଶୀଳ ଗୋଷ୍ଠୀ ଆମ ବିରୁଦ୍ଧରେ ଲାଗିଛି–ହେଲେଳ ସତ୍ୟ ଧର୍ମର ଜୟକୁ କେହି ରୋକି ପାରିବେ ନାହିଁ... ଭାଇମାନେ ସତ୍ୟର ଜୟ... ।’’

 

ଧନିପାତ୍ରର ଡେଣା ଦୁଇଟାକୁ ଲୋକ ଧରି ଘୋଷାରି ନେଇଛନ୍ତି । ମାତ୍ର ସେ ତା’ର ସମସ୍ତ ଶକ୍ତି ସଞ୍ଚୟ କରି ମାଇକ୍ ପାଖରେ ଲୋକଟାକୁ ଠେଲି ଦେଇ ପାଟିକରି ସଭାରେ ପୁଣି ଥରେ କୋଳାହଳ । ମାତ୍ର ତା’ରି ଭିତରୁ ପଞ୍ଝାଏ ଲୋକ ଛିଡ଼ା ହୋଇପଡ଼ି କହିଲେ ଧନିପାତ୍ରକୁ କହିବାକୁ ଦିଅ, ନ ହେଲେ ସଭା ଛାଡ଼ି ଚାଲିଯିବୁ, ସଭା ଭାଙ୍ଗିଦେବୁ ।

 

ଧନିପାତ୍ର ସେମିତି ଧରା ହୋଇଥିବା ଅବସ୍ଥାରେ ପାଟିକରି ଉଠିଲା–

 

‘‘ଭାଇମାନେ ! କାହା କଥାରେ ଆଉ ବିଶ୍ୱାସ କର ନାହିଁ...ଆମକୁ ସମସ୍ତେ ମିଛ କହି, କୁହୁକ ମନ୍ତ୍ର କରି ଠକୁଛନ୍ତି–ନରେନ୍ଦ୍ର ପ୍ରଧାନ, ସୋମନାଥ ସାହୁ, ଗୋପାଳ ଦାସ ଆମକୁ ଠକି ଯାଇଛନ୍ତି, ଏବେ କୁଞ୍ଜ ତ୍ରିପାଠୀ ଆସିଛି ଆଉ ଥରେ ଭେଳିକି ଲଗେଇ ଠକିବାକୁ’’... ।

 

ସଭାରେ ଘନ ଘନ କରତାଳି । ମଞ୍ଚ ଉପରୁ ଧନିପାତ୍ରକୁ ତଳକୁ ଆଣିବା ପାଇଁ ଧସ୍ତାଧସ୍ତି । ମାତ୍ର କୁଞ୍ଜ ତ୍ରିପାଠୀଙ୍କ ଲୋକଙ୍କ ସହ ହରିଆ ଦଳେ ଟୋକା ଆଉ ଠେଙ୍ଗା ଧରି ମଞ୍ଚ ଉପରକୁ ଉଠିଗଲାଣି । ପୁଣି ଥରେ ଧନିପାତ୍ର ଥର ଥର କମ୍ପିଲା କଣ୍ଠରେ କହିଲା–

 

‘‘ଭାଇମାନେ । ଏମାନେ ଆମକୁ କେହି ସୁଖରେ ରଖିବାକୁ ଚାହାନ୍ତି ନାହିଁ–ଆମଠାରୁ ସୁଖ ଲୁଟି ନେଇ ଏମାନେ ଆମକୁ ବିପଦରେ ଚିହ୍ନନ୍ତି ବି ନାହିଁ । ଗୋପାଳ ଦାସ ବେଶରେ କୁଞ୍ଜ ତ୍ରିପାଠୀ ଆଉ କୁଞ୍ଜ ତ୍ରିପାଠୀ ବେଶରେ ଗୋପାଳ ଦାସ ଆମକୁ ଠକି ଠକି ସର୍ବସ୍ୱାନ୍ତ କଲେଣି । ଭାଇମାନେ...ଭାଇମାନେ...ଆଜି ଏ ଠାକୁର ଦାଣ୍ଡରେ ଶପଥ କର, ଆମେ କାହାକୁ ଭୋଟ ଦେବାନାହିଁ–ସରକାର ଆମର ଦରକାର ନାହି କି ଘିଅ ମହୁ ଦରକାର ନାହିଁ–ଆମର ଆଉ କାହାକୁ ବିଶ୍ୱାସ ନାହିଁ, ଭରସା ନାହିଁ ଭାଇମାନେ ଆଜି ଏଭଳି ଶପଥ କର...ଆମେ କାହାକୁ ଭୋଟ ଦେବାନାହିଁ... ।’’

 

ଧନିପାତ୍ରର କଥା ଅଟକିଗଲା । କେଉଁଠୁ ଅଚାନକ ଗୋଟାଏ ଶକ୍ତ ଟେକା ଆସି ତା’ କପାଳରେ ବାଜି ତାକୁ ମୁହୂର୍ତ୍ତକ ଭିତରେ ଲହୁଲୁହାଣ କରି ପକାଇଲା । ଧସ୍ତାଧସ୍ତି, ଟେକାମାଡ଼, ପାଟିତୁଣ୍ଡରେ କେ କୁଆଡ଼େ ଛିନ୍‍ଛତର ହୋଇ ଚାଲିଗଲେ ।

 

ଧନିପାତ୍ରର ସେଇ ଧସ୍ତାଧସ୍ତି ଭିତରେ ତଳେ ରକ୍ତାକ୍ତ ଅବସ୍ଥାରେ ପଡ଼ିଯାଇ ଯେମିତି ଗୋଟାଏ ରେକର୍ଡ଼ ପରି ଅଣନିଃଶ୍ୱାସୀ ହୋଇ କହିଚାଲିଥିଲା ଏକ ଟଣା ସୁରରେ–

 

ଆମର ସରକାର ଦରକାର ନାହିଁ...ଆମର ସରକାର ଆମେ ନିଜେ...ଆମେ କାହାକୁ ଭୋଟ ଦେବା ନାହିଁ...ବିଶ୍ୱାସ ନାହିଁ, ଭରସା ନାହିଁ... ଭାଇମାନେ ଶପଥ କର...ଭାଇମାନେ !!!

✽✽✽

 

Unknown

ଆହୁତି

 

ତାରାଗୁଡ଼ିକ ମିଟି ମିଟି ହସୁଛନ୍ତି କି ଚିପି ଚିପି କାନ୍ଦୁଛନ୍ତି କିଛି ବୁଝିପାରୁନି ଫୁଲ ।

 

ସେ ଶୁଣିଥିଲା ପୁଣ୍ୟକାମ କରି ମରିଯାଇଥିବା ଲୋକମାନେ ସବୁ ଆକାଶରେ ତାରା ହୋଇ ଝଟକୁଥାନ୍ତି । ପୃଥିବୀର ସୁଖ ଦେଖି ହସନ୍ତି; ଦୁଃଖ ଦେଖି ଲୁହ ଝାଡ଼ନ୍ତି ।

 

ଫୁଲ ହାତ ଯୋଡ଼ି ମୁଣ୍ଡକୁ ଛୁଇଁଲା । କିଏ ଜାଣେ କେଉଁ ତାରାର ଆଖି ଭିତରେ ତା’ର ବାପ ମା’, ସ୍ୱାମୀ, ଶ୍ୱଶୁରଙ୍କ ଆତ୍ମା ତାକୁ ଚାହିଁ ରହିଛି ।

 

ଫୁଲର ଛାତି ଭିତରଟା ଭୟରେ ଦୁମ୍ ଦୁମ୍ କରିଉଠିଲା । ଶିର୍‍ଶିରେଇ ଉଠିଲା ଏତେ ଗରମରେ ଦେହର ଶିରାପ୍ରଶିରା । କେଜାଣି କାହିଁକି ଡରି ଡରି ତା’ର ବେଳ ଯାଉଛି । ରାତି ହେଲେ......ରାତି ହେଲେ ଯେମିତି ଭୂତ କି ରାକ୍ଷସ କେଉଁଠି କିଏ ଅଛି ଆସି ତାକୁ ଖାଇଯିବ, ଏମିତି ଲାଗୁଛି ।

 

ମସିଣା ଉପରେ ଉଠି ବସିଲା ଫୁଲ । କବାଟଟା ଭଲ କରି ଦେଇଛି କି ନାହିଁ ଆଉ ଥରେ ପରଖି ବସିଲା ସେ । ବାଉଁଶ ଚାରିଖଣ୍ଡ ଆଉ ଖଣ୍ଡେ କାଠପଟା ଯୋଡ଼ା ହୋଇ କବାଟ–କେତେ ବା ଶକ୍ତି ତା’ର ଯେ ତାକୁ ରକ୍ଷା କରିବ !

 

ଫୁଲର ବଡ଼ ବଡ଼ ଆଖିରୁ ଟପ୍ ଟପ୍ ଲୁହ ଛାତି ଭିଜେଇ ବହି ଚାଲିଲା । ହେ ଭଗବାନ-! କୋଉ ପାପ ପାଇଁ ଏତେ ଶାସ୍ତି ଖଞ୍ଜିଲ ? ନାରୀ ରୂପରେ ଜୀବନ ଦେଲ; ସେଥିରେ ପୁଣି ପୃଥିବୀ ସାରାର ଯେତେ ଯେଉଁଠି ରୂପ ଥିଲା ତାକୁ ଆଣି ଭରିଦେଲ ତା’ରି ଦେହରେ ? ବାପ-ମା’, ସ୍ୱାମୀ, ଶ୍ୱଶୁର କି ଭାଇ ବନ୍ଧୁ, ସାଇପଡ଼ିଶା ବି ବକଟେ ଦେଲନି ଯିଏ ତାକୁ ‘ଆହା’ ବୋଲି ପଦୁଟିଏ କହିବ ?

 

ଖାଲି ଏଇ ରୂପ ? ରୂପ ତଳେ ରକ୍ତ ମାଂସର ଦେହ । କ’ଣ ଆଉ ଅଛି ତା’ର ଏ ସଂସାରରେ ? କେତେ ଥଟ୍ଟା, କେତେ ଟାପରା, କେତେ ନିନ୍ଦା ଅପବାଦ ଏଇ ଚମଡ଼ା ଟିକକ ପାଇଁ-? ସମସ୍ତେ ଯେମିତି ଚାହିଁ ବସିଛନ୍ତି ତାକୁ ଶୋଷି ନେଇଯିବେ ଏକା ଢୋକରେ.... ।

 

ଫୁଲ ଆଖି ଆଗରେ ଭାସିଉଠିଲା ନିଜର ଦେହଟା । କନକ ଭାଉଜର ଘର ପୋଛୁ ପୋଛୁ ତା’ର ବଡ଼ ଦର୍ପରଷର କାଲି ନିଜକୁ ସଫା ଦେଖି ପାରିଥିଲା ଫୁଲ । ଏତେ ସୁନ୍ଦର ସେ ଦେଖାଯାଏ ବୋଲି କେବେ ତ ଜାଣି ନ ଥିଲା.... ।

 

ଅମୁ ଭାଇ ଘରକୁ ଆସି କେତେବେଳୁ ତାକୁ ଚାହିଁ ରହିଛନ୍ତି–ସେ କେମିତି ଭଲା ଜାଣିଥାନ୍ତା ! ଛି, ଛି......ଲାଜରେ ଶିହରି ଉଠିଥିଲା ଫୁଲ । ଜଗୁଆ, ନେତରା, ଚଇତନ, ମାଗୁଣି ଦାଦି, ହାଡ଼ୁ ମଉସା ସମସ୍ତେ ତ ଇତର ଜନ । –ସେମାନେ ତାକୁ ଅନେଇଲେ, ଥଟ୍ଟା ଟାପରା କଲେ ବୋଲି ଅମୁ ଭାଇ ତାକୁ ଏମିତି ଚାହିଁ ରହିବେ, ଏ କଥା ସେ କଳ୍ପନା ସୁଦ୍ଧା କରି ନ ଥିଲା । ଇଲୋ ମାଲୋ ! ଆଖିରୁ ଯେମିତି କ’ଣ ନିଆଁ ବରଷୁଛି । .....ଫୁଲ ଲାଜରେ ଜଡ଼ସଡ଼ ହୋଇ ବାଲ୍‍ଟିଟା ଧରି ବାହାରି ଆସିଥିଲା । ନିଆଁ ପିଣ୍ଡୁଳା ପରି ଅମୁ ଭାଇଙ୍କ ଆଖି ଦୁଇଟା ତା’ର ଦେହ ଓ ମୁହଁକୁ ଯେମିତି ପୋଡ଼ି ଦେଉଥିଲା.... !

 

ସନ୍ଧ୍ୟାବେଳେ ପୁଣି ଭେଟ ହୋଇଗଲା ଫେରନ୍ତି ରାସ୍ତାରେ । କ’ଣ ଯେମିତି କହିବେ କହିବେ ହୋଇ ସେ ଡାକିଦେଲେ–

 

‘ଫୁଲ’ !

 

ଫୁଲ ଅଟକି ଯାଇଥିଲା । ଉପାୟ ନାହିଁ ।

 

‘‘ନାଁ ତୁ ଯା । ସାବଧାନରେ ଚଳାଚଳ କରିବୁ–ସନ୍ଧ୍ୟାବେଳଟାରେ ଦାଣ୍ଡଟାରେ ବୁଲୁଛୁ କାହିଁକି ? ଯା ଘରକୁ ଯା.... ।’’

 

ଉତ୍ତରକୁ ଅପେକ୍ଷା ନ କରି ଅମୁ ଭାଇ ଚାଲିଗଲେ । ଜିଭ କାମୁଡ଼ି ଫୁଲ ଛିଡ଼ାହୋଇ ରହିଲା । କୋଉ ଦିନ ଅମୁ ଭାଇ ତାକୁ କଥା କହନ୍ତି ନାହିଁ.... ।

 

ପାଣି ଭରି ଯାଇଥିଲା ତା’ର ଆଖିରେ ତାଙ୍କର କଅଁଳ କଥାରେ । ହାୟ ! ସେ ବା କେମିତି ଜାଣିବେ ? ପାଞ୍ଚ ଘର ବାସନ ନ ମାଜିଲେ, ଘର ନ ଓଳେଇଲେ ତୁଣ୍ଡରେ ଢୋକ ଦେବାକୁ, ଖୁଦ ମୁଠିଏ ଦେବାକୁ ତା’ର କେହି ନାହିଁ । ଏବେ ସିନା ଅମୁ ଭାଇ ଖରାଛୁଟି କଟେଇବେ ବୋଲି ଏଠିକି ଆସିଛନ୍ତି–ସେ କାହୁଁ ବୁଝିବେ ନିରିମାଖୀ ଫୁଲର ଦୁଃଖ !

 

ସନ୍ଧ୍ୟାବେଳକୁ କାମ ନ ଥିଲେ ଘରେ ଜାକିକୁଜି ହୋଇ ଶୋଇବା କଥା । ଡିବିଟିଏ ବି ରାତିସାରା ଜଳେଇବାକୁ ତେଲ ନାହିଁ । କିରାସିନି ବୋତଲ ଆଣି ସେଦିନ ନେତରା ଯାଚୁଥିଲା ତାକୁ ! ମନାକରିଦେଲା ଫୁଲ–ସେ ଜାଣେ, ତା’ର ଅଠର ବର୍ଷ ବୟସର ଦେହଟି ଛଡ଼ା ଦବାକୁ ଆଉ କିଛି ନାହିଁ । କାହାଠାରୁ କିଛି ନେଲେ ଏଇ ଦେହଟି ବଦଳ ଦେବାକୁ ହେବ.... । ଜଗୁଆ ସେଦିନ ପୋଖରୀ ତୁଠରେ କେତେ କଥା କହୁଥିଲା ଫୁଲକୁ ଶୁଣେଇ ଶୁଣେଇ । ପୋଖରୀ ତୁଠ ଜଗି ବସିଥିବେ ସକାଳ ସନ୍ଧ୍ୟା–ଏତେ ବଡ଼ ଖରାରେ ଟିକେ ହାତ ମୁହଁ ଧୋଇବାକୁ ‘ଯୁ’ ନାହିଁ ତା’ର-

 

ଛାତି ଫଟେଇ ଦୀର୍ଘ ନିଃଶ୍ୱାସଟାଏ ବାହାରି ଆସିଲା ଫୁଲର । ଏମିତି କେତେଦିନ ତାଟି କବାଟ ଦେଇ ଲୋକଙ୍କୁ ଡରି ସେ ବଞ୍ଚିବ ? ଆଉ କାହା ପାଇଁ ? କୋଉଥିପାଇଁ ? ଏଇ ଦେହ ପାଇଁ ତ ?

 

କୋଉଠି ଗୋଟାଏ ଖସର ଖସର ଶବ୍ଦ ଶୁଭୁଛି । ସେଇ ଜଗୁଆ କି ନେତରା କିଏ ହୋଇଥିବେ । ରାତିସାରା ତାକୁ ନିଦ ଯେମିତି ନାହିଁ....କବାଟରେ ଠକ୍ ଠକ୍ ଶୁଭିଲା..... ‘ଫୁଲ, ଫୁଲ..... ।’

 

ଚମକି ଉଠିଲା ଫୁଲ । ଏ ତ ଅମୁ ଭାଇଙ୍କ ସ୍ୱର ! ଗୋଡ଼ଠାରୁ ମୁଣ୍ଡ ପର୍ଯ୍ୟନ୍ତ ଥରି ଉଠିଲା ତା’ର ଭୟରେ ।

 

କବାଟ ଉପରେ ଧକ୍‍କା ଉପରେ ଧକ୍‍କା । କ’ଣ କରିବ ଫୁଲ.... କାହାକୁ ଡାକିବ କିଏ ଶୁଣିବ ? କବାଟଟା ମୋଟେ ଯେ ସମ୍ଭାଳି ପାରିବ ନାହିଁ । ହେ ଭଗବାନ ! କୁଆଡ଼େ ଗଲ ତୁମେ ? ଭୂଇଁରୁ ଅରାଏ କାମୁଡ଼ି ଧରି ଫୁଲ ଯେମିତି ବେହୋସ ହୋଇଯିବ.... ।

 

ବହୁତ ଇଚ୍ଛା ହେଉଥିଲା ପାଟିକରି କହିବାକୁ–‘‘ଅମୁ ଭାଇ ! ଫେରିଯା, ଅମୁ ଭାଇ । ନିରିମାଖୀ ଫୁଲ ତମର ଯୋଗ୍ୟ ନୁହେଁ... ଦୟାକରି ଫେରିଯା, ଫେରିଯା.....ଫୁଲ ତମକୁ କିଛି ମାଗୁନି.....ଖାଲି ଟିକିଏ ସେ ବଞ୍ଚିବ–ଦେହ ଖଟେଇ ଖାଇବ....ତମକୁ କିଛି ମାଗିବନି....କାହାଠୁ କିଛି ତା’ର ଲୋଡ଼ା ନାହିଁ.....ତାକୁ ଟିକେ ବଞ୍ଚିବାକୁ ଦିଅ... ଜୀଇଁବାକୁ ଦିଅ ତମ ସବୁରି ପରି..... ।’’

 

ପାରି ନ ଥିଲା ଫୁଲ । ଓଠ ଭିତରେ ଦାନ୍ତ ଦୁଇପାଟି ଜାବ ପଡ଼ି ଯାଇଥିଲା ତା’ର । ମାଟି ଉପରେ ମୁଣ୍ଡ କଚାଡ଼ି ଦୁଇ ହାତରେ ମାଟିକୁ କୁଣ୍ଢାଇ ଧରି ତା’ର ଇଚ୍ଛା ହଉଥିଲା କହିବାକୁ–

 

‘‘ଫାଟିଯା, ଫାଟିଯା ଦି’ଫାଳ ହୋଇ ଧରିତ୍ରୀ । ନେଇ ଯା ତୋ କୋଳକୁ ମତେ । ଆଉ ପାରୁନି.... ଏ ଦେହକୁ ଧରି.... ।’’

 

ହେଲାନି ଧରିତ୍ରୀ ଦି’ଫାଳ, କି ଶୁଣିଲେ ନାହିଁ ଅମୁ ଭାଇ ତା’ର କାକୁତି ମିନତି । ବିଧାତା ବି ନିଷ୍ଠୁର ହୋଇ ତାରାଗୁଡ଼ିକୁ ଖିଡ଼ିକି ପଟରୁ ଘୁଞ୍ଚେଇ ନେଲେ ନାହିଁ..... ।

 

ଘଟିଲା ସବୁକିଛି ଅଘଟଣ.....ସବୁକିଛି ଅବିଧାନ । ସହିଗଲା ଧରିତ୍ରୀ । ନିର୍ବିକାର ହେଲା ଆକାଶ ।

 

ଅମୁ ଭାଇ ଚାଲିଗଲେ । ପଶିଆସିଲେ ଆଉ ଦୁଇ ତିନି ଜଣ ଘର ଭିତରକୁ । ସତେ କି ଅପେକ୍ଷା କରି ରହିଥିଲେ ଏକ ଶୁଭ ମୁହୂର୍ତ୍ତକୁ..... । ଚାପା ହସ, ପୁସ୍ ଫୁସ୍ କଥା ଆଉ ଖଣ୍ଡ କାଶ ଭିତରେ ଅଣନିଃଶ୍ୱାସୀ ଫୁଲ ଏଥର ସତକୁ ସତ ସଂଜ୍ଞାହୀନ ହୋଇ ପଡ଼ିଲା । ଚଟାଣ ଉପରେ ଅସାଡ଼ ଦେହଟା ଭୋକିଲା ଶରୀରମାନଙ୍କର କ୍ଷୁଧା ମେଣ୍ଟାଇବା ପାଇଁ ନିଜକୁ ଅତି ନିର୍ବିକାର ଭାବରେ ସମର୍ପଣ କରି ଚାଲିଥିଲା..... ।

 

ପରଦିନ ପ୍ରଭାତରେ ଫୁଲର ନଗ୍ନ ଶରୀରଟା ଯୌବନର ସମସ୍ତ ଆଭା ପ୍ରସ୍ଫୁଟିତ କରି ପୋଖରୀ ପାଣିରେ ଭାସୁଥିଲା ଆକାଶକୁ ଅନେଇ ।

 

–ଦୁଇ–

 

ତା’ର ନିଜସ୍ୱ ଅପରାଧ ନାହିଁ ତା’ର ଅପରାଧ ହୋଇପାରେ ସେ ସ୍ରୋତର ପ୍ରତିବନ୍ଧକ ହୋଇ ଛିଡ଼ା ହୋଇପାରିନି; ଯେମିତି ସ୍ରୋତ ତାକୁ ଭସେଇ ନେଇଛି । ଯେଉଁଠି ପକେଇ ଦେଇଛି ସେଇଠି ସେ ପଡ଼ିଯାଇଛି । ଏଇ ତା’ର ଅପରାଧ... ନିଜକୁ ତିଳ ତିଳ ବଳି ଦେଇ ସବୁରି ପାଇଁ ସୁଖ ଶାନ୍ତିର ସୌଧ ଗଢ଼ିବାକୁ ଚାହିଁଛି, ସେଇ ତା’ର ଦୋଷ.... ଆଉ ସେଇଥିପାଇଁ ପୃଥିବୀ ତାକୁ ସ୍ୱୀକାର କରିବନି ।

 

କ’ଣ ବା ତା’ର ଭୁଲ ?

 

ଏବେ ମନେହେଉଛି ଜନ୍ମଠାରୁ ଜୀବନ, ଆଉ ଜୀବନଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସବୁ କିଛି ଯେମିତି ଭୁଲ୍; ଅଥଚ କେଉଁଟା ଠିକ୍ ଏବଂ କ’ଣ କରିଥିଲେ ସୁଖ ମିଳିଥାନ୍ତା, ତାକୁ ଏପର୍ଯ୍ୟନ୍ତ ଜଣା ପଡ଼ୁନାହିଁ ।

 

ଟାଉନ୍ ବସ୍‍ଟା ଆସିଗଲା । ଚିପିଚାପି ହୋଇ ପୁରୁଷ ସ୍ତ୍ରୀ କେତେ ଯେ ଧାଡ଼ି ଧାଡ଼ି ବସିଛନ୍ତି ଓ ଛିଡ଼ା ହୋଇଛନ୍ତି ତା’ର ହିସାବ ନାହିଁ ।

 

କିନ୍ତୁ ଏଇଥିରେ ଯିବାକୁ ହେବ–ରିକ୍‍ସାରେ ଯିବାକୁ ଆସିବାକୁ ଏତେ ପଇସା ଆସିବ କୁଆଡ଼ୁ ?

 

ଲମ୍ୱା ଲମ୍ୱା ଦାନ୍ତ ମେଲେଇ ଜିଭକୁ ନିଶ ଉପରେ ବୁଲେଇ ଚାହିଁଛି ତାକୁ ଯଦୁନାଥ । ସତେ ବା ମୋଟେ ଦେଖିନାହିଁ ତାକୁ ସେ ! ଚାକିରିରେ ତା’ଠାରୁ ସିନିୟର ସେ । ଦିନରେ ହଜାର ଥର ଫାଇଲ ମଗେଇ ପଠେଇବ । ଚା’ ଖାଇବାକୁ ଡାକିବ ଆଉ କଥାରେ ଅଶ୍ଳିଳ ଇଙ୍ଗିତ କରି ଚାହିଁ ରହିବ । ଇସ୍ ! କି କଦର୍ଯ୍ୟ ଲୋକଟା !

 

ଶର୍ମିଷ୍ଠାର କିନ୍ତୁ ଉପାୟ ନାହିଁ । ସେଦିନ ଗୋଟାଏ କୋଉ କମ୍ପାନୀର ମଡ଼େଲ ହବା ପାଇଁ ଯଦୁନାଥ ତାକୁ ଆସି ଅନୁରୋଧ କରିଥିଲା । ଏକାଥରେ ଦୁଇ ହଜାର ଟଙ୍କାର ଲୋଭ ବା କିଏ ଛାଡ଼େ ? ଆଉ ତା’ ଛଡ଼ା ତା’ର ମୁହଁଟାର ଛବି ବି ଦେବାକୁ ପଡ଼ିନି ।

 

ଶର୍ମିଷ୍ଠା ପ୍ରୋଭିଡ଼େଣ୍ଟ ଫଣ୍ଡରୁ ଋଣ ନେବ ବୋଲି ଦରଖାସ୍ତ କରିଥିଲା । ସାନ ଭଉଣୀ ଅଞ୍ଜଳୀର ବିଭାଘର । ଘଣ୍ଟା, ରେଡ଼ିଓ, ସୁଟ୍ ନ ହେଲେ ଜୋଇଁ ବେଦୀକୁ ଆସିବନି ବୋଲି ମନା କରିଦେଇଛି । ତା’ ଛଡ଼ା ଯୋଡ଼ାଏ ଭାଇ ଏଥର ଇଉନିଭର୍‍ସିଟି ପରୀକ୍ଷା ଦେବେ । ବାପାଙ୍କର ଔଷଧ, ଆଉ ବୋଉର ତ ପ୍ରତିଦିନ ବରାଦ ଲାଗି ରହିଛି ।

 

କୋଉଠୁ ସେ ଏତେ କଥା କରିବ ? ନିଜକୁ ଧରି ରଖିବା ପାଇଁ କେତେ ତା’ର ସାମର୍ଥ୍ୟ-?

 

ମାତ୍ର ଶର୍ମିଷ୍ଠା ମଡ଼େଲ ହେବାପାଇଁ ରାଜି ହୋଇ ନ ଥିଲା ଯଦୁନାଥ ପ୍ରସ୍ତାବରେ । ଯେଉଁଦିନ ଅଞ୍ଜଳୀର ବିଭାଘର ପ୍ରସ୍ତାବ ଭାଙ୍ଗିଯିବାକୁ ବସିଥିଲା, ଆଡ଼୍‍ଭାନ୍‍ସ ଟଙ୍କା ନ ଦେଇ ପାରିବାରୁ, ସେ ଦିନ ଯଦୁନାଥ ଶର୍ମିଷ୍ଠାର ବୋଉକୁ ଯାଇ ଚୁପ ଚୁପ କ’ଣ କହୁଥିଲା । ବୋଉ ନାକରୁ ଆଖିରୁ ଲୁହ ପୋଛି କହୁଥିଲା–‘‘କ’ଣ କରିବି ପୁଅ ! ତମେ ଟିକିଏ ତାକୁ ବୁଝେଇ କୁହ । ମୁଁ ତ ଯେତେହେଲେ ସାବତ ମା’–ମୋ କଥା ସେ ଶୁଣିବ କାହିଁକି ? ଅଳି ତା’ର ନିଜ ଭଉଣୀ ହୋଇଥିଲେ ସିନା... ।’’ ବର୍ଚ୍ଛାପରି କଥାଟା ତା’ର ଛାତି ଭିତରେ ଫୁଟି ଯାଇଥିଲା । ତେବେ ତ କେଉଁଦିନ ସାବତ ମା’ କି ଭଉଣୀ ବୋଲି ସେମାନଙ୍କୁ ଭାବିନାହିଁ । ନିଜର ଶେଷ ଟୋପା ରକ୍ତ ଦେଇ, ବାପା ବିଛଣା ଧରିଲା ଦିନରୁ ସେ ପରିବାରକୁ ପୋଷିଆସିଛି... ଅଞ୍ଜଳୀର ବାହାଘରଟା ଭାଙ୍ଗିଗଲା ବୋଲି ବୋଉ ଏତେବଡ଼ କଥାଟା ଆଜି ତାକୁ କହି ପାରିଲା ?

 

ତା’ ପରଦିନ ଯଦୁନାଥ ସଙ୍ଗରେ ମଡ଼େଲ ହବାପାଇଁ ସେ ଚାଲିଯାଇଥିଲା । ନାରୀର ଦେହକୁ ପଣ୍ୟ କରି ପୃଥିବୀ କେତେଦିନ ବ୍ୟବସାୟ କରିବ କେଜାଣି । କେଉଁ ଆଦିମ କାଳରୁ ନାରୀର ଦେହ, ଯୌବନ ସତେ ଯେମିତି ପୃଥିବୀର ସମସ୍ତ ଆଶ୍ଚର୍ଯ୍ୟ, ସମସ୍ତ ଗୋପନୀୟ, ସମସ୍ତ ଗୂଢ଼ତଥ୍ୟ ଆଉ ତତ୍ତ୍ୱକୁ ଲୁକ୍‍କାୟିତ କରି ରଖିଛି । ଯୁଗ ଯୁଗ ଧରି ତା’ର ଆବିଷ୍କାରରେ ଲିପ୍ତ ରହିଛି, ପୁରୁଷ ଅସୀମ କୌତୂହଳ ଓ ଜିଜ୍ଞାସା ନେଇ । ତା’ର ଶେଷକଥା ଯେମିତି କେହି ଜାଣେ ନାହିଁ–ତା’ର ଶେଷ ଶବ୍ଦ ଯେମିତି କେହି ଶୁଣିନାହିଁ... ।

 

ବସ୍ ରହିଲା ଅଫିସ ସାମନାରେ । ଇଲେକ୍‍ଟ୍ରିକ୍ ଖୁଣ୍ଟରେ ‘ନିରୋଧ’ର ଛବି, ସାମ୍ନା କାନ୍ଥରେ ଚିତ୍ର ଅଭିନେତ୍ରୀଙ୍କର ଅର୍ଦ୍ଧ ଉଲଗ୍ନ ଶରୀର ସାବୁନ କମ୍ପାନୀର ବିଜ୍ଞାପନ, ଛବିରେ ସ୍ୱପ୍ନମୟୀ ନାରୀର ଅର୍ଦ୍ଧନିମୀଳିତ ଚକ୍ଷୁରେ ଶାୟିତ ତା’ର ଯୌବନ । ଚମତ୍କାର !

 

‘‘ଶର୍ମିଷ୍ଠା ।’’

 

ଯଦୁନାଥ ତାକୁ ଡାକୁଛି ।

 

‘‘ତମ ଛବି ଯୋଗୁ କମ୍ପାନୀର ଭଲ କାଟ୍‍ତି ହୋଇଛି । ଆଉ ଯୋଡ଼ାଏ ଅର୍ଡ଼ର ଅଛି ମୋ ହାତରେ...ମାତ୍ର ତମକୁ ଯାହା ଦେଖୁଛି ତମେ ତ ଦିହଟିକୁ ସାବଧାନରେ ରଖି ପାରୁନ ! କ୍ରିମ ପାଉଡ଼ର ଟିକେ ନ ଲଗେଇଲେ ଚମଡ଼ାଟା ଭଲ ରହିବ କି ? ତୁମର ନାକ ଆଖି ମୁହଁ ଆଉ ଉଁ.....ଉଁ..... ମାନେ ତମର ଶରୀରରର ଶୋଭାଟା ଯେମିତି ଅଛି ନା ତମେ ଟିକେ ବାଗେଇ ଚଳିଲେ ମୁଁ ଫରେନ୍ ପରା ପଠେଇ ଦିଅନ୍ତି ତମର ଛବି ସବୁ !’’

 

ଯଦୁନାଥର ଚଷମା ଦେଇ ଭୋକିଲା ଆଖି ଦୁଇଟା ତା’ର ଡାହାଣ ପାଖ ସ୍ତନରେ କେନ୍ଦ୍ରୀଭୂତ ରହିଛି । ପବନରେ ଲୁଗା ସାମାନ୍ୟ ଖସି ଯାଇଛି । ଓଃ, ପ୍ରଭୁ !

 

ଗମ୍ଭୀର ହୋଇ ଶର୍ମିଷ୍ଠା ଆଗେଇ ଯାଉଥିଲା; ମାତ୍ର ଯଦୁନାଥ ଛାଡ଼ିବାର ପାତ୍ର ନୁହେଁ–

 

‘‘ଶୁଣ ଶର୍ମିଷ୍ଠା, ଏଥର ବେଶି କିଛି କଷ୍ଟ କରିବାକୁ ପଡ଼ିବନି । ସିଗାରେଟ୍ କମ୍ପାନୀର ବିଜ୍ଞାପନ ତ–ଏଇ ମାନେ... ।’’

 

‘‘ମାନେ ମତେ ଓଠରେ ସିଗାରେଟ୍ ଦେଇ...।’’

 

‘‘ଦୁତ୍‍ ତେରିକା, ତମର ଆଉ ନାବାଳକୀ ଫିଟିଲାନି ।–ସ୍ତ୍ରୀଲୋକ ଓଠରେ ସିଗାରେଟ୍ ଫୁଙ୍କିବାର ଦେଖିଲେ ଏଠି ଆଉ ସେ ସିଗାରେଟ୍ ବିକ୍ରି ହେବଟି କି ? ନାରୀ ପରା ଜନନୀ, ସତୀ, ସାବିତ୍ରୀ, କେତେ କ’ଣ–ତା’ ଓଠରେ ଆମେ ସିଗାରେଟ ଦରାଇବୁ ? ରାମ, ରାମ ।’’

 

‘‘ତେବେ.... ?’’

 

‘‘କିଛି କରିବାକୁ ତମକୁ ହେବନି–ଖାଲି ସିଗାରେଟ୍ ଧୂଆଁରେ ତୁମେ କେମିତି ଆକୃଷ୍ଟ ଓ ଆମୋଦିତ ହେଉଛି...ମାନେ ବସନ୍ତର ମଳୟରେ ପୀତ ପତ୍ର ଝଡ଼ାଇ ଗଛଲତା ଯେମିତି ପୁଷ୍ପଭାରରେ ହସିଉଠେ, ଠିକ୍ ସେମିତି ବସନ ଭୂଷଣ ସାମାନ୍ୟ ଖସାଇ ରତିରତା ରମଣୀ ପରି ମାନେ... ସିଗାରେଟ୍‍ର ସୁବାସିତ ଧୂମ୍ରକୁଣ୍ଡଳୀ ଭିତରେ ତୁମେ ସ୍ୱପ୍ନବିଭୋର ହୋଇ ଉଠିବ... ।’’

 

ଶର୍ମିଷ୍ଠା ଅନେଇଥିଲା ଆକାଶକୁ । ସୂର୍ଯ୍ୟ କେବେ ନିଆଁ ପିଣ୍ଡୁଳା ହୋଇ ଝରିବ ପୃଥିବୀର ବୁକୁରେ କେଜାଣି । ପୃଥିବୀ ବି ନିର୍ମମ ନିଷ୍ଠୁର । କେବେ ସେ ଫାଟି ଯାଇଥିଲା ଅତୀତରେ ରାଜରାଣୀକୁ, ସତୀଶିରୋମଣୀ ସୀତାଙ୍କୁ କୋଳକୁ ତୋଳିନେବାକୁ ! ହେଲେ ଶର୍ମିଷ୍ଠା କ’ଣ ସତୀ ନୁହେଁ ? ଶର୍ମିଷ୍ଠା କ’ଣ ବନବାସ କରିନାହିଁ...ନା ଅଶୋକ ବନରେ ବସିନାହିଁ..... ଥରେ ନୁହେଁ ପ୍ରତିଦିନ ଅନ୍ତତଃ ଦଶଥର ଅଗ୍ନି ପରୀକ୍ଷା ଦେଉଛି । ତଥାପି କାହିଁକି ପୃଥିବୀ ଦି’ଫାଳ ହେଉନି ? କାହିଁକି ?

 

ଅଫିସର ସମସ୍ତ ସମୟ କେବଳ ସେଇ ଗୋଟିଏ କଥା ତା’ର ମନକୁ ଆଚ୍ଛନ୍ନ କରି ରଖିଥିଲା । ଗୋଟିଏ ପାଖରେ ଟଙ୍କା ଅନ୍ୟ ପାଖରେ ଦେହ । କେବଳ ତା’ର ନୁହେଁ, କୋଟି କୋଟି ଦେହର ଯନ୍ତ୍ରଣା ବେଦନା ଯେମିତି ଆସି ତାକୁ କାବୁ କରି ଦେଇଛି ।

 

ଅଫିସ ଫେରନ୍ତି ଘରକୁ ଆସି ସେ ଆଶ୍ଚର୍ଯ୍ୟ ହୋଇଗଲା । ଯଦୁନାଥ କେତେବେଳୁ ଆସି ତାଙ୍କ ଘରେ ଉପସ୍ଥିତ ହୋଇଛି ଏବଂ ବେଶ୍ ମୁରବୀ ଠାଣିରେ ତା’ର ବାପା ମା’ଙ୍କ ସଙ୍ଗେ କଥାବାର୍ତ୍ତା କରୁଛି । ଶର୍ମିଷ୍ଠାକୁ ଦେଖି ତା’ର ବାପାଙ୍କୁ ଉଦ୍ଦେଶ୍ୟ କରି ଯଦୁନାଥ କହିଲା–

 

‘‘ବୁଝିଲେ ମଉସା ! କେତେଥର ମୁଁ ଆପଣଙ୍କ ଝିଅଙ୍କୁ କହିଲିଣି–ତୁମେ ଚଞ୍ଚଳ ଘରକୁ ଚାଲିଯାଅ । ଏତେ ସମୟ ଅଫିସ୍ ଫାଇଲ୍ କାମ ତମର ଦରକାର ନାହିଁ–ଯଦୁଭାଇ ଥିଲା ପର୍ଯ୍ୟନ୍ତ ତମର ଗୋଟିଏ ଚିନ୍ତା କ’ଣ ? କାମ ବଳେଇଯିବ ମତେ... ହୁଁ... ।’’

 

ଶର୍ମିଷ୍ଠା କିଛି ନ କହି ଲୁଗା କାନିରେ ମୁହଁ ପୋଛି ଚାଲି ଯାଉଥିଲା, ବାପା ଡାକିଲେ–

 

‘‘ମା ମିଠୁ ! ଶୁଣିଯା–ଦେଖିଲୁ ଏ ଜମିର ନକ୍‍ସାଟା ଟିକେ–ମେନ୍‍ ରୋଡ଼ ଉପରେ ଜାଗାଟା–ଦି’ ବଖରା ଘର ବି ଅଛି... ।’’

 

ବାପାଙ୍କଠୁ କଥା ଛଡ଼ାଇ ଯଦୁନାଥ କହିଲା–

 

‘‘ସେଇ ଘରେ ତମେ ରହିବ ନା କ’ଣ ? ତିରିଶ ହଜାର ଟଙ୍କା ହେଲେ ବଟକୃଷ୍ଣକୁ କହି ରାତାରାତି ଦି’ ମହଲା ଘର ବାଡ଼େଇ ଦେବି–ସେଇଟା ବଡ଼ କଥା ନୁହେଁ; ହେଲେ ଜାଗାଟା ତମ ମନକୁ ପାଉଛି ନା ନାହିଁ .....ସେଇଟା ବଡ଼ କଥା ।’’

 

ଯଦୁନାଥ ଚଷମା ଫାଙ୍କରେ ତାକୁ ଅନେଇଛି ! ଶର୍ମିଷ୍ଠାର ତଣ୍ଟି ପାଖରେ କିଏ ଯେମିତି କଠିଣ ଚାପଦେଇ ଅଣନିଃଶ୍ୱାସୀ କରିଦେଉଛି ।

 

‘‘ଟଙ୍କା କଥା ଭାବୁଛ ତ ! ସେ ତ ତମେ ଚାହିଁଲେ ରାତାରାତି.... ହେଁ...ହେଁ...ହେଁ...କିବା ଛାର... ।’’

 

ଶର୍ମିଷ୍ଠା ଉଠି ଚାଲିଗଲା କିଛି ନ କହି । କ’ଣ ସେ କହିବ–କାହାକୁ କହିବ ? ପ୍ରତିବାଦ କରିବ ? କାହା ପାଖରେ ? କିଏ ଶୁଣିବ ? ଶର୍ମିଷ୍ଠା ଲୁଗା ନ ବଦଳାଇ ବିଛଣାରେ ଲୋଟିପଡ଼ିଲା-। ଆଖିରେ ଟୋପାଏ ହେଲେ ଲୁହ ନାହିଁ ।

 

ଟିକକ ପରେ ବୋଉ ଆସି ମୁଣ୍ଡରେ ହାତମାରି ସାଉଁଳେଇ ଦେଲା ଶର୍ମିଷ୍ଠାର ମୁହଁକୁ ପରସ୍ତେ । ଦୁଃଖ ବି ପ୍ରକାଶ କଲା କେତେ କାମ କରିବାକୁ ତାକୁ ପଡ଼ୁଛି... । ଗଲାବେଳେ ରଖି ଦେଇଗଲା ମୁଦ୍ରିତ ଲଫାପାଟିଏ ତା’ ପାଖରେ–ସୁବିଧା କରି ଦେଖିବ ଯଦୁ କ’ଣ ଦେଇଯାଇଛି ଜରୁରୀ କାମ ।

 

ଶର୍ମିଷ୍ଠା ଉଠି ବସିଲା । ନାଁ, ତା’ ଦେହରେ ଆଉ କାତରତା ନାହିଁ, ବିମର୍ଷତା ନାହିଁ, ଭଲମନ୍ଦ କିଛି କହିବାର ଶକ୍ତି ତା’ର ନାହିଁ...ଅତୀତର ଯନ୍ତ୍ରଣା ନାହିଁ, ଭବିଷ୍ୟତର ସ୍ୱପ୍ନ ନାହିଁ, ଆଉ ବର୍ତ୍ତମାନର ଅନୁଭବ ବି ନାହିଁ ।

 

ଶର୍ମିଷ୍ଠା ମୁଦ୍ରିତ ଲଫାପାରୁ ବାହାର କଲା ଗୁଡ଼ିଏ ଫଟୋ–

 

ନାରୀର ନଗ୍ନ ଶରୀରର ଛବି । ପାଉଡ଼ର, କ୍ରିମ୍, ଟାଓ୍ୱେଲ, ବିଛଣା ଚାଦର, ଚା, କଫି, ଲୁଗା ଗହଣାର ଅସଂଖ୍ୟ ବିଜ୍ଞାପନର ଛବି । ସବୁଥିରେ ନାରୀର ସ୍ତନ ଅର୍ଦ୍ଧ ମୁକୁଳିତ–ଶରୀର ହୋଇଛି ଆଭରଣମୁକ୍ତ–ସବୁଥିରେ ଗୁପ୍ତ ଅଙ୍ଗକୁ ଆବିଷ୍କାର କରିବା ପାଇଁ ଏକ ଉଚ୍ଛନ୍ନ ଉଦ୍ୟମ–ଏକ ଅମାପ କୌତୂହଳ । ଶର୍ମିଷ୍ଠାର ଆଖି ଯେମିତି ଏ ତଥ୍ୟ ପ୍ରଥମ କରି ଆବିଷ୍କାର କରୁଛି ।

 

ଶର୍ମିଷ୍ଠା କ’ଣ ଭାବି ଉଠିପଡ଼ିଲା । କବାଟ ବନ୍ଦ କରିଦେଇ ସେ ସମ୍ପୂର୍ଣ୍ଣ ଉଲଗ୍ନ ହୋଇପଡ଼ିଲା । ଦର୍ପଣରେ ତା’ର ନଗ୍ନ ଶରୀରର ତ୍ୱକ୍ ଉଜ୍ଜ୍ୱଳ ହୋଇ ଉଠୁଛି । କ’ଣ ଅଛି ଏଇ ସ୍ତନରେ ? ଯାହା ପାଗଳ ବିଭ୍ରାନ୍ତ କରୁଛି ସମଗ୍ର ପୃଥିବୀକୁ ! ନାଁ, ନାଁ, ସେ ଆଜି ତାକୁ ଦେଖିବ–ଦେଖିବ, ତାକୁ କାଟି ଟିକିଟିକି କରି ଦେଖିବ, ତା’ ଭିତରେ ଲୁକ୍‍କାୟିତ ରହିଥିବା ପୃଥିବୀର ଆଶ୍ଚର୍ଯ୍ୟ କୌତୁକଭରା ଗୁପ୍ତ ପଦାର୍ଥଟିକୁ । ବ୍ୟାଗରୁ ଛୁରୀଟି ନେଇ ବାମ ପାଖର ସ୍ତନଟି କଚକରି କାଟି ପକାଇଲା ସେ ଓଃ...ଓଃ... । ଆଖି ବନ୍ଦ ହେଲା ପୂର୍ବରୁ ଗୋଟିଏ ଝଲକରେ ଶର୍ମିଷ୍ଠା ଦେଖି ନେଇଥିଲା ରକ୍ତରେ ଜୁଡ଼ୁବୁଡ଼ ସେଇ ମାଂସ ପିଣ୍ଡୁଳାଟିକୁ...।

 

–ତିନି–

 

ଜୀବନ ଗୋଟିଏ ଖେଳ । ଭଲକରି ଖେଳି ନ ପାରିଲେ ନିଜ ଅପମାନରେ ନିଜେ ସିନା ମଉଳି ଝରିଯିବ, କହେି କାହାକୁ ସାହା ହେବାକୁ ଆସିବେ ନାହିଁ । ହାରି ଯିବାରେ ଯନ୍ତ୍ରଣା ଅଛି, ବାହାଦୁରି ନାହିଁ ।

 

ଶିଖା ସିଗାରେଟ୍‍ରୁ ଧୂଆଁ ମେଞ୍ଚାଏ ଛାଡ଼ିଲା । ଧୂଆଁର କୁଣ୍ଡଳୀ ଭିତରେ ହସର ଲହଡ଼ି ତା’ର ଇଥର ଦେହରେ ଭାସିଗଲା କେଉଁ ନାମହୀନ ଅଜଣା ଜାଗାକୁ ।

 

ଖବରକାଗଜରୁ ମୁହଁ ଉଠାଇ ପ୍ରଭାତ ପଚାରିଲା–

 

‘‘ହସିଲ ଯେ ?’’

 

‘‘ତୁମେ ଜାଣ ପ୍ରଭାତ ! କାଲି କ୍ଲବରେ ମିଃ ସିଂହ ମୋ ସାଙ୍ଗରେ ମୋଟେ ନାଚି ପାରିଲେନି–ଆଉ ନାଚିଲାବେଳେ ନା ତାଙ୍କର ଥନ୍ତଲ ପେଟ–ଇସ୍ କି କଦର୍ଯ୍ୟ ଦିଶୁଥିଲା ଲୋକଟା-। ତଥାପି ନାଚିବାରେ ଯୋଉ ସଉକ୍ ତା’ର ।’’

 

‘‘ରିଏଲି.....ଆଇ ୱଣ୍ଡର । ତମେ ଯେ ଏମିତି ଅବିଶ୍ରାନ୍ତ ନାଚିପାର; ଦେଖିଲେ ମୋତେ ଆଶ୍ଚର୍ଯ୍ୟ ଲାଗେ.... ।’’

 

ପ୍ରଭାତର ଲୋଲୁପ ଆଖି ଶିଖାର ଗୋଡ଼ଠାରୁ ମୁଣ୍ଡ ପର୍ଯ୍ୟନ୍ତ ଘୂରି ଆସୁଛି । ଜାଣି ଜାଣି ଶିଖା ତା’ର ଛାତି ଉପରୁ ଲୁଗାଟା ଖସାଇ ଦେଲା । ସ୍ଲିଭ୍‍ ଲେଶ୍ ବ୍ଲାଉସ୍‍ ଦେହରୁ ଲମ୍ୱି ଆସିଛି ତା’ର ଶଙ୍ଖମଲମଲ ମସୃଣ ହାତ–ଉନ୍ନତ ସ୍ତନଯୁଗଳ କହି ରହି କମ୍ପିଉଠୁଛି । ପ୍ରଭାତର ଆଖି ହୋଇଛି ବନ୍ଦୀ ।

 

ଈଷତ୍ ଲଜ୍ଜିତ କଣ୍ଠରେ ଶିଖା କହିଲା ଚା’ କପ୍‍ଟା ବଢ଼େଇ ଦେଉ ଦେଉ–‘‘ବଡ଼ ଡ୍ରାଉଜି ଲାଗୁଛି ଆଜି ! ମିଃ ଶର୍ମା ଆସିଲେ କି ଚାଟାର୍ଜୀ ଆସିଲେ ତାଙ୍କୁ ମନା କରିଦିଅ ପ୍ରଭାତ, କାହା ସଙ୍ଗରେ ମୁଁ ଦେଖାକରି ପାରିବିନି । ହାୟ... । ବଡ଼ ଟାୟାର୍ଡ଼ ଲାଗୁଛି.... ।’’

 

ପ୍ରଭାତର ଉତ୍ତର ଦେବାର ଶକ୍ତି ନାହିଁ । ବିଜିନେସ୍ କଥା, ଫ୍ୟାକ୍‍ଟରୀର ଉତ୍ପାଦନ କଥା ଓ ବାହାର ବଜାରକୁ ଜିନିଷ ପଠାଇବା ବିଷୟରେ ସେ କଥାବାର୍ତ୍ତା ହେବାକୁ ଆସିଥିଲା । କିନ୍ତୁ କେମିତି କହିବ ସେ ବିଷୟ ସେ–ଶିଖା ଯେ ଉନ୍ମତ୍ତ ଅବସ୍ଥାରେ । ଆଉ ନିଜେ ବି ସେ । ‘‘ମୁଁ ଜାଣେ ତୁମେ ବିଜିନେସ୍‍ କଥା ଭାବୁଛ ! ଗୋଲ୍ଡ଼ ମାର୍କେଟର ଚାହିଦା କଥା ଡିସ୍‍କସନ୍ କରିବାକୁ ଚାହୁଁଛ... ବଟ୍ ନୋ... ପ୍ରଭାତ ନୋ...ନଟ୍ ନାଓ.....ହୋଲ୍‍ଡ ମି.....କ୍ୟାରି ମି...ମୁଁ ବଡ଼ ଟାୟାର୍ଡ଼ ଫିଲ୍ କରୁଛି । ପ୍ରଭାତ ଆଜ୍ଞାବହ ପରି ସଙ୍ଗେ ସଙ୍ଗେ ଶିଖାକୁ ଉଠେଇନେଲା ଚେୟାର୍‍ରୁ । ଅଧାଖିଆ ଚା’ କପ୍ ପଡ଼ି ରହିଲା ଟେବୁଲ ଉପରେ ।

 

ଶିଖା ଜାଣୁଥିଲା ମିଃ ସିଂହ, ମିଃ ଶର୍ମା, ମିଃ ମାଲହୋତ୍ରା, ଚାଟାର୍ଜୀ ଓ ଆହୁରି ଆହୁରି ଅନେକ ଦେହରେ ତା’ର ନଗ୍ନ ଶରୀର ଯେମିତି ଚାପି ହୋଇଯାଏ । ଯେଉଁ ତରଙ୍ଗ ଯେଉଁ ମାଦକଭରା ଶିହରଣରେ ସମସ୍ତେ ଆତ୍ମହରା ହୁଅନ୍ତି, ସେଇ ମାରାତ୍ମକ ସଂକ୍ରାମକ ସ୍ପର୍ଶରେ ପୀଡ଼ିତ ହୋଇ ଉଠୁଛି ପ୍ରଭାତ ।

 

ଆଃ ! ବିଚରା ପ୍ରଭାତ । ତା’ର ପ୍ରାଇଭେଟ୍ ସେକ୍ରେଟାରୀ ବୋଲି ତା’ର କ’ଣ ଜୀବନଟା ଅନ୍ୟମାନଙ୍କଠାରୁ ଭିନ୍ନ ? ଏକ ସଙ୍ଗରେ ପାଠ ପଢ଼ୁଥିଲେ–ଅବସ୍ଥାଚକ୍ରରେ ସେ ଆଜି ତା’ର ସେକ୍ରେଟେରୀ । ରସ ଗ୍ରହଣ କରିବାରେ ତା’ର ବା ଅପରାଧ କ’ଣ ? କେତେଟା ଟଙ୍କା ଦରମା ଦିଏ ବୋଲି ତାକୁ ହୀନ କରି ଶିଖା କାହିଁକି ରଖିବ ? ସବୁ ପୁରୁଷ ତ ସମାନ । ପୁଣି ଥରେ ନିଜ ଚିନ୍ତାରେ ହସିଉଠିଲା ଠୋ, ଠୋ କରି ଶିଖା ।

 

ବେଡ଼୍ ରୁମ୍ ଭିତରେ ପଶିଯାଇ ଦ୍ୱାରଟା ଦେଇ ଦେବାକୁ ସେ ପ୍ରଭାତକୁ ଆଦେଶ କରିଥିଲା ।

 

ଆଉ ପ୍ରଭାତ । ସେ ତ ଦାସାନୁଦାସ–ଆଜ୍ଞାବହ ଭୃତ୍ୟ ।

 

ପ୍ରଭାତ ଚାଲିଗଲା ପରେ ଫ୍ରିଜ୍‍ରୁ ସାମାନ୍ୟ ଡ୍ରିଙ୍କସ୍‍ ଆଣି ବରଫ ପକାଇ ପିଇବାକୁ ଆରମ୍ଭ କଲା ଶିଖା । ସିଗାରେଟ୍‍ ରେ କିଛି ଆଉ ପ୍ରେରଣା ନାହିଁ । ଦିନଟା ତ ଯେ କୌଣସି ମତେ ସାରିବାକୁ ହେବ ।

 

ଫାଇଲ୍‍ଟା ଟି’ ପୟ ଉପରେ ହିସାବୀ ପ୍ରଭାତ ରଖିଯାଇଛି । ଅନ୍ୟମନସ୍କ ଭାବରେ ଖୋଲିଦେଲା ଶିଖା । ବ୍ୟାଙ୍କ ଓ ସେୟାର୍‍ର ହିସାବ । ନା ଏଗୁଡ଼ା ସେ ଆଉ ଗଣି ପାରିବ ନାହିଁ ।

 

ଶିଖା ହାତରେ ସତେକି ସୁନା ଫଳୁଛି । ବହୁ ଲୋକ ତାକୁ ବହୁ ପ୍ରଶଂସାପତ୍ରରେ ସମ୍ମାନିତ କରୁଛନ୍ତି–କିନ୍ତୁ କିଛିଟା କାହିଁକି ତା’ର ମନକୁ ଧରିରଖି ପାରୁନାହିଁ ।

 

ରୂପର ଐଶ୍ୱର୍ଯ୍ୟ, ଯୌବନର ପ୍ରାଚୁର୍ଯ୍ୟ ସେ ସବୁ ତ ସେ ବିତରଣ କରି ଦେଇଛି ଅକାତରରେ । ସ୍ୱାମୀ, ଘର, ପୁତ୍ର ସବୁ ତ ତା’ର ଅଛି । ତଥାପି ଶାନ୍ତି କାହିଁ– ? ସ୍ୱାଧୀନତା ତା’ର ପ୍ରଚୁର କଥା ଓ କାର୍ଯ୍ୟରେ । ସ୍ୱାମୀଙ୍କର ଆପତ୍ତି ନାହିଁ ପୁରୁଷ ବନ୍ଧୁଙ୍କ ସହ ମିଳାମିଶା କରିବାରେ କିମ୍ୱା ଶିଖାର ବି ଆପତ୍ତି ନାହିଁ ସ୍ୱାମୀଙ୍କର ନାରୀବନ୍ଧୁ କରିବାରେ । କାରଣ ବନ୍ଧୁବିହୀନ, ସମାଜ ବିହୀନ ଜୀବନ ତ ଜୀବନ ନୁହେଁ । ଆଉ ସେଇପରି ଏକ ନିରଙ୍କୁଶ ଆବେଗଶୂନ୍ୟ ଜୀବନ ଯାପନର ମାନେ ବା କ’ଣ ଥାଇପାରେ ?

 

ମାତ୍ର କେଉଁଠି ଗୋଟାଏ ଖଟକା ଅଛି–କଚକଚ କରି କାଟୁଛି ସେଇଟା ବେଳ ଅବେଳରେ । ଏତେ ସବୁ କଥା ପରେ ସେ କ’ଣ ଚାହେଁ, ସେ ନିଜେ ହିଁ ଜାଣେନା । ଏ କଥା ଶିଖା ତା’ର ସବୁ ବନ୍ଧୁଙ୍କୁ ପଚାରିଛି, ହେଲେ କେହି ପ୍ରଶ୍ନଟା ମୋଟେ ବୁଝି ନାହାନ୍ତି, ଉତ୍ତର ବା ଦେବେ କ’ଣ ? ସମସ୍ତେ ଚାହାଁନ୍ତି ଟଙ୍କା, ପରିବାର ସୁଖଶାନ୍ତି, ଯୌବନର ଉପଭୋଗ ପାଇଁ ପ୍ରାଚୁର୍ଯ୍ୟ ।

 

ସେଥିପାଇଁ ତ ଶିଖା ନିଜକୁ ମୁକ୍ତ କରିଦେଇଛି । ତା’ର କଥାରେ, ଚାଲିରେ ଓ ଜୀବନର ଖେଳରେ ସେ ସମ୍ପୂର୍ଣ୍ଣ ସ୍ୱାଧୀନା, ସମ୍ପୂର୍ଣ୍ଣ ମୁକ୍ତ ।

 

ତେବେ ଆଉ ଭୟ କ’ଣ ? ମୁକ୍ତ ହୋଇଗଲେ ତ ଭୟର ପ୍ରଶ୍ନ ନାହିଁ–କ୍ଳାନ୍ତି ବା ଅବସାଦର କଥା ନାହିଁ ।

 

ନାଁ, ନାଁ ଏସବୁ ତା’ର ଛଳନା । ଧନ ଓ ରୂପର ପ୍ରାଚୂର୍ଯ୍ୟରେ ଏବଂ ସେଇ ଦୁଇଟିକୁ ପାଥେୟ କରି ସେ ସବୁ ପାରିଛି ବୋଲି ଭାବୁଛି ସତ; ହେଲେ ମୁକ୍ତି ସେ ପାଇନାହିଁ ।

 

ଶରୀର ଧରି କେହି କେବେ କ’ଣ ମୁକ୍ତି ପାଇଛି ? ଦେହଟାକୁ ଖେଳନା କରି ସେ ନାରୀତ୍ୱର ସମସ୍ତ ସୀମା ପାର ହେବାକୁ ଚାହିଁଛି–କିନ୍ତୁ କାହିଁ ସ୍ୱାଧୀନତା ଆଉ ମୁକ୍ତିର ଶାନ୍ତି ? କାହିଁ ଜୀବନ ଖେଳରେ ବିଜୟିନୀ, ଗରବିଣୀ ହେବାର ଉପଲବଧି ?

 

ସ୍ୱର୍ଗର ଦ୍ୱାର ସେହିମାନଙ୍କ ପାଇଁ ଅବାରିତ, ମୁକ୍ତ, ଯେଉଁମାନେ ଶରୀରର ସମସ୍ତ ରିପୁ, ସଂସାରର ସମସ୍ତ ଲୋଭ ବନ୍ଧନରୁ ସ୍ୱାଧୀନ ।

 

ହାୟ...... । ଶିଖା ତା’ର ଦେହକୁ ଚାହିଁଲା । ନାରୀର ଏଇ ଦେହ, ରକ୍ତ ମାଂସ ଜୀବାଣୁଭରା ଦେହ...ସବୁ ଜୀବନ ଥିବା ପଶୁର ଦେହ ପରି ନାରୀର ମଧ୍ୟ ଦେହ ।

 

ଶିଖା ବିଛଣାରେ ଚିତ୍ ହୋଇ ଶୋଇପଡ଼ିଲା । ପଡ଼ି ରହିଛି ସେମିତି ସାୟା, ବ୍ଳାଉସ୍, ବ୍ରା ଓ ଶାଢ଼ି । ମୁକ୍ତ ଓ ନଗ୍ନ ତା’ର ଶରୀର, ଯାହାକୁ ନେଇ ସେ ଖେଳିଛି ଓ ଖେଳାଇଛି, ଆଜି ତା’ର ଅବସାନ ହୋଇଗଲେ ଦୁଃଖ କରିବାର କିଛି ନାହିଁ । ସାମାନ୍ୟ ହୋଇ ଆକର୍ଷଣ, ଲୋଭ, ଉନ୍ମାଦନା, ଉଚ୍ଛ୍ୱାସ, ପ୍ରାପ୍ତିର ଆଶା ତା’ ମନରେ ନାହିଁ କି ଦେହରେ ନାହିଁ ।

 

ତେବେ ? ସ୍ୱାମୀକୁ ଛାଡ଼ି ଯିବାରେ ଯନ୍ତ୍ରଣା ? ନାଁ–ଅନେକ ନାରୀ ତାଙ୍କୁ ବିବାହ କରିବା ପାଇଁ ପ୍ରସ୍ତୁତ ଅଛନ୍ତି–ନ କଲେ ମଧ୍ୟ ଚଳେ । ହିଂସା ! ନାଁ ତ, ସେ କେବେ ହିଂସା କରିବାର ସୁଯୋଗ ପାଇନି ।

 

ଆଉ ? ଏକମାତ୍ର ସନ୍ତାନକୁ ଛାଡ଼ି ଯିବାରେ ଦୁଃଖ ? ନାଁ–ଆୟା ପାଖରେ ରହି ମା’କୁ ସେ ଚିହ୍ନି ମଧ୍ୟ ପାରେ ନାହିଁ । ତା’ ପାଇଁ ଅସୁମାରି ବ୍ୟାଙ୍କ୍ ବାଲାନ୍ସ, ସୁନା, ରୂପା, ସେୟାରସ, ଫ୍ୟାକ୍‍ଟରୀ ରହିଛି । ଯେ କୌଣସି ନାରୀ ତାକୁ ମା’ର ସ୍ନେହ ଦେଇପାରିବ । ନିଜର ତ ଆଦୌ ସେଥିପାଇଁ ଚିନ୍ତା ନାହିଁ । ସ୍ୱାମୀ ? ପୁତ୍ର, ସମାଜ, ବନ୍ଧୁବାନ୍ଧବ, ସବୁ ତ ସେ ଗଢ଼ିଥିଲା ଆପଣାର ମୁକ୍ତି ପାଇଁ, ଖୁସି ପାଇଁ...ଖେଳିବା ପାଇଁ...ସେଇ ଖେଳରେ ସେ ବିଜୟିନୀ । ମାତ୍ର ମୁକ୍ତି କାହିଁ ?

 

ଶରୀର ନ ଛାଡ଼ିଲେ ମୁକ୍ତି ନାହିଁ । ଏଇ ଶରୀର ପାଇଁ ତ ଏତେ ଯୋଜନା, ଏତେ ବନ୍ଧନ, ଏତେ ଆୟୋଜନ ସେ କରିଥିଲା.... ।

 

ବୋତଲଟା କେତେବେଳେ ଖାଲି ହୋଇଯାଇଛି କେଜାଣି.... ଉଲଗ୍ନ ଶରୀର ବୋଝ ବୋହି ଆଉ ସେ କ୍ଷୁଧା ମେଣ୍ଟେଇ ପାରିବନି ।

 

ସବୁର ତ ପୁଣି ସୀମା ଥାଏ ? ତାକୁ ଅତିକ୍ରମ କରିବା କ’ଣ ମୁକ୍ତିର ପ୍ରଥମ ସୋପାନ ।

 

ମୁକ୍ତି ! ମୁକ୍ତି ! ମୁକ୍ତି !

 

କିଏ ଯେମିତି ମନରୁ କହୁଛି ‘‘ମୃତ୍ୟୁ ! ମୃତ୍ୟୁ ! ମୃତ୍ୟୁ !’’

 

ଶିଖା ଠୋ, ଠୋ, କରି ହସିଉଠିଲା । ବିଭ୍ରାନ୍ତିକର ପାଗଳିନୀର ହସ । ମାତାଲର ହସ-

 

କିନ୍ତୁ ତା’ର ବଳିଷ୍ଠ ସୁଗୋଲ ଶରୀର ? ମୃତ୍ୟୁ ପରେ କେମିତି ସେ ତା’ର ଯତ୍ନ ନେବ ? କିଏ ଦେଖିବ ତାକୁ ? ହୁଏତ ବନ୍ଧୁମାନେ...ହୁଏତ ସ୍ୱାମୀ ତା’ର.....ଆରେ ଯେଉଁମାନେ ଦୂରରେ ଅଛନ୍ତି...ତେବେ... ତେବେ ସେମାନଙ୍କ ପାଇଁ... ।

 

ଆଶ୍ଚର୍ଯ୍ୟ ! ମୃତ୍ୟୁର କଥା ଭାବିଲେ ତ କିଛି କଷ୍ଟ ହେଉନାହିଁ–ଯନ୍ତ୍ରଣା ମଧ୍ୟ ନାହିଁ । କିଛି ଆଉ ଆଶା ଆକାଂଙ୍‍କ୍ଷା ସ୍ୱପ୍ନ ତା’ ହୃଦୟରେ ନାହିଁ... । କେବଳ ଗୋଟିଏ ନିଶା ଅଛି ଜାଣିବାର...ଦେଖିବାର । ତା’ ଶରୀରର ଅନୁପସ୍ଥିତିରେ ଅନ୍ୟ ଲୋକମାନଙ୍କର ଯନ୍ତ୍ରଣାକାତର ଅଶ୍ରୁବିଜଡ଼ିତ ଚକ୍ଷୁଗୁଡ଼ିକ ଦେଖିବାର ଏକ ପିପାସା ତା’ ମନରେ ରହିଛି ।

 

କ’ଣ ହେବ ତେବେ ? ସେ ଅଖିବୁଜି ଶୋଇଥିବ । ଆପାଦମସ୍ତକ ଧଳା ଚାଦରରେ ତା’ର ସୁନ୍ଦର ଦେହଟି ଆଚ୍ଛାଦିତ ଥିବ । ଆସୁଥିବେ ଶହ ଶହ ଲୋକ–ଫ୍ୟାକ୍‍ଟରୀର, ବିଭିନ୍ନ ଅନୁଷ୍ଠାନର, ସଂଘ ସମିତିର । ଆସୁଥିବେ ତା’ର ପ୍ରିୟ ପରିଜନ, ହାତରେ ଧରି ଗୋଛା ଗୋଛା ଫୁଲ...ଅତର, ଧୂପକାଠି...ମାତ୍ର ଦେଖିବେ କ’ଣ ? କ’ଣ ଦେଖିବେ ସେମାନେ ? କିଛି ତ ଦେଖି ପାରିବେନି... ? ଇସ୍ ! କି ବାଜେ ସିଷ୍ଟମ ଏଇ ମୃତ୍ୟୁ ପରେ ଶେଷ ଦର୍ଶନ, ଯେଉଁଥିରେ କିଛି ହିଁ ଦର୍ଶନ ନାହିଁ.....ନାଃ, ତାକୁ ଏ ପ୍ରଥାର ଧାରା ବଦଳାଇବାକୁ ହେବ–ଜୀବନ ଓ ସମାଜର ସବୁ ପଦ୍ଧତିକୁ ଯେ ବଦଳାଇ ଦେଇ ପାରିଛି–ସବୁ ନୀତି ନିୟମଠାରୁ ସେ ତ ଊର୍ଦ୍ଧ୍ୱକୁ ଚାଲିଯାଇ ସମାଜର ସ୍ୱୀକୃତି ପାଇଛି, ତେବେ ମୃତ୍ୟୁ ପରେ କାହିଁକି ପାଇବନି ? କିଏ ତା’ର ପ୍ରତିବନ୍ଧକ ? ସନ୍ତୋଷ...ନାଁ...ନାଁ...ଜୀବନକାଳ ଭିତରେ ତା’ର ସମସ୍ତ ଅଭିଳାଷ ଓ ଖେୟାଲ୍ ପୂରଣ ପାଇଁ ଯେ କେବେହେଲେ ବାଧା ସୃଷ୍ଟି କରିନି ।

 

ଶିଖା ଫୋନ୍ ଉଠାଇ ସଙ୍ଗେ ସଙ୍ଗେ ସନ୍ତୋଷକୁ ଡକାଇ ପଠାଇଲା । ସେଇପରି ଉଲଗ୍ନ ଅବସ୍ଥାରେ କବାଟ ଖୋଲିଲା ଶିଖା । ସନ୍ତୋଷର ଆଖିରେ ବିସ୍ମୟର ଆଭାସ ନାହିଁ... ସାମାନ୍ୟ ବିରକ୍ତିଭାବ ନିମିଷକରେ ମିଳାଇଗଲା... ।

 

‘‘ସନ୍ତୋଷ !’’

 

‘‘କ’ଣ କୁହ । ବୋର୍ଡ଼ର ଜରୁରୀ ମିଟିଂ । ସମୟ ନାହିଁ ।’’

 

‘‘ସନ୍ତୋଷ ! ମୋର ଗୋଟାଏ କଥା ରଖିବ–ଶପଥ କଲେ କହିବି ।’’

 

‘‘ଆବ୍‍ସର୍ଡ଼ ! ଯାହା ତମେ ଚାହିଁଛ ସବୁ ହୋଇଛି... ।’’

 

‘‘ନାଁ, ନାଁ ସନ୍ତୋଷ ! ଏ କିନ୍ତୁ ଜୀବନର କଥା ନୁହେଁ–ଏ ଯେ ମୋର ମୃତ୍ୟୁର କଥା । ତୁମ ଛଡ଼ା ଏ କାମ କେହି କରି ପାରିବେନି...ସ୍ତ୍ରୀ ହିସାବରେ ମୁଁ ତୁମକୁ କିଛି ମାଗିନି...କେବଳ ।’’

 

‘‘ଆଃ କୁହନା ଶୀଘ୍ର–ମୋର ଟାଇମ୍ ନାହିଁ ।’’

 

‘‘ରଖିବ ଏଇଟି ମୋର ଅନ୍ତିମ ଇଚ୍ଛା । ମୋର ମୃତ୍ୟୁ ପରେ ମୋର ଶରୀରକୁ ନଗ୍ନ ଅବସ୍ଥାରେ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ କୌଣସି ଏକ ଖୋଲା ସ୍ଥାନରେ ଶେଷ ଦର୍ଶନ ପାଇଁ ରଖିବ ।’’

 

‘‘ତା’ପରେ ?’’ ସନ୍ତୋଷ ଗୋଟିଏ ଛୋଟ ପକେଟ୍ ଡାଏରୀରେ ଟିପି ରଖୁ ରଖୁ ପଚାରିଲେ ସ୍ୱାଭାବିକ କଣ୍ଠରେ ।

 

‘‘ତା’ପରେ ? ଆଉ କ’ଣ ? କିଛି ଅଛି କି ସନ୍ତୋଷ..... ?’’

 

‘‘ବାସ୍ ଏତିକି ? ସରିଲା ତ–ମୁଁ ଉଠିଲି । ତୁମର ଇଚ୍ଛା ପୂରଣ ହେବ । ବାଏ... ।’’

 

‘‘ମାତ୍ର ତା’ପରେ......ତା’ପରେ କ’ଣ ସନ୍ତୋଷ ?’’

 

ହରିବଲ–ମୁଁ ସହି ପାରିବିନି–କେହି ପାରିବେନି.....ସନ୍ତୋଷ ତା’ପରେ କ’ଣ କହିଯାଅ ସନ୍ତୋଷ... ।’’

 

ସନ୍ତୋଷ ଚଲି ଯାଇଥିଲେ ସେତେବେଳକୁ । ଶିଖା ଏକ ପ୍ରଶ୍ନବାଚୀ ପରି ବୁଝିପାରୁ ନ ଥିଲା । ଇଚ୍ଛା ମାନେ ଏମିତି ସୁ-ସମୟରେ ଶବ୍ଦଶୂନ୍ୟ କାହିଁକି ହୋଇଯା’ନ୍ତି । ଆଉ ତାହାହିଁ କ’ଣ ମୁକ୍ତି ? ଆଉ ସେଇ କ’ଣ ଶେଷ କଥା ???

✽✽✽

 

ଶୂନ୍ୟତାର ଯନ୍ତ୍ରଣା

ପ୍ରଥମ ଦୃଶ୍ୟ

କୌଣସି ଏକ ସକାଳ

 

‘‘ଶ୍ରୀଧର । ଶ୍ରୀଧର... !’’

 

କିଏ ଯେମିତି ଦି’ଥର କେଉଁଠୁ ଡାକିଦେଲା । ହୁଏତ ପାଖ ରୁମ୍‍ରୁ । କାହାର କଣ୍ଠ କେଜାଣି ! ମନେହେଲା ମୁଣ୍ଡ ଉପରେ କିଏ ଛିଡ଼ା ହୋଇ ଡାକୁଛି । ....ପୁଣି ମନେ ହେଲା ନାହିଁତ । ତା’ ଗୋଡ଼ ପାଖରେ ଛିଡ଼ାହୋଇ......

 

ଝରକା ଦେଇ ପାହାନ୍ତିର ତରା ତାକୁ ଅନେଇଛି । ଶ୍ରୀଧର କର ଲେଉଟାଇ ପୁଣି ଶୋଇପଡ଼ିବାକୁ ଚେଷ୍ଟା କଲା ।

 

ପକ୍ଷୀଟାଏ ଚିଁ ଚିଁ କରି କେଉଁଠି ନିଦରୁ ଉଠି ପଡ଼ିଲା କି କ’ଣ । ଶ୍ରୀଧରକୁ ବିରକ୍ତ ଲାଗିଗଲା । ସେ ପୁଣି ଆରପଟକୁ ଲେଉଟି ଶୋଇଲା ।

 

‘‘ଶ୍ରୀଧର.... ଶ୍ରୀଧର.... ଧିରୁ....ଧିରୁ–ଶ୍ରୀଧର.... ।’’

 

ଗୋଟିଏ ସୁରରେ କାନ ପାଖରେ କିଏ ଯେମିତି ଗୀତ ଗାଉଛି ।

 

ଶ୍ରୀଧର ଉଠି ବସିଲା ବିଛଣାରେ । ଦେହ ହାତ ସବୁ ଦରଜ ଲାଗୁଛି । ମୁଣ୍ଡଟା କିପରି ଝିମି ଝିମି ଲାଗୁଛି । ସେ କ’ଣ ସ୍ୱପ୍ନ ଦେଖୁଥିଲା କି ? ନାହିଁ ତ... ପାହାନ୍ତିର ତାରାକୁ ଯେଉଁଠି ଦେଖିଥିଲା, ସେଇଠି ଅଛି ।

 

ପାରାଟାଏ ଏତିକିବେଳେ ଘୁମ୍ ଘୁମ୍ କରି ଘୁମୁରି ଉଠିଲା । ଘଣ୍ଟାରେ କେତେ ବାଜିଲାଣି କେଜାଣି ।

 

ଉଠିପଡ଼ିବ କି ସେ ଏଥର ? ମୁହଁ ହାତ ଧୋଇ ଗୀତା ପଢ଼ି ବସିବ ? କର୍ମ କରିଯାଅ । ଫଳକୁ ଆଶା କରନାହିଁ... ! ଖୁବ୍ ଭଲ କଥା–ଦିନ ସାରା ନିର୍ଲିପ୍ତ ଭାବରେ କାମ କରି ରାତିରେ ଶୋଇଯିବ । ଫେର୍ ସକାଳ ଆସିବ.... ସେ ପଢ଼ିବ ନିଜକୁ ଅକ୍ତିଆରରେ ରଖିଥିବାରୁ ଅର୍ଜୁନ ସକଳ କାର୍ଯ୍ୟରେ କିପରି ସଫଳତା ଲାଭ କରିଥିଲେ..... । ତା’ ପରଦିନ ସେ ରାତିରେ ଶୋଇବ ନାହିଁ । କ’ଣ କରିବ ? ଯୋଗ ? ପ୍ରାର୍ଥନା ? ନାଁ, ନାଁ ଅସମ୍ଭବ ! ଆଜି ପର୍ଯ୍ୟନ୍ତ ସେ ଭଗବାନଙ୍କୁ ତା’ର ଦୁର୍ଦ୍ଦିନରେ ବି ଦୁଇ ମିନିଟ ସ୍ଥିର ଭାବରେ ଡାକି ପାରିନି । ପ୍ରଥମ କଥା, କିପରି ଭାବରେ ଡାକିବ ? ପୁଣି କେଉଁଠି ଡାକିବ ? ଗୀର୍ଜାରେ, ନା ମସ୍‍ଜିଦରେ ନା ମନ୍ଦିରରେ ?

 

ଶ୍ରୀଧର ଝର୍କା ଦେଇ ଦେଖି ପାରୁଥିଲା ଫିକା ସକାଳର କୁହୁଡ଼ି କାଟି ମୁଣ୍ଡରେ ମଙ୍କି କ୍ୟାପ୍ ପିନ୍ଧି ଗୌରହରିବାବୁ ପ୍ରାତଃ ଭ୍ରମଣରେ ବାହାରି ପଡ଼ିଲେଣି । ପ୍ରତିଟି ବୟସର ଏକ ଧାରା ଅଛି.....ସବୁ ବୟସରେ ସବୁ କାମ କି ସବୁ ଚିନ୍ତା କରାଯାଏନା ।

 

କିନ୍ତୁ ବର୍ଷ ବୟସରେ ଯନ୍ତ୍ର ସହିତ ସାମିଲ ହୋଇ ସବୁଦିନେ ରକ୍ତ ଢାଳିବା କ’ଣ ଏକ ଧାରା ?

 

କହୁଣୀଟା ଦରଜ ଲାଗୁଛି । ଜିମ୍ନାସିୟମରେ ପ୍ରତିଦିନ କେତେ କୁସ୍ତି ନ କରିଛି ଶ୍ରୀଧର; କିନ୍ତୁ ହେଲାନି ଏଇ ଯନ୍ତ୍ର ସଙ୍ଗରେ । ପ୍ରତିଦିନ ଯେମିତି ପେଷି ହୋଇ ସେ ଧୂଳି ହୋଇଯାଉଛି ଆଉ ନେଇଆସୁଛି ମୁଠା ମୁଠା ଟଙ୍କା ଘରକୁ । ବୋଉ କେତେବାର ବାପାଙ୍କୁ କହିଛି ଅନ୍ୟ ଚାକିରି ବୁଝି ଦେବାକୁ । ବାପା କିନ୍ତୁ ନୀରବ–ବାପା କେବଳ ତାଗିଦା କରିଛନ୍ତି ପୁଅର ଭଲ କରି ଖାଇବା ଖବର ବୁଝିନେବାକୁ ।

 

ଶ୍ରୀଧର ମଶାରି ଭିତରେ ଉଡ଼ୁଥିବା ମଶାରୁ ଗୋଟାଏ ହାତରେ ଦଳି ଚକଟି ଦେଲା ।

 

ଚିତ୍ ହୋଇ ଶ୍ରୀଧର ପୁଣି ଶୋଇପଡ଼ିଲା । ପାଖ ଘରୁ ଏଥର ସାନ ଭାଇର ପୁଅ ରାହାଧରି କାନ୍ଦିଉଠିଲା । ତା’ ପଛକୁ ପଛ ଭାଇ ଆଉ ଭାଉଜର ବ୍ୟସ୍ତତା ।

 

ବିରକ୍ତ ଲାଗୁଛି ଶ୍ରୀଧରକୁ । ବୋର୍...ଗ୍ରେଟ୍ ବୋର୍ । ଶାନ୍ତିରେ ରଖେଇ ଦେବା ଓ ନ ଦେବା ଏଇ ଦୁଇଟି କଥା ସେ ସାରା ଜୀବନ ଭାବି ଚାଲିଛି । କି ମୁସ୍କିଲ ବ୍ୟାପାର । ତା’ ମୁଣ୍ଡରେ ଅନ୍ୟ କଥା କାହିଁକି ଆସୁନି ? କାହିଁକି ? କାହିଁକି ଏ ଜାଲ ଭିତରୁ ସେ ନିଜକୁ ମୁକୁଳାଇ ଦେଇନାହିଁ-? କିଏ ତାକୁ ବାନ୍ଧୁଛି......କିଏ ? କିଏ ତାକୁ କହୁଛି ଏଇଟା କର–ସେଇଟା କରନା ? ଏଇ କାମଟା ଏତିକିବେଳେ କଲେ ସୁଖ ମିଳିବ...ପ୍ରାଚୁର୍ଯ୍ୟ ମିଳିବ । ଅନ୍ୟ କାମଟା କଲେ ଯନ୍ତ୍ରଣାରେ ଶଢ଼ି ନିଶ୍ଚିହ୍ନ ହୋଇଯିବ ତା’ର ସତ୍ତା । କିଏ ତାକୁ ଜନ୍ମ ଦେଇଛି...ରୁଟିନ୍ କରି ତା’ର ଆଖି ଆଗରେ ଜୀବନର ରୀତିନୀତିକୁ ପର୍ଯ୍ୟାୟକ୍ରମେ ବୟସର ଘଣ୍ଟା ବାଡ଼େଇ ସୂଚେଇ ଦେଉଛି-? କହିଦେଉଛି ଗୀତା ପଢ଼, କାରଖାନାରେ ମେସିନ୍ ଚଲାଅ, ସନ୍ଧ୍ୟାବେଳେ ପଡ଼ିଆରେ କୁଦା ମାର, ରାତିହେଲେ ନିଜକୁ ହଜେଇ ଦିଅ । କିଏ ? କିଏ ସେ ? ଶ୍ରୀଧର ତାକୁ ମାନିବନି-। ତା’ର ଅସ୍ତିତ୍ୱକୁ ସ୍ୱୀକାର କରିବନି... ଶ୍ରୀଧର ପଚିଶ ବର୍ଷ ଧରି କଥା ମାନିଛି, ରୁଟିନ୍ ନେଇ କାମ କରିଛି...ଏଣିକି ନୁହେଁ ନୁହେଁ ।

 

ପୁଣି ଯେମିତି କିଏ ଡାକୁଛି କବାଟ ସେ ପଟରେ...

 

‘‘ଶ୍ରୀଧର...ଧିରୁ ଧିରୁ ଉଠରେ ଉଠ୍....ଶ୍ରୀଧର, ଉଠୁରେ ଉଠ୍... ।’’

 

ଦାନ୍ତ ଉପରେ ଦାନ୍ତ ଚାପି ଧରିଲା ଶ୍ରୀଧର । ପାରାର ଘୁମ୍‍ଘୁମ୍ ଶବ୍ଦ ମିଳେଇଗଲାଣି ପବନରେ । ପାହାନ୍ତିର ତାରାଟି ବି ହଜିଗଲାଣି ଆକାଶରେ । ରାତି ଯାଇ ଦିନ ଯେ ଆସୁଛି, ଆସୁଛି...ସୂର୍ଯ୍ୟ...ଆସୁଛି କାରଖାନାକୁ ଯିବାର ସମୟ...ଆସୁଛି ବାପାଙ୍କର ଔଷଧ ତାଲିକା....ବୋଉର ପରିବା ଲିଷ୍ଟ... ଆସୁଛି ପାକସ୍ଥଳୀର ଆର୍ତ୍ତନାଦ...ଆସୁଛି ଗୌରହରି ବାବୁଙ୍କର ଏଇ ବାଟେ ବାଟେ ଶ୍ରୀଧରର ସମୟାନୁବର୍ତ୍ତିତା ଲକ୍ଷ୍ୟ କରିବାର ସମୟ ଆସୁଛି....ଆସୁଛି ...ସବୁ କିଛି ଆସୁଛି ଡେଇଁ ଡେଇଁ ଛନ୍ଦାଛନ୍ଦି ହୋଇ–ଏକାପରି ମୁହଁ, ଏକାପରି ଚାଲି, ଏକାପରି ଗେହ୍ଲେଇ ହେବାର ଢଙ୍ଗ...... । ଇସ୍ ! କି ବିରକ୍ତିକର । କି ବୋର୍ ଏ ଜୀବନ ଅଥଚ ଅଥଚ.... ।

 

ସେ ଆଖି ବନ୍ଦ କରି ଉଠିପଡ଼ିଲା ଏବଂ ଏକ ନିଃଶ୍ୱାସରେ ଟେବୁଲ ଉପରେ ଥୁଆ ହୋଇଥିବା ଘଣ୍ଟାଟାକୁ ଝର୍କା ଦେଇ ତଳକୁ ଫିଙ୍ଗିଦେଲା ।

 

କି ଆଶ୍ଚର୍ଯ୍ୟ... ଘଣ୍ଟାଟା ତଳେ ପଡ଼ିଯାଇ ବି ଚିତ୍କାର କରୁଛି.....ଆଲାର୍ମ ଦିଆ ହୋଇଥିଲା ଛ’ଟାକୁ ଯେ... ।

 

ଶ୍ରୀଧର ମଶାରି ଭିତରକୁ ପଶିଯାଇ କିରିକିରି ହୋଇ ହସିଉଠିଲା ।

✽✽✽

 

ଦ୍ୱିତୀୟ ଦୃଶ୍ୟ

କୌଣସି ଏକ ସନ୍ଧ୍ୟା

 

ସେ ଜାଣିଛି ପଛରୁ କିଏ ଡାକୁଛି । ନନ୍ ସେନ୍ସ । ଏଇ ଅବସ୍ଥାରେ ଡାକିବାର ଥିଲା ? ନାଁ.....କଦାପି ନୁହେଁ । ଦେହସାରା ଧୂଳି ମଇଳା କଳା ଚାପିହୋଇ ରହିଛି–ପକେଟ୍ରେ ଟଙ୍କାଗୁଡ଼ାଏ ବି ଅଛି । ସନ୍ଧ୍ୟା ହୋଇ ଆସୁଛି.....କାହାର ତ ପୁଣି କାମ ଥିବ......ତମର ସିନା ନାହିଁ । ନାଁ, ସେ ଅଟକିବନି... । ପବନରେ ସିଆର କାଟି ଯେମିତି ସାଇକେଲଟା ଗଡ଼ି ଗଡ଼ି ଯାଉଛି ।

 

‘‘ଏଇ ଶ୍ରୀଧର......ଧିର...ଆରେରେ ଶୁଣ୍...ଭୂତଟା ଭଳି ଧାଉଁଛୁ କ’ଣ ?’’

 

ଯେମିତି କିଏ ତାକୁ କୁତୁକୁତୁ କରିଦେଲା । ହାତଗୋନ ସବୁ ଶିର୍ ଶିର୍ ହୋଇ ଉଠିଲା-। ତା’ ସାଇକେଲକୁ ଘେରାଉ କରି ଦି’ପଟରୁ ଛିଡ଼ା ହୋଇଗଲେ ଶୁକଦେବ ଆଉ ଦିଗମ୍ୱର-। ସେମିତି ଧୂଳି ମଇଳା କଳା କଟ୍‍କଟ୍ ହୋଇଛନ୍ତି ।

 

‘‘ଆଜି ଯିବା ପରା ସେଆଡ଼େ । ତୁ ଏମିତି କୁଆଡ଼େ ଧାଇଁ ପଳଉଛୁ ?’’

 

‘‘କୁଆଡ଼େ ଯିବା ଶୁଣେ...ତୁମର ଇଚ୍ଛା ହେଉଛି ତ ଯାଅ, ମୋ ସାଙ୍ଗରେ ଲଗନା । ମୁଁ ଯିବିନି ।’’

 

ଶୁକଦେବ ଦିଗମ୍ୱରକୁ ଚାହିଁଲା । ଦିଗମ୍ୱର ସିଗାରେଟ୍ ଗୋଟାଏ ପାଟିରେ ଗୁଞ୍ଜି ନିଆଁ ଲଗାଇ କହିଲା–

 

‘‘ଆଜି ମାଲ୍ ବଢ଼ିଆ । ସେ ଦିନଟା ଏକଦମ୍ ଧୋକଡ଼ି ବୁଢ଼ୀ । ଏଇ ଶୁକଦେବ–ତୋର ଗୋଟାଏ କିଛି ଟେଷ୍ଟ ନାହିଁ ।’’

 

ଶ୍ରୀଧର ଉତ୍ତର ଦେଲାନି, ଶୁକଦେବ କହିଲା–

 

‘‘ହଟାବେ ତୋର ସୁନାମଣିକୁ । ଫୁଲ୍ଲରାଟି ତା’ ନାଁ...ସେ ଯଦି ବୁଢ଼ୀ, ଟୋକି କିଏ ବେ...ଭାରି ଟେଷ୍ଟ କଲାବାଲା... ଶୁକଦେବ ସହର ସାରା ସବୁ ମାଇକିନାଙ୍କୁ ଦେଖୁଛି... ହେଁ ତା’ ନାଁ ଫୁଲ୍ଲରା...ଫୁଲ ପରି ସେ...କାଟି ନ ଜାଣି କଟୁରୀ ଦୋଷ । ଆଖିରେ ସୁରମା ଲଗା, ବୋତଲ ଗୋଟିଏ ପକେଟରେ ରଖ ତେବେ ଯାଇଁ...ହେଁ ହେଁ ବୁଝିଲ ବାବୁ, ସେ ଶୁଖିଲା ପେଟରେ ଫୁଲ୍ଲରାର ମଜା ବୁଝି ପାରିବନି ।’’

 

ଦିଗମ୍ୱର କ’ଣ କହୁଥିଲା ଶ୍ରୀଧର ଶୁଣୁ ନଥିଲା । କି ବୋର୍ ଏମାନେ ତାକୁ କରୁଛନ୍ତି । ସତେ ଯେମିତି ସେ କିଛି ହିଁ ଜାଣେନି...ଏମାନେ ଏକ ଏକ ଏନ୍‍ସାଇକ୍ଲୋପିଡ଼ିୟା ।

 

ପକେଟରୁ ପାଞ୍ଚଟା ଟଙ୍କା ବାହାର କରି ସେ ଦିଗମ୍ୱରକୁ ଦେଇ କହିଲା ‘‘ନାଁ ଭାଇ । ମୁଁ ଏଇକ୍ଷଣି ଯାଇ ପାରିବିନି । ତମେ ଆଗରେ ଯାଇ ଯୋଗାଡ଼ କର ମାଲ୍ ମସଲା... ମୁଁ ପଛରେ ପହଞ୍ଚିବି ଯେ... ।’’

 

ଟଙ୍କାଟା ଚିଲ ପରି ଓଟାରି ନେଇ ଦି’ଜଣ ବିନା ବାକ୍ୟବ୍ୟୟରେ ଚାଲିଗଲେ । ଶ୍ରୀଧର ସାଇକେଲ ଗଡ଼ାଇନେଲା ଆଗକୁ ।

 

ସେମାନେ ସମସ୍ତେ କ’ଣ ଭାରି ଚତୁର ? ଭାରି ବୁଦ୍ଧିମାନ ତା’ଠାରୁ ? ସେ ତ ବି.ଏ. ପାଶ୍–ସେମାନେ ମାଟ୍ରିକ ବି ପାଶ୍ କରି ନାହାନ୍ତି । ପୁଣି ସେଇ ଡିଗ୍ରୀ କଥା । କାରଖାନା ତ ସମସ୍ତଙ୍କୁ ଏକେଇ ଡିଗ୍ରୀରେ ରଖିଛି–ମାପ ଦେଉଛି–ଲୁହାରେ ଆଉଟି ଦେଉଛି । ସବୁ ଏକାକାର, ବଛାବଛି କିଛି ନାହିଁ, ଜୀବନ ପାଇଁ ସୃଷ୍ଟି ହେଉଥିବା ରାତ୍ରିର ରକ୍ତ, ଦିନର ପିଚୁଢ଼ଳା ରାସ୍ତାରେ ଆଉ କାରଖାନାର ମେସିନ ଭିତରେ ଚିପୁଡ଼ି ହୋଇ ନିଗିଡ଼ିଯାଏ । କଳା, ନାଲି, ନେଳି, ସବୁ ରକ୍ତ ଏକାକାର ହୋଇ କେଉଁଠି ଲହଡ଼ି ଭାଙ୍ଗେ କେଜାଣି ଶ୍ରୀଧର ବୁଝିପାରେ ନାହିଁ ।

 

ବଡ଼ କ୍ଳାନ୍ତ, ବଡ଼ ଅସହାୟ ଲାଗେ ତାକୁ ସମୟେ ସମୟେ ।

 

ଦ୍ୱାର ମୁହଁରେ ଛିଡ଼ା ହୋଇଛି ବୀରବର, ପଛକୁ ପଛ ରସିକମୋହନ ମଧ୍ୟ । ଶ୍ରୀଧର ଠିକ୍ କରି ପାରିଲାନି ସେ ରାଗିବ କି ନାହିଁ । ଚାରିଆଡ଼େ ତା’ର ପରିଚିତ ସଂଖ୍ୟା ଏତେ, ଅଥଚ କାହା ପାଖରୁ ଟିକେ ଭରସା ନାହିଁ, ସାନ୍ତ୍ୱନା ନାହିଁ, ଅଛି ଖାଲି ଦୌରାତ୍ମ୍ୟ–ଅସହ୍ୟ–ଏକଦମ୍ ବିରକ୍ତିକର ।

 

ବୀରବର ଆଗେଇ ଆସି ଫୁସ୍‍ଫୁସ୍ କରି କହିଲା–

 

‘‘ସବୁ ଠିକ୍ ହୋଇଯାଇଛି । ରାତି ସାଢ଼େ ଗୋଟାଏବେଳେ.... ବୁଝିଲୁ । ତୋତେ କିଛି କରିବାକୁ ହେବନି..... ।’’

 

‘‘ମୋତେ ଯଦି କିଛି କରିବାକୁ ହେବନି ମୁଁ ଯିବି କାହିଁକି ?’’ କଣ୍ଠରେ ବିରକ୍ତି ଫୁଟାଇ ଶ୍ରୀଧର ପ୍ରଶ୍ନ କଲା ।

 

‘‘ମାନେ ? କିରେ ତୁ ନ ଗଲେ କାମଗୁଡ଼ା ହେବ କିମିତି ? ତୁ ଯେତେହେଲେ ଇଞ୍ଜିନ୍‍ଟି-? ଥରେ ନିଆଁ ଲାଗିଗଲେ ବୁଢ଼ା ବୁଝିବ... ଆମରି ରକ୍ତରେ ଗଢ଼ା କାରଖାନା ! ବର୍ଷକୁ ବର୍ଷ କୋଠା ଗଢ଼ି ଚାଲିଛି–ପୁଅ ଝିଅଙ୍କୁ ଲଣ୍ଡନ, ଆମେରିକା, ହନିମୁନ୍ କରିବାକୁ ପଠଉଛି...ଆଉ କ’ଣ ନା ଆମରି ବେଳକୁ ଟଙ୍କା କେତେଟା ଆଡ଼୍‍ଭାନ୍‍ସ ବି ଦେଇ ପାରିବନି... ।

 

ରସିକମୋହନର କଥାରେ ଉତ୍ତେଜିତ କରିବାର ଇଙ୍ଗିତ ରହିଛି... ଅଥଚ ଶ୍ରୀଧରର ଛାତି ଭିତରଟା କେମିତି ବରଫ ପାଲଟି ଯାଉଥିଲା । ଭୟରେ ନୁହେଁ, ଆଶଙ୍କାରେ ନୁହେଁ, ପରିବାରର ଲାଳନରେ ନୁହେଁ... ଭୟାନକ ଏକ ଶୂନ୍ୟତାରେ... ।

 

ଆଖି ଆଗରେ ନାଚି ଯାଉଥିଲା ଅତୀତର ସମସ୍ତ ଘଟଣା । ବିପ୍ଳବର ସମସ୍ତ ଇତିହାସ-। କିନ୍ତୁ ଲାଭ କ’ଣ ହୋଇଛି ? ପୁଣି ସେଇ ଦାନ୍ତ ନିକିଟା, ଅଇଁଠାଚଟା ଆଉ ଭିକ୍ଷା ଝୁଲିର ତ କିଛି ଧାରା ବଦଳି ନାହିଁ । ଶେଷ କଥା ୟାର କ’ଣ ? କିଏ ଯଦି କହି ଦେଇ ପାରନ୍ତା ସେଇ କଥାଟି-? କିଛି ନାହିଁ...... କିଛି ନାହିଁ ।

 

‘‘ତୋତେ ଅକାଳବାର୍ଦ୍ଧକ୍ୟ ଘୋଟି ଗଲାଣିରେ ଧୀରୁ । ଆକାଶକୁ ଅନେଇଁ ତୁ ଯେମିତି ଭାବବିହ୍ୱଳ ହୋଇଯାଉଛୁ... ।’’

 

ଅପ୍ରସ୍ତୁତ ହୋଇ ଶ୍ରୀଧର କହିଲା–

 

‘‘ନାହିଁରେ, ତମେ ଯାଅ । ସବୁ ଯୋଗାଡ଼ କର । ମୁଁ ଠିକ୍ ସମୟରେ ପହଞ୍ଚିବି । ଆଜି ମୁଣ୍ଡଟା ଟିକେ ଗୋଳମାଳିଆ ଅଛି..... ।’’

 

ସେମାନେ ଚାଲିଗଲେ ସାଇକେଲ ଛୁଟାଇ । ଘର ଭିତରକୁ ସାଇକେଲଟା ଟେକି ନେଉ ନେଉ ବଡ଼ ହାଲିଆ ବୋଧକଲା ଶ୍ରୀଧର । ତା’ର ଜିମ୍ନାସିୟମ୍‍ ରେ ତିଆରି ହୋଇଥିବା ବଳିଷ୍ଠ ମାଂସପେଶୀରେ ଟିକେ ହେଲେ ବଳ ନାହିଁ..... ଚାରିଆଡ଼ୁ ସନ୍ଧ୍ୟାର ଆଧାର ତାକୁ ଯେମିତି ଦଳି ମକ୍‍ଚି ପେଷି ଦେଇଯାଉଛି । କ’ଣ କରିବ....କ’ଣ କରିବ ଶ୍ରୀଧର ଜାଣି ପାରୁ ନ ଥିଲା ।

✽✽✽

 

ତୃତୀୟ ଦୃଶ୍ୟ

କୌଣସି ଏକ ମଧ୍ୟାହ୍ନ

 

ଖରା...ଉତ୍ତପ୍ତ ଖରାରେ ଯେମିତି ବହୁଦିନର ପୃଥିବୀଟା ଜଳୁଛି । ଜଳି ଜଳି ତରଳି ସେ ଯେମିତି ଏକ ବିନ୍ଦୁରେ ଆସି ଶ୍ରୀଧରର ହାତମୁଠାରେ । ଉଃ । ପୋଡ଼ି ଯାଉଛି ଦେହ ହାତ...ଗୋଟାଏ ଯନ୍ତ୍ରଣା, ଯାହାକୁ ଶ୍ରୀଧର କାହାକୁ ବୁଝାଇ ପାରୁନାହିଁ । ବୁଝାଇ ନ ପାରିବାର କଷ୍ଟ ନୁହେଁ । ନିଜେ ବୁଝି ପାରୁଥିବାର ସେଇ ସୀମାହୀନ ଯନ୍ତ୍ରଣା । ସବୁ ଶେଷ ହୋଇ ଆସୁଥିବାର ମୁଠାଏ ଜୁଇ ଯେମିତି ।

 

ପୁଣି ସେଇ ବିକଳ ଆର୍ତ୍ତନାଦ କାନ ପାଖରେ–ପଳା, ପଳାରେ ଶ୍ରୀଧର ପଳା । ଯୁଆଡ଼େ ଆଖି ପାଉଛି ପଳା....

 

ମୂର୍ଖଙ୍କ ଭଳି ଇଆଡ଼େ ସେଆଡ଼େ ସେ କେତେ ନ ଚାହିଁଛି । କେହି ନାହିଁ । ଶେଷକୁ ନିଜକୁ ବୋଧ ଦେଇ ହସିଦେଇଛି ସେ ।

 

ଉଃ ! ମଧ୍ୟାହ୍ନର ସୂର୍ଯ୍ୟ ଯେମିତି ଏକ ବିନ୍ଦୁ ହୋଇ ତା’ ମୁଠା ଭିତରେ ରହିଯାଇଛି । ସନ୍ଧ୍ୟା ଆସିବାକୁ କେତେ ଯେ ଡେରି ?

 

ଶ୍ରୀଧରର ଦେହେ ଦେହେ ପୁଣି ସେଇ ସଙ୍ଗୀତର ସ୍ୱର । ଅସହ୍ୟ ।

 

ଉଠିପଡ଼ିଲା ସେ । ଏକମୁହାଁ ପଦାକୁ ଆସି ସାଇକଲ୍ରେ ଉଠିଗଲା । କିଏ ଯେମିତି ମନକୁ ମନ ତାକୁ ଟାଣି ନେଉଛି ।

 

ସୂର୍ଯ୍ୟ ସେମିତି ଏକ ବିନ୍ଦୁରେ ଅବସ୍ଥାନ କରିଛନ୍ତି । ବାହାରର ପୃଥିବୀ ଜଳୁଛି ତା’ର ଚିରାଚରିତ ଆଦିମ ଧାରାରେ ।

 

ରାଶି ରାଶି କୃଷ୍ଣଚୂଡ଼ା । ଅଥଚ ଦିନେ ବି ଶ୍ରୀଧର ଏସବୁ ଦେଖିବାକୁ ଇଚ୍ଛା କରିନାହିଁ । କଂକ୍ରିଟର ବୁକୁ ଥରାଇ ଗାଡ଼ି ମଟରର ବି ସେଇ ଚାଲିବାର ବିକଳ ଶବ୍ଦ । ଗୋଡ଼ ଭିତରଟା କ୍ରମଶଃ ପୋଡ଼ି ପାଉଁଶ ହୋଇ ଆସୁଛି ।

 

ନାଁ.... ନାଁ...ନାଁ...ଶ୍ରୀଧର ସାଇକେଲ୍‍ରୁ ଓହ୍ଲାଇ ପକେଟ୍‍ରୁ ରୁମାଲ ଖୋଜିଲା । ରାଶି ରାଶି କାଗଜର ଚିଠା–ବରାଦର ତାଲିକା । ତା’ର ମନ ଓ ଶରୀରକୁ ସଜାଗ ରଖିବାର ତାଲିକା । ପବନରେ ସେଗୁଡ଼ା ଯେମିତି ଉଡ଼ିଯାଇ ନିଃଶ୍ୱାସ ମାରିଲେ ।

 

କେହି କୁଆଡ଼େ ନାହିଁ । ଖାଲି ଖରା ଆଉ ଖରା ଆଉ ତା’ର ଚରମ ନିସ୍ତବ୍‍ଧତା । ଜଳୁଛି ଲାଲ୍ ଲାଲ୍ ଜିହ୍ୱା ବିସ୍ତାର କରି କୃଷ୍ଣଚୂଡ଼ାର ସ୍ତବକ ।

 

କ୍ଳାନ୍ତ...ବଡ଼ କ୍ଳାନ୍ତ...ଏକଦମ୍ ଅସହାୟ ଶ୍ରୀଧର ଏଇ ମୁହୂର୍ତ୍ତରେ । ଚୂନା ଚୂନା ପବନ ଯାହା ତା’ର କାନକୁ ଆଉଁଷି ଦେଇ ଯାଉଛି ।

 

ଶ୍ରୀଧର ଗଛ ମୂଳଟାରେ ବସିପଡ଼ିଲା, ଆଉ ଗୋଟାଏ ସେକେଣ୍ଡରେ ଚିତ୍ ହୋଇ ସୂର୍ଯ୍ୟକୁ ମୁହାଁମୁହିଁ ଚାହିଁ ଶୋଇଗଲା ।

 

କେହି କୁଆଡ଼େ ନାହିଁ । ଏମିତି କି ଗଛଟିରେ ପକ୍ଷୀଟିଏ ବି–ଏପରି ଏକ ପୃଥିବୀ ଯେ ଥାଇପାରେ ସେ ବି ଜାଣି ନ ଥିଲା କେବେହେଲେ ।

 

ସେ ଯଦି ଶୋଇ ଯାଇ ପାରନ୍ତା..... ଉଠ୍ ଉଠ୍ ବୋଲି କେହି ତାକୁ ତାଗିଦ କରନ୍ତା ନାହିଁ । ତା’ପରେ... ତା’ପରେ...... ସେଇ କାହାଣୀ ତ......ପକ୍ଷୀଟିଏ ଉଡ଼ିଗଲା ଫୁର୍‍ର କରି, ତା’ପରେ ଫୁର୍‍ର.....ଫୋର ଫୁର୍‍ର....ଧେତ୍ ନାଁ ନାଁ ନିହାତି ଟ୍ରାଡ଼ିସନାଲ୍ । କିଛି ନୂଆ କଥା ସେ ଭାବିପାରୁନି କାହିଁକି ? ଶ୍ରୀଧର ବଦଳି ଯାଇଥିବା ପୃଥିବୀର କି କୌଣସି ଅଂଶୀଦାର ନୁହେଁ ?

 

କିଏ ଗୋଟାଏ ସାଇକେଲରେ ସେବାଟେ ଯାଉଛି । ତା’ର ଅଜାଣତରେ ଗାଲଟାକୁ ମାଟି ଦେହରେ ଚାପି ସେ କରେଇ ପଡ଼ିଲା । ଆଃ... ମାଟିର ଗନ୍ଧ... ଘାସର ଗନ୍ଧ–ବେଶ୍ କିଛି ନୂଆ....ନାଁ ନାଁ, ନୂଆ କାହିଁକି ହେବ ? ୟାକୁ ବି ସେ ଜାଣେ କାହିଁ କେତେଦିନ ତଳେ...ଅନେକ, ଅନେକ ଦିନ ତଳେ ?.....ନିସ୍ତବ୍‍ଧ ରାତ୍ରି, ଅଗନାଅଗନି ବନସ୍ତ । କାଉର ଥଣ୍ଟ ନାହିଁ କି କୋଇଲିର ବେଣ୍ଟ ନାହିଁ......ସେ ଚାଲିଛି, ଦୂରରୁ ଶୁଭୁଛି ଅରଣ୍ୟ ପଶୁର ଉଲ୍ଲାସ ଚିତ୍କାର... ।

 

ହଠାତ୍, ହଠାତ୍ ସବୁ ଅନ୍ଧକାର ଦୂରେଇ ଯାଇ ଜଳିଉଠିଲା ଝିଲ୍‍ମିଲ୍ ହୋଇ ଆଲୁଅ । ହୀରାର ବିମାନରେ ଓହ୍ଲେଇ ଆସୁଛନ୍ତି ତ୍ରିମୂର୍ତ୍ତି । ବ୍ରହ୍ମା, ବିଷ୍ଣୁ, ମହେଶ୍ୱର ! ହାତ ଦେଖେଇ ତାକୁ ଇଙ୍ଗିତ କରୁଛନ୍ତି । ମାଗ୍, ବର ମାଗ୍ ! ଯାହା ତୋର ଇଚ୍ଛା ହେଉଛି ମାଗ୍ ।

 

ଆଲୋକରେ ଅନ୍ଧ ହୋଇଯାଉଛି ଶ୍ରୀଧରର ଆଖି...ନିଷ୍କ୍ରିୟ ହୋଇଯାଉଛି ବୁଦ୍ଧି ଆଉ ବିଚାରର ଶକ୍ତି । ପୃଥିବୀର ସୃଷ୍ଟିକର୍ତ୍ତା ଖୁବ୍ ଅସମୟରେ ଯେ ଚରମ ପ୍ରଶ୍ନ କରି ବସିଲେ... !

 

ଶ୍ରୀଧର ଏଣେ ତେଣେ ଅନେଇଁଲା । ଅଟକି ଯାଇଛନ୍ତି ଗଛଲତା, ପଶୁପକ୍ଷୀ ସମସ୍ତେ ଯେ ଯେଉଁଠି ଥିଲେ, ଯେପରି ଅବସ୍ଥାରେ ଥିଲେ... ମନେ ହେଉଥିଲା ପୃଥିବୀ ଯେମିତି ଏକ ବିନ୍ଦୁରେ ପରିଣତ ହୋଇ ଶ୍ରୀଧରର ପାଦ ତଳେ ଥରଥର କମ୍ପୁଥିଲା–ଉପରର ଆକାଶଟା ଏକ ଛୋଟ ତାରା ଦେହରେ ଝୁଲି ପଡ଼ି କାକୁତି କରୁଥିଲା ଶ୍ରୀଧରକୁ । ସତେ ଅବା ଶ୍ରୀଧରର ବର ମାଗିବା ଉପରେ ସେମାନଙ୍କର ଭବିଷ୍ୟତ ନିର୍ଭର କରୁଛି ।

 

ଶ୍ରୀଧର କିନ୍ତୁ ଅନୁଭବ କରୁଥିଲା ଯେ ସେ ବୋକା ହୋଇଯାଉଛି, ଏତେ ଚେଷ୍ଟା କଲେ ବି ତା’ର ଓଠପୁଡ଼ା ଶବ୍ଦ କରି ପାରୁନି । ଖାଲି ପାଟିଟା ମେଲା ହୋଇ ରହିଛି । ମୁଣ୍ଡରେ କୌଣସି କଥା ପଶୁନି । ଆଖି କ୍ରମଶଃ ଝାପ୍‍ସା ହେଉଛି, ଆଉ କାନ ମଧ୍ୟ ଶୁଣିବାର ଶକ୍ତି ହରେଇ ବସୁଛି ....ସୃଷ୍ଟିକର୍ତ୍ତା ବୋଧେ ବିରକ୍ତ ହୋଇ ଉଠିଲେ, ବିମାନ ଉଠିଯାଉଛି ଉପରକୁ......ନଷ୍ଟ ହୋଇଯାଉଛି ଚରମ ସାର୍ଥକତାର ମୁହୂର୍ତ୍ତ...ଅପଦାର୍ଥ ନିର୍ବୋଧ ଶ୍ରୀଧର...ଜୀବନର ସୁବର୍ଣ୍ଣ ସୁଯୋଗକୁ ହରାଇ ବସୁଛି । ଚତୁର୍ଦ୍ଦିଗରେ ହତାଶାର ଗୁଞ୍ଜନ–ନଷ୍ଟ ହେବାର ବିକଳ କାରୁଣ୍ୟ–ଅଜସ୍ର ଆଖିର ଓ କଟୁତିକ୍ତ ଶବ୍ଦର ବର୍ଚ୍ଛାରେ ସେ ଯେତେ ଚେଷ୍ଟା କରିଥିଲା ଦୌଡ଼ିଯାଇ ବିମାନଟିକୁ ଅଟକେଇବା ପାଇଁ ତାହା ବିଫଳ ହୋଇଥିଲା । କାରଣ ପୃଥିବୀ ତା’ର ପାଦକୁ ଜାବୁଡ଼ି ଧରିଥିଲା–ତା’ର କରୁଣ ଶବ୍ଦଗୁଡ଼ିକ ବାୟୁର ତରଙ୍ଗରେ କୌଣସି ସ୍ପନ୍ଦନ ସୃଷ୍ଟି କରିପାରି ନ ଥିଲେ । କେବଳ ହାତ ମୁହଁ ହଲେଇ ସେ କ’ଣ କହୁଥିଳା ତା’ ନିଜ କାନ ମଧ୍ୟ ଶୁଣିପାରୁ ନ ଥିଲା... !

 

ଗୋଟାଏ ପଲକରେ ଅନ୍ଧାର ପୁଣି ମାଡ଼ିଆସିଲା । ଶ୍ରୀଧର ଶୁଣି ପାରିଲା ଅରଣ୍ୟ ପଶୁର ଉଲ୍ଲାସ ଆର୍ତ୍ତନାଦ । ଆକାଶର ନିର୍ବିକାର ବୁକୁରେ ତାରାମାନଙ୍କର ବିଜୟୋନ୍ମତ୍ତ ପରିହାସ, ଆଉ ଧାଇଁ ଆସୁଥିବା ଅସୁରୁଣୀ ବୁଢ଼ୀର ପାହାଡ଼ ପରି ଦାନ୍ତ । ଡେଙ୍ଗା ଡେଙ୍ଗା ଗଛଗୁଡ଼ାକ ଚାରିକଡ଼ରୁ ଯେମିତି କୁଦି କୁଦି ଆସୁଛନ୍ତି, ବିରାଟ ଦସ୍ୟୁ ପରି । ତା’ରି ଚାରିଦିଗରେ ଅନ୍ଧାର......ବିକଟାଳ ପଶୁର ଆର୍ତ୍ତନାଦ.....ସେ କିଛି ଦେଖି ପାରୁନି ଜାଣି ପାରୁନି......କାହାକୁ ଡାକି ମଧ୍ୟ ପାରୁନି । ବୁଢ଼ା ଆଙ୍ଗୁଠିର ଟିପ ଦେଇ ସେ ଠିଆ ହୋଇଛି ପୃଥିବୀ ଉପରେ । ପାଦ ପାପୁଲି ଯେମିତି ଶୂନ୍ୟରେ ଶୂନ୍ୟରେ ଉପରକୁ ଉଡ଼ିଯିବାକୁ ବସିଛି । ଶ୍ରୀଧର ଅସହ୍ୟ ଯନ୍ତ୍ରଣାରେ କମ୍ପି ଉଠୁଛି... କ’ଣ କରିବ–ଆଃ.....କ’ଣ କରିବ...ଶୂନ୍ୟ, ଶୂନ୍ୟ......ମହାଶୂନ୍ୟର କି ଅସହ୍ୟ ବେଦନା.....

 

ଦୁଇ ହାତରେ ନିଜ ତଣ୍ଟିକୁ ଖୁବ୍ ଜୋରରେ ଚିପି ଧରି ଶ୍ରୀଧର ଚିତ୍କାର କରି ଉଠିଲା.....

 

‘‘ମୋତେ.....ମୋତେ ଜୀବନ ଦିଅ । ଜୀବନ ଦିଅ ମହାପ୍ରଭୁ......ଜୀବନ ମାଟି... ପୃଥିବୀ ଛଡ଼ା ମୁଁ କିଛି ଚାହେଁନା...ମୋତେ–ମୋତେ ଖାଲି ଜୀବନ ଦିଅ...ଜୀବନ ଦିଅ.... ।’’

 

ନିଜର ଯନ୍ତ୍ରଣାରେ ନିଜେ ହିଁ ଗଁ ଗଁ କରି ଶ୍ୱାସରୁଦ୍ଧ ହୋଇଗଲା ଶ୍ରୀଧର !

 

ଆଖି ଖୋଲିଲାବେଳକୁ ସୂର୍ଯ୍ୟ ଅନ୍ୟ ଏକ ବିନ୍ଦୁକୁ ଅପସରି ଯାଇଛନ୍ତି । ଅଜସ୍ର ବିସ୍ମୟ କୌତୂହଳଭରା ଆଖିରେ କେତୋଟି ଅଳ୍ପବୟସ୍କ ବାଳକ କେବଳ ତାକୁ ଚାହିଁ ରହିଛନ୍ତି !!!

✽✽✽

 

ବିକଳ୍ପ

 

ଉଦୟ ଝର୍କାଆଡ଼କୁ ମୁହଁ କରି ଆଖି ବୁଜି ସଂସ୍କୃତ ଶ୍ଳୋକ ମୁଖସ୍ତ କରିବାରେ ବ୍ୟସ୍ତ ଥିଲା । ଅରୁଣ କୁଆଡ଼େ ଦିନରାତି ଚବିଶ ଘଣ୍ଟା ପଢ଼ୁଛି... ହୁଏତ ସେ ଫାଷ୍ଟ ହୋଇଯାଇ ପାରେ । ଛିଃ-ଛିଃ ସବୁ ପରୀକ୍ଷାରେ ବକ୍ତୃତା, ରଚନା, ପ୍ରବନ୍ଧ ଇତ୍ୟାଦି ପ୍ରତିଯୋଗିତାରେ ସବୁବେଳେ ଫାଷ୍ଟ–ମାଟ୍ରିକ କରୀକ୍ଷାରେ ଠିକ୍ ପୋଜିସନ୍ ନ ରଖି ପାରିଲେ ସେ କେମିତି ମୁହଁ ଦେଖାଇବ ? ବାପା ବୋଉ କ’ଣ କହିବେ ? ବାପା କେତେ କଷ୍ଟକରି ତା’ ପାଇଁ ପଢ଼ାଖର୍ଚ୍ଚ ଯୋଗାଉଛନ୍ତି....ସେ ବଡ଼ ହେବ–ଏଇତ ଏକମାତ୍ର ଧ୍ୟାନ ସେମାନଙ୍କର । ଖୁବ୍ ବଡ଼ ପାଟିରେ ଏଣିକି ସେ ମୁଖସ୍ଥ କରିବାର ଲାଗିଗଲା । ଏକାଦଶ ଶ୍ରେଣୀର ପାଠଗୁଡ଼ାକ ସେ ଆଗତୁରା ପ୍ରସ୍ତୁତ କରିନେବ । ନଚେତ୍ ପାରିବନି ।

 

ହଠାତ୍ ଗୋଟିଏ ଛୋଟ ଟେକା ଆସି ପଡ଼ିଲା । କିଏ ? ଝର୍କା ସେପଟରେ ପଙ୍କଜ ଠିଆ ହୋଇଛି । ମୁହଁରେ ସିଗାରେଟ୍–ଡାହାଣ ହାତରେ ଘଣ୍ଟା । ଆରେ ! ଘଣ୍ଟା ତ ତା’ର ନ ଥିଲା, କେଉଁଠୁ ଆଣିଲା ? ତା’ର ବାପା ଦେଇଥିବେ–ନାଁ–ନାଁ ତା’ର ବାପା ତ ଦି’ଓଳି ଟିଉସନ୍ କରି ଘର ଚଳାନ୍ତି । ଅଧେଦିନ ଉପାସ ରହେ ପଙ୍କଜ ।

 

ସିଗାରେଟ୍ ଧୂଆଁର କୁଣ୍ଡଳୀ ଭିତରେ ପଙ୍କଜର ମୁହଁଟା ସ୍ପଷ୍ଟ ଦେଖା ଯାଉନାହିଁ । ଅନ୍ଧାର ବି ଆସିଲାଣି ଚାରିଦିଗରୁ । ଛୋଟ ଲ୍ୟାମ୍ପଟାରେ ତେଲ ନ ଥିବାରୁ ସେ ଦିନ ଥାଉ ଥାଉ ପଢ଼ିବାକୁ ବସି ଯାଇଥିଲା । ହେଲେ... ।

 

ପକେଟରୁ ଦି’ଖଣ୍ଡ ସିନେମା ଟିକେଟ୍ କାଢ଼ି ପଙ୍କଜ ଝର୍କା ପାଖକୁ ମୁହଁ ନେଇ କହିଲା–

 

ସିନେମା ଯିବୁ ଉଦୟ ! ଯିବୁ ଯଦି ଶୀଘ୍ର ଚାଲିଆ । ଆଉ କୋଡ଼ିଏ ମିନିଟ୍ ଅଛି ଆରମ୍ଭ ହେବାକୁ ।

 

ଉଦୟ ଥତମତ ହୋଇଗଲା । ସିନେମା ! ଅନେକ ସମୟରେ ତା’ର ଯେ ସିନେମା ଯିବାକୁ ଇଚ୍ଛା ନ ହୁଏ, ତାହା ନୁହେଁ, ମାତ୍ର ପଇସା ??

 

‘‘ଭାବୁଛୁ କ’ଣ ? ଶୀଘ୍ର ଆ ।’’ ପଙ୍କଜ ତାଗିଦ୍ କଲା ।

 

‘‘ହେ ପଙ୍କଜ । ତୁ ପଇସା କେଉଁଠୁ ଆଣିଲୁ ? ମୋ ପାଖରେ ପଇସା ନାହିଁ ନାଁ ମୁଁ ଯିବିନି । ବାପା ଗାଳିଦେବେ ।’’

 

‘‘ଆହା, ଦୁଧଖିଆ ଛୁଆଟିଏ, ବାପା ଗାଳି ଦେବେ ! କିରେ ଚବିଶ ଘଣ୍ଟା ପାଠ ପଢ଼ୁଛୁ କ’ଣ ? ମାଈଚିଆଟାଏ । ତୋ ପାଇଁ ସମୟ ନଷ୍ଟ କରି ମୁଁ ଏଠିକି ଆସିଲି । ଆଉ ତୋର କ’ଣ ନାଁ ପରୀକ୍ଷା ଅଛି ।’’

 

ପଙ୍କଜ ବିରକ୍ତିରେ ସିଗାରେଟ୍‍ଟା ତଳେ ପକାଇ ମକଚି ଦେଲା । କ୍ଲାସରେ ସବୁପିଲା ପଙ୍କଜକୁ ଡରନ୍ତି–ବୟସରେ ସେ ସେମାନଙ୍କଠାରୁ କିଛି ବି ବଡ଼ । ଚେହେରାଟା ତା’ର ଗୋଟାଏ ବଡ଼ ମଣିଷ ପରି । ସାର୍‍ମାନେ ମଧ୍ୟ ତାକୁ ଭରସି କିଛି କହି ପାରନ୍ତି ନାହିଁ । ତା’ ପାଖରେ ଛିଡ଼ା ହୋଇ କଥା କହିବାକୁ ଡରିଯାଏ ଉଦୟ ।

 

ସେ ଘରୁ ଧୀରେ ଧୀରେ ପଦାକୁ ଚାଲି ଆସିଲା । ବୋଉକୁ କହି ଆସିଲା ସାଙ୍ଗ ଘରେ ପଢ଼ି ଫେରିବ । ବାପା ବଜାରରୁ ତେଲ ଆଣିଲା ବେଳକୁ ଡେରି ହୋଇଯାଇପାରେ ଏବଂ ପରୀକ୍ଷା ନିକଟ ଥିବାରୁ ଉଦୟ ବୋଉ ବାଧା ଦେବାକୁ ଇଚ୍ଛା କଲେ ନାହିଁ ।

 

ସିନେମା ହଲରେ ପଙ୍କଜ ତାକୁ ଗୋଟାଏ ସିଗାରେଟ୍ ଟାଣିବାକୁ ଦେଇଥିଲା । ସିଗାରେଟ୍‍ଟା ଯେପରି ତା’ ଦେହକୁ ଝିମ୍ ଝିମ୍ କରିଦେଇଥିଲା । ବଡ଼ ଅବଶ ଲାଗିଲା କିଛି ସମୟ, ତା’ପରେ ବେଶ୍ ଫୂର୍ତ୍ତି ଲାଗିଲା ।

 

ଫେରିଲାବେଳକୁ ପଙ୍କଜ ତାକୁ ହୋଟେଲରେ ଖୁଆଇବାକୁ ନେଇ ଯାଇ ଧୀରେ ପଚାରିଥିଲା–

 

‘‘କିଛି ପିଇବୁ ?’’

 

ସର୍ପାଘାତ ପରି ଉଦୟ ପାଟିକରି ଉଠିଲା–

 

‘‘ନାଁ, ନାଁ ମୁଁ, ମୁଁ ପିଇବିନି, ମୁଁ କିଛି ଖାଇବିନି, ମତେ ଟିକେ ଶୀଘ୍ର ଛାଡ଼ି ଦେ । ବାପା ବୋଉ ବ୍ୟସ୍ତ ହେବେଣି-ଯଦି ଜାଣିବେ ନାଁ...... ।

 

‘‘ଇଡ଼ିୟଟ୍ । ମାଇଚିଆ । କ’ଣ ହେବ ସେଠୁ ଜାଣିଲେ ? ମୋ ବାପା ସେମିତି ପ୍ରଥମେ ପ୍ରଥମେ ପାଟିତୁଣ୍ଡ କରୁଥିଲେ । ଏବେ ମୁଁ ଥଣ୍ଡା କରୁଥିଲେ । ନିଜର ତ ଶକ୍ତି ନାହିଁ–ଆମେ ଆମ ବ୍ୟବସ୍ଥାରେ ମଉଜ କଲୁ । ସେଥିରେ ତାଙ୍କ ବୋପାଙ୍କର କି ଯାଏ ଆସେ......... । ଇଂଲଣ୍ଡ ଆମେରିକାରେ ଆମରି ଭଳି ପିଲା ଘର ଛାଡ଼ି ଯାଇ ବାହାରେ ରହିଛନ୍ତି–ହିପ୍‍ପୀ ହିପ୍‍ପୀ ହୋଇଗଲେଣି । ଖାସ୍ ଏଇଥିପାଇଁ !’’

 

‘‘ଆମ ପଇସା ! ହଇରେ ପଙ୍କଜ, ତୁ କ’ଣ କେଉଁଠି ଚାକିରି କରିଛୁ..... ?’’

 

ପାଟିରେ ମାଂସ ଖଣ୍ଡେ ପୂରାଇ ପଙ୍କଜ ହସି ଉଠିଲା–

 

‘‘ତୋର ନାଁ ବାଳକି ଫିଟିନି–ତୁ ମଣିଷ ହେବୁନି ବୁଝିଲୁ ! ପଇସା ଚାହିଁଲେ ତୁ ରୋଜଗାର କରିପାରିବୁ–ଖାଲି ବହି ଘୋଷିଲେ ତୋ ମୁଣ୍ଡ ଖତ ହୋଇଯିବ । ସେ ସବୁ ବିଦ୍ୟା ମୁଁ ତତେ ପରେ ଦେବି–ଅବି ଖା, ପେଟଭରି ଖାଇ ଯା, ଯେତେ ତୋର ମନ ହେଉଛି ।’’

 

ସେଦିନ ରାତିରେ ତାକୁ ଭଲ ନିଦ ହେଲାନି । ଖାଲି ରାତି ସାରା ସିନେମା ଛବି । ହୋଟେଲ ଖାଦ୍ୟ ଆଉ ପଇସା ରୋଜଗାର କରିବାର ନିଶା ଉଦୟକୁ ଏକ ତନ୍ଦ୍ରାଚ୍ଛନ୍ନ ଅବସ୍ଥାକୁ ନେଇ ଯାଇଥିଲା । ପଙ୍କଜ କହିଲା ଯେ, ସେ ଗଞ୍ଜେଇ ସିଗାରେଟ୍ ତାକୁ ଖାଇବାକୁ ଦେଇଥିଲା... । ହୋଟେଲରେ ସେ ତରକାରୀଗୁଡ଼ା ସତରେ କେତେ ସୁସ୍ୱାଦକର ଥିଳା । ଖାଇସାରି ସାଇକେଲରେ ଫେରିଲାବେଳେ ଥଣ୍ଡା ଥଣ୍ଡା ପବନ ଭାରି ଭଲ ଲାଗୁଥିଲା ଦେହକୁ । ଇସ୍ କି ଆରାମ୍ ! ହେଲେ ପଇସା ରୋଜଗାର କଥାଟା ତ ପଙ୍କଜ ତାକୁ କହିଲାନି–ଘଣ୍ଟା ଆଉ ଗୋଟାଏ ସୁନ୍ଦର ପ୍ୟାଣ୍ଟ ପିନ୍ଧିଛି । ତାକୁ ପୁଣି ତା’ ପଇସାରେ ସେ କରିଥିବାରୁ ତା’ର କି ଗର୍ବ.... ।

 

ଉଦୟ ତା’ ପରଦିନଠାରୁ ଅନ୍ୟମନସ୍କ ହୋଇଗଲା । ବୋଉ ଆସି ତାଗିଦା କରିଯାଏ–‘‘ଉଦି, ବହି ଧରି ଅନେଇଛୁ କ’ଣ ? ପରୀକ୍ଷା ପରା ନିକଟ ହେଲାଣି ?’’

 

ବାପା କହନ୍ତି–

 

‘‘ଉଦି ! ଏଥର ପରୀକ୍ଷାରେ ଫାଷ୍ଟ ହେବୁ ତ ? ଦିନ ରାତି ଲହୁ ଲାଳ ହୋଇ ମୁଁ କାମ କରୁଛି ଖାଲି ତୋରି ପାଇଁ...... ।’’

 

କିନ୍ତୁ ପ୍ରତିଦିନ ସନ୍ଧ୍ୟା ହେଲେ ଉଦୟକୁ ନିଶା ଲାଗିଯାଏ । ସେ ଚାଲିଯାଏ ବାହାରକୁ–ସାଙ୍ଗମାନଙ୍କ ସଙ୍ଗରେ ଏକାଠି ପଢ଼ିବାକୁ କିମ୍ୱା ଟିଉସନ୍ ହେବାର ବାହାନା କରି । ବାପା ବୋଉଙ୍କ କଥା ଶୁଣିଲା କ୍ଷଣି ତାକୁ ବିରକ୍ତ ଲାଗେ । ସେମାନଙ୍କ ପରି ସେ ଆଉ ପାଞ୍ଚଜଣଙ୍କ ପରି ସୁଖରେ ବଞ୍ଚିପାରୁନି । ପଢ଼ୁଛି ତ ସେ ଆଉ କ’ଣ ବା ହେବ ଫାଷ୍ଟ ହୋଇଗଲେ ।

 

ପଙ୍କଜ ତାକୁ ସିଗାରେଟ୍ ଓ ମଦ ପିଇବାକୁ ଶିଖେଇ ଦେଇଛି ଓ ସପ୍ତାହରେ ଚାରିଦିନ ସିନେମା ନ ଦେଖିଲେ ଯେ ସେ ବଡ଼ ମଣିଷ ହୋଇପାରିବନି ଏ କଥା ମଧ୍ୟ ତା’ର ରକ୍ତେ ରକ୍ତେ ସଞ୍ଚାର କରିଦେଇଛି । ଏବେ ସେ ପକେଟମାରୁ, କଳା ବଜାରରେ ସିନେମା ଟିକେଟ୍ ବିକ୍ରି ଆଉ ବାଜି ରଖି ଖେଳ ବେଶ୍ ଶିଖିଗଲାଣି । ନଭେଲ୍–ବିଶେଷତଃ ଶସ୍ତା ନଭେଲ୍, ନାନା ଚିତ୍ର ବିଚିତ୍ର ସିନେମା ବହି ଇତ୍ୟାଦି ପଢ଼ି ବୁଝି ପାରିବାରେ ବେଶ୍ ପାରଙ୍ଗମ ହୋଇଗଲାଣି । ସାଙ୍ଗରେ ପଢ଼ୁଥିବା ଝିଅ ଏବଂ ଚଲାପଥରେ ଯାଉଥିବା ଅଚିହ୍ନା ସ୍କୁଲ କଲେଜ ଝିଅମାନଙ୍କୁ ହୁଇସିଲ୍ ମାରି ଦୃଷ୍ଟି ଆକର୍ଷଣ କରିବା, କମେଣ୍ଟ କରି କଥା କହିବାକୁ ମଧ୍ୟ ଶିଖିଲାଣି ।

 

ସେ ଦିନ ସଞ୍ଜୟ, ଦୀପକ ଆଉ ପଙ୍କଜ ତାକୁ ଯଥେଷ୍ଟ ପ୍ରଶଂସା କରୁଥିଲେ । ସେ ବି ଖୁସି ହୋଇ ଟିଉସନ ଫିସ୍ ଦଶ ଟଙ୍କା ଖର୍ଚ୍ଚ କରି ଦେଇଥିଲା । କେମିତି କେଜାଣି ବାପା ସେ କଥା ଜାଣି ପାରି ତାକୁ ଯେତେବେଳେ ଗୋଟାଏ ଚାପଡ଼ା ପକେଇଲେ, ସେ ରାଗିଯାଇ କହି ପକେଇ ଥିଲା–

 

‘‘ଖବରଦାର ! ମତେ ଯଦି ଆଉ ଥରେ ତମେ ମାରିବ ନାଁ–ମୁଁ ତମକୁ ଛାଡ଼ିବିନି । ଠିକ୍ ସେମିତି ଜବାବ୍ ଦେବି ।’’

 

ଆଖିରୁ ତା’ର ଅଗ୍ନି ବର୍ଷୁଥିଲା । ଆଉ ହାତଟା ଉଠିଯାଇଥିଲା ଉପରକୁ । ବାପା ଅନେଇ ଥିଲେ ନିର୍ବାକ ଭଙ୍ଗୀରେ । ସତେ ବା ଅଷ୍ଟମ ଆଶ୍ଚର୍ଯ୍ୟ ଦେଖିଲେ ଆଖିରେ । ବୋଉ ହାତରେ ଲ୍ୟାମ୍ପଟା ଧରି ଝର ଝର କରି କାନ୍ଦି ପକାଇ କହିଲା–‘‘ଉଦି, ତୋ ମୁଣ୍ଡ ଠିକ୍ ଅଛିଟିରେ, କାହାକୁ ତୁ କ’ଣ କହୁଛୁ ??’’

 

ବାପା କିଛି ନ କହି ଚାଲି ଯାଉଥିଲେ ଠିକ୍ ରୁଗ୍‍ଣ ଅସୁସ୍ଥ ବ୍ୟକ୍ତି ପରି । ପିଠିଟା ବାଙ୍କି ଯାଇ ଝୁଲି ପଡ଼ିଥିଲା ସାମ୍ନାକୁ ।

 

ଉଦୟ ରାଗରେ ଫଁ ଫଁ ହୋଇ ବାହାରକୁ ଚାଲିଯିବାକୁ ଦାଣ୍ଡ ଘର ଆଡ଼କୁ ମୁହାଁଇ ଅଟକି ଯାଇଥିଲା । ଦ୍ୱାର ମୁହଁରେ ବୋଉ ତା’ର ଗତିପଥକୁ ଉଗାଳି ପ୍ରଶ୍ନ କରିଥିଲା–

 

‘‘ଏତେ ରାତିରେ କୁଆଡ଼େ ଯିବୁ ? ବୁଲି ବୁଲି ତୋ ଦେହର ଅବସ୍ଥା କ’ଣ ହେଲାଣି ଦେଖିଛୁ ?’’

 

‘‘ଥାଉ, ଥାଉ ତୋର ବ୍ୟସ୍ତ ହେବାର ଦରକାର ନାହିଁ । ଉଠ୍, ବାଟ ଛାଡ଼୍ ।’’

 

‘‘ଛିଃ–ବାପାଙ୍କ କଥାରେ ରାଗୁଛୁ ? ସେ ବୁଢ଼ା ହେଲେଣି.... ସାରାଜୀବନ ଖଟି ଖଟି ତୋରି ଉପରେ ଭରସା ରଖିଛନ୍ତି–ତୁ ମଣିଷ ହେବୁ..... ।

 

ବୋଉକୁ କଥାରେ ଅଧାରଖି ପେଲି ଦେଇ ଉଦୟ ରାସ୍ତାକୁ ଚାଲି ଯାଇଥିଲା । ବୋଉ ପଡ଼ିଗଲା କି କାନ୍ଥରେ ବାଡ଼େଇ ହୋଇଗଲା କେଜାଣି । ଯେପରି ଯନ୍ତ୍ରଣା ସୂଚକ ଗୋଟାଏ ଶବ୍ଦ ତା’ କାନରେ ପଡ଼ିଥିଲା । ମାତ୍ର ସେ ଅଟକି ନ ଥିଲା ।

 

ସଞ୍ଜୟ, ଦୀପକ, ପଙ୍କଜ, ସୁରେଶ ପ୍ରଭୃତି ରହୁଥିବା ଛୋଟ ମେସ୍‍ଟିରେ ସେ ଯାଇଁ ପହଞ୍ଚି ଆଉ ଘରକୁ ଫେରିବନି ବୋଲି ତା’ର ନିଷ୍ପତ୍ତି ଜଣାଇ ଦେଇଥିଲା ।

 

ଉଦୟ ଏଥର ଭୁଲିଗଲା ଘରଦ୍ୱାର, ବାପା, ବୋଉ, ସ୍କୁଲ ଆଉ ତା’ର ଭବିଷ୍ୟତରେ ବଡ଼ ହେବାର ସ୍ୱପ୍ନ ।

 

ଦିନରାତି ସାଙ୍ଗସାଥି ମଉଜ ମଜଲିସ୍ ଭିତରେ ସେ ସବୁ କଥା ଭାବିବାକୁ ବା ବେଳ କାହିଁ ? ଏବେ ସେ ମୁକ୍ତ ପକ୍ଷୀ । ସୁନା ପଞ୍ଜୁରୀରେ ଦୁଧ ଭାତ ଖାଇବାଠାରୁ ମୁକ୍ତ ନୀଳ ଆକାଶରେ ଶୂନ୍ୟ ସନ୍ତରଣ ହିଁ ଯଥେଷ୍ଟ ଆନନ୍ଦଦାୟକ । ଉଦୟ ଭୁଲିଗଲା ତା’ର ଅତୀତ, ତା’ର ଭବିଷ୍ୟତ, ତା’ର ସ୍ୱପ୍ନ ଆଉ ଆକାଂଙ୍‍କ୍ଷା ।

 

ହଠାତ୍ ଦିନେ ଟାଉନ୍ ବସରେ ଲୋକ ଗହଳି ଭିତରେ ଉଦୟ ଲକ୍ଷ୍ୟ କଲା । ତା’ଠାରୁ ଦୁଇ ହାତ ଦୂରରେ ଜଣେ ଲୋକର ସାଇଡ଼୍ ପକେଟରେ ମନିବ୍ୟାଗ୍‍ଟା ଦିଶୁଛି । ଭିଡ଼...ଠେଲା ଠେଲି ଭିତରେ ସେ ଆଗେଇ ଗଲା ମନିବ୍ୟାଗ୍‍ଟି ଆଣିଲାବେଳେ ମନେହେଲା ଭଦ୍ରଲୋକ ଯେପରି ହଲି ଉଠିଲେ ଟିକେ...ମାତ୍ର ସେ ସେମିତି ନିଶ୍ଚଳ ହୋଇ ଠିଆ ହୋଇଛନ୍ତି । ବୋଧେ ବସରେ ଝାଙ୍କୁଣୀରେ ସେ ହଲିଗଲେ...। ଆମ ଷ୍ଟପେଜରେ ସେ ଓହ୍ଲେଇଗଲେ–ମୁହଁ ପୋତି ସରୁ ନହକା ପିଠିଟା ନୁଆଁଇ ସେ ଆଗପଛ ନ ଚାହିଁ ଚାଲିଗଲେ ତଳକୁ । ଲୋଭ ସମ୍ଭାଳି ନ ପାରି ନୀଳ ଚଷମା ଫାଙ୍କରୁ ଉଦୟ ଅନେଇଲା । ଆରେ, ଏ ତ ତା’ର ବାପା ! ଛାତି ଭିତରଟା ଦପ୍ ଦପ୍ କରି ଉଠିଲା–ଜାଣି ନାହାନ୍ତି ତ ? ଦେଖି ନାହାନ୍ତି ତ ? ଉଃ, କ’ଣ କଲା ସେ । ବହୁ ଅତୀତର ସ୍ମୃତି ଯେମିତି ତାକୁ ଦଂଶନ କରିବାକୁ ଆରମ୍ଭ କରି ଦେଇଥିଲେ...

 

ବସ୍ରୁ ଓହ୍ଲାଇ ସଞ୍ଜୟ ଉଦୟ ହାତରୁ ମନିପର୍ସଟା କାଢ଼ି ନେଇ ଦେଖିଲା । ଆପେ ଆପେ ଉଦୟର ଆଖି ଘୂରିଗଲା ସେ ଆଡ଼କୁ–ହେଇ ତ ବାପାଙ୍କ ସହ ତା’ର ତିନି ବର୍ଷ ତଳେ ଉଠା ହୋଇଥିବା ଛବିଟି ପ୍ଲାଷ୍ଟିକ କଭର୍ ଦେହରେ ତାକୁ ଚାହିଁ ଖତେଇ ହେଉଛି । ମାତ୍ର ତିନି ଟଙ୍କା ଷାଠିଏ ପଇସା ଅଛି ପର୍ସରେ–ଆଉ ମଇଳା ଖଣ୍ଡେ କାଗଜ ଚିଠା । ଉଦୟ ଖୋଲି ଦେଖିଲା–ଗୋଟାଏ ଔଷଧ ପ୍ରେସକ୍ରିପ୍‍ସନ । ବୋଉର । ତା’ ବୋଉର ଦେହ ଖରାପ–ବାପା ଯାଇଥିଲେ ବୋଧେ ଔଷଧ ଆଣିବାକୁ–ହେ ଭଗବାନ୍ । ଏ କି ବୁଦ୍ଧି କଲା ସେ ? ଧାର ଧାର ଲୁହ ତା’ ଆଖିରୁ ଝରିବାକୁ ଲାଗିଲା । ଯେଉଁ ବୋଉ ତାକୁ କୋଳରେ ପୂରାଇ କହୁଥିଲା–ଉଦି ଡାକ୍ତର ହେବ–ବଡ଼ ଡାକ୍ତର ହେବ–ଯେତେ ଅଭାବ ଅସୁବିଧା ପଡ଼ୁ ପଛେ ସେ ତାକୁ ଡାକ୍ତରୀ ପାଠ ପଢ଼େଇ ବଡ଼ ମଣିଷ କରିବ । କୁଆଡ଼େ ଡାକ୍ତରମାନେ ରୋଗୀସେବା କରି ସ୍ୱର୍ଗକୁ ଯାଆନ୍ତି; ମାତ୍ର ଉଦୟ କ’ଣ କଲା । ଶେଷରେ ତା’ ବୋଉ ପାଇଁ ଔଷଧ କିଣା ଟଙ୍କାକୁ ଚୋରି କରି ଆଣିଲା ବାପାଙ୍କ ପକେଟରୁ-। ବାପା ନିମ୍ନ ପ୍ରାଥମିକ ସ୍କୁଲ୍‍ର ଶିକ୍ଷକ–ଘରେ ଭାଇ ଭଉଣୀ ମିଶି ଛ’ଜଣ କୁଟୁମ୍ୱ–ବାପା ଦିନେ ହେଲେ ସଳଖି ବାଟ ଚାଲିପାରି ନାହାଁନ୍ତି । ତା’ରି ଉପରେ ଭରସା ଥିଲା । ତାଙ୍କର କୋଉଠି ଯେମିତି ବନ୍ଧ ବନ୍ଧା ହୋଇଥିଲା–ଅଚାନକ ବର୍ଷାରେ ସବୁ ଭାଙ୍ଗିଗଲା, ଚୂନା ହୋଇଗଲା–ଉଦୟ ରାସ୍ତା କଡ଼ରେ ଗଛ ମୂଳରେ ଭୋ....ଭୋ କରି କାନ୍ଦି ଉଠିଲା । ସଞ୍ଜୟ ବିରକ୍ତିରେ ତାକୁ ଅନେଇଥିଲା । ରାତିରେ ପୁଣି କେତେ କାମ କରିବାକୁ ଅଛି......ମାଇଚିଆଟା କାନ୍ଦ ଆରମ୍ଭ କରି ଦେଲାଣି ସନ୍ଧ୍ୟା ବେଳଟାରୁ–

 

ଏତିକିବେଳେ ପଙ୍କଜ ଧଇଁ ସଇଁ ହୋଇ ଆସି ପହଞ୍ଚିଲା । ଆଉ ଏଣେ ତେଣେ ଚାହିଁ କହିଲା–

 

ବୁଝିଲ–ସର୍ଦ୍ଦାର ଅର୍ଡ଼ର କରିଛି ମୂର୍ତ୍ତି ପିଛା ପଚାଶ ଟଙ୍କା । ଯିଏ ଯେତେଟା ପାର–ସେତେଟା ଭାଙ୍ଗିଆଣ–ହଁ–ହୁସିଆରିରେ କାମ କରିବାକୁ ପଡ଼ିବ......ପୁଲିସ୍ ଧରିଲେ ସିଧା ମାମୁଁଘର ବର୍ଷେ ।

 

ଉଦୟ କ’ଣ ଭାବି ସ୍ଥିର ହୋଇଗଲା–ସେ ଯିବ–ମୂର୍ତ୍ତିଟିଏ ଭାଙ୍ଗି ଆଣିବ–ପଚାଶ ଟଙ୍କା ପାଇଲେ...ବୋଉର ଲୁହ ଧୂଆ ରୋଗୀଣା ମୁହଁଟା ତା’ କଣ୍ଠ ପାଖରେ ପୁଣି କୋହ ଉଠଉଛି । ହଁ–ହଁ ସେ ଯିବ । ପଚାଶ ଟଙ୍କା ଆଣିବ–ତା’ପରେ ଔଷଧ ଫଳ ବିସ୍କୁଟ୍ ନେଇ ସେ ଯିବ ବୋଉ ପାଖକୁ । ତା’ ବୋଉ ରୋଗରେ ପଡ଼ିଲେ ତାକୁ ମୁହୂର୍ତ୍ତେ ଛାଡ଼ି ପାରେନା... ।

 

ଅନ୍ଧାର ରାତିରେ ମୁହଁକୁ ମୁହଁ ଦିଶୁନି । ତାରା ଗୁଡ଼ାକ ମନେହେଉଛି ଯେମିତି ନିରେଖି ଦେଖୁଛନ୍ତି ତାକୁ । ଚାରିଆଡ଼ ଶୂନ୍‍ଶାନ୍ ।

 

ଉଦୟ ଛକ ଉପରେ ଥିବା ମୂର୍ତ୍ତିଟି ପାଖରେ ପହଞ୍ଚିଲା । ଚାରିଆଡ଼ ଲୁହାବାଡ଼ାରେ ଘେରା ହୋଇ ଲୋକଟିଏ ଅବା ଧ୍ୟାନମଗ୍ନ ହୋଇ ବସିଛି । ଗାନ୍ଧୀ ! ଇତିହାସରେ ବହୁତ୍ ପଢ଼ିଛି ସେ ଗାନ୍ଧୀ କଥା । ବାପା ଅନେକବାର କହିଛନ୍ତି ଗପ ଛଳରେ ଏଇ ଗାନ୍ଧୀଙ୍କ କଥା । କାନ ପାଖରେ ଯେମିତି ସେ ସବୁ ଟାଇଁ ଟାଇଁ କରି ବାଜୁଛି ।

 

ନାଁ ଡେରି କରି ଲାଭ ନାହିଁ । କିଏ କେଉଁଠୁ ଆସିଗଲେ.... ସବୁ ଭଣ୍ଡୁର ହୋଇଯିବ ।

 

ଧୀରେ ଧୀରେ ପାହାଚ ଉପରକୁ ଉଠିଲା ସେ । ମାତ୍ର ମୂର୍ତ୍ତିଟା ହଠାତ୍ ଯେପରି ଚେହେରା ବଦଳେଇ ଦେଇଛି ନା କ’ଣ । କିଏ ? କିଏ ଏ ? ଏଠାକୁ ତା’ ବାପା କେମିତି ଆସିଲା-? ଚମକିପଡ଼ି–ତଳକୁ ଡେଇଁ ପଡ଼ିଲା ସେ ।

 

ତଳୁ ପୁଣି ମୁଣ୍ଡ ଉଠେଇ ଅନେଇଲା । ନାଁ ତ, ଠିକ୍ ଗାନ୍ଧୀ, ମୁହଁ ଟିକିଏ ନୁଆଁଇ ବସିଛନ୍ତି । ଯେମିତି ବାପା ବେଳେ ବେଳେ ସନ୍ଧ୍ୟାରେ ମୌନ ହୋଇ ବସିଯା’ନ୍ତି । ଅନ୍ଧାରରେ ମୁହଁଟା ବାପାଙ୍କ ପରି ଦିଶୁଛି ।

 

ସେ ପୁଣି ଉପରକୁ ଉଠିଲା ଏବଂ ମୂର୍ତ୍ତିଟାର ଅତି ନିକଟରେ ପହଞ୍ଚି ଖୁବ୍ ଜୋରରେ ତଳେ ପଡ଼ିଗଲା । ଏ କ’ଣ ? ଏ ଯେ ସମ୍ପୂର୍ଣ୍ଣ ବାପା..... ଏଠି ଆସି ବସିଛନ୍ତି–ଗାନ୍ଧୀ ନୁହେଁ, ଭୟରେ ସେ ଆଖିବୁଜି ପଡ଼ିଗଲା । ଫଡ଼ ଫଡ଼ ହୋଇ ଚଢ଼େଇଟାଏ ଉଡ଼ିଗଲା ପାଖ ଗଛରୁ । ଭଗବାନ, ଭଗବାନ । ତା’ ମୁଣ୍ଡ ଖରାପ ହୋଇଯାଇନି ତ ? ଏଇ ତିନି ବର୍ଷ ଭିତରେ କେତେ କଦର୍ଯ୍ୟ କେତେ କଠିଣ କାମ ଯେ ସେ ନ କରିଛି ? ଏମିତିକି ଛୁରୀ ବସେଇ ଦେବାକୁ ମଣିଷ ପିଠିରେ ସେ ପଛେଇନି...ସେ ଯେ ବିଦ୍ରୋହୀ ବୀର ବୋଲି ପରିଚିତ ହେବାକୁ ଚାହେଁ ।

 

ସେ ସେଇପରି ଅବସ୍ଥାରେ ଆଖି ଖୋଲି ଚାହିଁଲା । ମୂର୍ତ୍ତିଟା ନିଶ୍ଚଳ–ଆଖି ବନ୍ଦ । ମୁହଁରେ ପ୍ରଶାନ୍ତି– । ସତେ ଯେମିତି ସେ କିଛି ଜାଣେନା–ଓଃ ।

 

ଉଦୟ ଏଥର ଶେଷ ଚେଷ୍ଟା କରିବା ପାଇଁ ହତିଆର ଉଠାଇଲା । ଆଖିବୁଜି ରଖିବାକୁ ଶତ ଚେଷ୍ଟା କରି ବି ସେ ପାରିଲାନି, ମନକୁ ମନ ଖୋଲିଗଲା । ଉଃ ବାପା.....ବାପା...ସେ ଯେମିତି ଆହୁରି ତଳକୁ ଝୁଙ୍କି ପଡ଼ି ବେକଟାକୁ ଦେଖେଇ ଦେଇଛନ୍ତି–ଇଙ୍ଗିତ କରୁଛନ୍ତି ତାଙ୍କର ଚିରାଚରିତ ରୀତିରେ–ବାଁ ଗାଲରେ ମାରିଲେ ଡାହାଣ ଗାଲ ଦେଖାଇ ଦିଅ କିମ୍ୱା ଯୀଶୁଙ୍କ ପରି ସେ କହୁଛନ୍ତି–ସେମାନଙ୍କୁ କ୍ଷମା କର ପ୍ରଭୁ । ସେମାନେ କ’ଣ କରୁଛନ୍ତି ଜାଣନ୍ତି ନାହିଁ । ବାପା, ବାପା, ବାପା । କୋଉଠି ଯେମିତି ଝରଣାର ସୁଅଟିଏ ପଥର କନ୍ଦିରେ କୁଳୁ କୁଳୁ ହୋଇ ବାଟ ଖୋଜୁଛି...ନନସେନ୍‍ସ ? ଉଦୟ ଏଥର ଅଣ୍ଟା ସଳଖି ମୂର୍ତ୍ତିଟିର ଚତୁର୍ଦ୍ଦିଗରେ ବୁଲି ଦେଖିନେଲା–ନାଁ, ଏ ତାର ବାପା ନୁହେଁ.....ଭ୍ରମ, ଭ୍ରମ, ଭ୍ରମରେ ସେ ପଡ଼ିଛି ।

 

ଏଥର ମୂର୍ତ୍ତିଟାର ବେକଟା ଉପରେ ହାତ ରଖି ସେ ଅନୁଭବ କଲା, ସେଇଟା ପଥର–ଆହୁରି ଜୋରରେ ଚିପଲା ନାଁ ପଥର, ପଥର, ପଥର, ବାପା ନୁହଁନ୍ତି ।

 

ଶେଷ ଚେଷ୍ଟା । ସେ ହତିଆରରେ ପାହାରେ ପକାଇଲା । ଅନେଇଛି ଉଦୟ–ମୂର୍ତ୍ତିଟା ଦେହରୁ ଝର ଝର ରକ୍ତ ବୋହିଯାଉଛି...ବିକଳରେ ମୁହଁଟା ବିବର୍ଣ୍ଣ ହୋଇ ଉଠୁଛି । ଇସ, ହେଇ ତ ତା’ର ବାପା.....ସେଇ ଆଖି, ସେଇ ମୁହଁ, ସେଇ ନାକ, ବସିବାର ଭଙ୍ଗୀ, ସେଇ ବେକ, ରକ୍ତ ଝରୁଛି...ସେ ତା ବାପାକୁ ମାରିଦେଲା....କି ଯନ୍ତ୍ରଣା, କି କଷ୍ଟ ! ପୁଅ ହାତରେ ମରିଗଲେ । ରକ୍ତ...ରକ୍ତର ଝରଣା ବୁହାଇଦେଲା ସେ...ମାରିଦେଲା ସେ ଯେ ତାକୁ ଜନ୍ମ ଦେଇଥିଲେ, ମଣିଷ କରିଥିଲେ, ପେଟରୁ କାଟି ଢୋକ ଦେଇ ତା’ର ଭବିଷ୍ୟତକୁ ସୁନା ମହୁରେ ଭସେଇ ଦେବାର ସ୍ୱପ୍ନ ଦେଖୁଥିଲେ... ତାଙ୍କୁ ସେ ମାରିଦେଲା...ପୁଣି ସେ ଧ୍ୟାନମଗ୍ନ ପ୍ରାର୍ଥନାରତ ଥିଲାବେଳେ...ଓଃ, କି କଷ୍ଟ–ଉଦୟ ଯେପରି ପୁଣି କଚାଡ଼ି ହୋଇ ପଡ଼ିଗଲା । ପରଦିନ ଦୈନିକ ସମ୍ୱାଦପତ୍ରରେ ନିମ୍ନ ସମ୍ୱାଦଟି ପ୍ରକାଶ ପାଇଥିଲା–‘‘ସହରର ପଶ୍ଚିମ ପଟର ପ୍ରଧାନ ଛକରେ ଥିବା ଗାନ୍ଧୀ ମୂର୍ତ୍ତି ପାଖରେ ଗୋଟିଏ ଯୁବକକୁ ସଂଜ୍ଞାହୀନ, ରକ୍ତାକ୍ତ ଅବସ୍ଥାରେ ପାଇ ପୋଲିସ ହାସ୍‍ପାତାଳକୁ ପଠାଇଛନ୍ତି । ଯୁବକଟିର ବାମ ହାତର କହୁଣୀଠାରୁ ତଳ ଅଂଶ କଟାହୋଇ ମୂର୍ତ୍ତି ପାଖରେ ପଡ଼ିଥିଲା ଏବଂ ମୂର୍ତ୍ତିର ପଛପଟରେ କିଛି ରକ୍ତ ଚିହ୍ନ ଏବେ ମଧ୍ୟ ଲାଗି ରହିଛି । ମୃତ୍ୟୁର କାରଣ ଜଣା ପଡ଼ିନାହିଁ କିମ୍ୱା ମୃତ ବ୍ୟକ୍ତିର ପରିଚୟ ପୋଲିସ୍ ପାଇପାରି ନାହାଁନ୍ତି । କୌଣସି ବ୍ୟକ୍ତି ମୂର୍ତ୍ତି ଭାଙ୍ଗିବାକୁ ବା ଚୋରି କରିବାକୁ ଆସିଥିଲାବେଳେ ଯୁବକଟି ବାଧା ଦେଇଥିବାରୁ ଏପରି ଦୁର୍ଘଟଣାର ସମ୍ମୁଖୀନ ହୋଇଛି ବୋଲି ପୋଲିସ କର୍ତ୍ତୃପକ୍ଷ ଅନୁମାନ କରନ୍ତି । ପୋଲିସ୍ ଯଥାବିଧି ଅନୁସନ୍ଧାନ ଚଳାଇଛନ୍ତି ।’’

✽✽✽

 

ତରଙ୍ଗ

 

ମୁଁ କୁଆଡ଼େ ଯିବି ? ମୁଁ.... ମୁଁ....ମୁଁ କିନ୍ତୁ କାହାର ଅପେକ୍ଷାରେ ନ ଥିଲି । ଆକାଶର ଭାରାକ୍ରାନ୍ତ ଦୃଷ୍ଟିକୁ ଚାହିଁ ମୁଁ ଅଟକି ଯାଇଥିଲି...ଯାହା ସବୁରି ପକ୍ଷରେ ସମ୍ଭବ ।

 

ମୋର ଚାରିପାଖରେ ଯାନବାହନ, ଆଉ ଅଜଣା ମଣିଷର ଚଳମାନ ଢେଉ ମତେ ଈଶ୍ୱରଙ୍କ ସମ୍ୱନ୍ଧରେ ମଧ୍ୟ ଭାବିବାକୁ ଅବସର ଦେଉ ନ ଥିଲା । ସାମାନ୍ୟ ଅସତର୍କ ହେଲେ ଦୁର୍ଘଟଣା କିମ୍ୱା ଅଯଥା ଶବ୍ଦର ଯନ୍ତ୍ରଣା ତା’ର ବାହୁ ମେଲାଇ ମତେ ଗ୍ରାସ କରିବାର ଆଶଙ୍କା ସବୁବେଳେ ମୋ ମନରେ ରହିଛି । ତେଣୁ ମୁଁ ଈଶ୍ୱରଙ୍କ କଥା ଭାବି ନାହିଁ କି ଭାବିବାର କୌଣସି ପରିସ୍ଥିତି ସୃଷ୍ଟି କରିବାକୁ ମଧ୍ୟ ଦେଇନାହିଁ ।

 

ସହର ପୂର୍ବପରି ଅସ୍ଥିର ଓ ତରଙ୍ଗାୟିତ । ମତେ କିନ୍ତୁ ନିଜକୁ ବଡ଼ ନିର୍ବୋଧ ଲାଗୁଛି ଏବଂ ନିର୍ବୋଧ ଲାଗୁଥିବାରୁ ମୁଁ ଛିଡ଼ା ହୋଇ ରୁମାଲରେ ମୁହଁ ପୋଛିବାବେଳେ ହସିଦେଉଛି । ସତେ କି ମୋ ମନ ସହିତ ଶରୀରର ନିବିଡ଼ ସମ୍ପର୍କ କିଛି ନାହିଁ । ଏଥିପାଇଁ ଥରେ ଅଧେ ମୁଁ ଈଶ୍ୱରଙ୍କୁ ଡାକିଥିବି, ମାତ୍ର ସେ ଶୁଣିଲେ କି ନାହିଁ ସେ ବିଷୟରେ ତତ୍ତ୍ୱ ନେବାକୁ ମୋର ବେଳ ନାହିଁ-

 

ମୁଁ ହୁଏତ ମେସିନ ହୋଇଯାଇଛି । କାରଣ ଏହିପରି ଛିଡ଼ା ହୋଇ ମୁଁ ମୋର ପରିଚିତ ବ୍ୟକ୍ତି, କର୍ମସ୍ଥଳୀ କିମ୍ୱା ଭବିଷ୍ୟତକୁ ଗାଳି ଦେଇ ପାରନ୍ତି–ନଚେତ୍ ସୂର୍ଯ୍ୟ, ଚନ୍ଦ୍ର, ତୋଫାନ ବା ବିଶ୍ୱଜିତ୍, ଅରୁଣାକର, ଗୌରଚନ୍ଦ୍ର, ଶେଖର ଇତ୍ୟାଦିଙ୍କୁ । କିଛି ନୁହେଁ, କୌଣସିଟା ବି ସମ୍ଭବ ନୁହେଁ-। କାରଣ ମୁଁ ସମୟ ସହିତ ଠିକ୍ ଘନିଷ୍ଠ ହେବାକୁ ଚେଷ୍ଟା କରୁଛି ।

 

ବିରାଟ ଗୋଲାକାର ଛକ ପାଖରେ ମୁଁ ଛିଡ଼ା ହୋଇଛି କିଏ ବା ମୋତେ ଦେଖୁଛି ? ମୁଁ...ମୁଁ...ମୁଁ କାହାକୁ ଅପେକ୍ଷା କରିନାହିଁ, କିନ୍ତୁ ମୁଁ ଚାହୁଁଛି ସବୁ ସ୍ଥିର ନିଶ୍ଚଳ ହୋଇଯାଆନ୍ତା କି !

 

ଆହା ! ଚଳମାନ ଜନତାର କ’ଣ ବୁଝିବାର କିଛି ଶକ୍ତି ନାହିଁ ? ନାଁ, ସେମାନେ ଅନ୍ୟମନସ୍କ, ଈଶ୍ୱରଙ୍କ ସତ୍ତା ସମ୍ୱନ୍ଧରେ ସମ୍ପୂର୍ଣ୍ଣ ଅନଭିଜ୍ଞ... ବାଚାଳ...ମାୟାସକ୍ତ ହୁଏତ ପାଗଳ । ମୁଁ ପୁଣି ହସିଲି ଏବଂ ରୁମାଲରେ ମୁହଁ ପୋଛିଲି ।

 

‘ଏ ରିକ୍‍ସା... ଆରେ, ରଖ ରଖ... ।’ କିଏ ଜଣେ ଯେମିତି ଚିତ୍କାର କଲା ଭଙ୍ଗୀରେ ପାଟି କରିଉଠିଲା । ମୁଁ ବୁଲିପଡ଼ି ପଛକୁ ଚାହିଁଲା ଭିତରେ ଏକ ଉତ୍ତର ପାଇଁ ପ୍ରସ୍ତୁତ ହେଉଥିଲି । ନରେନ୍ଦ୍ର ଚୌଧୁରୀ, ସମ୍ପର୍କରେ ମଉସା, ବାପାଙ୍କର ଏକାନ୍ତ ଅନ୍ତରଙ୍ଗ । ବାଧ୍ୟ ହୋଇ ସବିନୟ ନିବେଦନମିଦଂ ଭଙ୍ଗୀରେ ଏକ ପ୍ରଣାମ କରିବାକୁ ହେଲା, ବହୁଦିନ ପରେ ଦେଖା ।

 

‘ଆଲୋ ମା’ । ତୁ ବୈରାଗୀର ଝିଅ ନାଁ ? କେଡ଼େଟିଏ ହୋଇଗଲୁଣି । କୁଆଡ଼େ ଯିବୁ ନାଁ କ’ଣ ? ବାପା କେମିତି ଅଛନ୍ତି ? କେଉଁଠି ପରା ଏଠି ଅଫିସରେ କାମ କରୁଛୁ ? ଦରମା କେତେ ?’

 

ପ୍ରଶ୍ନ ଉପରେ ପ୍ରଶ୍ନ । ସେଥିରେ ଫେର କାହାର କାହା ସଙ୍ଗରେ ସମ୍ପର୍କ ନାହିଁ । ମୁଁ ଉତ୍ତର ନ ଦେଇ କେବଳ ତାଙ୍କ ଆଖିକୁ ଚାହିଁଥିଲି–ଯେଉଁ ଆଖିରେ ସେ ମୋତେ ବର୍ଚ୍ଛା ପରି ଫୋଡ଼ି ଫୋଡ଼ି ଗୋଡ଼ଠାରୁ ମୁଣ୍ଡ ପର୍ଯ୍ୟନ୍ତ ସ୍ପନ୍ଦନର ରଙ୍ଗ ଦେଖୁଥିଲେ । ଅଗତ୍ୟା ମୁଁ ହସୁଥିଲି–ନିରୁପାୟର ହସ ।

 

‘କ’ଣ କିଛି କହୁନୁ ଯେ ମା’ ? ଚିହ୍ନି ପାରୁଛୁଟି ?’

 

‘ହଁ ମଉସା । ଚିହ୍ନିବିନି କାହିଁକି ? ବାପା ସବୁବେଳେ ଆପଣଙ୍କ କଥା ମନେ କରନ୍ତି... ।’

 

‘ଆହା ! ବୈରାଗୀ ଆଉ ମୁଁ ଏକା ସଙ୍ଗେ ପାଠପଢ଼ିଛୁ–ଭାଇ ପରି ସେ ମୋର...ହେଲେ ତୁ ମା’ ବିବାହ କଲୁନି କାହିଁକି ? ଏଇଟା ତୋର ବଡ଼ ଭୁଲ କଥା ହେଲା...ମୁଁ ସବୁ ଶୁଣିଛି...ଇଏ ଗୋଟାଏ ତମମାନଙ୍କର ଖେୟାଲ ନାଁ ! ହେଁ, ହେଁ, ହେଁ,...ରାସ୍ତାଟାରେ ତୁ ଏମିତି ଛିଡ଼ା ହେବାଟା.....

 

ମୋର ଦେହକୁ ଗୋଡ଼ଠାରୁ ମୁଣ୍ଡ ପର୍ଯ୍ୟନ୍ତ ସେ ଚାହୁଁଥିଲେ ତନଖି । କିପରି ଗୋଟାଏ ଶାରୀରିକ ଓ ମାନସିକ ଅସୁସ୍ଥତା ମୋତେ ଘୋଟିଆସୁଥିଲା, ଅଥଚ ମୁଁ ହସୁଥିଲି ଧୀରେ ଧୀରେ । ମତେ ଈଶ୍ୱର କେବେହେଲେ ଏତେବେଳେ ରକ୍ଷା କରିପାରିବେନି ।

 

ମଉସାଙ୍କ ରିକ୍‍ସା ଚାଲିବାକୁ ଆରମ୍ଭ କଲା । ମୁଁ ପୁଣି ରାସ୍ତା, ଆକାଶ, ମେଘ ଓ ଚଳମାନ ଜୀବନ ପ୍ରତି ମନୋଯୋଗୀ ହେବାକୁ ଚେଷ୍ଟା କଲି । କିନ୍ତୁ ମଉସାଙ୍କର ସେହି କଥା–ସେ ସବୁ ଶୁଣିଛନ୍ତି । ସେଇଟା କ’ଣ ? ସନ୍ଦେହ ? ଦୀର୍ଘ ଦିନ ଅବିବାହିତା ରହିବାର ଏକମାତ୍ର କାରଣ ଗୋପନ ଓ ସମାଜନିନ୍ଦିତ କୌଣସି ପ୍ରେମଜନିତ ବ୍ୟାପାର ଛଡ଼ା କ’ଣ ବା ହୋଇପାରେ !

 

ଆଖିର ପତା ମୋର ଆପଣା ଛାଏଁ ବନ୍ଦ ହୋଇଗଲା । କିଏ ? ଚକ୍ ଚକ୍ ଫିଆଟ୍ ଗାଡ଼ିରୁ ଓହ୍ଲାଇ ଆସିଲେ ସାରଥୀ ଓ ତା’ର ସ୍ତ୍ରୀ ରୀତା ଦାସ ! ସଦ୍ୟ ଷ୍ଟେଟ୍‍ସ୍‍ରୁ ଫେରିଛନ୍ତି...

 

‘ହାଏ, ସୀତା ! ତତେ ଖୋଜି ଖୋଜି ଆମେ ଫେରିବୁ.....ଅଥଚ ତୁ ଏଠି ଏକୁଟିଆ ହାଏ ଉଏଟିଂ ଫର ସମ୍‍ବଡ଼ି... ?’

 

‘ନାଁ ଏମିତି ! ବଜାର ଆସିଥିଲି...ମେଘ ଦେଖି, ମାନେ ମୋର ଏଇ ଚାବିଟା ଛାଡ଼ି ଆସିଲି ମାମୁଁଙ୍କ ଘରେ ଯେ ଫୋନ୍ କରି ଏଇଠି ଛିଡ଼ା ହୋଇଛି... ।’

 

‘ହାଏ ତୋ ସହିତ କଥା ହେବାକୁ ସାରଥିଙ୍କର ବହୁତ ଇଚ୍ଛା.....’ କହି ରୀତା କଣେଇ ଚାହିଁଲା । ମୁଁ ଆଗରୁ ଜାଣିଥିଲି ମି. ସାରଥି ମତେ ସିଗାରେଟ୍ ଧୂଆଁ ଭିତରଦେଇ ବେଶ୍ ସ୍ୱଚ୍ଛନ୍ଦରେ ଦେଖୁଛନ୍ତି ।

 

‘ହାଏ, ସିଲି ସୀତା ଏସବୁ ପସନ୍ଦ କରେନି । ସିଇଜ୍ ପିଓର୍ଲି ପ୍ୟୁରିଟାନ୍ ।’ ଖିଲ୍ ଖିଲ୍ କରି ହସିଉଠିଲା ରୀତା ।

 

ମୁଁ ଯେମିତି ଝାଳେଇ ଉଠୁଥିଲି । ସାରଥିଙ୍କର ଚାହାଣି, ରୀତାର ହସ ଉଭୟ ମତେ କାତର କରି ଦେଉଥିଲା ।

 

ମୁଁ କିଛି ନ କହିବାଟା ଅସୁନ୍ଦର ଦିଶୁଛି ଦେଖି ବାଧ୍ୟ ହୋଇ କହିଲି–‘ନାଁ, ନାଁ ସିଗାରେଟ୍ ଗନ୍ଧ ମତେ କିଛି ଖରାପ ଲାଗେନି । ଆପଣ ବ୍ୟସ୍ତ ହବାର କିଛି ନାହିଁ ।’

 

‘ବାସ୍ । ଥାଙ୍କ୍ ଇଉ ମିସ୍ ସୀତା । ଆପଣ କେବେ ଆମ ଘରକୁ ଯିବେ କହନ୍ତୁ ତ ! ଆମେ ଯେ ମାସକ ପରେ ଫେରିଯିବୁ । ଫୋନରେ ଆପଣଙ୍କୁ ଖୋଜି ନିରାଶ ହେଲି । ଇଉ ଆର ଟୁ ବିଜି...କେବେ ଷ୍ଟେଟ୍‍ସ୍ ଆସନ୍ତୁ ନାଁ... ଇଉ ଉଇଲ୍ ଲାଇକ୍ ଇଟ୍ ଭେରି ମଚ୍–ଫ୍ରି ଲାଇଫ୍... ଇଣ୍ଡିଆରେ ବଡ଼ ଷ୍ଟିଫ୍ ଲାଗୁଛି ମୋତେ ।

 

ମିଃ ସାରଥିଙ୍କର କଥା କହିବାର ଭଙ୍ଗୀ ଅତି ଚମତ୍କାର । ଚାହାଣିରେ ଅଛି ଆକର୍ଷଣ କରିବାର ଅଦ୍ଭୁତ ମାଦକତା । ପୌରୁଷର ସମସ୍ତ ଔଦ୍ଧତ୍ୟ ସେଥିରେ ସ୍ପଷ୍ଟ । ମୁଁ ଆଖି ତଳକୁ କଲି ।

 

ହଠାତ୍ ରୀତା ଘଣ୍ଟାକୁ ଚାହିଁ ବ୍ୟସ୍ତ ହୋଇ ପଡ଼ିଲା–‘‘ଇଟ୍‍ସ୍‍ ଲେଟ୍ ସାରଥି । ବାଏ ସୀତା ।’’ ମିଃ ସାରଥିଙ୍କର ହାତ ଟାଣି ନେଇ ସେ ଗାଡ଼ିଆଡ଼କୁ ଏକଦମ ଦଉଡ଼ିଗଲା ।

 

ମୁଁ ଚଳନ୍ତା ଗାଡ଼ିକୁ ଅନେଇଁ କେବଳ ଅନ୍ୟମନସ୍କ ଭାବରେ ରୁମାଲଟା ଉଡ଼ାଉଥିଲି । ମାତ୍ର ଗୋଟାଏ ଘୋ’ ଘୋ’ ଶବ୍ଦରେ ଆଚ୍ଛନ୍ନ ଭାବ କଟିଗଲା । ଆସୁଛି ଏକ ଶୋଭାଯାତ୍ରା । ଦରଦାମ ବୃଦ୍ଧି ରୋକିବା ପାଇଁ ସମଗ୍ର ସହରରେ ହରତାଳ, ବନ୍ଦ ଓ ଘେରାଉ ଆନ୍ଦୋଳନ ପାଇଁ ହୁଙ୍କାର ଉଠୁଛି ଏକତାଳରେ ! ପୋଷ୍ଟର ଛାଇ ହୋଇଯାଇଛି କାନ୍ଥ ବାଡ଼ରେ ।

 

ହେଇ ତ, ଗୌରୀଶ୍ୟାମ ଅଛି ଶୋଭାଯାତ୍ରାରେ । ବର୍ତ୍ତମାନ ସେ ଅଟକି ଯାଇଁ ଦେଶର ଅର୍ଥନୀତି ସମ୍ୱନ୍ଧରେ କିଛି ତା’ର ନିଜସ୍ୱ ଦର୍ଶନ ବଖାଣିବ । ଏଠୁ ଏଇକ୍ଷଣି କେଉଁଆଡ଼େ ଛପିଯିବାର ଉପାୟ ନାହିଁ, ବିଶେଷତଃ ଗୌରୀଶ୍ୟାମ ଯେ କ୍ଲାସମେଟ୍ । ସତକୁ ସତ ଗୌରୀଶ୍ୟାମ ପ୍ଲାକାର୍ଡ଼ଟା ହାତରେ ଧରି ଜନତା ସ୍ରୋତରୁ ଛିଟିକି ଆସି କହିଲା–

 

‘‘ଏ ସୀତା ! ଆସ...ଆଜି ତୁମେ ଏଇଟାକୁ ଧରି ଆଗରେ ଚାଲ । ଲିଡ଼୍ କର... କମ୍ ଅନ୍ ।’’

 

ମୁଁ ଖାଲି ହସିଲି ଏବଂ ଇଙ୍ଗିତ କଲି ନ ଅଟକି ଆଗେଇ ଯିବା ପାଇଁ ।

 

‘‘ମୁଁ ଜାଣେ ପରା, ତମେ ଯେତେକ ସବୁ ଚାକିରିଆ ସେତକ ଖୋଳ ଭିତରେ ପଶି ରହିଥିବ । ଖାଲି ବଡ଼ ବଡ଼ କଥା ! କିହୋ, ଆମେ ଗୁଳା ବାରୁଦ ଖାଇବୁ ତମରିମାନଙ୍କ ପାଇଁ, ଆଉ ତମେମାନେ ମୋଷ୍ଟ୍ ଓବିଡ଼ିୟେଣ୍ଟ୍ କହି ସବୁ ଫାଇଦା ଉଠେଇବ । ପ୍ରଥମେ ଏ ଅମଲାତନ୍ତ୍ରକୁ ଧୂଳିସାତ୍‍ ନ କଲେ... ।’’

 

ଗୌରୀଶ୍ୟାମ ଆଉ ଅଟକିଲା ନାହିଁ–ମିଶିଗଲା ଶୋଭାଯାତ୍ରାର ସ୍ରୋତରେ । ତା’ର ଏଇପରି କଥା ସହ ସବୁଦିନେ ଆମେ ଅଭ୍ୟସ୍ତ । ଜୋର୍ କରି ସେ ଚାନ୍ଦା ନିଏ, ଜବରଦସ୍ତ ତା’ର ରାଜନୀତି ଉପରେ ଘଣ୍ଟା ଘଣ୍ଟା ଭାଷଣ ଦେଇ ଆମ ସମସ୍ତଙ୍କର ସମୟ ନଷ୍ଟ କରେ । ଅନେକ ଥର ଗୁଳା ବାରୁଦର ସମ୍ମୁଖୀନ ହୋଇ ସେ ଜେଲ ଯାଇଛି । ବଢ଼ି ମରୁଡ଼ିରେ ଲୋକଙ୍କ ସେବା କରିଛି । ମାତ୍ର ମନ୍ତ୍ରୀ ହେବାର ସୌଭାଗ୍ୟ ତା’ର ଏ ପର୍ଯ୍ୟନ୍ତ ହୋଇନାହିଁ । ପେଲାପେଲି ରାଜନୀତିରେ ସମଗ୍ର ଜୀବନ ଭିତରେ ଏ ସୁବିଧା ସେ ପାଇବ କି ନାହିଁ କେଜାଣି ! ସେ ବିଷୟରେ ଗୌରୀଶ୍ୟାମ ଜ୍ୟୋତିଷ ଗବେଷଣା କେତେଦୂର କରିଛି ଠିକ୍ ବୁଝା ପଡ଼ୁନି ।

 

କେଉଁଠୁ ଗୋଟାଏ କି ବସ୍ ଆସିଲା କେଜାଣି, ଝପ୍ ଝପ୍ କରି ଗୁଡ଼ାଏ ଲୋକ ଓହ୍ଲେଇ ପଡ଼ିଲେ । ଯା–ସର୍ବନାଶ ! ମତେ ଏଥିପାଇଁ ବଡ଼ ବିରକ୍ତ ଲାଗେ ନିଜ ଉପରେ–ଏତେ ମାତ୍ରାରେ ଅନ୍ୟମନସ୍କ ହେବା କୌଣସି ସ୍ତ୍ରୀ ଲୋକ ପକ୍ଷରେ, ବିଶେଷତଃ ରାସ୍ତାଘାଟରେ, ଉଚିତ୍ ନୁହେଁ । ମୁଁ ବିରକ୍ତ ହୋଇ ଉଠୁଥିଲି ନିଜ ଉପରେ ।

 

‘ମା’.....ମା’ ଗୋ.....ଖାଇବାକୁ କିଛି ନାହିଁ ମା’.....ପିଲାଟା ଭୋକରେ ଆଉଟି ହେଉଛି ମା’...ଦୟାକର ମା’ ।’ ଭିକାରୁଣୀର କାତର ପ୍ରାର୍ଥନା ମତେ ଅସହ୍ୟ ବୋଧ ହେଉଥିଲା । ବସ୍ରୁ ଓହ୍ଲାଇ ଦୁଇଜଣ ଲୋକ ମତେ ଝାପ୍‍ସା ଅନ୍ଧାରରେ ନିରୀକ୍ଷଣ କରୁଥିଲେ । ମଳୟ ଦାସ ଓରଫ ମୃତ୍ୟୁଞ୍ଜୟ ଦାସ ତା’ର ବିରାଟ ଗୋଲାକୃତି ଚଷମାକୁ ନାକ ତଳକୁ ଖସାଇ ନେଇ ଲମ୍ୱା ସିଗାରେଟ୍‍ରୁ ଭସ୍ ଭସ୍ ଧୂଆଁ ଛାଡ଼ି ଏକ ବିନ୍ଦୁରେ ଆକାଶ ପୃଥିବୀକୁ ଚାହିଁବା ସଙ୍ଗେ ସଙ୍ଗେ ମତେ ମଧ୍ୟ ତା’ ସହିତ ଚାହୁଁଥିଲା । ଅନ୍ୟ ଜଣକ ବନମାଳୀ । କାନ୍ଧରେ ପୁଟୁଳିଟି ଝୁଲାଇ ଦେଇ ଚାରି ପାଞ୍ଚ ବର୍ଷର ହାଡ଼ୁଆ ଆଙ୍ଗୁଠି-ଚୁଚୁମା ଛୁଆଟିଏ କାନ୍ଧରେ ପକାଇ ମତେ ଝାପ୍‍ସା ଅନ୍ଧାରରେ ଠଉର କରିବାକୁ ମୁହୂର୍ତ୍ତେ ବି ସମୟ ନ ନେଇ ମୁହଁଟାକୁ ଲୁହ ଲାଳରେ ଫଟେଇ ଦେଉଥିଲା । ଦୁଇଜଣଯାକ ରାସ୍ତା ସେପଟରେ–ମୁଁ ଏବଂ ଭିକାରୁଣୀଟି ରାସ୍ତା ଏପଟରେ । ମଝିରେ ଚଳମାନ ଜୀବନ ଓ ଯାନବାହନ । ସ୍ଲୋଗାନ ପରି ଲାଗୁଛି ମତେ ଜୀବନ । ବଡ଼ ପାଟି କରି କହିବାକୁ ଇଚ୍ଛା ହେଉଥିଲା । ତାହା ଯେତେବେଳେ ସମ୍ଭବ ହେଲାନି ମୁଁ ଅଗତ୍ୟା ଭିକାରୁଣୀଟି ଉପରେ ଫାଟିପଡ଼ିଲି–‘‘ଖାଇବାକୁ ଦେବାକୁ ବଳ ନାହିଁ, ଆଉ ପିଲା ଜନ୍ମ କରିବାକୁ ଭାରି ବଳ ଅଛି ତ ? ଯା, ନିକଲ୍ ମୋ ସାମ୍ନାରୁ.....ଯାଉଛୁ ନା ପୋଲିସ୍ ଡାକିବି..... !’’

 

ଆଉ ଅଧିକ ପ୍ରଶ୍ନୋତ୍ତରକୁ ବେଳ ନ ଦେଇ ବନମାଳୀ ଧାଇଁ ଆସିଲାଣି ମୋ ପାଖକୁ । ବଲବଲ କରି ମତେ ଆଉ ଭିକାରୁଣୀକୁ ଅନେଇଛି ସେ । ସୌଭାଗ୍ୟକୁ ଭିକାରୁଣୀଟି କ’ଣ ଭାବିଲା କେଜାଣି ଧୀରେ ଧୀରେ ଛୋଟେଇ ଚାଲିଗଲା ସେ ମୋ ସାମ୍ନାରୁ ।

 

ମୁଁ ରୁମାଲରେ ମୁହଁ ପୋଛି, ମଳୟ ଦାସକୁ ଚାହିଁ, ବନମାଳୀକୁ ପଚାରିଲି–

 

‘‘କ’ଣ ଗାଁ ଖବର ସବୁ ଭଲ ? ନଈବଢ଼ିରେ କେଇ ବସ୍ତା ଚୁଡ଼ା, ଚାଉଳ ପାଇଲା ମାଧବ ମିଶ୍ର ? ତମେ ପରା ତା’ ଦୋକାନରେ କାମ କରୁଛ ?’’

 

‘‘ମୁଁ କ’ଣ ଆଜ୍ଞା ଆଉ ସେଠି ଛ’ମାସ ହେଲା ଅଛି ? ବଡ଼ବାବୁ କହି ନାହାନ୍ତି.... ଚଣ୍ଡାଳଟା ତ ମୋ ଅଣ୍ଟା ଭାଙ୍ଗିଦେଇଗଲା ଦିଦି । ରଘୁଆ ଗଲାଦିନୁ ତା’ ମା’ ତ ବିଛିଣାରୁ ଉଠୁନାହିଁ-। ମୋ ବାପା ବି କତରା ଧରିଲେଣି....ମୁଁ ମୂରୁଖ ନୋକ–କୋଉଠୁ ତାକୁ ଏ ସହର ବଜାରରେ ପାଇବି ଦିଦି ।’’

 

ମୋର ମନେ ପଡ଼ିଗଲା, ବାପା କହୁଥିଲେ ବନମାଳୀର ବଡ଼ପୁଅ ରଘୁନାଥ ଘରଛାଡ଼ି କେଉଁଆଡ଼େ ପଳାଇଛି । ବିଚରା ବନମାଳୀ ସି ଅକ୍ଷର-ବିବର୍ଜିତ–ମାଧବ ମିଶ୍ରର ଚୁଡ଼ା ଚାଉଳ ଦୋକାନରେ କାମ କରି ମାସିକ ଦଶ ଟଙ୍କା ବେତନ ପାଏ । ସେ ବେତନର ପରିମାଣ କୋଡ଼ିଏ ବର୍ଷ ଧରି ସୀମିତ । ସେଥିରେ ପୁଣି ଘରେ ପାଞ୍ଚ ପ୍ରାଣୀ ମଣିଷ । ଅଠର ବର୍ଷର ପୁଅ ରଘୁନାଥ–ଘରଛାଡ଼ି ପଳାଇବା ଅର୍ଥ କ’ଣ ହୋଇପାରେ ?

 

‘‘ଦିଦି ! ତମର ହାକିମ ହୁକୁମା ଏତେ ଚିହ୍ନା–ଏ ପୋଲିସ୍ ବାବୁମାନଙ୍କୁ କହି ଟିକିଏ ରଘୁଆ ଖବର ବୁଝନ୍ତ ନାହିଁ ! ମୁଁ ଏବେ କେତେ ସହର ଗାଁ ବୁଲି ବୁଢ଼ୀ ବୟସରେ ଖୋଜି ଖୋଜି ନୟାନ୍ତ ହେବି କହିଲ ।’’

 

ବନମାଳୀର ତଣ୍ଟି ପାଖରେ କୋହ ଜମାଟ ବାନ୍ଧି ଆସୁଛି । ମୁହଁସାରା ଦାଢ଼ି । ମୁଣ୍ଡବାଳ ସବୁ ପାଚି ଝୋଟ ହୋଇଗଲାଣି । ସବୁଦିନ ପରି ହାତରେ କନା ବ୍ୟାଗ ଖଣ୍ଡିଏ, କାନ୍ଧରେ ଚିରୁକୁଟି ଛିଣ୍ଡା ମଇଳା ପୋଟଳିଟିଏ । ହୁଏତ ସବୁଦିନ ପରି ସେଥିରେ ଥିବ ପାଞ୍ଚ ପଇସାର ଲୁଣ, ଲଙ୍କା, ତେନ୍ତୁଳି । ସେ ତ ଆଉ ବୁଝିବ ନାହିଁ ଯେ ରଘୁନାଥର ଫେରି ଆସିବାର କୌଣସି ନିର୍ଦ୍ଦିଷ୍ଟ କାରଣ ମୁଁ ଦେଖି ପାରୁନାହିଁ–କାରଣ ମାଧବ ମିଶ୍ର ଦୋକାନରୁ ପଚାଶ ପଇସା ଚୋରାଇ ନେଇ ସେ ଯେଉଁ ଯନ୍ତ୍ରଣା ସହିଛି, ତାହା ତ ଆଉ ସାରା ଜୀବନ ତାକୁ ଘରମୁହାଁ କରାଇ ଦେବନି । କିନ୍ତୁ ମୁଁ ତାକୁ କି ଭରସା ଦେବି ବୁଝି ପାରୁ ନ ଥିଲି । ଏଣେ ମଳୟ ଦାସ ମତେ ସେମିତି ନିରୀହ ଉଦାସ ଭଙ୍ଗୀରେ ଚାହିଁ ରହିଛି ରାସ୍ତା ସେପଟରେ । ମୁଁ ରୁମାଲରେ ମୁହଁ ପୋଛି ଗଳା ପରିଷ୍କାର କରି କହିଲି–

 

‘‘ମିଳିବ, ମିଳିବ ବନମାଳୀ । ଦେଖିବ ରହ, ସେ ମନକୁ ମନ ଫେରି ଆସିବ ।’’

 

ବନମାଳୀ ହାତ ଉପରକୁ ଟେକି ନମସ୍କାର କଲା–

 

‘‘ତମ ତୁଣ୍ଡ ସୁତୁଣ୍ଡ ହେଉ ଦିଦି ! ରଘୁଆ ମା’ଟା ପାଇଁ ମୋର ବେଶି ଚିନ୍ତା–କହିଲା ପରା ପୁଅ ନ ମିଳିଲେ ଜୀବନ ହାରିଦେବ । ତେହିଁକି ତା’ ଭାଇ ଗୋବର୍ଦ୍ଧନ କହିଲା କି ସେ ବରହମପୁର ଯାଇଛି । ସେଠିକି ଗଲି–ଧୂଳିମାଟି ଖୋଜି ଅଇଲି ସେଠି । ହରି ଦାଦା କହିଲେ କି ସେ ଏଠିକି ପଳେଇ ଆସିଲାଣି । ମୁଁ ଏବେ କେତୁଟା ସହର ଖୋଜିବି କୁହନା ଦିଦି । ତମେ ଯଦି କେଉଁଠି ତାକୁ ଦେଖ ଦିଦି, ତା’ କାନ ମୋଡ଼ି ଘରକୁ ପଠାଇ ଦେବ । ନଇଲେ ମତେ ତାର କରିଦେବ ଦିଦି–ମୁଁ ଦି’ଦିନ ଏଠି ସନିଆ ଭାଇ ଘରେ ରହି ଚାଲିଯିବି... ।’’

 

କାନ୍ଧରେ ଥିବା ଛୁଆଟା ଭେଁ, ଭେଁ କରି କାନ୍ଦି ଉଠିଲା ରାହା ଧରି । ବନମାଳୀ ତାକୁ ଥାପୁଡ଼େଇ ଦେଉ ଦେଉ କହିଲା–‘‘ଇଏ ଫେର୍ ଗୋଟିଏ ବୋଝ ମୋ ଉପରେ ନଦା ହେଲାଣି ଦିଦି-। ବାଟୁଟାରେ ଗଡ଼ୁଛି ଛୁଆଟା–କେହି ତା’ ପାଖରେ ନାହିଁ । ଜର ଫୁଟୁଛି–ଅଚେତ ଛୁଆଟାକୁ ରେଳରେ ପକେଇ ଦେଇ ତା’ ମା’ ଚାଲିଗଲା । ମୁଁ ଯେତେବେଳେ ଗାଁରୁ ରେଳ ଚଢ଼ିଲି ଦିଦି–ସେଇଟା କଲିକତାରୁ ଆସେ । ସେଥିରେ ପରା ରାତିରେ ଦେଖିଲି, ମା’ ଛୁଆକୁ ନେଇ ଶୋଇଛି, ସକାଳୁ ଚାଲିଗଲାଣି କୁଆଡ଼େ । ଖାଲି ଡବାଟା–କ’ଣ ଆଉ କରିବି ? ଟୋକାଟା ବି ମତେ ନ ଛାଡ଼େ–ଯାହା ଠାକୁରଙ୍କ ବରାଦ... ।’’

 

ଆକାଶ ପୃଥିବୀ ଚମକାଇ ଗୋଟାଏ ଆଲୋକର ଧାରା ଛୁଟିଗଲା ଚତୁର୍ଦ୍ଦିଗରେ । ହୁଏତ ବଜ୍ରପାତ ହେଲା କେଉଁଠି । ପିଲାଟା ଚିର୍‍ଚିରେଇ ଉଠିଲା ଭୟରେ । ବନମାଳୀ ଛିଣ୍ଡା ଗାମୁଛାଟା ପିଲା ମୁଣ୍ଡରେ ପକାଇ ଦେଇ କହିଲା–‘‘ମୁଁ ଯାଉଛି ଦିଦି । ରଘୁଆ କଥା ତମକୁ ଲାଗିଲା ମେଘ ପକେଇଲାଣି ଜରୁଆ ଛୁଆଟା ଯାଉଛି ଦିଦି ।’’

 

ତା’ପରେ ତା’ର ସାଷ୍ଟାଙ୍ଗ ପ୍ରଣିପାତ, କରୁଣ ଚାହାଣି ଏବଂ ପ୍ରତିଶ୍ରୁତି ପାଇଁ ତାଗିଦା ସହ ଚଳମାନ ସ୍ରୋତ ମିଶିଯିବାର ଭଙ୍ଗୀ ମତେ ନିର୍ବେଦ କରି ଦେଇଥିଲା, ଯେହେତୁ ସେ ଅନେକ କିଛି କହି ପାରିଥିଲା; ଅଥଚ ମୁଁ ଗୋଟାଏ ହେଲେ ଶବ୍ଦ ଉଚ୍ଚାରଣ କରି ପାରୁ ନ ଥିଲି ।

 

ବର୍ଷା ପଡ଼ିଲାଣି ଆସ୍ତେ ଆସ୍ତେ । ସାଙ୍ଗରେ ବର୍ଷାତି ନ ଥିବା କଥାଟା ପ୍ରତି ମୁଁ ସଚେତନ ହୋଇ ଉଠିଲି । ଆକାଶରେ ଚଲା ବାଦଲ ମାଳ ମାଳ । ହୁଏତ ବର୍ଷା ଖୁବ୍ ଶୀଘ୍ର ବନ୍ଦ ହୋଇ ଯାଇପାରେ ।

 

ରାସ୍ତା ଡେଇଁ ମଳୟ ଦାସ ଏପାଖକୁ ଆସିବାର ଉପକ୍ରମ କରୁଛି । ଆଉ ମେଘଟା ହିଁ ତା’ର କାରଣ ବୋଲି ସେ ନିଶ୍ଚୟ ସଫେଇ ଦେବ; ଯେହେତୁ ଏପଟରେ ଗୋଟାଏ ଓସ୍ତ ଗଛ ଅଛି-। ମାତ୍ର ସେ ଗଛ ପର୍ଯ୍ୟନ୍ତ ନ ଯାଇ ମୋ ପାଖରେ ଅଟକିଯିବ କିମ୍ୱା...

 

ମୁଁ ମୋର ବାମ ଓ ଡାହାଣ ପଟକୁ ଅନାଇଲି । ଆହା ! ଭିକାରୁଣୀଟି ତଳେ ଶୋଇଗଲାଣି । ଚାରି ପାଞ୍ଚ ବର୍ଷର ଛୁଆଟା ବସି ଶୁଖିଲା ଧଡ଼ରା କାକୁଡ଼ିଟାଏ ଚୋବାଉଛି–ପେଟ ଉପର ଦେଇ ନାଳ ଧାର ଧାର ହୋଇ ବୋହି ଯାଉଛି । ବିଚିତ୍ର ଦୃଶ୍ୟ–ମେଘରେ ଭିଜି ତା’ ମା’ ଆଖି ବୁଜି ଶୋଇଛି–କେଜାଣି ଚେଇଁଥାଇ ବି ପାରେ । କାରଣ ଯିବା ପାଇଁ ନିର୍ଦ୍ଦିଷ୍ଟ ସ୍ଥାନ ସମସ୍ତଙ୍କର ସବୁବେଳେ ନ ଥାଏ ତ ।

 

ମୁଁ ଯିବା ପାଇଁ ଆଗକୁ ପାଦ ବଢ଼ାଇଲି । କ’ଣ ହେଲା କେଜାଣି ମଳୟ ଦାସ ମଧ୍ୟ ଏପଟ ରାସ୍ତାକୁ ଆସିବା ପାଇଁ ଠିକ୍ ସେତିକିବେଳେ ଆଗେଇ ଆସିଲା ।

 

ରାସ୍ତା ମଝିରେ ଆମେ ପରସ୍ପରକୁ ଭେଟିଲୁ । ମୁହୂର୍ତ୍ତେ । ମାତ୍ର ମୁହୂର୍ତ୍ତେ ଆଖିକୁ ଆକି ମିଶାଇ ମୁଁ ତାକୁ ଚାହିଁଲି । କାରଣ ପାଞ୍ଚ ବର୍ଷ ତଳେ ତା’ର ଅଭଦ୍ରାମି ପାଇଁ ମୁଁ ତାକୁ ଯେମିତି ଘୃଣା ଚକ୍ଷୁରେ ଦେଖିଥିଲି, ଆଜି ବି ଠିକ୍ ସେମିତି ଚକ୍ଷୁରେ ଦେଖୁଛି ବୋଲି ଜଣାଇ ଦେବାକୁ ମୋର ଆଦୌ ସଙ୍କୋଚ ହେଉ ନ ଥିଲା । ମାତ୍ର ସେଇ ମୁହୂର୍ତ୍ତକ ଭିତରେ ସେ ପଚାରିଲା–‘‘ସୀତା ! ‘ଶେଷର କବିତା’ ପଢ଼ିଛ ?’’

 

ଟ୍ରାସ୍ । ମୁଁ ଏପରି ପ୍ରଶ୍ନର ଉତ୍ତର ପାଇଁ ମଝି ରାସ୍ତାରେ ପ୍ରସ୍ତୁତ ନ ଥିଲି କିମ୍ୱା ବିପରୀତମୁଖୀ ଗତି ପଥରେ ଦୁଇ ପଦ ଶୁଣାଇ ତା’ର ରସିକତା ଭଙ୍ଗ କରିବାର ବେଳ ମଧ୍ୟ ନ ଥିଲା । ଅସଂଖ୍ୟ ଜନତା, ଯାନବାହନ ପୁଣି ଶୀତଳ ପବନ ଆଉ ବର୍ଷା ଯୋଗୁଁ ସେ ସବୁର ଗତିବେଗ ବେଶ୍ ପ୍ରଖର ମନେ ହେଉଥିଲା । ଏପଟ ରାସ୍ତାକୁ ଆସିଲା ଭିତରେ ମୁଁ ମନେ ମନେ ଈଶ୍ୱରଙ୍କ ବିଚାରବୁଦ୍ଧିକୁ ତାରିଫ ନ କରି ରହିପାରୁ ନ ଥିଲି ।

 

ମାତ୍ର ନୁହେଁ, ନୁହେଁ, ନୁହେଁ...ମଳୟ ଦାସ ମୋ ପଛେ ପଛେ ପୁଣି ଏପଟ ରାସ୍ତାକୁ ଫେରି ଆସିଛି । ଓଃ ! ଶାନ୍ତିରେ ରଖାଇ ଦେଲାନି ମତେ ମଳୟ ଦାସ–କି ବିଚିତ୍ର ଜନ୍ତୁଟାଏ କେଜାଣି । ଦୁର୍ଯ୍ୟୋଗକୁ ରିକ୍‍ସାଟିଏ ବି ନାହିଁ... ।

 

ସିଗାରେଟରେ ଅଗ୍ନି ସଂଯୋଗ କରି ମଳୟ ଦାସ କହିଲା–‘‘ତମେ ସେ ଭିକାରୁଣୀକୁ ପାଞ୍ଚ ଦଶ ପଇସା ଦେଇଥିଲେ ତମର କ’ଣ କ୍ଷତି ହୋଇଥାନ୍ତା ? ଏତେ ଟଙ୍କା ରଖି ସୁଖ କେତେ ପାଇଲଣି ?

 

ମୁଁ ରାଗରେ ଜଳି ଉଠି କହିଲି–‘‘ଚାରିଟି ମଷ୍ଟ ବିଗିନ୍ ଫ୍ରମ୍... ।’’

 

–‘‘ହୋମ । ସୀତା ସେଇଥିପାଇଁ ତ ସେପଟକୁ ଯାଇ ପିଲାଟାକୁ ଦେଇ ଆସିଲି ବିସ୍କୁଟ୍ ଆଉ ପାଉଁରୁଟି । ଆହା ବିଚରା....ମା’ଟା ଭୋକରେ ପଡ଼ିଯାଇଛି ଯେ ।

 

ହଠାତ୍ ବିକଳ ଚିତ୍କାରରେ ମୁଁ ଚମକିପଡ଼ିଲି । ବୁଲା କୁକୁରଟାଏ ପିଲାଟା ପଛରେ ଗୋଡ଼େଇଛି । ଭୋ, ଭୋ, ଭୁକୁଛି–ଡେଇଁପଡ଼ି ତା’ ହାତରୁ କୁକୁର ଛଡ଼େଇ ନେଉଛି ଦେଖୁ ଦେଖୁ ଆହୁରି ଦୁଇଟା କୁକୁର ଘେରି ଗଲେଣି ଓଃ, ଅସହ୍ୟ....

 

ମୁଁ ମଳୟ ଦାସକୁ ଚାହିଁଲି । ସେ ନିର୍ବିକାର ଦୃଷ୍ଟିରେ ଆକାଶକୁ ଚାହିଁଛି...ମୁଁ ପାଟି କରି ଉଠିଲି–‘‘ମଳୟ, ଦୌଡ଼ି ଯାଅ, ପ୍ଲିଜ୍–ପିଲାଟାକୁ କୁକୁର ଖାଇଯିବେ ଯେ... ।’’

 

‘‘ତେବେ ତୁମେ ପ୍ରମିସ୍ କର ଯେ ମୁଁ ଫେରିଲା ପର୍ଯ୍ୟନ୍ତ ତମେ ଏଇଠି ଥିବ–ପ୍ରମିସ୍ ସୀତା ।’’

 

ମୋର ଶିରା ପ୍ରଶିରାରେ ନିଆଁ ଲାଗିଗଲା । ମୁଁ ଜଳିଯିବି...ହଁ, ହଁ ମୁଁ ଜଳିଯିବି...ମୋ ହାତମୁଠା କମ୍ପି ଉଠୁଥିଲା...ଦାନ୍ତ ଉପରେ ଦାନ୍ତ ଚାପି ମୁଁ ଜଳିଯାଉଥିଲି । ମାତ୍ର ନିମିଷେ । ମୁଁ ଝାପ୍‍ସା ଆଖିରେ ପରିଷ୍କାର ଦେଖି ପାରୁଥିଲି, ପିଲାଟା ପ୍ରାଣ ବିକଳରେ ରାସ୍ତା ଏପଟକୁ ଧାଇଁ ଆସୁଛି–ତା’ ପଛରେ ଓ ଆଗରେ ଧାଇଁଛନ୍ତି କୁକୁର, ଆଉ ଏପଟୁ ସେପଟୁ ରାକ୍ଷସ ପରି ଯୋଡ଼ାଏ ଟ୍ରକ ଧାଇଁ ଆସୁଛନ୍ତି । ଈଶ୍ୱର, ହେ ଈଶ୍ୱର, ସତେ ତମେ କେଉଁଠି ଅଛ ? ମୁଁ...ମୁଁ କାହାକୁ ଅପେକ୍ଷା କରେନି...ଏମିତିକି ତମକୁ ବି...।

 

ପର ମୁହୂର୍ତ୍ତରେ ପିଲାଟାକୁ ଦୁଇଟା ଗାଡ଼ି ସାମ୍ନାରୁ ଠେଲି ଦେବା ଏବଂ ସେ ନିଜେ ପଡ଼ିଯାଇ ଚିତ୍କାର କରିବାର ଶବ୍ଦକୁ ଅନ୍ୟାନ୍ୟ ଅସଂଖ୍ୟ ଶବ୍ଦ ଭିତରେ ମୁଁ ସ୍ପଷ୍ଟ ଅନୁଭବ କରି ପାରିଥିଲି । କିନ୍ତୁ ତା’ ସଙ୍ଗେ ସଙ୍ଗେ ପ୍ରଚଣ୍ଡ ଶବ୍ଦ କରି କେଉଁଠି କ’ଣ ଗୋଟାଏ ପଡ଼ିଗଲା ଯେମିତି-। ଇସ୍, ମୋ ବାଁ ଗୋଡ଼କୁ କିଏ ଦଳିମକଚି ଟୁକୁରା କରିଦେଲା...ସେକେଣ୍ଡ ଦି’ସେକେଣ୍ଡ...-। ମୁଁ ଜାଣିଥିଲି ମୁଁ ଅସତର୍କ ହୋଇଯାଇଛି, ଅତଏବ କିଛି ଶବ୍ଦ ମତେ ଆଉ ଶୁଭୁନାହିଁ । ଈଶ୍ୱର, ଈଶ୍ୱର । ତମେ ଏତେ ନୀରବ ରୁହ କାହିଁକି ???

✽✽✽

 

ଦାବି

 

ସେ ଚାଲିଗଲେ । ସକାଳ ପାଞ୍ଚ ଘଣ୍ଟା ଅଠତିରିଶ ମିନିଟରେ । ତୁଣ୍ଡରୁ ତୁଣ୍ଡ ହୋଇ ଚାରିଆଡ଼େ ବ୍ୟାପିଗଲା । ସେ ଚାଲିଗଲେ । କିଛି ଅଚାନକ ନୁହେଁ । କିଛି ଅପ୍ରାପ୍ତି ଅବଶୋଷରେ ନୁହେଁ, କିଛି ଅନିଚ୍ଛାରେ ନୁହେଁ କି ଅଜଣାରେ ନୁହେଁ । ସମସ୍ତେ ଜାଣିଥିଲେ ସେ ଚାଲିଯିବେ–ଯିବାର ସମୟଠାରୁ ତାଙ୍କର ରହିବାର ସେ ଅତିକ୍ରମ କରି ଯାଇଥିଲେ । ଦୀର୍ଘଦିନ ଧରି ବିଛଣାରେ ପଡ଼ି ସେ କଷ୍ଟ ପାଉଥିଲେ । ବନ୍ଧୁ ବାନ୍ଧବ ସଂଖୋଳାରେ ଯିବା ଆସିବା ଲୋକ ଗହଳିରେ ଘରର ଲୋକେ ଅତିଷ୍ଠ ହୋଇଥିଲେ । ଯାହା ସମ୍ପତ୍ତି, ଯାହା ଟଙ୍କା ପଇସା ଥିଲା ସବୁ ଉତ୍ତରାଧିକାରୀଙ୍କୁ ସମାନ ଭାବରେ ବାଣ୍ଟି ଦେଇଥିଲେ । ଦାୟ ନ ଥିଲା, ଖାଲି ଥିଲା ଅପେକ୍ଷା...ଆହା ଭଲ ହେଲା.... ଆଉ କ’ଣ ସଂସାରରେ କିଏ ଚିରସ୍ଥାୟୀ ନା ସେ ହେବେ ?

 

ଘର ଆଗରେ ଗହଳି ଜମିଗଲା । ସବୁଦିନ ପରି ରଜନୀଗନ୍ଧାର ଡେମ୍ଫ ପବନରେ ଦୋହଲୁଥିଲା । ଗେଟ୍ ଉପରେ ଅରଣ୍ୟ ପରି ମାଡ଼ିଥିବା ମାଧବୀ ଲତାରେ ପ୍ରଜାପତି ନରମ ସୂର୍ଯ୍ୟ କିରଣରେ ଉଡ଼ି ବୁଲୁଥିଲେ । ଘର ଭିତରୁ ତାଙ୍କ ସ୍ତ୍ରୀଙ୍କର ରହି ରହି କାନ୍ଦଣା ଶବ୍ଦ ଆସୁଥିଲା । ପୁଅ ଝିଅମାନେ ଆଖିରୁ ଲୁହ ପୋଛି ବନ୍ଧୁବାନ୍ଧବ ଅତିଥିମାନଙ୍କର ଚର୍ଚ୍ଚାରେ ନିମିଷକରେ ବ୍ୟସ୍ତ ହୋଇପଡ଼ିଲେ । ଡ୍ରଇଂ ରୁମ୍‍ରୁ ବାରଣ୍ଡାରେ ଲୋକ ଭର୍ତ୍ତି ହୋଇଗଲେଣି । ଚା’ ପାନ ସରବତ ସିଗାରେଟ ସଦ୍‍ବ୍ୟବହାରରେ ସମସ୍ତେ ବ୍ୟସ୍ତ ।

 

ଓଠ କଣରେ ସିଗାରେଟ୍ ଚାପି ଆସିଲେ ରିଟାୟାର୍ଡ଼ ଜିଲ୍ଲା ମ୍ୟାଜିଷ୍ଟ୍ରେଟ୍ ସୁକାନ୍ତ ମିଶ୍ର । ବାଁ ହାତରେ ହାତୀ ଦାନ୍ତର ବାଡ଼ି । ବାର୍ଦ୍ଧକ୍ୟ ଓ ଆଭିଜାତ୍ୟର ଚିହ୍ନ । କଣ୍ଠ ବାଷ୍ପାକୁଳ–ଆଖି ମେଘାଚ୍ଛନ୍ନ, ଉଦାସ । ଆରାମ୍ ଚେୟାର ଉପରେ କ୍ଳାନ୍ତ ହୋଇ ଆଉଜିଲେ ସେ । ସତେକି ଏକ ବିରାଟ କ୍ଷତି ହୋଇଛି ତାଙ୍କର କହି ହେବନି । ଚାରିଆଡ଼େ ଟିକିଏ ସତର୍କତା ମୁହଁ ଚୁହାଁଚୁହିଁ ବଢ଼ିଗଲା । ତାଙ୍କର ପରମ ବନ୍ଧୁ, ଦେଶର ମାନ୍ୟଗଣ୍ୟ ବନ୍ଧୁ ଆସିଛନ୍ତି ଯେ ।

 

ତା’ ପଛକୁ ପଛ ଆସିଗଲେ ଜଜ୍ ସାହେବ ଅବିନାଶ ମହାପାତ୍ର । ସତେକି ମୃତ୍ୟୁର ବିଭୀଷିକା ସେ କେବେ ଆଗରୁ ଉପଲବ୍‍ଧି କରି ନାହାଁନ୍ତି । ସେ ଶବ ପାଖକୁ ଗଲେ–ଆଖି ବୁଜି ଛୋଟ କାଠର ତ୍ରଶୁଟିଏ ବିଛଣା ଉପରେ ରଖି ଗୋଟିଏ ସେକେଣ୍ଡ ନୀରବ ହେଲେ । ଲୁହ ଠୋପାଟିଏ ଝରି ପଡ଼ିଲା କେବଳ ! ତା’ପରେ ଫେରି ଆସି ସେ ସୁକାନ୍ତ ମିଶ୍ରଙ୍କ ପାଖରେ ଚେୟାର ଟାଣି ବସିଲେ । କେହି କାହାକୁ ଅନେଇବାକୁ ତାକତ୍ ନାହିଁ ଯେମିତି !

 

ଏତିକିବେଳେ ଦାଣ୍ଡରେ ଟିକେ ବେଶୀ ହଇଚଇ ପଡ଼ିଗଲା । ଶିକାର ପୋଷାକରେ କ୍ଳାନ୍ତ ପରିଶ୍ରାନ୍ତ ବେଶରେ ବନ୍ଧୁକଟା କୁଣ୍ଢେଇ ଧରି ରତ୍ନପୁରର ବୁଢ଼ା ରଜା ଅବନୀନ୍ଦ୍ର ନାଥ ଜିପ୍‍ର ଷ୍ଟିୟରିଂ ଉପରେ ମୁହଁ ମାଡ଼ି କାନ୍ଦୁଛନ୍ତି ।

 

ଚାରିଆଡ଼େ ଫୁସ୍‍ଫୁସ୍...ଆଶ୍ଚର୍ଯ୍ୟ ଓ ପ୍ରଶ୍ନର ନୀରବ କୋଳାହଳ । ରଜା ବୋଧହୁଏ ହୋସରେ ନାହାଁନ୍ତି ! କିମ୍ୱା ବେଶୀ ମଦ ପିଇ ଦେଇଛନ୍ତି, କିମ୍ୱା ନ ହେଲେ ଏମିତି ପିଲାଙ୍କ ପରି ରଡ଼ି ଛାଡ଼ି କାନ୍ଦନ୍ତେ ନାଁ ? ଯା’ହେଉ ଅଳ୍ପକେ ଅବସ୍ଥାଟା ସୁଧୁରି ଗଲା । ସଙ୍ଗେ ସଙ୍ଗେ ଆସି ପହଞ୍ଚିଗଲେ ବିଖ୍ୟାତ ବେହେଲା ଶିଳ୍ପୀ ଗୌରୀ ଦେବୀ । ତାଙ୍କର ଶୁଭ୍ର ଶରୀରର ଶୁଭ୍ର ବସ୍ତ୍ର, କପାଳରେ ଶୁଭ୍ର ଚନ୍ଦନ ଟୀକା, ବେକରେ ରୁଦ୍ରାକ୍ଷ ମାଳା ଆଉ ହାତରେ ବେହେଲା । ସତେକି ଏକ ବିଶେଷ ଅଧିବେଶନରେ ବିଶେଷ ଭାବରେ ନିମନ୍ତ୍ରିତା ସେ । ଗାଡ଼ିରୁ ଓହ୍ଲାଇ ପଡ଼ି ସେ ଜିପ୍ ପାଖକୁ ଗଲେ ଏବଂ ଅବନୀନ୍ଦ୍ର ନାଥଙ୍କ ମୁଣ୍ଡ ଉପରେ ହାତ ରଖି କୋମଳ କଣ୍ଠରେ କହିଲେ–‘‘ଅବନୀନ୍ଦ୍ର ! ବି କାମ୍, ବି ଷ୍ଟେଡ଼ି ! ଟେକ୍ ଇଟ୍ ଇଜି...ଅବନୀନ୍ଦ୍ର–କମ ଅନ୍ ପୃଥିବୀର ଏଇଟା ଯେ ଏକ ନିୟମ...ତୁମେ ଅଧୈର୍ଯ୍ୟ ହେଲେ...ଛିଃ, ଛିଃ...ଆସ, ଭିତରକୁ ଆସ ଅବନୀନ୍ଦ୍ର ।’’

 

ଗୌରୀ ଦେବୀଙ୍କ କଥା ଥିଲା ତୀକ୍ଷ୍‍ଣ; ମାତ୍ର ତାଙ୍କର ଗଣ୍ଡଦେଶ ଦେଇ ଲୋତକର ଧାରା ବହିଚାଲିଥିଲା । ଅବନୀନ୍ଦ୍ର ନାଥ ଆଖି ଟେକି ଚାହିଁଲେ, ପୁଣି କ’ଣ ଭାବି ଗୌରୀ ଦେବୀଙ୍କ କାନ୍ଧରେ ଭାରା ଦେଇ ଶାନ୍ତ ପିଲାଟିଏ ପରି ଘର ଭିତରକୁ ମୁହାଁଇଲେ । ଜିପ୍ ଭିତରେ ମୃତ ହରିଣର ନିଷ୍ପ୍ରଭ ଆଖି ଦୁଇଟି ଆହୁରି ନିଷ୍ପ୍ରଭ ଲାଗୁଥିଲା !

 

ସୁକାନ୍ତ ମିଶ୍ର’ ଆଉ ଅବିନାଶ ମହାପାତ୍ର ଦୁହେଁ ମିଶି ଅବନୀନ୍ଦ୍ର ନାଥଙ୍କୁ ଧରାଧରି କରି ଆରାମ ଚେୟାରରେ ବସାଇଲେ, ପ୍ୟାଣ୍ଟର ବେଲ୍‍ଟ ଖୋଲିଦେଲେ । ଗୌରୀ ଦେବୀ ଓଦା ଗାମୁଛାରେ ତାଙ୍କର ଖୋଲାଥିବା ଶରୀରରେ ଏକ ସ୍ପଞ୍ଜ କରାଇ ଦେଲେ ନିଜ ହାତରେ ! ତା’ପରେ ଚା’ ସିଗାରେଟ୍, ପାନ କିଛି ଖାଦ୍ୟ ପଦାର୍ଥ ଭକ୍ଷଣ ନିଷେଧ ଶବ ନ ଉଠିଲା ପର୍ଯ୍ୟନ୍ତ !

 

ବେହେଲାଟି କରୁଣ ସ୍ୱରରେ ବାଜି ଉଠିଲା ଖୁବ୍ ଧୀରେ ଧୀରେ । ଗୌରୀ ଦେବୀ ସତେକି ଯତ୍ନ ସହିତ ଅନ୍ତରଙ୍ଗ ବନ୍ଧୁ ପାଇଁ କାନ୍ଦି ଚାଲିଥିଲେ । ଆବହାୱାରେ ବିରହ ବେଦନା ବିଚ୍ଛେଦର ଆକୁଳ ରାଗିଣୀ...ଜମିଥିବା ଜନତା ପୁଣି ଅନୁଭବ କଲେ ଯେ ଅଳ୍ପ ସମୟ ତଳେ ତାଙ୍କର ପ୍ରିୟ ଲୋକଟି ଚାଲିଯାଇଛି ସବୁଦିନ ପାଇଁ !

 

ସମୟ ଗଡ଼ି ଯାଉଛି । ଶୀଘ୍ର ଶୀଘ୍ର କାମ ସରିଗଲେ ଭଲ–ଯେତେ ବେଶୀ ସମୟ ଗଡ଼ିବ ସେତେ ବେଶୀ ଦୁଃଖର ବୋଝ ବଢ଼ିବ ସିନା, କମିବନି । କାହିଁକି ଯେ ଡେରି ହେଉଛି କିଛି ବୁଝା ପଡ଼ୁନି । ସୁକାନ୍ତ ମିଶ୍ର ଘଡ଼ି ଦେଖିଲେ ଦିନ ଦୁଇଟା ବାଜିଲାଣି–କିନ୍ତୁ ଶବ ଉଠିବାର ଆୟୋଜନ ନାହିଁ । କିଏ ଆଉ ଆସିବ ? ବଡ଼ ପୁଅ ତ ବମ୍ୱେରେ, ମଝିଆଁ ପୁଅ ଲଣ୍ଡନରେ, ଖାଲି ଟୁଙ୍ଗୁରୁ ଟୁଙ୍ଗୁରୁ ହେଉଛି ସାନ ପୁଅଟା । ସେଇ ମୁଖାଗ୍ନି ଦେବ–ଅପେକ୍ଷା କାହାକୁ ? ଦୁଇଟା ଜୋଇଁ ପୁଅ ଆଉ ସେମାନେ ଅଛନ୍ତି...ଆଉ ଡେରି କାହିଁକି ?

 

ସୁକାନ୍ତ ମିଶ୍ର ଘର ଭିତରକୁ ପଶିଗଲେ । ଆହା ! ବିଧବା ହେବ ବିଲାତି ଝିଅ ରୋଜାଲିନ୍ । କେତେ ସୁନ୍ଦର ଏ ଦେଶର ପାଣି ପବନ ସହ ନିଜକୁ ମନେଇ ନେଇଥିଲା ସେ ! ଦେହରେ ଶାଢ଼ି, ଚୁଡ଼ି, ସିନ୍ଥିରେ ସିନ୍ଦୁର !

 

ରୋଜାଲିନ୍ କାନ୍ଦୁଛି । କ’ଣ କହିବେ ସେ ସ୍ଥିର ନ କରିପାରି ତାଙ୍କର ସାନ ପୁଅ ଲଳିତ କୁମାରକୁ ଡାକି କହିଲେ–‘‘ଆଉ ଡେରି କାହିଁକି ? ଯେତେ କଷ୍ଟ ହେବ ହେଉ ବାପା, କାମଟା ଶୀଘ୍ର ସାରିବାକୁ ହେବ ।’’ ସୁକାନ୍ତ ମିଶ୍ର ପୁଣି ଥରେ ଘଡ଼ିକୁ ଚାହିଁ ସମୟର ସୂଚନା ଦେଲେ । ‘‘ନାଁ, ସବୁ ହେଇଗଲାଣି–ଖାଲି ଫୁଲ ଓ ଚନ୍ଦନ କାଠ ପାଇଁ... ।’’

 

ଲଳିତ କୁମାର ଓ ସୁକାନ୍ତ ମିଶ୍ର ଉଭୟେ କଥା ବନ୍ଦ ରଖିବାକୁ ବାଧ୍ୟ ହେଲେ । ଆଖି ତାଙ୍କର ଡ୍ରଇଁ ରୁମ୍ ଆଡ଼ୁ ଆସୁଥିବା ଏକ ଅଭୂତ ବ୍ୟକ୍ତି ଉପରେ ନିବଦ୍ଧ ହୋଇଗଲା ।

 

କୋଚଟ ମଇଳା ଲୁଗାଟିଏ ଆଣ୍ଠୁ ଉପରକୁ ପିନ୍ଧି, ତଦ୍ରୂପ ଏକ ମଇଳା ନାଲି ଗାମୁଛା କାନ୍ଧରେ ପକେଇ ଲଣ୍ଡା ମୁଣ୍ଡରେ ଚୁଟିଟିଏ ଲମ୍ୱେଇ ଅଣ୍ଟାରେ ବଟୁଆ ଜାକି ଧସେଇ ପଶିଆସୁଛି ଲୋକଟାଏ । ଆଖି ଦି’ଟା ଲାଲ୍ ଟକ୍ ଟକ୍... ! ଆଶ୍ଚର୍ଯ୍ୟ ! ଦଣ୍ଡେ ବି ଅଟକିଲା ନାହିଁ ଡ୍ରଇଁ ରୁମରେ-। ଶବ ରହିଥିବା ଘରଟାକୁ ପଶିଗଲା ଅକୁହା ଅପୋଛାରେ.... !

 

ବାଧ୍ୟ ହୋଇ ସମସ୍ତେ ତା’ ପଛେ ପଛେ ଉଠିଗଲେ ! ସେଠି ଲୋକଟା ଶବ ଉପରୁ ଲୁଗାଟା ଉଠେଇ ପାଟି କରି ଉଠିଲା–‘‘ଚାଲିଗଲୁ ଶୀତୁଆ ! ବିଧାତା କଲା ଏଇଆ–ହା’ରେ କପାଳ-! ଗାଁଟାସାରା ସଭିଙ୍କି ପୋଡ଼ିଲି ଏଇ ହାତରେ–ଭାବିଥିଲି ଏଇ ଆଣ୍ଠୁକୁଡ଼ାଟାକୁ ତୁଇ ପୋଡ଼ିବୁ-। ତୁ ବି ଦଗା ଦେଇଗଲୁ...ମୋ ଭାଗ୍ୟ ରେ ଶୀତୁଆ ! ଆଉ ମୋର ବନ୍ଧୁ କୁଟୁମ୍ୱ ସାଇ ପଡ଼ିଶା କିଛି ରହିଲା ନାହିଁରେ....ମୁଁ ଅରକ୍ଷିତ ହୋଇଗଲିରେ ଶୀତୁଆ... ।’’

 

ଛୋଟ ଘରଟା ଭିତରେ ଲୋକ ଖୁନ୍ଦି ହୋଇ ଏ ଅଦ୍ଭୁତ ଦୃଶ୍ୟ ଦେଖୁଛନ୍ତି । ସବୁରି ମୁହଁରେ ପ୍ରଶ୍ନ, କିଏ ଏଇ ଲୋକଟା । ସୁକାନ୍ତ ମିଶ୍ର, ଅବନୀନ୍ଦ୍ର ନାଥ ଅବିନାଶ ମହାପାତ୍ର ପରସ୍ପରର ମୁହଁ ଚୁହାଁଚୁହିଁ ହେଲେ । ହେଲେ ଲୋକଟା ବିଷୟରେ କେହି କିଛି ସିଦ୍ଧାନ୍ତ ନେଇ ପାରିଲେନି । ପାଗଳଟାଏ ନୁହେଁ ତ ?

 

ଏତିକିବେଳେ ଘରର ପୁରୁଣା ଚାକର ଗହଳି ଧସେଇ ଭିତରକୁ ପଶି ଲୋକଟାର ଡେଣା ଦୁଇଟା ଧରି କହିଲା–‘‘ହଉ ବାବୁ ! ଉଠ ଉଠ–ସାନ ବାବୁ କହିଲେ ଶବ ଏଇନେ ଉଠିବ–ଆଉ ଏଠାରେ ଗହଳି କରନା ।’’

 

‘‘ତୁ କିଏରେ ବଟିଆ ମତେ କହିବୁ ଉଠିବାକୁ । ଶୀତୁଆ ଥିଲେ....ମୋର କପାଳକୁ ଥିଲା ! ହଇରେ ମୁଁ କ’ଣ ଏ ଘରେ ନୂଆ–ନାଁ, ତୁ ମତେ ନୂଆ ଦେଖୁଛୁ ? କେତେ ଥର ପରା ମେଜ ଉପରେ ମତେ ଚା’ ଦେଇଛୁ । ଭାତ ଦେଇଛୁ–ଫେର୍ କ’ଣ କହୁଛୁ ଏମିତି ?’’

 

ତା’ର ଚଢ଼ା ଗଳାରେ ବାଧ୍ୟ ହୋଇ ଲଳିତ କୁମାର ଆଗେଇଗଲା । ସେ କିଛି ନ କହୁଣୁ ଲୋକଟା ତାକୁ କୁଣ୍ଢେଇ ନେଇ ପାଟି କରି କାନ୍ଦି ଉଠିଲା–‘‘ମୋ ବାପ, ମୋ ଧନ ମୋ ବାୟାରେ ! ତୁ ଅଛୁ....ବଡ଼ ଦୁଃଖ ହୋଇଥାନ୍ତା ତୁ ନ ଥିଲେ ରେ–ମୁଁ ଭାବିଛି ଶୀତୁଆ.... ।’’

ଲଳିତ କୁମାର ତାକୁ ଠେଲିଦେଇ କହିଲା–‘‘କିଏ ହୋ ତୁମେ ! କାହିଁକି ଏମିତି ପାଟି କରୁଛ ? ଯାଅ...ଏଠୁ ବାହାରି ଯାଅ ।‘‘ ‘‘ଆରେ ଗେଡ଼ ! ଏମିତି ରାଗୁଛୁ କାହିଁକି ମ ? ଚିହ୍ନିପାରୁନୁ,.....ମନେ ନ ଥିବ, ଛୁଆଟା ନାଁ ଆଉ କ’ଣ ? ତୋ ଜେଜେ ବାପା, ଜେଜେ ମା’ ମଲାବେଳକୁ ତୋ ବାପ ସଙ୍ଗେ ମୁଁ ଯାଇଥିଲି ମଶାଣିକି ।’’

ସେ ରହିଗଲା କଥା ଅଧା ରଖି । ବଟୁଆ ଖୋଲି ଦୋକ୍ତା ଟିକେ ଚୂନ ଦେଇ କଳରେ ଜାକିଲା । ତା’ପରେ ପୁଣି ଆରମ୍ଭ କଲା–‘‘ସେହିଦିନ ପରା ମତେ ତୋ ବାପ କହିଥିଲା, ସେ ଯେବେ ମରିବ ମୁଁ ତାକୁ କାନ୍ଧରେ ନେବି ! କୋଉ ପିଲାଦିନର ସାଙ୍ଗ–କୋଠି ପଡ଼ିଆରେ ନଈ ତୁଠରେ ବୁଲୁଥିଲୁ, କୋଳି ତୋଳୁଥିଲୁ । ହେଲେ ସେ ତ ପାଠ ପଢ଼ି ସହରିଆ ହେଲା–ବିଲାତ ଗଲା ହାକିମ ହେଲା–ମୁଁ ତ ଗାଁ ମାଟି କାମୁଡ଼ି ସେମିତି ପଡ଼ି ରହିଲି । ଯିବା ଆସିବା ଆଉ କୋଉଠି ରହିଲା ଯେ...ହେଲେ ସେ ମତେ ପାସୋରି ଯାଇ ନ ଥିଲା । ଘଡ଼ିକି ଘଡ଼ି ଚିଠି ନେଖେଇ ଡକେଇ ଆଣେ–ଏଇ କୁରୂପା ଦେଖିନି କି... ?’’

ଏଥର କଥା ବନ୍ଦ ରଖି ନାସ ଟିକିଏ ନାକରେ ଗୁଞ୍ଜିଲା ସେ । ନାକ ସୁଁ, ସୁଁ ଦି’ଥର କରି ସେ ମୁରବି ଭଙ୍ଗୀରେ କହିଲା ‘‘ଆଉ ଡେରି କାହିଁକି ବାୟା । ବେଳ ଆଉ କ’ଣ ଆସୁଛି କି ? ବାସିମଡ଼ା ହେଇଯିବ ଯେ । ସେଇ କଥା ପରା ସେ ମତେ ହଜାରେ ଥର କହିଥିବ, ଆରେ ମଣିଆ-! ତୁ ଥାଉ ଥାଉ ଯେମନ୍ତ ମୁଁ ବାସିମଡ଼ା ନ ହୁଏ ।’’

 

ଏତିକି କହି ସେ ମୁରବି ପରି ହସଟାଏ ହସି ଦେଇ ଲୋକ ଗହଳି ଭିତର ଦେଇ ଦାଣ୍ଡ ବାରଣ୍ଡା ଆଡ଼କୁ ଆଗେଇଗଲା ! ଏତେ ଗୁଡ଼ାଏ ଲୋକ ନିର୍ବାକ୍ ଆଖିରେ ଚାହିଁଥିଲେ ! ତୁଣ୍ଡରେ କାହାର ଭାଷା ନାହିଁ ।

 

ସୁକାନ୍ତ ମିଶ୍ର ସ୍ମୃତି ରୋମନ୍ଥନ କରୁଥିଲେ ! ଶୀତିକଣ୍ଠ ପାଖରେ ଏଇ ଲୋକଟାକୁ ଥରେ ଅଧେ ଅଧେ ସେ ଦେଖିଛନ୍ତି । ମାତ୍ର ମଣିଆ ଲୋକଟା ଯେ ତାଙ୍କର ସାଙ୍ଗ...ନିଶ୍ଚୟ ଏଥିରେ ଧପ୍‍ପାବାଜି ଅଛି । ଅବନୀନ୍ଦ୍ର ନାଥ ଅବିନାଶ ମହାପାତ୍ର, ଆଉ ଅନ୍ୟାନ୍ୟ ଯେତେ ଉପସ୍ଥିତ ଥିଲେ ସମସ୍ତେ ସେହିପରି ଅତୀତର ପୃଷ୍ଠା ଲେଉଟାଇବାରେ ବ୍ୟସ୍ତ । ସତେ ଯେପରି ଲୋକଟା ଗୋଟାଏ ଇତିହାସ । ଶୀତିକଣ୍ଠଙ୍କର ଅତୀତ ବୋଇଲେ ମଣିଆ–ଆଉ ତା’ର ସମ୍ପୂର୍ଣ୍ଣ ଅଧିକାର ସେଇ ଅତୀତ ଉପରେ । ଶୀତିକଣ୍ଠଙ୍କର ଭବିଷ୍ୟତ ଆଉ ବର୍ତ୍ତମାନ ଅନ୍ଧକାର ଗର୍ଭରେ । ଖାଲି ଅତୀତଟା ଅଛି–ସେଇଟାକୁ ପୁଣି ଏତେ ଲୋକଙ୍କ ଆଖିରେ ଧୂଳିଦେଇ ଅକ୍ତିଆର କରିବସୁଛି ନିପଯ ମଫସଲି ବେକୁବ ଲୋକଟା ! ଚାଲବାଜୀ, ପୂରା ସୟତାନୀ କାରବାର ।

 

ବିଳମ୍ୱ କରିବାକୁ ଆଉ କାହାର ଇଚ୍ଛା ବା ସମୟ ନାହିଁ ! କିନ୍ତୁ କେଉଁଠି ଯେମିତି କ’ଣ ଗୋଟାଏ ଗୋଳମାଳ ହୋଇଯାଇଛି–ସଜାଡ଼ି ହେଉନି ।

 

ମୃତ୍ୟୁଟା ଥିଲା ସ୍ୱାଭାବିକ । ମାତ୍ର ମଣିଆର ଉପସ୍ଥିତି ଆଉ ଅଧିକାର ସାବ୍ୟସ୍ତ କରିବାର ଢଙ୍ଗ ସମସ୍ତଙ୍କୁ ଯେପରି ବ୍ୟସ୍ତ ବିବ୍ରତ କରିଦେଇଥିଲା । ଚଳମାନ ଜୀବନ ଉପରେ ଅଧିକାର ସହ୍ୟ କରିହୁଏ; କିନ୍ତୁ ମୃତ୍ୟୁ ପରେ ଅଧିକାର ତ ଉତ୍ତରାଧିକାରୀର ଅସହ୍ୟ ।

 

ତଥାପି ଶବ ଉଠାଇବାକୁ ହେବ । ତାକୁ ତ ଆଉ ସଞ୍ଚୟ କରାଯାଇ ପାରିବନି । ସମସ୍ତେ ବ୍ୟସ୍ତ ହୋଇ କାମରେ ଲାଗିଗଲେ ।

 

ଡ୍ରଇଂ ରୁମରେ ଅବନୀନ୍ଦ୍ର ନାଥ ଚୁରୁଟ୍‍ରୁ ଧୂଆଁଛାଡ଼ି କହିଲେ–‘‘ବୁଝିଲ ଅବିନାଶ ! ମୁଁ ଜାଣିଥିଲି ଶୀତିକଣ୍ଠର ଗୋଟାଏ ବାଜେ ଅଭ୍ୟାସ ଥିଲା । ଏଇମାନେ ଦାଣ୍ଡରୁ ଲୋକ ଗୋଟାଇ ସାଙ୍ଗ ହେବା, ଗାଁ ଲୋକଙ୍କ ସଙ୍ଗରେ ମିଶିବା, ଯାତ୍ରା କରିବା–ସମୟେ, ସମୟେ ବଡ଼ ବିରକ୍ତ ଲାଗେ । ହେଲେ ସେ କ’ଣ କାହା କଥା ଶୁଣେ ? ମୁଁ ଅନେକ ବାର ମନା କରିଛି । ବନ୍ଧୁ ସମାନସ୍କନ୍ଧ ନ ହେଲେ କି ବନ୍ଧୁ ହୋ !’’

 

ଅବିନାଶ ଓ ସୁକାନ୍ତ କିମ୍ୱା ଗୌରୀ ଦେବୀ ସେ କଥାର ଜବାବ କେହି ଦେଲେନି–କାରଣ ବିରୋଧ କରିବାର ଆବଶ୍ୟକତା ନାହିଁ । କଥାଟି ନିରାଟ ସତ୍ୟ ।

 

ସମସ୍ତଙ୍କ ମନରେ ଗୋଟାଏ ବିରାଟ ପ୍ରଶ୍ନ । ମଣିଆ ସଙ୍ଗରେ ସେମାନଙ୍କୁ ସାଙ୍ଗ ହୋଇ ଶବ ନେଇ ଯିବାକୁ ହେବ ! ଇସ୍ । ତା’ର ବିଚିତ୍ର ପୋଷାକ–ସର୍ବୋପରି ମୁଣ୍ଡର ଚୁଟିଟା । କେତେ ଲେକା ଜମା ହୋଇଛନ୍ତି–ସେଥିରେ ପୁଣି ଫଟୋ ଉଠି ଯୁଗ ଯୁଗକୁ କଥାଟା ସାକ୍ଷୀ ହୋଇ ରହିଯିବ-। ସମସ୍ତେ ଇତସ୍ତତଃ କରୁଥିଲେ ବି ଲୋକ ଲଜ୍ଜାକୁ କରିପାରୁ ନ ଥିଲେ କିଛି–କି ଛାଡ଼ି ଯାଇ ପାରୁ ନ ଥିଲେ ।

 

ଏତିକିବେଳେ ମଣିଆ ଘର ଭିତରକୁ ଆସି କହିଲା–‘‘ହଇ ହେ ବାବୁମାନେ ! ଆଉ ବସିଲ କାହିଁକି ? ବଡ଼ ପୁଅମାନେ ତ ନାହାଁନ୍ତି–ସାନଟା ମୁଖାଗ୍ନି ଦେଇଦେବ–ଆଉ ଡେରି ଅପେକ୍ଷା କାହାକୁ ?’’

 

ସୁକାନ୍ତ ବିରକ୍ତିରେ କହିଲେ–

 

‘‘ଡେରି କ’ଣ ? ମଟରରେ ତ ଯିବ...ରାସ୍ତା ପାଞ୍ଚ ମିନିଟର, କିଏ କେଉଁଠି ବାଟରେ ଫୁଲମାଳ ଦେବେ–ଏମିତି ହୋଇ ଅଧଘଣ୍ଟା ଲାଗିଯିବ–ବ୍ୟସ୍ତ କାହିଁକି ? ତମର ଡେରି ହେଉଛି ତ ତମେ ଗାଁକୁ ଚାଲି ଯାଉନ–ଆଉ ତମର ବା ପ୍ରୟୋଜନ କ’ଣ ? ଆମେ ତ ଅଛୁ ।’’

 

‘‘ତମେ ଶୀତୁଆର ସାଙ୍ଗ ଥିଲଟି ବାବୁ ? କହୁଛ କ’ଣ ନା ମଟରରେ ନେବ–ସେ ପରା ହଜାର ଥର ମତେ କହିଛି ତାକୁ ଛ’ଖଣ୍ଡ ବାଉଁଶରେ ନେଇ ପୋଡ଼ିବି ମୁଁ । ତମେଇ ମାନେ ଖଳ ପୂରେଇବ ବୋଲି ସେ ମତେ କହିଛି । ଆଉ ତେମେ କ’ଣ ନାଁ... ।’’

 

‘‘ସଟ୍ଅପ୍ ! ବାଉଁଶରେ ନେବୁ...ହଇରେ ତୁ କିଏ ? ତତେ ଚିହ୍ନେ କିଏ ? ଶୀତିକଣ୍ଠର ସାଙ୍ଗ ବୋଲି କହିବାକୁ ତତେ ଲାଜ ମାଡ଼ୁନି ? ଆମେ ଏତେ ଦିନର ସାଙ୍ଗ ତା’ର, ଦିନେ ଆଉ ତତେ ଦେଖି ନ ଥାନ୍ତୁ... ନେ, ନେ ଦଶ ଟଙ୍କା ନେଇ ଗାଁକୁ ଫେରିଯା... ଆଉ ଏଠି ଦିମାକ୍ ଦେଖାନା ।’’ ଅବନୀନ୍ଦ୍ର ଦଶଟଙ୍କିଆ ନୋଟ୍ଟା କାଢ଼ି ଫୋପାଡ଼ିଦେଲା ।

 

ମଣିଆ ସମସ୍ତଙ୍କୁ ପରସ୍ତେ ଅନେଇନେଲା । ଶୀତୁଆର ସାଙ୍ଗଗୁଡ଼ାକ ସତରେ କେଡ଼େ ହାକିମ, ହୁକୁମା ପରି ଦିଶୁଛନ୍ତି । ଆଉ ସେ ଗୋଟାଏ ନିପଟ ମଫସଲ ନା–ତାଙ୍କୁ କ’ଣ କଥାରେ, ବୁଦ୍ଧିରେ ପାରିବ ? ସେ ତ କିଛି ପଢ଼ିନି । ଆଜୀବନ ମଡ଼ା ପୋଡ଼ି ପୋଡ଼ି ତା’ର ଜୀବନ ସରିବାକୁ ବସିଲାଣି । ଶୀତୁଆ ସିନା ତାକୁ ବାର ବାର କହିଥିବାରୁ ସେ ଆସିଥିଲା । ବନ୍ଧୁକୁ ବନ୍ଧୁ ସମାନ ନ ହେଲେ ସମ୍ୱନ୍ଧ ଠିକ୍ ରହେନା ବୋଲି ଭଲ-ମନ୍ଦରେ ଭାର ବେଭାର ଦେଲେ ଶୀତୁଆ ତାକୁ ଦୁଇ ଟଙ୍କା ପଠାଏ–ମଣିଆ ବି ଶୀତୁଆର ଭଲ ମନ୍ଦ ଏକୋଇଶା, ଝିଅ ବିଭାକୁ ଦୁଇ ଟଙ୍କା ପଠାଏ । ଅବଶ୍ୟ ଅନ୍ୟବେଳେ ଶହ, ଶହ ଟଙ୍କା, ଲୁଗା ଜାମା, ଅଫିମ, ଆମ୍ୱ, ପନିପରିବା ଶୀତୁଆ ତା’ ପାଖକୁ ଲୋକ ଦେଇ ପଠାଏ । ମାତ୍ର ଶୁଦ୍ଧକ୍ରିୟା, ବିଭାଘର, ବ୍ରତ ଓ ଏକୋଇଶା ଇତ୍ୟାଦିରେ ସେମାନେ ଦୁଇ ଟଙ୍କିଆ ବନ୍ଧୁ । ବେଶୀ ଦେଲେ ମଣିଆ ଲେଉଟ ବେଭାର ଦେଇ ପାରିବନି ନ ଦେଇ ପାରିଲେ ତାକୁ ଅପମାନ । ତେଣୁ ବନ୍ଧୁ ସବୁବେଳେ ସମାନସ୍କନ୍ଧ ହେବା ଉଚିତ୍–ବିଶେଷତଃ ଦବା ନବାବେଳେ ।

 

ହେଲେ ଶୀତୁଆ ତ ନାହିଁ ଆଜି ! ଏମାନେ ତାକୁ ପାସଙ୍ଗରେ ଆଣୁନାହାନ୍ତି–ସେ ଛାଡ଼ି ଚାଲିଗଲେ ଶୀତୁଆଟା ଆରପୁରରେ ମନକଷ୍ଟ କରିବ । ରାମ, ରାମ–ରାଜ ଦ୍ୱାରରେ ଆଉ ଶ୍ମଶାନରେ ଯିଏ ପହଞ୍ଚେ ସିଏ ତ ବନ୍ଧୁ ।

 

ମଣିଆର ଆଖିରେ ଲୁହ ଚକ୍ ଚକ୍ କରିଉଠିଲା । ଦଶ ଟଙ୍କା ନୋଟ୍‍ଟା ଉଠେଇ ସେ ଅବନୀନ୍ଦ୍ରଙ୍କ ଉପରକୁ ଫୋପାଡ଼ି ଦେଇ କହିଲା–‘‘ରଖ ହେ ତମ ଟଙ୍କା । ମୋର ମୁଣ୍ଡ ଦି’ ଟଙ୍କାର–ମୁଁ ଦଶ ଟଙ୍କା ନେବି, ପୁଣି ଫେରେଇ ପାରିଲେ ତ ? ଆଉ ତମ ସଙ୍ଗେ ବନ୍ଧୁ ବାନ୍ଧିବାକୁ ମୋର ଇଚ୍ଛା ନାହିଁ...ମୁଁ ଯମପୁରକୁ ଟିକଟ କାଟି ସାରିଲିଣି, ମୋର ଆଗେ ଯିବାର କଥା, ଶୀତୁଆ ମେତେ ନେଇ ପୋଡ଼ିଥାନ୍ତା.... ହେଲେ ଭାଗ୍ୟ ଯାର ମନ୍ଦ ।’’ ଏଥର ଅବିନାଶ କହିଲେ–‘‘ଆଚ୍ଛା ବାବୁ ଠିକ୍ ଅଛି ! ତମେ ତା’ର ବନ୍ଧୁ ଥିଲ ଆମେ ମାନୁଛୁ ! ହେଲେ ତାକୁ ବାଉଁଶ ବନ୍ଧା କେକେଇରେ ନେବାକୁ ତମେ କିଏ ? ଫେର୍ ତମେ କାହିଁକି, କୋଉ ଦାବିରେ ଶବ ଉଠେଇ ନବାକୁ ବସିଛ ? ସିଧା ସିଧା ଚାଲିଯାଅ–ନଚେତ... ?’’ ‘‘କ’ଣ କରିବ ମ ମୋର । ମୁଁ କ’ଣ ଚୋରି ନାରୀ କରିଛି ଯେ ମତେ ଧମକଉଛ–ତମେ ଜଅଜ, ସେ ରଜା ପୁଅ, ସେ ବାବୁ ମାଜିଷ୍ଟ୍ରେଟ ଥିଲେ ମୁଁ ଜାଣିଛି–ସେଇଥିପାଇଁ ତ ଏଇଟାକୁ ସଙ୍ଗରେ ନେଇ ଆସିଛି....ଶୀତୁଆକୁ ମୁଁ ମନା କରି ଦେଇଥିଲି ତା’ ମଲା ପରେ ମୁଁ ଆସିବି ନାହିଁ....ଚଣ୍ଡାଳଟା କାନ୍ଦି ବୋବେଇ ଫେର୍ ଭାଷା ଲେଖିଥିଲା । ତମେ ପରା ସବୁ ପଢ଼ାଶୁଣା ଲୋକ–ବିଶ୍ୱାସ କରିବନି । ହେଇ ଦେଖ ମୁଁ ଚିଠିଟା ଦେଉଛି । ହେଲେ ଦେଖି ମତେ ଫେରେଇ ଦବଟି । ତା’ ଉପରେ କାହାର ଅଧିକାର ନାହିଁ..... ! ସେଇଟି ମୋର ଗଣ୍ଠିଧନଟି... ।’’

 

ମଣିଆ ସାତସିଆଁ ଗାମୁଛା ଭିତରୁ ମକଚା କାଗଜ ଖଣ୍ଡିଏ ବାହାର କରି ଅବିନାଶ ବାବୁଙ୍କ ହାତକୁ ଦେଲା । ଶୀତିକଣ୍ଠ ତା’ର ଲେଟରପ୍ୟାଡ଼ ଦେହରେ ପନ୍ଦର ଦିନ ତଳେ ଲେଖିଛି–ମଣିଆ ! ମରିବାର ଦିନ ମୋର ପାଖେଇ ଆସୁଛି । ମଲା ଖବର ପାଇ ସଙ୍ଗେ, ସଙ୍ଗେ ତୁ ଆସି ମତେ କୋକେଇରେ ବାନ୍ଧି ନେଇ ପୋଡ଼ିବୁ । କୋଉ ପିଲାଦିନୁ ତୁ ମତେ କଥା ଦେଇଥିଲୁ–ମନେ ଅଛି ନାଁରେ ? ତୋରି ଭଳି ମୋର ଆଉ ତିନି ଜଣ ସାଙ୍ଗ ଅଛନ୍ତି–ସେମାନେ ବି ଆସିବେ । ହେଲେ ତୁ ମୋର ପିଲାଦିନର ପ୍ରଥମ ସାଙ୍ଗ–ତୁ ନ ଆସିଲେ ମୋ ଆତ୍ମା ଶାନ୍ତି ପାଇବନି । ତୋର ଶୀତୁଆ ।

 

ଅବିନାଶ ମହାପାତ୍ର ଚିଠିଟା ଘୂରେଇ ଦେଲେ । ସେ ଜଜ୍ ଥିଲେ । ବନ୍ଧୁତ୍ୱର ସାକ୍ଷୀ ସବୁତ ସବୁ ରଖିଛି ମଣିଆ । କିପରି ସେ ତା’ ବିରୁଦ୍ଧରେ ରାୟ ଦେବେ ? ଅବନୀନ୍ଦ୍ର ନାଥ ଚିଠିଟା ଉପରେ ଆଖି ବୁଲେଇ ନେଇ ବାହାରକୁ ଉଠିଗଲେ । ସୁକାନ୍ତ ମିଶ୍ର ଚିଠିଟା ପଢ଼ି ସାରି ଦୀର୍ଘ ନିଶ୍ୱାସ ଟାଣି କହିଲେ–‘‘ମୋର ଗୋଟାଏ ଏନଗେଜମେଣ୍ଟ୍ ଅଛି । ମୁଁ ଚାଲିଲି–ଅବଶ୍ୟ ମଶାଣିକି ମୁଁ ଯିବି ଯେ ।’’

 

ଅବିନାଶ ବାବୁ ଇତସ୍ତତଃ କରୁଥିଲେ–ଠିକ୍ ଭାବରେ କ’ଣ କହିବେ ସେ ବୁଝିପାରୁ ନ ଥିଲେ ।

 

ମଣିଆ ଚିଠିଟା ଟାଣିନେଇ ଭାଙ୍ଗିଭୁଙ୍ଗି ପୁଣି ଗାମୁଛାରେ ବାନ୍ଧିଲା । ଆଉ ନାସ ଟିପେ ନାକରେ ଦେଇ ପାଟି କରି ଉଠିଲା–‘‘ଆରେ ବଟିଆ ବାଉଁଶ ଆଣିବୁ...ବାସିମଡ଼ା କରି ମତେ ହଇରାଣ କରନା କହୁଛି ।’’

✽✽✽

 

Unknown

ପ୍ରଶ୍ନ

 

ଆରତି କୃଷ୍ଣଚୂଡ଼ା ଗଛକୁ ଚାହିଁ ଦୀର୍ଘଶ୍ୱାସଟିଏ ଛାଡ଼ିଲା । ଫୁଲରେ, ଫୁଲରେ ଗଛଟା ଭାଙ୍ଗି ପଡ଼ିବ ଯେମିତି ।

 

ତଥାପି ମୁହୂର୍ତ୍ତେ ଛିଡ଼ା ହୋଇ ଗଛଟି ଦେହରେ ହାତ ବୁଲେଇ ଆଣିବାକୁ ମଧ୍ୟ ତାକୁ ଆଜି ବେଳ ନାହିଁ । କେତେ ଆପଣାର କେତେ ପ୍ରାଣ ଦିଆ ନିଆର ସାକ୍ଷୀ ଏଇ ଗଛଟି ତା’ର ! ଆହା ! ଗଛଟି ଯଦି କଥା କହି ପାରନ୍ତା... !

 

ଆରତିର ଅମାନିଆ ଆଖିରେ ଅତୀତର ସ୍ମୃତି ଲହଡ଼ି ଭାଙ୍ଗୁଛି ।

 

ସମୟ କାହାକୁ ଅପେକ୍ଷା କରେ ନାହିଁ । ଆଖିରେ ରୁମାଲ ଚାପି ଧରି ଆରତି ଆଗେଇଗଲା । ଅଳ୍ପ ସମୟ ପରେ ଅନାଥାଶ୍ରମର ଗେଟ୍ ଯଦି ବନ୍ଦ ହୋଇଯିବ !

 

ସେ କ’ଣ କେବେ କଳ୍ପନା କରିଥିଲା, ଅରବିନ୍ଦର ପୁଅକୁ ସାରା ଜୀବନ ଅନାଥାଶ୍ରମରେ କଟେଇବାକୁ ହେବ ବୋଲି । ସେ କ’ଣ କେବେ ଭାବିଥିଲା, ସମାଜ ଓ ପୃଥିବୀର ସବୁ ଅଭିଶାପ ମୁଣ୍ଡେଇ ନେଇ ସେ ଚିରଦିନ ମଥା ନୁଆଁଇ ଏମିତି ବାସ୍ତୁହରା ପରି ଘୂରି ବୁଲିବ ?

 

ଅନେକ ସ୍ୱପ୍ନ, ଅନେକ କଳ୍ପନା ତା’ର ଏମିତି ମାଟିରେ ମିଶିଗଲା କାହିଁକି ? ଏ ପ୍ରଶ୍ନର ଜବାବ କାହାଠୁ ସେ ଚାହିଁବ ? ସେଥିପାଇଁ ତ ଏ ସହରରେ ସେ ପାଦ ପକାଏ ନାହିଁ..... ।

 

ଟୁପ୍ ଟୁପ୍ କରି ଦି’ଚାରି ଟୋପା ମେଘ ପଡ଼ିଗଲା ତା’ ଉପରେ । କିଏ ଯେମିତି ଛାଟ ମାରି ତାକୁ ମନେ ପକେଇ ଦେଉଛି.... !

 

ଅନେକ ଦିନ ପରି ସେଦିନ ବର୍ଷାରେ ଭିଜି ଭିଜି ଅରବିନ୍ଦ ଆସିଥିଲା ତା’ ପାଖକୁ । କୃତ୍ରିମତା ଭରି ରହିଥିଲା ବୋଲି ହୁଏତ ଅତି ନିବିଡ଼ ଭାବରେ ତାକୁ ଆଲିଙ୍ଗନରେ ବାନ୍ଧି ରଖିଥିଲା ସେ । କେଜାଣି କେତେ ସମୟ ଯେ ବର୍ଷାରେ ଭିଜି ସେମାନେ ଛିଡ଼ା ହୋଇଥିଲେ ! କେତେବେଳ ପରେ ଅରବିନ୍ଦ କହିଥିଲା–‘‘ରତି ! ତମେ କ’ଣ ଚାହଁ ମୁଁ ଜାଣେନା ! ତମକୁ ମୋର ଅଦେୟ କିଛି ନାହିଁ ! ତଥାପି ତମର ଦରକାର ନ ଥିଲେ ବି, ତୁମକୁ କିଛି.... ।’’

 

ଅରବିନ୍ଦର ହାତମୁଠା ଭିତରେ ଆରତିର ହାତ ପାପୁଲି କମ୍ପି ଉଠୁଥିଲା । ଆକାଶ ପୃଥିବୀ ବ୍ୟାପୀ ସର୍ବମୟ ସତ୍ତା ତା’ର ସେ ଯେମିତି ପ୍ରଥମ ଥର ପାଇଁ ଅନୁଭବ କରିଥିଲା । ହଠାତ୍ ଯେମିତି ଅଜସ୍ର ଚନ୍ଦ୍ରାଲୋକରେ ପୃଥିବୀ ଆଲୋକିତ ହୋଇ ଉଠିଲା । କୋଉ ଅଜଣା ପକ୍ଷୀର ନୀରବ କାକଳିରେ ପ୍ରଥମ ଥର ପାଇଁ ଯେମିତି କାହାର ନିଦ୍ରାଭଙ୍ଗ ହେଲା । ନିଜର ଅଜାଣତରେ ବାକ୍‍ରୁଦ୍ଧ ହୋଇ ଆରତି ସମର୍ପଣ କରିଥିଲା ନିଜକୁ ଅରବିନ୍ଦ ହାତରେ–ଏକ ଖେଳନା ରବର କଣ୍ଢେଇ ପରି ।

 

ତା’ ପରକୁ ପର କେତେ ରୁଷା, ମାନ ଅଭିମାନ ଯେ ପରସ୍ତ ପରସ୍ତ କରି ତା’ର ମନର ଦେହରେ କଦମ୍ୱର ରୋମାଞ୍ଚ ସୃଷ୍ଟି କରିଥିଲା, ତା’ର ହିସାବ ନାହିଁ ଆରତିର । ବାପ, ମା’, ଭାଇ, ବନ୍ଧୁ ସଂସାରର ଜଣାଶୁଣା ପ୍ରତ୍ୟେକ ବ୍ୟକ୍ତି ଆସି ତାକୁ ବୁଝେଇଥିଲେ ସେ ପଥରୁ ଓହରି ଯିବାପାଇଁ । କାରଣ ସେମାନଙ୍କ ଆଖିରେ ମାପଚୁପ, ଧରାବନ୍ଧା ଲାଭ କ୍ଷତିର ହିସାବରେ ଆରତି ପାଇଁ ସେମାନେ କ୍ଷତିର ଖସଡ଼ା ହିଁ ଦେଖୁଥିଲେ କେବଳ !

 

ମାତ୍ର ଅରବିନ୍ଦ ପାଇଁ ଜୀବନ ଦେବାକୁ ଯେଉଁ ଆରତି ପ୍ରସ୍ତୁତ ହୋଇଥିଲା, ସେ କେମିତି ବା ଲାଭ କ୍ଷତିର ହିସାବ ସେତେବେଳେ କରିପାରିଥାନ୍ତା... ?

 

ଜ୍ଞାନ, ଗାରିମା, ଶିକ୍ଷା, ସୌନ୍ଦର୍ଯ୍ୟ ଓ ସାମାଜିକ ପ୍ରତିପତ୍ତିର କୌଣସି ବିଚାର ସେତେବେଳେ ଆରତି ପାଖରେ ନ ଥିଲା ! ସେ ଭୁଲି ଯାଇଥିଲା, ସେ ଜଣେ ସାମାନ୍ୟ କିରାଣୀର ଝିଅ ଆଉ ଅରବିନ୍ଦ ବିତ୍ତଶାଳୀ ପିତାର ଏକମାତ୍ର ଉତ୍ତରାଧିକାରୀ । କେମିତି ବା ସେ ମନେ ରଖିଥାନ୍ତା ?

 

ପ୍ରତିଦିନ ତା’ର ହାତକୁ ଧରି ଅରବିନ୍ଦ କହିଥିଲା–‘‘ଏ ସମାଜକୁ ଭାଙ୍ଗି ଚୁରମାର କରିବାକୁ ହେବ । ପ୍ରଚଳିତ ନିୟମ ନୀତିକୁ ବଦଳାଇ ଆମେ ଏକ ନୂଆ ପୃଥିବୀ ଗଢ଼ିବା ଯେଉଁଠି କେବଳ ମଣିଷ ରହିବେ । ଧନପାଗଳ ଜାନୁଆରମାନଙ୍କୁ ନିପାତ କରିବା ପାଇଁ ଆମକୁ ଜୀବନ ଦେଇ ସଂଗ୍ରାମ କରିବାକୁ ହେବ–ଆମକୁ ରକ୍ତ ଦେଇ ଶପଥ କରିବାକୁ ହେବ ।’’ ଆରତି କେବଳ ଶୁଣୁଥିଲା । ଅରବିନ୍ଦ ସହିତ ସାମ୍‍ନାସାମ୍‍ନି ନିଜକୁ ଧରି ରଖିବାର ଶକ୍ତି ଯା’ର ନ ଥିଲା, ସେ ବା ଯୁକ୍ତି କରିବାକୁ, ପ୍ରତିଶ୍ରୁତି ମାଗିବାକୁ ସକ୍ଷମ ହୋଇଥାନ୍ତା କେଉଁଠି ।

 

ଏବେ ମନେପଡ଼ିଲେ ନିଜ ପ୍ରତି ଦୟାରେ ତା’ର ମନଟା କରୁଣ ହୋଇ ଉଠେ । ସେଇ ଅତୀତର ଟିକି ଝିଅ ଆରତି ପ୍ରତି, ତା’ର ବୋକାମି, ସରଳତା ପ୍ରତି କେମିତି ଗୋଟାଏ ଅହେତୁକ ମାୟାରେ ଆଖି ପତା ଲୁହରେ ଭରିଯାଏ...

 

ଆରତିର ଠିକ୍ ମନେ ଅଛି, ହଠାତ୍ ଦିନେ କଲେଜ ଫେରନ୍ତି ରାସ୍ତାରେ ଅଞ୍ଜଳି ତାକୁ ଚମକାଇ ଦେଇ କହିଥିଲା–

 

‘ଜାଣୁ, ରତି ! ଅରବିନ୍ଦର ବିବାହ ହେଉଛି ପାଟନାରେ । କନ୍ୟା ପିତା ପଚାଶ ହଜାର ଟଙ୍କା କ୍ୟାସ ଦେଉଛନ୍ତି.....ତା’ ଛଡ଼ା ମଟରଗାଡ଼ି, ରେଡ଼ିଓଗ୍ରାମ, ଗହଣାକୁ ବାଦ୍ ଦେଇ ହନିମୁନ୍ ପାଇଁ.... ।’’

 

କିଏ ଯେମିତି ଝଲକାଏ ଅଗ୍ନି ଜାଳିଦେଲା ଆରତିର ଦେହ ମୁଣ୍ଡରେ, ଅଞ୍ଜଳିଟା ସବୁଦିନେ ହିଂସକୁଡ଼ୀ–କାହାକୁ ସହେ ନାହିଁ । ଦୀର୍ଘ କେତେଦିନ ହେଲା ତା’ ନାମରେ କୁତ୍ସା ରଟନା କରିବା ଛଡ଼ା ତା’ର ଯେ କିଛି କାମ ନାହିଁ ଆଉ ! କେଉଁ ଭାଷାରେ କ’ଣ କହି ତାକୁ ଆଘାତ ଦେବାର ପ୍ରତିଶୋଧ ନେବ ବୁଝି ପାରିଲା ନାହିଁ ଆରତି ! ସବୁ କିଛି ସେ ସହ୍ୟ କରିପାରେ; ମାତ୍ର ନିଜ ପ୍ରତି ଅପମାନ ସେ ସହି ନେଇ ପାରିବନି । ଅବଜ୍ଞାରେ ସେ ହସିଦେଇ କହିଥିଲା–

 

‘‘ତା’ର ବିଭାଘର ଠିକ୍ ହୋଇ ପାରିଥାଏ ହୁଏତ । ମାତ୍ର ଯୌତୁକ ନେଇ ବିବାହ କରିବାର ପ୍ରଶ୍ନ ତା’ ସମ୍ୱନ୍ଧରେ ଉଠେ ନାହିଁ... !’’

 

‘‘କେଡ଼େ ବୋକୀଟାଲୋ ତୁ ରତି ! ପ୍ରେମ କରି ତୋ ଭଳି ଏମିତି ଅନ୍ଧ ହେବାର ମୁଁ କାହାକୁ ଦେଖି ନାହିଁ । ହଉ ସାବଧାନ ଥିବୁ । ସବୁ ସମୟରେ କିନ୍ତୁ ହିମାଳୟ ଡେଇଁ ହୁଏ ନାହିଁ–ସବୁ ଲୋକ ପାରନ୍ତି ନାହିଁ । ତୁ ବ୍ୟତିକ୍ରମ ନୋହୁଁ ବୋଲି ମନେ ରଖିଥିବୁ !’’

 

ଅଞ୍ଜଳି ଚାଲିଯାଇଥିଲା ତାକୁ ରାସ୍ତାରେ ଏକା ଏକା ଛାଡ଼ିଦେଇ, ସତେ ବା ଆରତି ଅପେକ୍ଷା ସେ ଅଧିକ ଅପମାନିତା ହୋଇଛି ! ଦିନ ଦ୍ୱିପ୍ରହରରେ ଉଜ୍ଜ୍ୱଳ ସୂର୍ଯ୍ୟକିରଣରେ ଆରତିର ଆଖି ଦିଓଟି ସବୁଦିନ ପାଇଁ ଯେମିତି ଅନ୍ଧ ହୋଇ ଯାଇଥିଲା ।

 

ତିନି ମାସ ଅନ୍ତଃସତ୍ତ୍ୱା ଥିଳା ଆରତି । ରେଜିଷ୍ଟ୍ରି ମ୍ୟାରେଜ ପାଇଁ ଅରବିନ୍ଦ ଓ ସେ ଦରଖାସ୍ତ କରିବାର ଆଠ ଦିନ ମାତ୍ର ହୋଇନାହିଁ...! ଗର୍ଭସ୍ଥ ସନ୍ତାନର ଓଜନରେ ଭାରାକ୍ରାନ୍ତ ହୋଇ ସେଦିନ ଆରତିର ମନେ ଅଛି ରାସ୍ତା ଉପରେ ସେ ଅନୁଭବ କରିଥିଲା ପୃଥିବୀର ପ୍ରଥମ ନାରୀର ଅନାକାଂକ୍ଷିତ ସନ୍ତାନ ଧାରଣର ଯନ୍ତ୍ରଣା ।

 

ପୃଥିବୀର ଚିରାଚରିତ ପନ୍ଥାରେ ଅରବିନ୍ଦ ତାକୁ ଆସି କ୍ଷମା ମାଗିଥିଲା... ନିଜର ଅନିଚ୍ଛାରେ ତାକୁ ବିବାହ କରିବାକୁ ହେଉଥିବାରୁ ପରିବାର ଓ ସମାଜ ବିରୁଦ୍ଧରେ କିଛିଟା ବିଦ୍ରୋହର ସୂଚନା ମଧ୍ୟ ସେ ଦେଇଥିଲା..... । ମାତ୍ର ପିତାମାତାଙ୍କ ପ୍ରତି ତା’ର ଦାୟିତ୍ୱବୋଧର ଦ୍ୱାହି ଦେଇ ଆଜୀବନ ଆରତିକୁ ତା’ର ମାନସ-ଜଗତର ରାଣୀ କରି ରଖିବାର ଅଙ୍ଗୀକାର ମଧ୍ୟ ତା’ ସହିତ ସେ କରିଥିଲା । ମନେ ଅଛି ଆରତିର, ସେ ପଦୁଟିଏ ମଧ୍ୟ ପ୍ରତିବାଦ କରି ନ ଥିଲା । ନିର୍ଲଜ୍ଜଙ୍କ ଭଳି ହସି ହସି ଅରବିନ୍ଦର ଭବିଷ୍ୟତ ଜୀବନର ଶୁଭ କାମନା କରିଥିଲା, ଏମିତିକି କ’ଣ ତା’ର ହେଲା ସେ ମୁହୂର୍ତ୍ତରେ ସେ ମା’ ହେବାକୁ ଯାଉଥିବାର ଖବରଟା ମଧ୍ୟ ଅରବିନ୍ଦକୁ ଦେଇପାରି ନଥିଲା ! ଜୀବନର ମୂଳଧନ ବୋକାମି ଛଡ଼ା ତା’ର ଆଉ କିଛି ନ ଥିଲା ସେତେବେଳେ !

 

ପଥର ଖଣ୍ଡେ ଝୁଣ୍ଟି ପଡ଼ିଲା ଆରତି, ଓଃ ! ଶରୀରର ଦୁଃଖ ସବୁଦିନେ ମଣିଷକୁ ବୋହିବାକୁ ହେବ । ତା’ଠାରୁ ଆଉ ବା ଯନ୍ତ୍ରଣା କ’ଣ ଅଧିକ ଅଛି ? ସେମିତି ହୁଏତ ମଣିଷର ଅବିଚାରରେ ମଣିଷ ଏମିତି ସବୁଦିନେ ଜଳି ଚାଲିଥିବ ! ଯେତେ ନିୟମ ନୀତି ଆଇନ୍ କାନୁନ୍ ଅଛି ସେ ସବୁ ଖାଲି କାଗଜ କଲମ ବହି ପତ୍ରରେ ଲିପିବଦ୍ଧ ହୋଇ ମଣିଷର ଉନ୍ନତି ଓ ପ୍ରଗତିର ସୀମା ନିର୍ଣ୍ଣୟ କରୁଥିବ ।

 

ଅନାଥାଶ୍ରମ ଦ୍ୱାର ମୁହଁରେ ଥମକି ଛିଡ଼ା ହେଲା ଆରତି । କେତେ ଅନାଥ ଶିଶୁ ଏଠି ଅଛନ୍ତି ତା’ର ଠିକଣା ନାହିଁ–କେତେ ଅନାଥିନୀଙ୍କ ଆଖି ଲୁହରେ ସେମାନେ ଗଢ଼ା ହୋଇଛନ୍ତି କିଏ କରିବ ତା’ର ହିସାବ ? ସେଇ ଶିଶୁଙ୍କ ଦେହର ରକ୍ତ କ’ଣ ଆଭିଜାତ୍ୟ ପରିବାରର ଶିଶୁଙ୍କ ରକ୍ତଠାରୁ ଭିନ୍ନ ? ବିତ୍ତଶାଳୀ ସ୍ତ୍ରୀ ପୁରୁଷଙ୍କୁ ଯେଉଁ ସମାଜ ଘଣ୍ଟ ଘୋଡ଼ାଇ ରଖେ, ସେ ସମାଜ ପୁଣି ନିର୍ଧନ ସର୍ବହରାଙ୍କ ପାଇଁ ବଦାନ୍ୟତା ଦେଖାଇ ଆଇନ୍ କାନୁନ୍ ବଳରେ ଏକତା ଓ ସମତାର ସ୍ଲୋଗାନ ଦିଏ କାହିଁକି ? କାହିଁକି... ? ତାହା କ’ଣ ଗୋଟିଏ ଖେୟାଲ୍ ? ନା ଗୋଟାଏ ବଦଭ୍ୟାସ-?

 

ଢଂ, ଢଂ କରି ପ୍ରାର୍ଥନା ଘଣ୍ଟା ବାଜିଉଠିଲା ଅନାଥାଶ୍ରମ ଭିତରେ । ଲୁହା ଗେଟ୍ ଉପରେ ଆଉଜି ପଡ଼ି ଆରତି ଦମ୍‍ ନେଉ ନେଉ ଭାବୁଥିଲା–

 

ସବୁ ନାରୀଙ୍କ ଆଖିର ଲୁହ ଯଦି ଅଗ୍ନିର ତରଙ୍ଗରେ ପରିଣତ ହୋଇ ପାରନ୍ତା...ସବୁ ଅସମତା ଦୂର ହେବାକୁ ଟିକିଏ ବିଳମ୍ୱ ହୁଅନ୍ତା ନାହିଁ । ମାତ୍ର ...ମାତ୍ର କ’ଣ ? ହେ ଭଗବାନ...ତାହା କ’ଣ ସମ୍ଭବ ? ଗୋଟିଏ ନାରୀ କି କେବେ ଅନ୍ୟ ଏକ ନାରୀକୁ ରକ୍ଷା କରିବାପାଇଁ ଆଗେଇ ଆସିବ ନାହିଁ ? ନାରୀ କ’ଣ ଚିରଦିନ ନାରୀର ଶତ୍ରୁ ହୋଇଥିବ ???

✽✽✽

 

ବିନ୍ଦୁ

 

ସବୁ ଶେଷ ହୋଇଗଲା ।

 

ଚତୁର୍ଦ୍ଦିଗ ଚଳମାନ ଜୀବନରେ ସାମାନ୍ୟ ବିରତି । ପୁଣି ଧୀରେ ଧୀରେ ଆସିଲା ପ୍ରବାହ ଉଜାଣି ପ୍ରଖର ସ୍ରୋତ । ସବୁ ମିଶିଗଲା, ସ୍ତୂପୀକୃତ ଆବର୍ଜନାକୁ ବୋହି ନେଇ ଆଗେଇ ଗଲା ମହାକାଳ !

 

ତୃପ୍ତି ସ୍ରୋତର ପ୍ରଖରତାରେ ଆଶ୍ଚର୍ଯ୍ୟ ହେବାର ଅନୁଭୂତି କିନ୍ତୁ ପାଇଲା ନାହିଁ !

 

ମାତ୍ର ଯନ୍ତ୍ରଣାରେ ତା’ର ଶିରା, ପ୍ରଶିରା ପ୍ରାଣ କେନ୍ଦ୍ର ସବୁ ଛିନ୍ନ ବିଚ୍ଛିନ୍ନ ହେଲା ପରି ଅନୁଭୂତ ହେଲା । ଅଥଚ ଏଇ ପ୍ରତୀକ୍ଷମାଣ ଯନ୍ତ୍ରଣାକୁ ସହ୍ୟ କରି ନେବା ପାଇଁ ସେ ଦୀର୍ଘ କେତେ ଦିନ ଧରି ଯେ ପ୍ରସ୍ତୁତ ହେଉଥିଲା... !

 

ପ୍ରଥମେ ପ୍ରଥମେ ତୃପ୍ତି ଭାବୁଥିଲା ଯେ ଅଜସ୍ର ଚେଷ୍ଟା କଲେ ବି ପ୍ରାଣବାୟୁ ଏତେ ଶୀଘ୍ର ଉଡ଼ିଯାଇ ପାରିବନି ଏବଂ କେତୋଟି ଦିନ ଅତିବାହିତ ହେଲେ ହୁଏତ ସେ ହସି କୁଦି ବଞ୍ଚି ରହିବାର ସ୍ୱପ୍ନ ଦେଖିବ । କିନ୍ତୁ ସନ୍ଦେହ ହେଉଥିଲା, ଯଦି ନ ପାରେ...ଯଦି ଆଉ ସମ୍ଭବ ନ ହୁଏ.... ! ତାହାହିଁ ସତ ହେଲା !

 

ଟ୍ରେନ୍‍ଟାର ଚକା ଆଉ ଆୱାଜ ମିଶି ତୃପ୍ତିର ମୁଣ୍ଡଟାକୁ ଯେମିତି ହାତୁଡ଼ିରେ ଛେଚି ଦେଇ ଯାଉଥିଲେ ।

 

ତୃପ୍ତିର ଗାଲ ବର୍ଷାରେ ଓଦା ହୋଇଗଲାଣି । ଝର୍କା ବନ୍ଦ କରି ସେ ନିଜକୁ ବାହାର ଜଗତରୁ ବିଚ୍ଛିନ୍ନ କରିଦେଲା ।

 

କମ୍ପାର୍ଟମେଣ୍ଟରେ କେହି ନାହିଁ । ଫ୍ୟାନଟା କେବଳ ଯାହା ସାଏଁ ସାଏଁ ଗର୍ଜୁଛି ! ସେ ଶୋଇ ଯାଆନ୍ତା...ଗଭୀର ଏକ ନିଶାରେ ଯଦି ସେ ଶୋଇ ଯାଆନ୍ତା... ।

 

ତାହା ସମ୍ଭବ ନୁହେଁ ଜାଣି ବି ତୃପ୍ତି ଲମ୍ୱ ହୋଇ ଶୋଇବାର ଛଳନା କଲା । ଏପରି ଛଳନାରେ ଶୋଇ ରହିବାର କେତେ ଯେ ଅଭିନୟ ସେ କରିଛି ତା’ର ଜୀବନ ଭିତରେ, ଠିକଣା ନାହିଁ । ହଠାତ୍ ତା’ର ହାତ ଘଣ୍ଟାକୁ ଚାହିଁ ମନେ ପଡ଼ିଗଲା ତା’ର ପିଲାମାନେ ସ୍କୁଲ, କଲେଜରୁ ଫେରି ଘରସାରା ତାକୁ ଖୋଜି ଖୋଜି ବ୍ୟସ୍ତ ହୋଇ ପଡ଼ିବେଣି । ସାନ ପୁଅଟା ରାହାଧରି କାନ୍ଦିବଣି । ଗୋଟାଏ କୋହରେ ତା’ ଛାତି ଭିରତଟା ଯେମିତି ଭାଙ୍ଗି ପଡ଼ିଲା । ଚଳନ୍ତି ଟ୍ରେନର ଘର୍ ଘର୍ ଶବ୍ଦ ଭିତରେ ଅନେକ ଦିନ ପରେ ଖୁବ୍ ବଡ଼ ପାଟିରେ ଚିତ୍କାର କରି କାନ୍ଦିଉଠିଲା ସେ ।

 

ଏମିତି ଭାବରେ ସବୁ ଶେଷ ହୋଇଯିବ ଜାଣି ମଧ୍ୟ ତୃପ୍ତି ଅଜଣା ଅପରିଚିତ ଭଳି ନିଜକୁ ଆବିଷ୍କାର କରୁଥିଲା କେବଳ । ସବୁକିଛି କରିହୁଏ, ନିଜକୁ ଚିହ୍ନି ପାରିବା ସବୁ ପରିସ୍ଥିତିରେ ସମ୍ଭବ ହୁଏନା..... । ତୃପ୍ତିର କ’ଣ ଯେ ଦରକାର ସେ ନିଜେ ବି ବୁଝେନା । (ଘରଟିଏ ଦରକାର ଥିଲା ସେ ଘର ପାଇଥିଲା, ପିଲା ମଧ୍ୟ ତା’ର ଇଚ୍ଛା ମୁତାବକ ସଂସାରକୁ ଆସିଥିଲେ ଆଉ ତା’ର ରୁଚିକୁ ଚାହିଁ ସ୍ୱରୂପର ଚେହେରା, ଡିଗ୍ରୀ ଓ ମାସିକ ଆୟ ମଧ୍ୟ ଥିଲା ।)

 

ତଥାପି କ’ଣ ଯେ ଅଭାବ ହେଲା ? ଭିତରେ ଭିତରେ ଗୋଟାଏ ହତାଶା, ଗୋଟାଏ ନିଃସଙ୍ଗତା ତାକୁ ତିଳ ତିଳ କରି ଦଗ୍‍ଧ କରି ପକାଇଲା । ଅଥଚ ସ୍ୱରୂପ, ପିଲାମାନେ ଆଉ ତା’ର ଭିତର ବାହାର ସଂସାର ଭିତରେ କୌଣସି ପରିବର୍ତ୍ତନ ସେ ଲକ୍ଷ୍ୟ କରି ପାରୁ ନ ଥିଲା । ସମସ୍ତେ ଯେମିତି ଏକ ଅଦୃଶ୍ୟ ଚେତନାର ଇଙ୍ଗିତରେ ଠିକ୍ ଭାବରେ ଘଣ୍ଟା କଣ୍ଟା ଧରି ଚାଲୁଛନ୍ତି..... ହସୁଛନ୍ତି...କାମ କରୁଛନ୍ତି..... ଆଉ ଆଗେଇ ଯିବା ପାଇଁ ପ୍ରତି ମୁହୂର୍ତ୍ତରେ ପ୍ରସ୍ତୁତ ହେଉଛନ୍ତି ।

 

ତୃପ୍ତି ବାଥ୍‍ରୁମ୍‍ର ଦର୍ପଣରେ ଅନେକବାର ନିଜ ଆଖିରେ ଲୁହ ଦେଖିବାକୁ ଇଚ୍ଛା କରିଛି-। ତା’ର ମନେହୁଏ ସ୍ୱରୂପ କାନ୍ଦିଲେ ଲୁହଭରା ଆଖି କେମିତି ଦେଖାଯାନ୍ତା ? ମାତ୍ର ସେ ସବୁବେଳେ ହସେ... ସବୁବେଳେ ଫୁର୍ତ୍ତିରେ ଥାଏ... ସବୁବେଳେ କିଛି ନା କିଛି ଯୋଜନା କରିବସେ-। ମାସରେ ବ୍ୟବସାୟ ସଂକ୍ରାନ୍ତରେ ଦୁଇଥର କାନପୁର ଯାଏ...ମିଛ, ସେଇ ଗୋଟାକ ହିଁ ମିଛ-! ସେ ଦେଖିଛି କାନପୁର ଯିବା ସମୟ ହେଲେ ସ୍ୱରୂପ କେମିତି ବ୍ୟସ୍ତ ହୋଇପଡ଼େ..... ତୃପ୍ତିକୁ ଆଉ ପିଲାଙ୍କୁ ସତେ ବା ସାବଧାନତା ସହକାରେ ବେଶୀ ବେଶୀ ଆଦର କରେ ! ଆଉ କାନପୁରରୁ ଫେରି ଆସିଲେ ପୁଣି ସେ ହୋଇଯାଏ ଏକ ବେପରୁଆ ଉଡ଼ନ୍ତା ପକ୍ଷୀ !

 

ଅଥଚ ସ୍ୱରୂପକୁ ସମସ୍ତେ ଜାଣନ୍ତି ସେ ତା’ର ସ୍ୱାମୀ–ଅମାୟିକ, ସରଳ, ଆଉ ସ୍ନେହମୟ । ସେଇପରି ହୁଏତ କାନପୁରରେ ସମସ୍ତେ ଜାଣିଥିବେ ସେ ଅର୍ଚ୍ଚନାର ସ୍ୱାମୀ ବୋଲି । କେତେଥର ତୃପ୍ତି ଭାବିଛି କ’ଣ ଅଛି ଅଞ୍ଜନାର ସ୍ୱାମୀ ହେଲେ ? ଆଉ କ’ଣ ବା ହୁଅନ୍ତା ‘ଅଞ୍ଜନା’ ଯଦି ଆସି ତା’ ପାଖରେ ଏକା ଘରେ ରୁହନ୍ତା ? ଲୋକେ ହସିବେ–କହିବେ ଫୁଲେଇ ହଉଛି । ସ୍ୱରୂପ ବି ରାଜି ହୋଇ ନ ପାରେ ? ସେତେବେଳେ ହୁଏତ ତା’ର ସବୁ ଫୂର୍ତ୍ତି ସବୁ ଚାଲାକି ସଫଳ ହୋଇ ନ ପାରେ.... ? ଆଉ ପିଲାମାନେ ? କ’ଣ ସେମାନେ ଭାବିବେ ? ସେମାନଙ୍କର ଭବିଷ୍ୟତ ହୁଏତ ନଷ୍ଟ ହୋଇ ଯାଇପାରେ.... !

 

ତୃପ୍ତିର ମୁଣ୍ଡ ଭିତରଟା ଦୀର୍ଘ କେତେଦିନ ଧରି ଯେ ଗୋଳମାଳିଆ ହୋଇଆସୁଛି, ସେ ଅନୁଭବ କରି ପାରୁଥିଲା ନିଜେ । କାହା ମନରେ ଦୁଃଖ ଦେଇ ସୁଖ, ଶାନ୍ତି ଯେ କିଣା ଯାଇ ପାରେନା, ଏକଥା ଯେପରି ତା’ର ବିବେକ ସୂଚେଇ ଦେଉଥିଲା ବାରମ୍ୱାର ! କ’ଣ କରିପାରେ ସେ... ?

 

ଅଗତ୍ୟା ସେ ନିଜ ଉପରେ ହିଁ ପ୍ରତିଶୋଧ ନେଲା । କାହାକୁ ନ କହି ପୂର୍ବରୁ କୌଣସି ସୂଚନା ନ ଦେଇ ଏକ ଅଳସ ମଧ୍ୟାହ୍ନରେ ବଜାର ଆସିବା ଛଳନାରେ ସେ କିପରି ଯେ ଟ୍ରେନରେ ଉଠିପଡ଼ିଲା, ତାହା କେବଳ ତା’ରି ବ୍ୟତୀତ କେହି କଳ୍ପନା କରିବା ସମ୍ଭବ ନୁହେଁ ।

 

ତେବେ ସେ କ’ଣ ପାଗଳୀ ହୋଇଯାଇଛି ? ନାଁ-ନାଁ ସେ କଦାପି ତାହା ହୋଇ ପାରେନା ! ତେବେ କ’ଣ ସେ ଅଭିମାନ କରିଛି ? ହସିଲା ! ଅଭିମାନ କେବଳ ଅବିଭକ୍ତ ପ୍ରେମ ଉପରେ କରାଯାଇ ପାରେ । ତା’ପର ଅଭିମାନ କରିବାର ଅବସର ଥିଲା ବା କେଉଁଠି ? ଘଟଣା ବା କ’ଣ ଘଟିଛି ଯେ ? କେଉଁ ଗୋଟାଏ ସୂତ୍ର ଧରି ଯେ ଅଭିମାନ ବା ଅଭିଯୋଗ ଆଣିବ ସେ ନିଜେ ହିଁ ତାହା ବୁଝି ପାରିନି । ସିଧାସଳଖ ପଚାରି ଦେଲେ ସ୍ୱରୂପ ହସି ଉଡ଼ାଇ ଦେବ–କିମ୍ୱା ଓଲଟା ଅଭିଯୋଗ କିମ୍ୱା ଭର୍ତ୍ସନାରେ ତାକୁ ଅଧିକ ଆହତ କରି ପକାଇବ । ଆଉ ସେ ସବୁର ଶିକାର ହେବେ ତା’ର ନିରୀହ ପୁଅ ଝିଅ– !

 

ଅଗତ୍ୟା ଆଉ କ’ଣ ବା ଉପାୟ ଥିଲା ? ଥିଲା ସୁଇସାଇଡ଼୍‍ର ଆଶ୍ରୟ ! ମାତ୍ର ସେଇ ଘରେ, ସେଇ ପରିସ୍ଥିତିରେ ଯେଉଁଠି ଆତ୍ମହତ୍ୟା କରିବା ପାଇଁ ପ୍ରଚୁର ଅବସର, ପ୍ରଚୁର ଉପାଦାନ ରହିଛି, ଶୋକ କରିବା ପାଇଁ ଅଜସ୍ର ପ୍ରିୟଜନ ରହିଛନ୍ତି, ସେଇଠି ଚିରବିଦାୟ ନେବାକୁ ତୃପ୍ତିର ଇଚ୍ଛା ନାହିଁ... !

 

ମାତ୍ର ଅର୍ଚ୍ଚନା କିଏ ? କେବେ ଦେଖିନି ତାକୁ ତୃପ୍ତି । ଶୁଣିଛି କେବଳ, ଜାଣିଛି କାନପୁର ଯାଏ ସ୍ୱରୂପ । ସେଠାରେ ଅର୍ଚ୍ଚନାର ଘର ।

 

କେବଳ ଶୁଣିଛି.... ଦିନ ଦିନ ଧରି । କେବେ ପଚାରିନି, ଅଭିଯୋଗ କରିନି କିମ୍ୱା ତା’ପାଇଁ ଅବହେଳିତ ବି ହୋଇନି । ଖାଲି ନିଜ ଭିତରେ ଭିତରେ ତା’ର ଅସ୍ତିତ୍ୱ, ତା’ର କଣ୍ଠସ୍ୱର, ତା’ର ପ୍ରତିବିମ୍ୱ ଯେପରି ତୃପ୍ତିକୁ ଅସହାୟ ଅଚଳ କରି ଦେଇଛି ।

 

କୁଆଡ଼େ ସେ ଯାଉଛି ? କେଉଁ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଯେତେବେଳେ ଟ୍ରେନ୍‍ଟା ପଡ଼ି ରହିବ ? କେହି ପରିଚିତ ଲୋକ ଦେଖାହେଲେ... ?

 

ଛିଃ...ଛିଃ !

 

ଟ୍ରେନ୍‍ଟା ଝାଡ଼ ଜଙ୍ଗଲ, ନଦୀ, ଗୁମ୍ଫା ଆଉ କେତେ ଯେ ସବୁଜ ପଥ ଦେଇ ଚାଲିଛି ତା’ର ଠିକଣା ନାହିଁ । କୌଣସି ସ୍ଥାନଟା ତା’ର ଶେଷ ବିଦାୟ ପାଇଁ ପ୍ରୀତିକର ମନେ ହେଉନି...ନିରୋଳା ମନେ ହେଉନି...ଷ୍ଟେସନ ପରେ ଷ୍ଟେସନ ଗଡ଼ି ଚାଲିଛି....କାହିଁକି କୌଣସି ସ୍ଥାନ ଲୋଭନୀୟ ମନେ ହେଉନି... କେତେ ବାର ଚେଷ୍ଟା କରି ବି ସେ ଝାମ୍ପ ଦେଇପାରୁନି... । କାହିଁକି ? କାହିଁକି ଏତେ ସେ ଅସହାୟ ?

 

ସମଗ୍ର ପୃଥିବୀ ପାଖରେ ସେ ଏତେ ଅସହାୟ କାହିଁକି ? ତେବେ କ’ଣ ତା’ର କିଛି ମସ୍ତିଷ୍କବିକୃତି ଦେଖା ଦେଇଛି ? ଆଃ... !

 

ଗୋଟାଏ ହାତରେ ଟ୍ରେନ୍‍ର ଚେନ୍ ଟାଣି ଦେଇ ଆର ହାତରୁ ପୁଳା, ପୁଳା କରି ମାଂସ ନିଜ ଦାନ୍ତ ଲଗାଇ ଓଟାରି ଆଣିଲା ତୃପ୍ତି !!

✽✽✽

 

ଦେବୀ

 

ଛିଃ, ଛିଃ, ଛିଃ... !

ଶ୍ରୀମତୀ ଚୌଧୁରୀ କପାଳରେ ହାତ ଦେଲେ । ଯୁଗ ଯେ କେତେ ଶୀଘ୍ର ବଦଳି ଯାଉଛି ଆଉ ତା’ ସହିତ ଲୋକମାନେ ବି । ଯେଉଁମାନେ ପିଲାଦିନେ ମାଛିକୁ ‘ମ’ କହୁଥିବା କି ମୁହଁ ଟେକି କାହାକୁ ଚାହିଁବାର ସେ ଦେଖି ନ ଥିଲେ, ସେଇମାନେ ଫେର୍ ଏମିତି ହେଲେ...ଛିଃ...ଛିଃ...ଛିଃ !

ଟିକ୍, ଟିକ୍ କରି ଝିଟିପିଟିଟା ପୁଣି ଡାକି ଉଠିଲା କାନ୍ଥ କୋଣରୁ । ସତ୍ ସତ୍ କହି ଶ୍ରୀମତୀ ଚୌଧୁରୀ ପାନ ଖଣ୍ଡିଏ କଳରେ ଗୁଞ୍ଜିଲେ ଆଉ ସୁରମା ଆଡ଼କୁ ଅନେଇ ପ୍ରଶ୍ନ କଲେ–

‘‘ତୁ ଆଖିରେ ଦେଖିଛୁ, ହଇଲୋ ରମା ! ମୋର ତ ଶୁଣୁ ଶୁଣୁ ଦେହଟା କ’ଣ ହୋଇଯାଉଛି...ସାପଟାକୁ ଦୁଧ ଦେଇ ମୁଁ ପୋଷିଥିଲି ବିଶ୍ୱାସରେ !’’

ପାନ ଡାଲାଟା ସଜାଡ଼ି ରଖୁ ରଖୁ ସୁରମା ଉତ୍ତର ଦେଲେ–‘‘ମଲା ! ମୋର କ’ଣ ସେ ଯାଆ ନା ଯେଉଳା, ନା ଭାଇ ଭଗାରୀ ଯେ ମୁଁ ତା’ ନାଁରେ ମିଛ କହିବି ! ମୁଁ କ’ଣ ଜାଣିନି ବାର ଦୁଆର ହେଉଥିଲା ଯୁଆନ୍ ଝିଅଟା, ତମେ ତାକୁ ଏଡ଼େଟିରୁ ଏଡ଼େଟିଏ କଲ...ଘରେ ଥାନ ଦେଲ...ଦାନା କନା ସବୁ ଖଞ୍ଜିଲ...ହେଲେ, ଥାଟ ଘର ପିଲା ଥାଟ... ।’’

ସୁରମା ଜାଣିଲା ଶ୍ରୀମତୀ ଚୌଧୁରୀ ଭାଙ୍ଗି ପଡ଼ିଲେଣି ମନକଷ୍ଟରେ, ଆଉ କିଛି ଅଧିକ ଶୁଣିଲେ ରାଗିବେ । ଚିରାଲୁଗାଟା କାଖରେ ଜାକି ସେ ପଦାକୁ ବାହାରିଗଲା । ଶ୍ୟାମନନା ଚିଠି କାଢ଼ି ଶ୍ରୀମତୀ ଚୌଧୁରୀ ଆଉ ଥରେ ପଢ଼ିଲେ, ଯାହାର ସାର ମର୍ମ ହେଲା–

 

ଦେବୀ ଆଉ କାହାକୁ ଖାତିର ଉପରେ ଆଣୁନାହିଁ–ମନଇଚ୍ଛା ଦାଣ୍ଡ–ଘାଟ, ହାଟ–ବଜାର ବୁଲୁଛି । ସବୁରି ଘରେ ଘଣ୍ଟା ଘଣ୍ଟା କଟେଇ ରାତି ଅଧରେ ଘରକୁ ଫେରୁଛି, ବାଡ଼ି ବଗିଚା ଠାକୁରଘର ସଫାସୁତୁରା ପ୍ରତି ତା’ର ଆଉ ନଜର ନାହିଁ । ସବୁଠାରୁ ବଡ଼ କଥା ଯେ ତା’ର ମତିଭ୍ରମ ହେବାକୁ ବସିଲାଣି–ଅର୍ଥାତ୍ ରଙ୍ଗ ବେରଙ୍ଗର ଚୁଡ଼ି ପିନ୍ଧି ସେ ଗାଁଯାକ ଲୋକଙ୍କର ଚକ୍ଷୁଃଶୂଳ ହୋଇ ଶ୍ରୀମତୀ ଚୌଧୁରୀଙ୍କ ସୁନାମରେ କଳଙ୍କ ଲଗାଇଲାଣି । ଗାଁ ଲୋକ ଫୁସୁର ଫାସର ହେଉଛନ୍ତି ଇତ୍ୟାଦି–ଇତ୍ୟାଦି ସହ ଚଷା ଟୋକା ନିତ୍ୟାନନ୍ଦର ଦେବୀ ପାଖକୁ ଘନ ଘନ ଯାତାୟାତ କିପରି ବିପଦକୁ ଘନେଇ ଆଣୁଛି ତା’ର ଆଶଙ୍କାବୋଧ ଶ୍ୟାମନନାଙ୍କ ଚିଠିର ଅକ୍ଷରେ, ଅକ୍ଷରେ ପ୍ରତିଫଳିତ ।

 

ଶ୍ରୀମତୀ ଚୌଧୁରୀ ରାଗରେ ଅସ୍ଥିରତାରେ ଏକ ଦୀର୍ଘଶ୍ୱାସ ପକେଇଲେ । କୌଣସି ସମାଧାନର ଉପାୟ ସେ ଦେଖି ପାରୁ ନ ଥିଲେ ଆଖି ଆଗରେ ଛିଡ଼ା ହେଲା ଦେବୀର ହସ ହସ ମୁହଁଟା । ବୟସ ବୋଧେ କୋଡ଼ିଏ ଏକୋଇଶ ହେବ । କେତେଦିନ ହେଲା, ପ୍ରାୟ ତିନି ବର୍ଷ ହେବ; ତାକୁ ସେ ଦେଖି ନାହାନ୍ତି–ସମୟ ହୋଇନି ନାନା କାର୍ଯ୍ୟରେ ବ୍ୟସ୍ତ ରହି । ହେଲେ ଆଠ ବର୍ଷ ତଳର ସେଇ ଧୂସର ମଇଳା କଟକଟ ଲୁଗା ପିନ୍ଧିଥିବା ଦେବୀ ଯେ ତାଙ୍କ ପଇସାରେ, ତାଙ୍କରି ଘରେ ରହି ତାଙ୍କରି ସୁନାମରେ କଳଙ୍କ ଲେପିଛି ଏଥିରେ ସନ୍ଦେହ ନାହିଁ... !

 

ଆଠ ବର୍ଷ ତଳେ ବିଧବା ହୋଇ ଦେବୀ ଯେତେବେଳେ ଗାଁକୁ ଫେରିଲା, ସେତେବେଳେ ତା’ର ମା’ କେତକୀ କାନ୍ଦି କାନ୍ଦି ଗଡ଼ି ଯାଇଥିଲା ତାଙ୍କ ପାଦତଳେ । ଦେବୀକୁ ଟିକିଏ ଘରେ ସ୍ଥାନ ଦେବାକୁ ହେବ–ଏତେ ବଡ଼ ବଢ଼ନ୍ତା ଝିଅଟାକୁ ସେ ତା’ର ଖଣ୍ଡିଆ ଚାଳଘରେ ଗାଁ ଟୋକାଙ୍କ ଜାଳାରେ ବଞ୍ଚେଇ ପାରିବନି । କେତକୀର କାନ୍ଦରେ ଗାଁ ସାରା ଲୋକ ଜମି ଯାଇଥିଲେ ତାଙ୍କରି ଘରେ...କ’ଣ କହିବେ ଶ୍ରୀମତୀ ଚୌଧୁରୀ । ଚାରିଆଡ଼େ ଏତେ ସୁନାମ ତାଙ୍କର, ଦାନ-ଦକ୍ଷିଣାରେ ସେ ଜଗତ ବିଦିତ । ଏଣେ ପୁଣି ନାରୀ ସମିତି, ନାରୀ ସ୍ୱାଧୀନତା, ନାରୀ ଶିକ୍ଷା ନେଇ ସେ ଆନ୍ଦୋଳନ ଆରମ୍ଭ କରିଛନ୍ତି ସାରା ଦେଶରେ...।

 

ଥତମତ ହୋଇଗଲେ ଶ୍ରୀମତୀ ଚୌଧୁରୀ । କି ଦୁର୍ଯୋଗରେ ଦଶହରା ପୂଜା କରିବା ପାଇଁ ସେ ଗାଁକୁ ଆସିଥିଲେ ସେଇ ଦେବୀ ଦୁର୍ଗା ଜାଣନ୍ତି ।

 

ମାତ୍ର ସେ ହଟିଯାଇ ନ ଥିଲେ.....ହସ ହସ ମୁହଁରେ ଯାଇ କହିଥିଲେ ଦେବୀକୁ–

 

‘‘କାହିଁକି କାନ୍ଦୁଛୁ ! ମୁଁ ଅଛି–ବ୍ୟସ୍ତ ହୁଅନା....କ’ଣ ତୋର ହୋଇଛି କି ? ବର୍ଷ ଛ’ଟା ଶାଶୁଘର କରିନୁ, ସେଥିରୁ ଫେର ତୋର ସ୍ୱାମୀ ସହ ଦେଖା ବି ହୋଇନି ! ମୁଁ ତୋ ପାଇଁ ବରଘର ଯୋଗାଡ଼ କରିବି–ତୋତେ ବାହା ଦେବି ସମାଜ ବଦଳିଗଲାଣି–ଗାଁରେ ମୁଁ ଏଇ ପ୍ରଥା ଚାଲୁ କରିବି-। ତୁ କାନ୍ଦନା....ମୁଁ ସବୁ ପୁରୁଣା ନୀତି ନିୟମ ଭାଙ୍ଗିଦେବି... ।’’

 

ଦେବୀ କିରି କିରି ହୋଇ ହସି ଆସୁ ଆସୁ ଅଟକିଗଲା । ଗାଁ ଯାକର ଲୋକ ରୁଣ୍ଡ ହୋଇ ତାକୁଇ ଅନେଇଛନ୍ତି; ସତେ ଯେମିତି ଗୋଟାଏ ଦେଖିବାର ପଦାର୍ଥ ସେ ! ବାର ବର୍ଷରେ ବାହା ହୋଇ ତେର ବର୍ଷ ନ ପୁରୁଣୁ ସେ ଫେରି ଆସିଛି । ଭଲ ହୋଇଛି–ଶାଶୁଘରେ ସକାଳୁ ସଞ୍ଜ କାମ କରି କରି, ଶାଶୁଠାରୁ କାଠ ଫାଳିଆରେ ମାଡ଼ ଖାଇ ଦିନ କଟେଇବାଠାରୁ ବିଧବା ହବା ଯେ ସହସ୍ର ଗୁଣେ ଭଲ ଏକଥା ଦେବୀ ସେତେବେଳେ ଭାବୁଥିଲା । ଶ୍ରୀମତୀ ଚୌଧୁରୀଙ୍କ ଆଶ୍ୱାସନାରେ ସେ କାନ୍ଦିବା ପରିବର୍ତ୍ତେ କିରି କିରି ହୋଇ ହସି ଉଠିଲା–ମାତ୍ର ଅଜସ୍ର ଆଖିର ଲାଞ୍ଛନା ତାକୁ ନିମିଷକରେ ଛାଟ ମାରିଲା ପରି ଚୁପ୍ କରି ଦେଇଥିଲା ।

 

ହାୟ, ହାୟ–ସେତିକିବେଳେ ଶ୍ରୀମତୀ ଚୌଧୁରୀଙ୍କର ବୁଝିବାର ଥିଲା ଯେ ଦେବୀଟି ସହଜ ଝିଅ ନୁହେଁ ବିଧବା ହୋଇ ଯାହା ଆଖିରୁ ପାଣି ନ ଝରିଛି... ?

 

ପରିସ୍ଥିତି ଦାୟରେ ଦେବୀକୁ ଘର ଓଳେଇବା, ବାଡ଼ି ବଗିଚା ସଫା ସୁତୁରା ରଖିବା ଆଉ ଠାକୁରାଣୀଙ୍କ ପାଇଁ ଫୁଲ ତୋଳିବା ଇତ୍ୟାଦି ଛୋଟ ଛୋଟ ଦାୟିତ୍ୱ ଦେଇ ଶ୍ରୀମତୀ ଚୌଧୁରୀ ତାଙ୍କ କର୍ମସ୍ଥଳୀକୁ ଫେରି ଯାଇଥିଲେ ।

 

ବର୍ଷକ ପରେ ପୁଣି ଦଶହରା ପୂଜା କରିବାକୁ ଯାଇ ସେ ଦେଖିଥିଲେ ଦେବୀକୁ–ଦେବୀ ଯେପରି ଗୋଟାଏ ଚର୍‍ଖି ପାଲଟି ଯାଇଛି ! ଏତେ ବଡ଼ ଘରର କାମ କରିବାକୁ ତାକୁ ଟିକେହେଲେ କ୍ଳାନ୍ତି ଲାଗୁନାହିଁ–ଯେମିତି ଗୋଟାଏ ବର୍ଷ ଭିତରେ ପାଞ୍ଚ ବର୍ଷର ଅଧିକ ବଳ ତା’ ଦେହରେ ସୃଷ୍ଟି ହୋଇଛି । ଏତେ ପରିଷ୍କାର ପରିଚ୍ଛନ୍ନ କେବେ ତ ନ ଥିଲା ତାଙ୍କ ଘର... । ଠାକୁରାଣୀଙ୍କ ପୂଜାରୀ ଶ୍ୟାମନନା ଦେବୀର ପ୍ରଶଂସାରେ ପଞ୍ଚମୁଖ ହୋଇଥିଲେ ସେଦିନ । ଖାଲି ସୁରମା, ଯେ କି ଲେଖାଯୋଖାରେ ତାଙ୍କରି ନଣନ୍ଦ ହେବ ବିଧବା ହୋଇ ତାଙ୍କରି ଆଶ୍ରମରେ ମଣିଷ, ସେ ଆସି ଅନେକ କିଛି ଦେବୀର ନିପାରିଲା ପଣ ଆଉ ଫୁଲେଇ ପଣ ବଖାଣି ଥିଲା ତାଙ୍କ ଆଗରେ । ମାତ୍ର ଦେବୀର ଦେବୀ ପରି ଚେହେରା, ହସ ହସ ମୁହଁ ଚର୍‍ଖି ପରି କାମ ଗାଁ ଯାକର ପ୍ରଶଂସା-ପତ୍ର ତାଙ୍କ ମନରେ ଥିବା ଗ୍ଳାନି ସବୁକୁ ପୋଛି ଦେଇଥିଲା ।

 

କେତକୀର ସେଇ ବର୍ଷ ମୃତ୍ୟୁ ହେବାରୁ ଶ୍ରୀମତୀ ଚୌଧୁରୀ ଦେବୀକୁ ସାନ୍ତ୍ୱନା ଦେଇ ଭବିଷ୍ୟତର ରଙ୍ଗୀନ ସ୍ୱପ୍ନ ଦେଖେଇ ଭୁଲେଇ ଦେବାକୁ ଚେଷ୍ଟା କରିଥିଲେ ଅତୀତର ସମସ୍ତ ସ୍ମୃତି !

 

ମୁହଁରେ ହାତ ଚାପି କାନ୍ଦି କାନ୍ଦି ତାଙ୍କ କଥା ଶୁଣୁ ଶୁଣୁ ଦେବୀ ପୁଣି ହସି ଉଠିଥିଲା । ସେଇ ପୁରୁଣା କଥାର ଆବୃତ୍ତି....ଶ୍ରୀମତୀ ଚୌଧୁରୀ ତାକୁ ବାହା କରାଇବେ ସେ ଶଙ୍ଖା ସିନ୍ଦୁର ଲଗାଇ ଘର କରିବ....ପୁଅ ଝିଅ ନାତି ନାତୁଣୀ ଇତ୍ୟାଦି ଇତ୍ୟାଦିରେ ତା’ର ସଂସାର ହସି ଉଠିବ...-!

 

ଦେବୀକୁ ସତେ ଯେମିତି କିଏ କୁତୁ କୁତୁ କରିଦିଏ । ସେ ଫିକ୍ କରି ହସିଉଠେ !

 

ଆଶ୍ଚର୍ଯ୍ୟ ଭାବରେ ଶ୍ରୀମତୀ ଚୌଧୁରୀ ସେଦିନ ତାକୁ ଚାହିଁଥିଲେ–ଦେବୀଟା ଦୁଃଖରେ ସୁଖରେ ସବୁକଥାରେ ହସୁଛି, ସବୁ କଥାକୁ ସମାନ ଭାବରେ ନେଉଛି କି ପରିହାସ କରୁଛି...ବୁଝି ପାରନ୍ତି ନାହିଁ ସେ ।

 

ଦେବୀ ! ଦଶହରା ପୂଜା ଦିନ ଜନ୍ମ ହୋଇଥିଲା ବୋଲି କେତକୀ ତାକୁ ଦେବୀ ବୋଲି ଡାକିଥିଲା । ସତକୁ ସତ ସେ ଯେମିତି ସାକ୍ଷାତ ଦେବୀ ପରି ।

 

କେଜାଣି ଏବେ ସେ କେତେ ବଡ଼ ହେବଣି ! ଅନେକ ବର୍ଷ ଧରି ଶ୍ରୀମତୀ ଚୌଧୁରୀ ଆଉ ପୂଜା କରିବାକୁ ଗାଁକୁ ଯାଇ ପାରି ନାହାନ୍ତି । ଏବର୍ଷ ଯିବେ ବୋଲି ଭାବିଥିଲେ ଯେ... !

 

ସୁରମା ପୁଣି ଘର ଭିତରକୁ ଆସି କହିଲା–‘‘ମୁଁ ତ କାଲି ଭୋ’ରୁ ଚାଲିଯିବି ଭାଉଜ ! ଭାଷା ଯଦି ଦେବ, କି ଖବର ପଠାଇବ କାହା ପାଖକୁ, ମୋତେ ଆଗରୁ କହି ଦେଇଥା... ।’’

 

‘‘ତୁ ଆଖିରେ ଦେଖିଛୁ ଏମିତି ବେଢ଼ଙ୍ଗ ହେଉଛି ଝିଅଟା ? ତୁ ତାକୁ ଆକଟ କରିନୁ କାହିଁକି ?’’

 

‘‘ମଲା ! ସେ ମୋତେ ପାସଙ୍ଗରେ ପକାଏନା.....ତାକୁ ପଦେ କହିଲେ ସେ ଦଶ ପଦ ଶୁଣେଇବ ! ମୋ କର୍ମ ସେମିତି, ନ ହେଲେ ସେ ଟୋକୀଟା ମୋତେ..... ।’’ ସୁରମା ନାକରେ ଲୁଗା ଦେଇ କୋହ ଚାପୁଥିଲା ।

 

ସମାଧାନର ପନ୍ଥା ନାହିଁ, କେବଳ ସମସ୍ୟାରେ ସମସ୍ୟା ହୋଇ ଉଠୁଛି ଗୁରୁତର ।

 

ଶ୍ରୀମତୀ ଚୌଧୁରୀ ବିରକ୍ତିରେ ବାଥ୍‍ରୁମ୍ ଭିତରକୁ ପଶିଗଲେ । ସନ୍ଧ୍ୟାରେ ମିଟିଂଟାରେ ତାଙ୍କର ଭାଷଣ ଦେବାର ଥିଲା–ଏଇ ପ୍ରଥମ ଥର ପାଇଁ ସେ ସଭାକୁ ଠିକ୍ ସମୟରେ ନାରୀ ସ୍ୱାଧୀନତା, ନାରୀ ଜାଗରଣ ବିଷୟରେ କହିବାକୁ ଯାଇ ପାରିଲେନି ଉଇମେନ୍ ଲିବରେସନ୍ ମୁଭମେଣ୍ଟର ସେ ଜଣେ ପ୍ରଧାନ ନେତ୍ରୀ । କିନ୍ତୁ ଆଜି ଯେମିତି ସବୁ ଗଣ୍ଡଗୋଳ ହୋଇଯାଇଛି–କେଉଁଠି ଯେମିତି ମୁଣ୍ଡ ଟେକି ଗୋଟାଏ ଗୋଟାଏ ବିରାଟ ପ୍ରତିବନ୍ଧକ ଠିଆ ହୋଇଛି !

 

ଶ୍ରୀମତୀ ଚୌଧୁରୀ ତା’ ପରଦିନ ପୂଜାର ଯଥେଷ୍ଟ ପୂର୍ବରୁ ପୂଜା ଆୟୋଜନର ଆଳ କରି ସୁରମା ସାଥିରେ ଗାଁକୁ ଚାଲିଗଲେ ।

 

ଘରଦ୍ୱାର ସବୁ ଝଟକୁଛି । ବାଡ଼ି ବଗିଚାରେ ନାନାଜାତିର ଫୁଲ । ଦାଣ୍ଡରେ ଚମ୍ପା ଫୁଲର ଗନ୍ଧ ପବନକୁ ଯେମିତି ମତୁଆଲା କରି ତୋଳିଛି ।

 

କନକ ଦୁର୍ଗାଙ୍କ ମନ୍ଦିରରେ ଘଣ୍ଟା ଘଣ୍ଟା ଆଳତି ଚାଲିଛି । ସନ୍ଧ୍ୟା ଆସୁଛି ତା’ର ଚିରନ୍ତନ ନମ୍ରକମ୍ର ଭଙ୍ଗୀରେ । ଗାଡ଼ିର ଶବ୍ଦ ଶୁଣି ଧାଇଁ ଆସିଲା ଦେବୀ, ବାରଣ୍ଡାରେ ଆକୁଳରେ ନଇଁ ପଡ଼ି ଶ୍ରୀମତୀ ଚୌଧୁରୀଙ୍କ ପାଦ ଉପରେ ହାତ ରଖିଲା ସିଏ, ଚମକି ପଡ଼ିଲେ ଶ୍ରୀମତୀ ଚୌଧୁରୀ । ସତକୁ ସତ ନାଲି, ନେଳି, କଳା, ଶାଗୁଆର ବାହିଏ ଚୁଡ଼ି ତା’ର ଗୋରା ତକ ତକ ହାତରେ ଚକ୍ ଚକ୍ କରୁଛି । କିଛି ନ କହି ଗମ୍ଭୀର ହୋଇ ଘର ଭିତରକୁ ଚାଲିଗଲେ ସେ ।

 

ମୁଖସ୍ଥକରା ଆଦର୍ଶ ସହ ରକ୍ତ ବତୁରା ସଂସ୍କାରର, ନେତୃତ୍ୱର ଅହଙ୍କାର ସହ ମାନବିକତାର ସଙ୍ଘର୍ଷ ! ଅସହ୍ୟ ଏଇ ଯନ୍ତ୍ରଣା ! ଆଉ ସେଇଠି ହିଁ ଜୟଯୁକ୍ତ ହୁଏ ସ୍ୱାର୍ଥପର ମଣିଷର ଆତ୍ମାଭିମାନ ।

 

ଲୋକ ଗହଳି ପୂଜା ସମାରୋହର ଆଲୋଚନା ଭିତରେ ଦେବୀ ସମ୍ୱନ୍ଧରେ କେହି ପଦୁଟିଏ ପ୍ରଶ୍ନ ବି ତାଙ୍କ ସମ୍ମୁଖରେ ଉଠାଇନି । ଗାଁ ସାରା ସମସ୍ତେ ତାଙ୍କର ବ୍ୟକ୍ତିତ୍ୱ, ଶିକ୍ଷା ସଂସ୍କୃତି, ଦାନ ଦକ୍ଷିଣାରେ ମୁହ୍ୟମାନ । ମୁହଁରେ କଥା କହିବାର ସାହସ କେବଳ ଶ୍ୟାମନନା ଆଉ ନରୁ କକେଇଙ୍କ ବ୍ୟତୀତ ଆଉ କାହାର ନାହିଁ । ସେମାନେ ହୁଏତ ପରେ କିଛି କହି ପାରନ୍ତି ।

 

ରାତିରେ ଦେବୀକୁ ନିରୋଳାରେ ଡାକିନେଇ ସେ ପଚାରିଲେ ରୂଢ଼ କଣ୍ଠରେ ‘‘କାହାକୁ ପଚାରି ଏ ଚୁଡ଼ି ପିନ୍ଧିଛୁ ? ତୁ କ’ଣ ଭୁଲିଯାଇଛୁ ତୁ... ତୁ !’’

 

ମୁର୍‍କି ମୁର୍‍କି ହସୁଚି ଦେବୀ, ଆଉ ଆଙ୍ଗୁଠିରେ ଚୁଡ଼ି ଉପରେ ହାତ ବୁଲାଉଛି । ହସଟା ତା’ ଶରୀରର ସତେ କି ଏ ଅଙ୍ଗ । ସତେ ଯେମିତି ଛୁରୀ ଚାଲିଗଲା ଶ୍ରୀମତୀ ଚୌଧୁରୀଙ୍କ ଦେହରେ । ‘‘କାଢ଼ ସେ ଚୁଡ଼ି–କାଢ଼୍ ! କେଉଁ ସାହସରେ କାହା ଅନୁମତିରେ ତୁ ଏ କାମ କରିଛୁ ଛିଃ, ଛିଃ, ଲାଜରେ ମୋ ମୁଣ୍ଡ କଟି ଯାଇଛି ।’’

 

ନିର୍ବାକ ଆଖିରେ ଦେବୀ ଏଥର ତାଙ୍କ ମୁହଁକୁ ଚାହିଁଲା । ଏଇ କ’ଣ ସେଇ, ଯିଏ ଆଠ ବର୍ଷ ତଳେ ତାକୁ ଶଙ୍ଖା ସିନ୍ଦୁର–ବିବାହର ଲୋଭ ଦେଖେଇ ଥିଲେ ? ଶ୍ରୀମତୀ ଚୌଧୁରୀଙ୍କ ଆଖିରୁ ନିଆଁ ଝରୁଛି !

 

‘‘ଓ, ସେ ନିତ୍ୟାନନ୍ଦ ସଙ୍ଗରେ ମିଶି ତୋର ସାହସଟା ବଢ଼ି ଯାଇଛି ନାଁ ? ମୁଁ ଦେଖୁଛି ସେ ଟୋକାକୁ ଯଦି ତାକୁ ଦାଣ୍ଡରେ ନ ବସାଉଛି ତା’ ହେଲେ ମୋ ନାଁରେ କୁକୁର... ?’’ ହସି ଉଠିଲା ଏଥର ଜୋରରେ ଦେବୀ । ସତେ କି ଗୋଟାଏ ଝରଣାର କଳ କଳ ଝଙ୍କାର । ଠାସ୍ କରି ଚାପୁଡ଼ାଟାଏ ପକେଇଲେ ଶ୍ରୀମତୀ ଚୌଧୁରୀ । ଚୁପ୍ ହୋଇଗଲା ନିମିଷକରେ ଦେବୀ !

 

‘‘ସେ ପିଲାଟା କାହାର ? କିଏ...କହ... ନିତ୍ୟାନନ୍ଦର ?’’ ଏଥର ଦେବୀ ହସି ପାରିଲାନି-। ମୁହଁରେ ଯେମିତି କିଏ ମେଞ୍ଚାଏ କାଳି ବୋଳି ଦେଇଛି ।

 

ଗର୍ଜି ଉଠିଲେ ଶ୍ରୀମତୀ ଚୌଧୁରୀ–‘‘କହ, କହ କିଏ ତା’ର ବାପ ? ନ ହେଲେ ତତେ ଝାଡ଼ୁମାରି ଏହିକ୍ଷଣି ବାହାର କରିଦେବି ? ପେଟରେ ପିଲା ଧରି ହାତରେ କାଚ ବାହିଏ ପିନ୍ଧି ଘରର ଘରଣୀ, ସ୍ୱାମୀର ସ୍ତ୍ରୀ ବୋଲାଉଛି ? କହ ନ ହେଲେ...’’

 

କାନ୍ଥରେ ଟଙ୍ଗା ହୋଇଛି କୋଉ ଭଟ୍ଟ ଅମଳର ଚାବୁକ୍ ତା’ ଉପରକୁ ବଂଶର ଗୌରବ ମହାସତୀ ଲକ୍ଷ୍ମୀ ଦେବୀଙ୍କର ତୈଳଚିତ୍ର । ସ୍ୱାମୀ ସହ ସହମରଣ କରି ଯିଏ ଯୁଗ ଯୁଗ ପାଇଁ ଅମର ପ୍ରଦୀପ ଜାଳି ରଖିଛନ୍ତି ।

 

ସେଇ ଫଟୋଟାକୁ ଅନେଇ ଦେହରେ ଯେପରି ଅସୀମ ବଳ ପାଇଗଲେ ଶ୍ରୀମତୀ ଚୌଧୁରୀ । ଲକ୍ଷ୍ମୀ ଦେବୀଙ୍କ ଆଖିରୁ ଯେମିତି ସର୍ବଗ୍ରାସୀ ଅନଳ ଝରୁଛି–ବାଘ ଘରେ ମିରିଗ ନାଟ-! ନା, ନା ସେ ସହ୍ୟ କରି ପାରିବେନି–

 

‘‘କହ କହ କିଏ ଏଥିପାଇଁ ଦାୟୀ ! ନଚେତ୍ ଦେହରୁ ଛାଲ ଉତାରି ଦେବି ।’’ ‘‘ଜାଣିନି’’ ଦେବୀ ଉତ୍ତର ଦେଲା ! କଣ୍ଠ ଥରୁଛି ।

 

ସପାତ୍ କରି ଚାବୁକ୍‍ଟା ଦେବୀର ହାତ ଉପରୁ ଚାରି ଛ’ପଟ ଚୁଡ଼ି ଝାଡ଼ି ପକେଇଲା ଆଉ ତା’ ସହିତ କିଛି ରକ୍ତ ।

 

ସେ କାନ୍ଦିଲା କଣ୍ଠରେ କହିଲା–‘‘ମୁଁ ଜାଣିନି ମା’ ! ରମା ନାନୀ ମୋତେ ଡାକି ନେଇଗଲା ସଞ୍ଜବେଳେ, ଠାକୁରାଣୀ ବେଢ଼ାରେ ଶ୍ୟାମନନା ଆଉ ନରୁ ମଉସା ମୋତେ...ମୁଁ ଦେଖି ପାରିନି ମା’...ଅନ୍ଧାର ହୋଇ ଯାଇଥିଲା...ମୁଁ ଚିତ୍କାର କରି ପାରିଲିନି...ସେମାନେ ମୋ ପାଟିରେ ଲୁଗା ଦେଇଦେଲେ । ମୋ ଜ୍ଞାନ ହେଲାବେଳକୁ ମୁଁ ଏଠି ପଡ଼ିଛି...ରମାନାନୀ ଜାଣେ...। କେବଳ ନିତ୍ୟାନନ୍ଦ ଜଗି ରହିଥିବାରୁ ସେମାନେ ଏଠିକି ଆସୁ ନାହାନ୍ତି ।

 

ଦେବୀ ତଥାପି କାନ୍ଦୁ ନ ଥିଲା । ସତେ ବା ଗୋଟାଏ ଘଟଣା ସେ ଆବୃତ୍ତି କରୁଛି ମାତ୍ର-! ଶ୍ରୀମତୀ ଚୌଧୁରୀ ରାଗରେ ଥରି ଉଠିଲେ–ବଂଶରେ କଳଙ୍କ–ଶ୍ୟାମନନା ମନ୍ଦିର ପୂଜାରୀ, ଆଜୀବନ ବ୍ରହ୍ମଚାରୀ ଆଉ ନରୁ କକେଇ ଯେ ମୁହଁ ଟେକି ତାକୁ ବି ଚାହାନ୍ତି ନାହିଁ । ଛିଃ.....ଛିଃ.... ଏଇଟା ଗୋଟାଏ କାଳ ନାଗୁଣୀ ! ଶେଷକୁ ଦେବତା ପରି ଲୋକଙ୍କ ନାଁରେ ଅପବାଦ ଦେଲା-। ମା’ ଲକ୍ଷ୍ମୀ ମା’ ଦୁର୍ଗା ! ଶ୍ରୀମତୀ ଚୌଧୁରୀ ଚାବୁକ୍‍ଟା ଉପରକୁ ଉଠେଇ ନେଲେ ଅସମ୍ଭାଳ ହୋଇ-। ଲକ୍ଷ୍ମୀ ଦେବୀଙ୍କ ଫଟୋ ଦେହରେ ଚାବୁକ୍‍ଟା ଲାଗି ଫଟୋଟା ପଡ଼ିଗଲା ତଳେ ଖଣ୍ଡ ଖଣ୍ଡ ହୋଇ-। କି ଅଶୁଭ, କି ଦୁର୍ଯୋଗ ! ଶ୍ରୀମତୀ ଚୌଧୁରୀ ଭଙ୍ଗା ଫଟୋକୁ ଅନେଇ ସ୍ଥିର ହୋଇଗଲେ ଗୋଟିଏ ମୁହୂର୍ତ୍ତ । ଆଉ ତା’ରି ଭିତରେ ଦେବୀ ବାହୁନି ଉଠିଲା କରୁଣ କଣ୍ଠରେ–

 

ଭାଙ୍ଗିଦେଲ, ଭାଙ୍ଗିଦେଲ ! ଏ କ’ଣ କଲ ମା’–ତାକୁ ମୋରି ପାଇଁ ଭାଙ୍ଗିଦେଲ ! ସେଇ କାଳ ରାତିରେ ମୁଁ ଏଇଠି ତଳେ ପଡ଼ି ଏଇ ଫଟୋକୁ ଅନେଇ ଥାଏ, କାନ୍ଦୁଥାଏ; ମୋତେ ନିଦ ଲାଗିଗଲା–ମୁଁ ସ୍ୱପ୍ନ ଦେଖିଲି–ମୋ ସ୍ୱାମୀର ଚିତା ଜଳୁଛି ଆଉ ମୁଁ ଛିଡ଼ା ହୋଇ କାନ୍ଦୁଛି । ସେତେବେଳେ ଫଟୋରୁ ଏଇ ଠାକୁରାଣୀ ଆସି ମୋତେ କହୁଛନ୍ତି–ପଶି ଯା’ ଚିତାରେ, ନ ହେଲେ ତୋତେ ସାହି ପଡ଼ିଶା ଭାଇ-ଭଗାରୀ ମିଠା କଥା କହି ଦିନକୁ ଦଶ ଥର ଚିତାରେ ପୂରାଇବେ–ଜାଳି ଜାଳି ଖାଇବେ ମଲା ପର୍ଯ୍ୟନ୍ତ–ମୁଁ ତ ଥିଲି ଧନୀ ଘରର ବୋହୂ, ତୁ ତ ଭିକାରୁଣୀ ହେଲେ ଏମିତି ମରିବାଠାରୁ ଥରେ ଚିତାରେ ପଶିଯବା ଭଲ... ଆହା ମୋ’ରି ପାଇଁ ଶେଷକୁ.... !

 

ଶ୍ରୀମତୀ ଚୌଧୁରୀ କିଛି କହିପାରୁ ନ ଥିଲେ । ସେ ଫଟୋକୁ ଆଉ ଦେବୀକୁ ଚାହୁଁଥିଲେ ଘନ ଘନ । ଗୋଟାଏ ଅଦ୍ଭୁତ ସାମଞ୍ଜସ୍ୟବୋଧ ତାଙ୍କୁ ଭୟଭୀତ କରି ଦେଉଥିଲା !

 

ଦେବୀ ଏଥର ତାଙ୍କର ପାଦ ଧରି ପଡ଼ି କାନ୍ଦି ଉଠିଲା–‘‘ଭାରି କଷ୍ଟ ମା’ ! ତମେ ମତେ ବିଶ୍ୱାସ କରିବନି, ହେଲେ... ତୁମକୁ କଳଙ୍କ ଲାଗିବ ବୋଲି ମୁଁ କାହାକୁ କିଛି କହିନି–ସବୁ ସାକ୍ଷୀ ଅଛନ୍ତି ଠାକୁରାଣୀ । ମୁଁ ଚାଲିଯିବି, ଚାଲିଯିବି ସବୁଦିନ ପାଇଁ । ହେଲେ ଏଇ ବର୍ଷ ପୂଜାଠାରୁ ପୁଣି ତମେ ସ୍ୱାମୀ-ସ୍ତ୍ରୀ ସହମରଣ ଚିତାର ନିୟମ ଏଠି ଚଳେଇ ଦିଅ ମା’ ! ଗରିବ ଗୁରୁବା ଦୁଃଖୀ ରଙ୍କି, ନିଆଶ୍ରିତ ଝିଅ ବୋହୁ ତ୍ରାହି ପାଇଯିବେ...ତମର ଜୟ, ଜୟ ହେବ... ମା’ !...’’

 

ଶ୍ରୀମତୀ ଚୌଧୁରୀ ତା’ର ହାତ ଦୁଇଟାକୁ ଛିଞ୍ଚାଡ଼ି ଦେଇ ଝର୍କା ପାଖକୁ ଚାଲିଗଲେ ! ମନେପଡ଼ୁଛି...ଉଇମେନସ୍ ଲିବରେସନ୍ ମୁଭମେଣ୍ଟ, ଲିଗାଲାଇଜ୍ଡ଼ ଆବରସନ୍, ପିଭେଣ୍ଟିଭ୍ ପିଲ୍‍ସ ଆଉ ଇକ୍ୱାଲ ରାଇଟ୍‍ସ ପାଇଁ ତାଙ୍କର ଜୀବନଭରି ସଂଗ୍ରାମ–କେତେ ପତିତାନିବାସ, କେତେ କଣ୍ଡେନ୍‍ସଡ଼ସ୍କୁଲ–କେତେ ନାରୀ ଅନୁଷ୍ଠାନରେ ସେ ସକ୍ରିୟ କର୍ତ୍ତୀ ! ପ୍ରଗତିଶୀଳା ନାରୀନେତ୍ରୀ ହିସାବରେ କେଉଁଠି କେଉଁ ସ୍ଥାନରେ ବି ସେ ଏପରି ନିୟମ ଚାଲୁ କରିବା ପାଇଁ ପ୍ରସ୍ତାବ ଶୁଣି ନାହାନ୍ତି । ଏପରିକି ନାରୀ ସ୍ୱାଧୀନତାର ଚରମ ଶତ୍ରୁ ପୁରୁଷ ସମାଜ ଏପରି ପ୍ରଶ୍ନ ଉତ୍ତୋଳନ କରିବାକୁ ସାହସ କରିବନି ! ଅଥଚ ଦେବୀ ପରି ଗୋଟାଏ ନିପଟ ଅଶିକ୍ଷିତ ମଫସଲି ସ୍ତ୍ରୀ ଲୋକ... ଛିଃ... ଛିଃ...ନାରୀ ହିଁ ନାରୀର ଶତ୍ରୁ । ଚରମ ଶତ୍ରୁ...!

 

ଫଟୋକୁ ଧରି ଦେବୀ କାନ୍ଦୁଥିଲା । ଶ୍ରୀମତୀ ଚୌଧୁରୀ ଭାରତୀୟ ନାରୀର ଭବିଷ୍ୟତ, ଯଥାର୍ଥ ସ୍ୱାଧୀନତା ସମ୍ୱନ୍ଧରେ ହତାଶ ହୋଇ ଝର୍କା ରେଲିଂ ଫାଙ୍କରେ ମୁହଁକୁ ଚାପି ଧରିଥିଲେ !

 

ଚତୁର୍ଦ୍ଦିଗ ନିଃଶବ୍ଦ । ସାରା ପୃଥିବୀର ଜୀବନ ନାହିଁ ଯେମିତି !!

✽✽✽

 

ଅସରନ୍ତି

 

ସ୍ୱପ୍ନ ଦେଖିବାର କୌଣସି ସମୟ ବି ନ ଥିଲା ସେତେବେଳେ । ଅପରାହ୍ନର ଗୁଞ୍ଜନ କ୍ରମଶଃ ଚହଳ ସୃଷ୍ଟି କରୁଥିଲା କାନ ପାଖରେ । ସିଙ୍ଗଲ୍ ଚା’ କପରେ ବା କେତେ ସମୟ ନିମଗ୍ନ ରଖାଯାଇ ପାରିବ ଦିନସାରାର ବ୍ୟାକୁଳତାକୁ !

କ୍ୟାଲେଣ୍ଡରରେ ଦୂର ପର୍ବତରେ ଚନ୍ଦ୍ରୋଦୟ । ତଳେ ସୁନୀଳ ତଟିନୀର ଚଳ ଚଞ୍ଚଳର ମୁଖରିତ ସ୍ରୋତ । ସବୁଜ ରଙ୍ଗର ଛବିଟି ଆଖିକୁ ବେଶ୍ ପ୍ରୀତିକର ଲାଗୁଛି । ପର୍ବତର ଉପରି ଭାଗରେ ଉଡ଼ନ୍ତା ପକ୍ଷୀର ଚିତ୍ର । ବେଶ୍...ବେଶ୍ ସୁନ୍ଦର... !

ନୀଳକଣ୍ଠ ଜାଣିଲା କପ୍‍ଟା ଓଠରେ ଧରି ଆଉ ବସି ହେବନାହିଁ । ଶୁକନନା ଗାର ଡେଇଁ ଅନଉଛି । ଗରାଖ ଜମିଲେଣି । ଝଣଝାଣ ପଇସା ପକେଇ ଖରିଦ୍ କଲାବାଲା ଆସିଗଲେଣି । ଏଥର ତାକୁ ଉଠିଯିବାକୁ ବେହ । ଚା’ କପରେ ଠୋପାଏ ବି ଚା’ ନାହିଁ ।

ନୀଳକଣ୍ଠ ଫଳ ଦୋକାନ ଦେଇ ଆସ୍ତେ ଆସ୍ତେ କରେଇ କରେଇ ଚାଲିବାକୁ ଲାଗିଲା । କୌଣସି ଲୋକର ମୁହଁ ଚିହ୍ନା ଲାଗୁନି କିମ୍ୱା କୌଣସି ବିଶେଷ ଆନନ୍ଦ ବା ଯନ୍ତ୍ରଣା ତା’ ଭିତରେ ନାହିଁ । କେବଳ ଦୁର୍ବଳତା, ଶାରିରୀକ ଅବସନ୍ନତା ! ଏହା ଛଡ଼ା ଦୀର୍ଘ କେତେ ଦିନ ଯେ କେଜାଣି ସେ କିଛି ହିଁ ଜାଣେନା ! ଏମିତି ସକାଳୁ ସଜ ହୋଇ ଘରୁ ଆସିବା ଓ ବୁଲି ବୁଲି ଅନିର୍ଦ୍ଦିଷ୍ଟ ସମୟରେ ରାତ୍ରିରେ ଘରେ ପହଞ୍ଚିବା ଏକ ଧରାବନ୍ଧା ନିୟମରେ ପଡ଼ିଗଲାଣି । ଯେଉଁଆଡ଼େ ଯାହା କିଛି ଘଟିଯାଉଛି କିଛି ନାହିଁ ତା’ର ଏଇ ନିୟମିତ ଜୀବନରେ ଛନ୍ଦପାତ କରିନାହିଁ । ଏମିତି କି ଇନ୍ଦୁପ୍ରଭାର ସହିଷ୍ଣୁତା ବି ।

ଇନ୍ଦୁପ୍ରଭା ଏକ ପ୍ରାଗୈତିହାସିକ ନାରୀ । ଘରଦ୍ୱାର, ଶାଶୁ ଶ୍ୱଶୁର ଆଉ ପଞ୍ଝାଏ ପିଲାଙ୍କର କାମଦାମ ସାରି ଯିଏ ରାତ୍ରିରେ ତା’ର ଗୋଡ଼ ମୋଡ଼ି ଦେଲାବେଳେ କେବଳ ଗୋଟିଏ ମାତ୍ର ଅଭିଯୋଗ କରେ ଯେ ତା’ର ନଖ ଦରଜ ହୋଇଯାଇଛି । କେଉଁଦିନ ପରିବା କାଟି ଛିଡ଼ି ଯାଇଛି ତ କେଉଁଦିନ ବାସନ ମାଜି ତ କେଉଁଦିନ ତୁଳସୀ ପତ୍ରର ରସ ଛେଚି ଛେଚି ନଖଟା ଫାଟି ବି ଯାଇଛି । ଥରେ ଡାକ୍ତର ଦେଖେଇ ତା’ର ମରି ଯାଇଥିବା ନଖଟାକୁ ଉଠେଇ ଦେବା ପାଇଁ ସେ ତା’ର ବେକାର ସ୍ୱାମୀକୁ ପ୍ରତିଦିନ ଅନୁରୋଧ କରିଛି । କିନ୍ତୁ ନୀଳକଣ୍ଠର ଚାକିରି ଖୋଜିବା ପରି ନଖ ଦରଜ କେବେ ହେଁ ବନ୍ଧ ହୋଇନି କିମ୍ୱା ଇନ୍ଦୁପ୍ରଭାର ଦୈନନ୍ଦିନ ଘର କାମ ମଧ୍ୟ ।

ପକେଟ୍‍ରୁ ଝାଳଭିଜା ସିଗାରେଟ୍ ବାହାର କରି ନୀଳକଣ୍ଠ ଲଗେଇଲା ପାନ ଦୋକାନର କତା ଦଉଡ଼ିରେ ନିଆଁ । ଆଚ୍ଛା, ସୁରେଶ କ’ଣ ତାକୁ ଅଲକ୍ଷିତରେ ଉପହାସ କଲା କି ? ମାଟ୍ରିକ ପାଶ୍ କରି ସୁରେଶ ବହୁ ଦିନରୁ କିରାଣୀ । ପଚାରେ ଯେ କିଛି ଲାଭ ନାହିଁ, ଯେତେ ପଢ଼ିବ ସେତେ ବେକାର ରହିବ, ଏକଥା ଥରେ ସେ ତାକୁ କହିଥିଲା । କିରାଣୀ ପୋଷ୍ଟଟା ପାଇଲାକ୍ଷଣି ସେ ପଢ଼ା ଛାଡ଼ି ଦେଇ ସେଥିରେ ପଶି ଯାଇଥିଲା । ଅଥଚ ନୀଳକଣ୍ଠ ପାରି ନ ଥିଲା–ବି. ଏ. ପାଶ୍ ଅତି କମ୍‍ ରେ ନ କଲେ ସେ କି ଚାକିରି କରିବ ?

କିନ୍ତୁ ସମୟ ତ ବଦଳିଗଲା ତା’ର ସବୁ ସ୍ୱପ୍ନଯାକ ଧୂଳିରେ ମିଶାଇ । ସାମାନ୍ୟ ଗୋଟାଏ କିରାଣୀ ପୋଷ୍ଟ ପାଇଁ ଶହ ଶହ ପ୍ରାର୍ଥୀ, କି ବ୍ୟାକୁଳତା ! ସୁରେଶ କିନ୍ତୁ ତା’ ହାତରେ ସିଗାରେଟ୍‍ଟା ଗୁଞ୍ଜି ଦେଇ କହିଥିଲା–‘‘କାହିଁକି ଆସିବୁ ଏଠିକି ? ପୋଷ୍ଟ ହେବନି ତୋର । ଯିଏ ରହିବାର କଥା ଠିକ୍ ହୋଇ ସାରିଛି–କ୍ୟୁରେ ଛିଡ଼ା ହୋଇ ଗୋଡ଼ ଦରଜ ସାର ହେବ ଭାଇ ! ମୋ କଥା ତ ମାନିବୁ ନାହିଁ... ପାଠପଢ଼ାରୁ ଏତିକି କଷ୍ଟ !’’

କ’ଣ ଗୁଡ଼ାଏ ତା’ ମନକୁ ମନ ସେ ବକି ଯାଉଥିଲାବେଳେ ନୀଳକଣ୍ଠ ଦେଖୁଥିଲା ତା’ର କୋରଡ଼ ଆଖି, ହାଡ଼ୁଆ ଗାଲ ଆଉ ଶେତାଳିଆ ଦେହକୁ । ଅଥଚ କଥାରେ ବାଟୁଳି ବାଜୁ ନ ଥିଲା ସୁରେଶର । ଫୂର୍ତ୍ତି ନାହିଁ ବୋଲି କହି ହେବନି ! ଗଲାବେଳେ କହିଥିଲା–

 

‘‘ସିଗାରେଟ୍ ଖାଇବୁ । ଅଫିସର୍‍ଙ୍କ ବ୍ରାଣ୍ଡ–ଖାସ ବିଦେଶୀ ।’’ ସିଗାରେଟ୍‍ଟା ନିଜ ପକେଟରେ ପୂରେଇ ନେଇଥିଲା ତା’ରି ସାମ୍ନାରେ । କିଏ ଯଦି ଦେଖିନିଏ ?

 

କିଏ ଦେଖିନେବ, କିଏ କ’ଣ କହିବ ଇତ୍ୟାଦି ହୋଇ ଜୀବନର ଅଧେ ସମୟ କଟିଗଲାଣି । ଏବେ ନିଜେ କ’ଣ କରିପାରିବ, ନିଜେ କ’ଣ କହି ପାରିବ ଭାବିଲେ କି ଟିକେ ହୁଅନ୍ତା ନାହିଁ ? ନାଁ ସେତିକି ହେବନି.... ସେତିକି ପାଇଁ ଏତିକି ଚିନ୍ତା, ଏତେ ସମସ୍ୟା ଆଉ ଯୋଜନା ? ହାଏ ! କେଉଁଠି ଗୋଟାଏ ମନକୁ ମନ ବାଟ ଫିଟି ଯାଆନ୍ତା ନାହିଁ ? କିମ୍ୱା କିଏ ଜଣେ ଆସି ହାତ ଧରି ତାକୁ ନେଇ ଯାଆନ୍ତା ନାହିଁ କୁଆଡ଼କୁ ? ଯୁଆଡ଼େ ଆଖି ପାଉଛି ସିଆଡ଼େ ? ନାଁ ନାଁ–ଗୋଟାଏ କିଛି ଭୁଲ୍ ଜାଗାକୁ...ଯେଉଁଠି...ଯେଉଁଠି ନୀଳକଣ୍ଠର କଳ୍ପନା ପାଉନି ଭଲ ସ୍ଥାନରେ ସଂଜ୍ଞା ନିରୂପଣ କରିବାକୁ ! କେତେ ବା ଭଲ ଜାଗା । ମନମତାଣିଆ ବୁଢ଼ୀମା’ର ସାତ ତାଳ ପାଣି ତଳେ ସୁରମ୍ୟ ଅଟ୍ଟାଳିକାର ଗପ ତା’ର ମନରେ ଟିକେ ବୋଲି ବି ନାହିଁ । ଆଉ କେଉଁ କଥାଟା ସେ ଭାବି ପାରିବ ନାଁ କହି ପାରିବ ?

 

ଧେତ୍‍ରିକା । ସିଗାରେଟ୍‍ଟା ପୂରା ଜଳି ଗଲାଣି । ଟୁକୁରାଟା ସେ ଫୋପାଡ଼ି ଦେଲା ତଳକୁ । ରାସ୍ତାର ଲାଇଟ୍ ସବୁ ଜଳି ଉଠିଲାଣି । ଏବେ ଚିହ୍ନିବାକୁ ନ ଚାହିଁଲେ କେହି କାହାକୁ ଚିହ୍ନି ପାରିବେନି । ଖଣ୍ଡିଆ ପୋଲଟା ଉପରେ ବସିଲା ନୀଳକଣ୍ଠ । ଏଇଟା ଅନାବନା ରାସ୍ତା–ସିନେମା ଥିଏଟର । ବଜାର ଘାଟ ଏ ରାସ୍ତାରେ ନାହିଁ କହିଲେ ଚଳେ । ଏଠାରେ କିଛି କିଛି ଚନ୍ଦ୍ରୋଦୟର ଛବି ଥୁଣ୍ଟା ଅଶ୍ୱତ୍‍ଥ ଆଉ ଚାକୁଣ୍ଡା ଗଛ ଭିତରେ ନେଇ ବୁଝି ହୁଏ । ସୂର୍ଯ୍ୟ ଉଠିଲେ ବି ଏଠି ଜାଣି ହେଉଥିବ ।

 

କିନ୍ତୁ ଏମିତି କେତେଦିନ ଚାଲିବ ? ଭୋକ ଉପାସ, ଶାରୀରିକ ଯନ୍ତ୍ରଣା, ପରିବାରର ଦାୟିତ୍ୱ, ବାପ, ମା’ଙ୍କର ଦାବି ସବୁକୁ ଏଡ଼େଇ ଦେଇ କେତେଦିନ ସେ ଚାଲି ଚାଲି ଗୋଡ଼ର ଚମଡ଼ା ଉଠେଇବ ? ଇଣ୍ଟରଭ୍ୟୁ କ୍ୟୁରେ ଛିଡ଼ା ହୋଇ କେତେଦିନ ସେ ମନର ଓରିମାନା ମେଣ୍ଟେଇବ ? ତା’ର ଯୋଗ୍ୟତାଠାରୁ କମ ଯୋଗ୍ୟତା ଥିବା ସମସ୍ତ ରକମ୍ ପୋଷ୍ଟ ପାଇଁ ସେ ଇଣ୍ଟରଭ୍ୟୁ ଦେଇଛି–ସବୁ ପ୍ରଶ୍ନର ଉତ୍ତର ସେ ଦେଇଛି...ଅଥଚ କେହି ତାକୁ ଉପଯୁକ୍ତ ବୋଲି ସ୍ୱୀକାର କରୁନାହାନ୍ତି କାହିଁକି ? କାହିଁକି ? କାହିଁକି ତା’ ପ୍ରତି ଏ ଅବିଚାର ଏ ଅନ୍ୟାୟ ? କାହିଁକି ବା ସେ ତା’ର ପ୍ରତିବାଦ କରିବନି ? ହସି ଉଠିଲା ମନକୁ ମନ ନୀଳକଣ୍ଠ । ପ୍ରତିବାଦ କରିନି । ସଙ୍ଘକୁ ଚାନ୍ଦା ଦେଇଛି–ଶୋଭା ଯାତ୍ରାରେ ସ୍ଳୋଗାନ ଦେଇ ଆସେମ୍ଲି ଆଉ ମନ୍ତ୍ରୀଙ୍କ ବାସଭବନ ପାଖରେ ତତଲା ଗ୍ୟାସରେ ମୂର୍ଚ୍ଛା ଯାଇଛି, ଲାଠି ମାଡ଼ରେ କିଛି ରକ୍ତ ବି ତା’ର ଲୋ’ ପ୍ରେସର ଥିବା ଶରୀରରୁ ରାଜପଥରେ ନିଗାଡ଼ି ଦେଇଛି । ସବୁ ପାର୍ଟିର ଥରେ ଥରେ ମେମ୍ୱର ହୋଇଯାଇଛି–ଚାନ୍ଦା ଦେଇଛି, ଭାଷଣ ଦେଇଛି ଘର ଘର ବୁଲି ପାର୍ଟି ଯୋଜନାର ଖସଡ଼ା ବୁଝେଇଛି–ନିର୍ବାଚନର ତାମସା ଆଉ ଶାସନର ଚୂଡ଼ାନ୍ତ ପରିଣତି ସେ ଅଙ୍ଗେ ଲିଭେଇଛି । କିନ୍ତୁ କେହି ତ ତାକୁ ଭରସା ଦେଇ ପାରିନି ? କାହା ଉପରେ ସେ ଆସ୍ଥା ରଖି ପାରିନି । କାହାକୁ ଅନେଇ ବାଟ ଚାଲିବା ସେ ଶିଖି ପାରିନି କି କଥା କହିବାର ଶବ୍ଦ ସଂଗ୍ରହ କରି ପାରିନି । କାହିଁକି ? କାହିଁକି ସେ ଶିଖି ପାରୁନି ? କାହିଁକି ଅମାନିଆ ଅବାଗିଆ ହୋଇ ସାରା ଜୀବନ...

 

‘‘ବାବୁ ରିକ୍‍ସା...!’’ ରିକ୍‍ସାବାଲା ଟିଂ ଟିଂ ଘଣ୍ଟି ବାଡ଼େଇ ଦଣ୍ଡେ ଅଟକି ଗଲା ।

 

କେମିତି କେଜାଣି ବିରକ୍ତ ହୋଇ ଉଠିଲା ନୀଳକଣ୍ଠ । ପାଟି କରି ଉଠିଲା–ମତେ କ’ଣ ଦିଶୁନି, ମୋର ଦରକାର ହେଲେ ମୁଁ ନିଜେ ଡାକିବିନି ? ତୋର କ’ଣ ଅଛି ? ଯାବତ୍ ନିଷ୍କର୍ମାଗୁଡ଼ା..... ।

 

ରିକ୍‍ସାବାଲା ଉତ୍ତର ଦେଲାନି । ତା’ର ମୁହଁଟାରେ କି ରକମ୍ ଭାବ ଆସିଲା ! ନୀଳକଣ୍ଠ ପକ୍ଷରେ ଦେଖିବା ସମ୍ଭବ ନ ଥିଲା ଅନ୍ଧାର ଭିତରେ । କିଛି ନ କହି ସେ ଚାଲିଲା, ସତେ ଯେମିତି ସେ ଗୋଟିଏ ଅପରାଧୀ । ନୀଳକଣ୍ଠର ଛାତି ଭିତରଟା କମ୍ପି ଉଠିଲା । ଆହା ବିଚରା ! ଏକୁଟିଆ ଅପନ୍ତରାରେ ବସିଥିବାର ଦେଖି ସେ ଡାକୁଥିଲା ତାକୁ ନେଇଯିବାକୁ । ମାତ୍ର ସେ କ’ଣ ଜାଣିଛି ଗୋଟାଏ ବି ପଇସା ନାହିଁ ନୀଳକଣ୍ଠର ପକେଟରେ । ଆଉ ସେଇ ନ ଥିଲା ଭାବକୁ ଘୋଡ଼େଇବାକୁ ଯାଇ ସେ ଘଉଡ଼େଇ ଦେଇଛି ତାକୁ ! ନୀଳକଣ୍ଠର ମନ ହେଲା ଦଉଡ଼ି ଯାଇ ସେ ରିକ୍‍ସାବାଲାଟାକୁ ବୁଝେଇ ଆସନ୍ତା... ।

 

ଆରେ ! ରିକ୍‍ସାଟା ପୁଣି ଆସୁଛି ଏଆଡ଼େ ? ମଣିଷକୁ ଟିକେ ଶାନ୍ତିରେ ବସେଇ ଦେବେନି ଏମାନେ ? ଆଚ୍ଛା ସମାଜବାଦ ହେଲା–ସମସ୍ତଙ୍କୁ କୈଫିୟତ୍ ଦେଇ ଦେଇ ମଣିଷ ନୟାନ୍ତ... । ନୀଳକଣ୍ଠ ଡଗ ଡଗ ହୋଇ ବିପରୀତ ଦିଗରେ ଚାଲିଲା ନାହିଁ ତ ଏକରକମ ଦଉଡ଼ିବା ଆରମ୍ଭ କରିଦେଲା ? ଏଇନେ ରିକ୍‍ସାବାଲାଟା ପୁଣି ତାକୁ ଅନ୍ୟ ଲୋକ ଭାବି ଭଡ଼ା ମୂଲେଇବ...-! ମାତ୍ର ପଛରୁ ଜଣେ କିଏ ଚିତ୍କାର କରି ଉଠିଲା–

 

‘‘ନୀଳ, ନୀଳ ରହ-ରହ...ମୁଁ, ମୁଁ ଯାଉଛିରେ... ନୀଳ ।’’

 

କଣ୍ଠ ଯେମିତି ପରିଚିତ । ଥମ୍‍କିନା ଛିଡ଼ା ହୋଇଗଲା ନୀଳକଣ୍ଠ । ପ୍ରତିଯୋଗିତା କରି ରିକ୍‍ସା ସଙ୍ଗରେ ସେ ଧାଇଁ ପାରିବନି...ବାଳୁଙ୍ଗାଟାଏ ଏତିକିବେଳକୁ ଦେଖା ହେବାକୁ ଥିଲା କେଉଁଠି ? କିଏ ଏ ମହାତ୍ମାଟି ପୁଣି ରିକ୍‍ସା ଚାଳକ ବେଶରେ ?

 

ବତୀ ଖୁଣ୍ଟରୁ ଲାଇଟ୍ ପଡ଼ୁଛି । ତଥାପି ଚିହ୍ନି ହେଉନି–ମୁଣ୍ଡରେ ପଗଡ଼ି–ଦେହରେ ପାଞ୍ଚ ଶହ ତଳ ସାବୁନ କମ୍ପାନୀର ଗେଞ୍ଜି–ଅଣ୍ଟାରେ ଚାରିହାତିଆ କୁଞ୍ଜ ଚିତ୍ର ବିଚିତ୍ର । ‘‘ଚିହ୍ନିପାରୁନୁ ?’’ ହେଁ ହେଁ ହୋଇ ହସି ଉଠୁଛି ରିକ୍‍ସାବାଲା । ‘‘ନରି...ନରେନ୍ଦ୍ର...ଆରେ ତୁ .... ମୁଁ .... ମୁଁ !’’

 

ନୀଳକଣ୍ଠ ଯେମିତି କ’ଣ କହିବ ଠିକ୍ ଶବ୍ଦ ଖୋଜି ପାଉ ନ ଥିଲା !

 

ବିଜୁଳି ଆଲୁଅରେ ନରେନ୍ଦ୍ରର ଦି’ପାଟି ଦାନ୍ତ ଚକ୍ ଚକ୍ କରୁଛି–ଆଖି ଦୁଇଟା ଡବ୍ ଡବ୍ କରି ହସରେ ଫାଟି ପଡ଼ୁଛି । ଦେହରୁ ଗୋଟାଏ ଅପରିଷ୍କାର ଝାଳର ଗନ୍ଧ ପବନଟାକୁ ଅଣନିଃଶ୍ୱାସୀ କରି ଦେଉଛି.... !

 

‘‘କିରେ ଅନେଇଚୁ କ’ଣ ? ପକେଟରେ ପଇସା ନାହିଁ ତ ଚାଲ ତତେ ଘରେ ଛାଡ଼ିଦେଇ ଆସିବି–ଦିମାକ ଦେଖେଇବା ଦରକାର ନାହିଁ !’’ ପଗଡ଼ିଟା ଖୋଲି ଏଥର ନରେନ୍ଦ୍ର ଝାଳ ପୋଛିବା ଆରମ୍ଭ କରିଦେଲା ! ମୁଣ୍ଡଟା ତା’ର ଚନ୍ଦା ।

 

ନୀଳକଣ୍ଠ ପାଟି ଖୋଲି ପାରୁ ନ ଥିଲା । ନରେନ୍ଦ୍ରର ଚନ୍ଦା ମୁଣ୍ଡର ମଝିରେ ଥିବା ଚୁଟି କେରାକ ପବନରେ ଉଡ଼ୁଛି । ଇସ୍ କି ବିକୃତ ଦେଖାଯାଉଛି ନରେନ୍ଦ୍ର । ମାତ୍ର କ’ଣ ପାଇଁ... ନରେନ୍ଦ୍ରର ଅବସ୍ଥା କ’ଣ ପାଇଁ ? ସ୍ୱପ୍ନ ବିଳାସୀ ନରେନ୍ଦ୍ର–ବାସ୍ତବ ଯୋଜନାର ସ୍ୱପ୍ନରେ ଯେ ଅଧୀର ହୋଇ ଉଠୁଥିଲା ପାଠ ପଢ଼ିବାବେଳେ । ସବୁଜ ଚାଷ, ସମବାୟ ସମିତି, ପାଠାଗାର, କଳକାରଖାନା ଆଉ ସାମ୍ୟବାଦ ଜୀବନର ସ୍ୱପ୍ନ ଦେଖୁଥିଲା ନିଦରେ ବି ନରେନ୍ଦ୍ର... ! ଅଥଚ... ପଚାରିବାକୁ ତାକୁ ସେ କି କ’ଣ ପାଇଁ ଏମିତି ଅବସ୍ଥା ହେଲା ଶେଷକୁ ତା’ର ?

 

ନରେନ୍ଦ୍ର ବୋଧେ ଜାଣି ପାରିଲା ନୀଳକଣ୍ଠର ଦ୍ୱନ୍ଦ୍ୱ । ସେ ସ୍ୱାଭାବିକ ଗଳାରେ କହିଲା–

 

‘‘କିଛି ଜାଣିବାକୁ ଚାହୁଁଛୁ ମୋ ବିଷୟରେ ?’’ ନରି...ତୋର ସବୁଜ ଚାଷର ପରିକଳ୍ପନା.... ? ‘‘ମରୁଭୂମି !’’ ‘‘ତୋର ସମବାୟ ସମିତି, କୋଠ ଚାଷ, ଗ୍ରାମଗୋଷ୍ଠୀ ପଞ୍ଚାୟତ ଇତ୍ୟାଦି... ।’’

 

‘‘ଧୂସର ବାଲି.....ମାଇଲ ମାଇଲ ଯୋଜନ ଯୋଜନ !’’ ତୋର ସାର ଆଉ ତେଲ କାରଖାନା ? ଟାଇଲ୍ କମ୍ପାନୀ...ପ୍ରେସ୍...ପତ୍ରିକା... ସାହିତ୍ୟ... ! ତୋର ସେଇ ସ୍ୱପ୍ନ....ସବୁଜ ନୀଳ ଆଉ ଗୋଲାପୀ ସ୍ୱପ୍ନ ।’’

 

‘‘ମୁଠାଏ ଜଳନ୍ତା ଜୁଇ ।’’

 

‘‘ଚୁପ୍‍କର ! ଫାଜିଲାମି ତଥାପି ଛାଡ଼ି ପାରୁନୁ କେବେ ଆଉ ତୁ ପ୍ରାକ୍‍ଟିକାଲ୍ ହେବୁ...-?’’

 

‘‘ପ୍ରାକ୍‍ଟିକାଲ୍ ! ମୁଁ ପ୍ରାକ୍‍ଟିକାଲ୍ ନୁହେଁ... କିଏ ମୋର ସ୍ୱପ୍ନକୁ ଭାଙ୍ଗିରୁଜି ଛାରଖାର କରିଦେଲା ନୀଳ ? ବଢ଼ି, ମରୁଡ଼ି, ବତାସ...ଅଭାବ ଅନାଟନ–ଚକ୍ରାନ୍ତ ଚତୁର୍ଦ୍ଦିଗରେ ଚକ୍ରାନ୍ତ...ଶାସନର ସମାଜର ଗୋଷ୍ଠୀର ଦେଶର.... ଜାତିର... କିଏ ନୁହେଁ... ସମସ୍ତେ... ସମସ୍ତେ... ହେଲେ ମୁଁ ଭାଙ୍ଗି ନାହିଁ । ନରେନ୍ଦ୍ର ଜେନା ବଞ୍ଚିଛି ସମସ୍ତଙ୍କୁ ଧୂଳି ଦେଇ ବଞ୍ଚିଛି... !’’

 

‘‘ଶୁଣ୍ ! ଦିନରେ ଏବେ ଚୁଟିରେ ଫୁଲ ମାରି ମୁଁ ଘର ଘର ବୁଲି ପୂଜା କରେ–କାହାର ଗ୍ରହ ଖରାପ ପାଇଁ, ପିଲାଛୁଆ ଦେହ ଭଲ ପାଇଁ, ମାଲି ମକଦ୍ଦମାରେ ଜିତିବା ପାଇଁ...ଗୁଣୁ ଗୁଣୁ କରି ମନ୍ତ୍ର ପଢ଼େ । ଦରକାର ମନେ କଲେ ପିଲାଛୁଆଙ୍କଠୁ ଡାଆଣୀ ଭୂତ ଛଡ଼ାଏ । ଟୁଣୁକା ଔଷଧ ବି ଦିଏ... ମନ୍ଦ ରୋଜଗାର ନୁହେଁ, ହେଲେ ଏତେଗୁଡ଼ାଏ ଲୋକ ଚଳିବେ କେମିତି ? ସେଇଥିପାଇଁ ନରେନ୍ଦ୍ର ଜେନାକୁ ପୁଣି ପଗଡ଼ି ବାନ୍ଧି ରିକ୍‍ସା ଟାଣିବାକୁ ହୁଏ... ନ ହେଲେ କାଗଜ କି ଖରାଟିଆ କାକୁଡ଼ି କି ତରଭୁଜ ବିକ୍ରି କରିବାକୁ ହୁଏ...ତୋ ଭଳି ପୋଲ ଉପରେ ବସି ଚନ୍ଦ୍ରୋଦୟ ଦେଖିବାର ସୌଭାଗ୍ୟ କାହିଁ ମୋର ?’’

 

‘‘ନରି... !’’ ନୀଳକଣ୍ଠ ନରେନ୍ଦ୍ରର ଦୁଇ କାନ୍ଧରେ ହାତଭରା ଦେଇ ଡାକିଲା ! ‘‘ନୀଳ...-।’’ ନରେନ୍ଦ୍ରର ହାତ ଦୁଇଟା ନୀଳକଣ୍ଠର କାନ୍ଧ ଦେହକୁ ଆପଣା ଛାଏଁ ଉଠି ଯାଇଥିଲା !

 

କେଜାଣି କେତେ ସମୟ ଯେ ସେଇ ଅପନ୍ତରା ରାସ୍ତା କଡ଼ରେ ସେମାନେ ସେମିତି ଆଚ୍ଛନ୍ନ ଅବସ୍ଥାରେ ଛିଡ଼ା ହୋଇଥିଲେ ପରସ୍ପର କାନ୍ଧରେ ମୁଣ୍ଡ ରଖି କହି ହେବନି । ହଠାତ୍ ନରେନ୍ଦ୍ର କହିଲା–

 

‘‘ବସ୍ ବସ୍ ରିକ୍‍ସାରେ–ତତେ ମୁଁ ଛାଡ଼ିଦେଇ ଯିବି । ସିନେମା ଭାଙ୍ଗିବାବେଳ ହେଲାଣି–ଆଜି ଗୋଟାଏ ବି ପାସେଞ୍ଜର ନାହିଁ.... !’’

 

ନୀଳକଣ୍ଠ ଆକାଶର ଚନ୍ଦ୍ର ଚପଳ ବାଦଲର ଲୁଚକାଳି, ଅଶ୍ୱତ୍‍ଥ ପତ୍ରର ମର୍‍ମର୍ ଶବ୍ଦ ଭିତରେ ବି ନିଜ ପେଟ ଭିତରେ ଅସହ୍ୟ ଯନ୍ତ୍ରଣା ଅନୁଭବ କରୁଥିଲା । ଆଉ...ଆଉ ଗୋଟିଏ ପାଦ ଚାଲିବାକୁ ତା’ର ଦେହରେ ଟିକିଏ ବଳ ନାହିଁ–କିମ୍ୱା ପାଟି ଖୋଲି ପଦେ କଥା ବି !

 

ଥାଉ–କାଲି ସନ୍ଧ୍ୟାରେ ଦେଖା ହେଲେ ସେ ଅବଶିଷ୍ଟ ଅସମ୍ପୂର୍ଣ୍ଣ କଥାଗୁଡ଼ିକ କହିବି !!

Image